ମାଆ
ମାଆ
ହାତଧରି ଯିଏ ଶିଖାଇ ଦେଇଛି
ଥରି ଥରି ମୋତେ ଚାଲି
ଲୁଗା କାନିରେ ତା’ଝାଡ଼ି ଦିଏ ଧୂଳି
କେବେ ମୁଁ ଯିବିନି ଭୁଲି ।
ଅଝଟ କରିଲେ ବୁଝାଇ ଦିଏ ସେ
ରାଜାଘର କଥା କହି
ହସିଦେଲେ ଟିକେ ଭୁଲିଯାଏ ସବୁ
ମୋରି ମୁହଁକୁ ଚାହିଁ ।
ମାଆ ମାଆ ଡାକ ଆହାକି ସୁନ୍ଦର
କେହି ନୁହେଁ ତାହା ସରି
ଦୁନିଆଟା ଯାକ ଖୋଜି ଥକି ଗଲେ
ନମିଳିବେ ମାଆ ପରି ।
ମାଆର କରୁଣା ମମତା ଅପାର
ମାଆ ଅତି ଆପଣାର
ମାଆ କୋଳେ ରହିଥିବ ଯେତେଦିନ
କାହାକୁ ନଥୁବ ଡର ।
ମାଆ ପରି କିଏ ଜଗତରେ ଅଛି
ବୁଝିବ ମନର କଥା
ଜାଣି କରି କେବେ ମାଆର ମନରେ
ନଦିଅ କେବେ ହେଁ ବ୍ୟଥା ।
ସଦା ଥାଉ ମଥା ସରଗଠୁ ବଡ଼
ମାଆର ଚରଣ ତଳେ
ସୁଝି ହେବ ନାହିଁ ମାଆ ଋଣ କେବେ
ଯେତେ ପ୍ରତିଦାନ କଲେ ।
ମା’ ପରି କେହି ଜଗତରେ ନାହିଁ
କିଏ ହେବ ତୁଲ ତା’ର
ମାଆ ନାହିଁ ଯା’ର ସାହା ନାହିଁ ତା’ର
ମାଆ ପାଦେ ଜୁହାର ମୋର ।।