ଶୁଷ୍କ ଶିରାବଣ ମାସ ଆଦ୍ୟ ସୋମବାର
ଶୁଷ୍କ ଶିରାବଣ ମାସ ଆଦ୍ୟ ସୋମବାର
ଶୁଷ୍କ ଶିରାବଣ ମାସ ଆଦ୍ୟ ସୋମବାରେ,
ଦେଖିଲି ସପନ ରାତ୍ରେ ଅନ୍ତିମ ପ୍ରହରେ।
ଦେବ ଦେବ ମହାଦେବ ଉଭା ହୋଇ ଘରେ,
କହିଲେ, ବାଳକ ତୋଷ ନୁହେଁ ତୋ' ଆଚରେ।
ମୁଁ କହିଲି ପ୍ରଭୁ କୁହ କିସ ମୋର ଦୋଷ,
କିମ୍ପାଇଁ ତୁମ୍ଭର ଏତେ ମୋର ପରେ ରୋଷ !
ଏହା ଶୁଣି ଭୋଳାନାଥ କହିଲେ 'ତରୁଣ',
କି ନାଟକ ଭିଆଇଚୁ ମନ ଦେଇ ଶୁଣ।
ବର ଜୀବ ଭାଳି ତତେ ଗଢିଲି ସଂସାରେ,
ବିବେକ ବିଚାର ବୁଦ୍ଧି ଦେଲି ତୋର ଶୀରେ।
ମାତର ଏଯାଏଁ ବୁଦ୍ଧି ହୋଇନି ଉଦୟ,
ଦିନୁଁ ଦିନ ବିବେକ ତୋ ହୋଇଲାଣି କ୍ଷୟ।
ପାଣି ଢାଳିବାରେ ଯଦି ଇଚ୍ଛା ଅଛି ତୋର,
ନଦୀ ଜଳ ଆଗେ ତୁହି ରଖ ପରିଷ୍କାର।
ଯେଉଁ ଜଳେ ସ୍ନାନ ପାଇଁ ତୋର ମନ ନାହିଁ,
ସେଇ ଜଳ ଆଣି ମୋର ଶୀରେ ଢାଳୁ କାହିଁ?
ଶିରାବଣ ମାସେ କାହିଁ ଫାଟିଲାଣି ଭୂଇଁ,
ନଦୀ ନାଳ ପୁଷ୍କରିଣୀ ଶୁଷ୍କ ପଡେ ଯହିଁ!
ତାର ପ୍ରତିକାର ବାରେ ନଚିନ୍ତି ତୁ ତିଳେ,
ଅଭିଷେକ କରୁଅଛୁ ପ୍ରଦୂଷିତ ଜଳେ।
ବରଷା ହୁଅଇ ଯହିଁ ମଉସୁମୀ ପାଇଁ,
ସେଇ ମଉସୁମୀ ଲୁଚକାଳି ଖେଳେ କାହିଁ!
ପ୍ରକୃତିକି ପାଦେ ଦଳି ଅରଜିଚୁ ଯାହା,
ସେପାଇଁ ମିଳଇ ଫଳ ଆଜ ତତେ ତାହା।
ବରଷା କାଳେ ବରଷା ବରଷଇ ଯେତେ,
ସାଗରେ ମିଶଇ ବହି ଅଯଥାରେ ସେତେ।
ଜଳ ଭଣ୍ଡାର ଗଢିଣ ରଖିଥାନ୍ତୁ ଯେବେ,
ଅପଚୟ ନହୁଅନ୍ତା ସେଇ ଜଳ ତେବେ।
ଥାନେ ଥାନେ ନଦୀ ମଧ୍ୟେ ସଞ୍ଚିଥିଲେ ଜଳ,
ସେଇ ଜଳ କାଳେ କାଳେ ହ୍ଵନ୍ତା ତୋର ବଳ।
ଚାଷ ପାଇଁ ଲୋଡ଼ା ଜଳ ମିଳନ୍ତା ସରଳେ,
ତୋର ପିତା ଅବସାଦେ ନଥାଆନ୍ତା ତିଳେ।
ବରଷା ପଛେ ଯା ହାତ ଜାଣ ଏ ଜଗତେ,
କଳି ଯୁଗେ ମୋର ବ୍ରହ୍ମ ଅଛି ସେଠି ମର୍ତ୍ତ୍ୟେ।
ସାଧାରଣ ବୋଲି ଭାଳୁ ଯେଉଁ ତରୁଲତା,
ତାହା ମଧ୍ୟେ ଭରିଅଛି ମୋ ପରାଣ ସତ୍ତା।
ବିଷ ପାନ କରି ମୁହିଁ ଦିନେ ସେଇ କାଳେ,
ଉଦ୍ଧାରିଲି ଏଭୁବନ ଯହିଁ କାଳେ କାଳେ।
ଜାଣୁ ନାହୁଁ ଏଇ କାଳେ ପିଇ କିଏ ବିଷ,
ସୁଧାମୟ କରୁଅଛି ତୋର ଏଇ ବିଶ୍ୱ !
ଏତେ ବିଷ ପିଉଅଛି ନିତି ଯେଉଁ ଦ୍ରୁମ,
ସେଇ ଦ୍ରୁମେ, ମହାଦ୍ରୁମେ ଅଛି ମୋର ବ୍ରହ୍ମ।
ଜଳ ଲାଗି ତୋର ଇଚ୍ଛା ଯଦି ମୋର ଶୀରେ,
ବଇଶାଖେ ପାଣି ଦେଏ ଏକ ଗଛ ପରେ।
ସେଇ ଗଛ ପାଣି ଯହିଁ ପାଉଥିବ ଏଠି,
କେତେ ତୋଷ ହେବି ମୁହିଁ ଜାଣୁ ତୁହି ସେଠି।
ଗଛଟିଏ ଲଗାଇଲେ ତୋ ଜୀବନ କାଳେ,
ଜିଇଁଥିବୁ ମର୍ତ୍ତ୍ୟେ ତୁହି ତାର ପୁଣ୍ୟ ବଳେ।
ଶିରାବଣ ଧାରା ପୁଣି ବହିବ ଏ ମର୍ତ୍ତ୍ୟେ,
ପ୍ରାଣୀ ଗଣ ତୋଷ ହେବେ ଜାଣ ଏ ଜଗତେ।