ସମାଜେ ଏମିତି
ସମାଜେ ଏମିତି
ଫଟା ମୃଦଙ୍ଗକୁ କେମ୍ପା ବାୟକ
କାଲା ପାଳିଆକୁ ଖନା ଗାୟକ
ମୁକ ଭକତିରେ ଵଜାଏ ଝାଞ୍ଜ
ଚାମର କି ହେବ ଘୋଡ଼ାର ଲାଞ୍ଜ
ସମାଜେ ଏମିତି
ବଦଳି ଗଲାଣି ଆମ ସଂସ୍କୃତି ।
କାଣି ନୟନରେ କଜ୍ଜ୍ବଳ ନେସି
ଫିରିକି ଗୋଡ଼ି ଯେ ନାଚୁଛି ବେଶି
ମୁଖ ପୁସ୍ତିକା ରେ ଚାଲିଛି ନାଟ
ଦିଅଁ ନା ଦେଉଳ ଆଉ କି ଭେଟ
ସମାଜେ ଏମିତି
ବଦଳି ଗଲାଣି ଆମ ସଂସ୍କୃତି ।
ଭାଇ ବୋହୂ ଛବି ନିରିଖି ଦେଖି
ଦେଢ଼ଶୁର କୁହେ ସୁନ୍ଦରୀ ଟୋକି
ଶୁଭ ରାତ୍ରି ବାର୍ତ୍ତା ଦିଏ ଶ୍ବଶୁର
ଆଉ କି ପ୍ରେମକୁ ଲୋଡ଼ିବ ଘର
ସମାଜେ ଏମିତି
ବଦଳି ଗଲାଣି ଆମ ସଂସ୍କୃତି ।
ଅଡ଼ୁଆ ହେଲାଣି ଓଡ଼ିଆ ବେଶ
ଚୁଟି ଫର ଫର ମୁକୁଳା କେଶ
ହାତେ ପଟେ ଶଙ୍ଖା ନାମକୁ ପିନ୍ଧେ
ଦେହରେ ଶାଢ଼ୀକୁ ଆଉ କି ବାନ୍ଧେ
ସମାଜେ ଏମିତି
ବଦଳି ଗଲାଣି ଆମ ସଂସ୍କୃତି ।
ପାଣ୍ଢୋଇ ପିନ୍ଧିକି ରୋଷେଇ ଘରେ
ବ୍ୟଞ୍ଜନ ରାନ୍ଧନ୍ତି କେଡ଼େ ମଜାରେ
ତୁଣ୍ଡେ ରୁଚୁ ନାହିଁ ଦେଶୀ ପରଶା
ଆଉ କି ଖୋଜିବା ପଖାଳ କଂସା
ସମାଜେ ଏମିତି
ବଦଳି ଗଲାଣି ଆମ ସଂସ୍କୃତି ।
ଓଷାବ୍ରତ ଯେତେ ଯାନି ଯାତରା
ଅଛି କନା ନାହିଁ- କର୍ପୁର ପରା
ପିଠା ପଣା ସବୁ ହେଲାଣି କିଣା
ଆରିଶା ଗଢ଼ିବା ଆଉ କି ଜଣା
ସମାଜେ ଏମିତି
ବଦଳି ଗଲାଣି ଆମ ସଂସ୍କୃତି ।