ଖଦ୍ୟୋତର କ୍ଷୋଭ
ଖଦ୍ୟୋତର କ୍ଷୋଭ
ଖଦ୍ୟୋତ କହଇ ନରେ ଶୁଣ ମୋର କଥା,
କିମ୍ପାଇଁ ରଜନୀ କାଳେ ଦିଅ ମତେ ବ୍ୟଥା ?
ଅଳପ ଆଲୋକ ଥାଇ ମୁହିଁ ଯେତେ ଖୁସି,
ବେଶୀ ଜ୍ୟୋତି ଦେଇ ମଧ୍ୟ ଖୁସି ନୁହେଁ ଶଶୀ।
ଆପଣା ଆଲୋକେ ମୁହିଁ ଅଟଇ ସ୍ୱାଧୀନ,
ପର ଦରବେ ମୋ' ନାହିଁ ତିଳେ ପ୍ରୟୋଜନ।
ମଉସୁମୀ ଆଗମନେ ଏଇ ଧରା ବକ୍ଷେ,
ଧପ ଧପ ହୋଇ ଜଳୁ ତରୁଲତା କକ୍ଷେ।
ସେଇ ଜ୍ୟୋତି ରାଶି ଦେଖି ତୁମ୍ଭ ପିଲା ଯେତେ,
କି ଆନନ୍ଦ ପା'ନ୍ତି ସତେ ତାହା ଜଣା ତତେ !
ମୋ ପ୍ରଶଂସା କେତେ ତୁହି କରୁଥିଲୁ ଦିନେ,
କିମ୍ପାଇଁ ବଇରି ହେଲୁ ଆଜ ମୋ ଜୀବନେ।
ବିବେକ ବିଚାର ବୁଦ୍ଧି ଥାଇ ତୋର ପାଶେ,
ଏଡ଼େ ଅବିବେକୀ କାହିଁ ହେଲୁ ତୁହି ବିଶ୍ୱେ?
କୃତ୍ରିମ ଆଲୋକ ଲଗାଇ ତୁ ଚଉପାଶେ,
ଅନ୍ଧାର ହଟାଇ ଦେଲୁ ସିନା ପରିବେଶେ।
ସେଇ ଜ୍ୟୋତି ରାଶି ସାଥେ ଆମ୍ଭେ ତାଳ ଦେଇ,
ବଢାଇଲୁ ଯହିଁ ଜ୍ୟୋତି କାଳ ହେଲା ତହିଁ।
ନରମାୟା ଅଗୋଚର ଥିଲି ଯାହା ଶୁଣି,
ଆଜି ମୁଁ ଭାଳୁଚି ତାହା ସତ ହେଲା ବାଣୀ।
କୀଟନାଶକ ପ୍ରୟୋଗ କଲୁ ବାଡ଼ି କ୍ଷେତେ,
ତା ପ୍ରଭାବେ ଆମ୍ଭ ବଂଶ କମିଯାଏ କେତେ।
ସୁନ୍ଦର ଲାଗଇ ଯେତେ ମୋ ଜ୍ୟୋତି ବଦନ,
ତାଠୁଁ ବଳି ଧରା ବକ୍ଷେ ମୋର ଅବଦାନ।
କ୍ଷୁଦ୍ର ପ୍ରାଣୀ, ଜିଆ ପରି ଛନ୍ତି ଜୀବ ଯେତେ,
ତାରେ ଖାଇ ଜିଇଁ ଥାଉ ଆମ୍ଭେ ଏଇ ମର୍ତ୍ତ୍ୟେ।
ଯା'ପାଇଁ ସେ'ଜୀବ ସଂଖ୍ୟା ରହେ ନିୟନ୍ତ୍ରଣେ,
ଖାଦ୍ୟ ଶୃଙ୍ଖଳର କଡ଼ି ଥାଏ ସନ୍ତୁଳନେ।
ପରିବେଶ ବାରେ ତିଳେ ସଚେତନ ହୋଇ,
ଜାଗି ଉଠ ହେ ମାନବ ବିଶ୍ୱ ରକ୍ଷା ପାଇଁ।