ମୋ ଗାଆଁ ମାଟିର ଆଦର୍ଶ ଗୁରୁ
ମୋ ଗାଆଁ ମାଟିର ଆଦର୍ଶ ଗୁରୁ
ମୋ ଗାଆଁ ମାଟିର ଆଦର୍ଶ ଗୁରୁ ତୁମେ ହିଁ ପରା,
ତୁମ ବିନା ଆମ ଜୀବନ ରହିଥା'ନ୍ତା ଅଧୁରା।
ମାଆ ଅମ୍ବିକେଇ ଦେଉଳେ ଖୋଲିଣ ଚାଟଶାଳୀ,
ଗଢି ଦେଲ କେତେ ମଣିଷ ଏଠି ଭଳିକି ଭଳି।
ଶିକ୍ଷକ, ସୈନିକ, ଯନ୍ତିରି,ନେତା, ଡାକ୍ତର ଯେତେ
ତୁମ ପାଇଁ ସିନା ସମ୍ଭବ ଆଜ ହୋଇଚି ସତେ।
କେତେ କେତେ ଭଲ ମଣିଷ ତୁମେ ଗଢି ଏ ଗ୍ରାମେ,
ନୂଆ ପରିଚୟ ଦେଇଚ ଜାଣ ଏ ଗାଆଁ ଭୂମେ।
ଶିକ୍ଷା ବିନା ଗ୍ରାମ ବିକାଶ ହୁଏନି ବୋଲି ଜାଣି,
ଶିକ୍ଷା ଦାନ କଲ ଜୀବନେ ଆମ୍ଭକୁ କରି ଋଣୀ।
ଗୁରୁ ଦକ୍ଷିଣା ରୂପେ ଆମ୍ଭେ ଦେଇ ନାହୁଁ ସେକାଳେ,
ଶିକ୍ଷା ଦାନ କଲ ତଥାପି ହେଳା ନକରି ତିଳେ।
ପ୍ରତି ଶନିବାର ପ୍ରଭାତେ ମୁଠେ ଚାଉଳ ଦେଇ,
ଶିକ୍ଷା ପାଇଅଛୁ ତୁମ୍ଭଠୁଁ ମାସ ବରଷ ଯହିଁ।
ତୁମ୍ଭ ଭାଷା କୋଷ ଗଣିତେ ଥାଏ କି ଯାଦୁ ସତେ,
ତାହା ଶିଖି ଧନ୍ୟ ହୋଇଚୁ ଆମେ ଜୀବନ ପଥେ।
ପରାଜୟ ଆମ ଜାତକେ ନାହିଁ ତୁମ୍ଭରି ପାଇଁ,
ବୀର ପରି ମାଡି ଚାଲୁଚୁ ତୁମ୍ଭ ଆଶିଷ ନେଇ।
ଶୃଙ୍ଖଳା ସଂସ୍କାର ସହିତେ ଦେଇ ନୈତିକ ଶିକ୍ଷା,
ଉତ୍ତମ ମଣିଷ ଗଢିଲ ନେଇ ଅଗ୍ନି ପରୀକ୍ଷା।
ନିଜେ ଜଳି ଜଳି ଜୀବନେ ଆଲୋକ ଦେଇ ପରେ,
ସେ ଆଲୋକେ ଜଳି ଉଠଇ ଦୀପ କେତେ ଯେ ଘରେ।
ନିର୍ଭୀକ ଚତୁର ପଣ୍ଡିତ ବକ୍ତା ଉଦ୍ୟମୀ ଦାତା,
ତୁମ୍ଭ ପରି ସନ୍ତାନ ପାଇ ଧନ୍ୟ ହ୍ୱନ୍ତି ଜନତା।
କଅଁଳ ଶିଶୁ ମନ କଥା ଜାଣି ତୁମେ ସେ'କାଳେ,
ଦୂର କରିଥାଅ ତା ବ୍ୟଥା ରହି ଶୈଶବ ମେଳେ।
ଆହେ କର୍ମବୀର ମୋ ଗାଆଁ ପାଇଁ କରିଚ ଯାହା,
ଅଳପ ହେଲେ ହେଁ ଏମାଟି ପକ୍ଷେ ଦୁର୍ଲ୍ଲଭ ତାହା।
ପ୍ରଭୁ ଜଗନ୍ନାଥ ତୋ ପାଶେ ଅଳି ଏଇ ଆମ୍ଭରି,
ଢାଳି ଦିଅ ଆଶିଷ ତାରେ ସଦା ଜୀବନ ଭରି।
ସଦା ହସୁଥାଉ ସେ ମୁଖ ଶିକ୍ଷା କରିଣ ଦାନ,
ସୁସ୍ଥମୟ ହେଉ ଜୀବନ ସାଥେ ବଦନ ମନ।