ମାନସୀ ଗୋ ତୁମେ
ମାନସୀ ଗୋ ତୁମେ
ନୟନେ ନୟନେ ନାଇଚ ଗୋ ତୁମେ
ନାଭିକୀୟ ଆକର୍ଷଣ
ଖେଳେ ମୋଠି ଶିହରଣ ।
କଜ୍ଜଳ ସଜଳ କଲ୍ଲୋଳ ଠାଣିରେ
ପୀରତିର ବ୍ଯାକରଣ
ଶିଖାଇଲ ରଖି ପଣ ।।
ପୀୟୁଷ ପିଆଲା ଅଧର ଅଧୀର
କୋଟି କୋଟି ମଳୟର
ପ୍ରେମର ସେ ନିଳୟର ।
ସ୍ପନ୍ଦନ ସ୍ପୃହାକୁ ଭିଡ଼ିଧରେ ବଳେ
ଚୁମ୍ବକୀୟ ବଳୟର
ଲୌହ ମୋର ହୃଦୟର ।।
ମୁଖରେ ମୁଖରେ ମୁଖରିତ ହୁଏ
ମୁକ୍ତ ପ୍ଲାବନର ଗାଥା
ଚାହିଁଦେଲେ ଯାଏ ବ୍ଯଥା ।
ଚଇତ୍ରରଥ କି ତୁମ ଚଉକତି
ଚିତ୍ତ ପାଇଯାଏ ସତ୍ତା
ଚିତ୍ର ନା ଏ ବିଦ୍ୟାବତ୍ତା ।।
ନାସା କି ତୁମର ନିରଳସେ ଜଳେ
ସ୍ବର୍ଣ୍ଣାଭ ଆଭାର ଶିଖା
ମୁଖ ମଧ୍ଯେ ଦିଏ ଦେଖା ।
କଳ୍ପରେ କଳ୍ପରେ କିଏସେ କରିଲା
କଳ୍ପିତ ଏ ଚିତ୍ରରେଖା
କଳ୍ପାୟୁଃର ସୃଜନିକା ।।
ମାନସୀ ଗୋ ତୁମ ତନୁ ନା ତନୁଟା
ବୈଦୁର୍ଯ ଖଚିତ କୀରଟ ଟିଏ
ପ୍ରଶାନ୍ତ ଦୀପ୍ତିରେ ଜଳୁଛି ଯିଏ ।
ଜପନ ମୁଁ ଗୋଟେ ଜପତପ କରେ
ଜହରତ ସତେ ରୂପରେ ପାଏ
ସେଥିପାଇଁ ନିତି ବିଭୋର ହୁଏ ।।