ତଥାପି ମଣିଷ
ତଥାପି ମଣିଷ
ସବୁ ଆଶା ଯଦି ପୂର୍ଣ୍ଣ ହୁଅନ୍ତା
ତଥାପି ମଣିଷ ଦୁଃଖୀ ରୁହନ୍ତା
ଆଶା ଅସୁମାରୀ ଆସେ ଥିରି ଥିରି
ନିଜକୁ ଭୁଲି ସେ ନିତି ଭାବନ୍ତା ।
ସମୟ ଦେଇଛି ଆଜି ମଣିଷକୁ
ଅନେକ ତ ବରଦାନ
ନିଶ୍ବାସ ନେବାକୁ ରାହା ପାଏ ନାହିଁ
ଭାରି ବ୍ୟସ୍ତ ଏ ଜୀବନ ,
ଜିହ୍ଵା କି ବାରିବ ଖାଦ୍ୟର ଏ ସ୍ବାଦ
ପେଟଟା କି ସତେ ବାକ୍ସ ହୁଅନ୍ତା ।
ନିଜ ଲୋକ ପରା ନିଜର ଅଇରି
ଏକା ତା ନିଜର ସ୍ଵାର୍ଥ
ଜାଣିଛି ଜିବନ ଏକ ଅନିଶ୍ଚିତ
ଏ ଶରୀର ନୁହେଁ ମିତ୍ର ,
ଆଶାରେ ତା ସ୍ବାର୍ଥ ଭରି ରହିଥିବ
ସ୍ଵାର୍ଥପର ତା'ର ଆଶା ହୁଅନ୍ତା ।
ସ୍ବାଭିମାନ ନାହିଁ ଅଭିମାନ ଭାରି
ଆତ୍ମବଡିମାର ପାଇଁ
ମଣିଷ ଭୁଲିଛି ମାନବିକତାକୁ
ପଶୁ ଠାରୁ ହୀନ ହୋଇ ,
ପରଶ୍ରୀକାତର ମନେ ଅହଂକାର
ଅହଂକାର ତାକୁ ଛୋଟ କରନ୍ତା ।
କୁବେରର ଧନ ଇନ୍ଦ୍ର ସିଂହାସନ
ଅଣ୍ଟିବନି ମଣିଷକୁ
ଚିର ଯଉବନ ଅବା ମନଯାନ
ତୃପ୍ତି ଦବ ନାହିଁ ତାକୁ ,
ଅମର ହେବାକୁ ଯଦି ଆଶା କରେ
ପ୍ରତି ମୂହୁର୍ତ୍ତରେ ଜଳି ମରନ୍ତା ।
ହୀରା ନ ଚିହ୍ନିବା ମଣିଷ ପାଇଁ କି
ଯେମିତିକି କାଚ ଖଣ୍ଡେ
ଅଶାନ୍ତ ଚିହ୍ନିବା ମଣିଷ ସେମିତି
ଶାନ୍ତି ପାଏ ନାହିଁ ଦଣ୍ଡେ ,
ଠକିବା ଶିଖିଛି ମଣିଷ ଟା ବୋଲି
ସବୁବେଳେ ସିଏ ଠକି ଯାଆନ୍ତା ।