ମହୁମାଛିର ଆତ୍ମକଥା
ମହୁମାଛିର ଆତ୍ମକଥା
ଏ ଫୁଲ ବଗିଚା ସେ ଫୁଲ ଗାଲିଚା
ବୁଲି ବୁଲି ରସ ତୋଳିଲି,
ଏମିତି ଜାଗାରେ ସଂଚୟ କରିଲି
କେତେ ହନ୍ତସନ୍ତ ହୋଇଲି l
କୋଉ ରସ ମିଠା କୋଉ ରସ ପିତା
ବାଛ ବିଚାର ନ କରିଲି,
କେଡେ ଯତନରେ ଫେଣା କରିଥିଲି
ଥୋପେ ରସ ମୁଁ ନ ଚାଖିଲି l
ମୋର ସଖା ବନ୍ଧୁ ଜଗି ରହୁଥିଲେ
କିଏ କାଳେ ନେଇ ଯିବ,
କିଏ କଣ ନେବ ମଣିଷ ପା ଅଛି
ସବୁତକ ଖାଇ ଯିବ l
କେତେବେଳେ ସତେ ନିଆଁ ହୁଳା ଦେଇ
ମାରିଦେଉଛନ୍ତି ଆମକୁ,
ଆମ ପରିଶ୍ରମ ଫଳ ବୋହି ନେଇ
ଧିକ୍ ନ କରନ୍ତି ମନକୁ l
ରସ ଖାଇ ଆମ ପେଟ ପୁରିଗଲେ
ଛାଡ଼ି ତ ଯାଆନ୍ତୁ ନିଶ୍ଚୟ,
ସେହି ରସ ପାଇଁ ଆମ ଜୀବନ ନିଅନ୍ତି
ହେଇଯାନ୍ତି କେତେ ନିର୍ଦ୍ଦୟ l
ଆମେ ମରିଗଲେ ଲୋପ ପାଇଯିବୁ
ବଂଶର ହୋଇବ ନିପାତ,
ଆମର ତିଆରି ମହୁରସରୁ ଯେ
ଔଷଧ ହୁଅଇ ପ୍ରସ୍ତୁତ l
ଶ୍ୱାସରୋଗ, କାଶ ସଂକ୍ରମଣ ରୋଗ
ହୋଇପାରେ ନିରାକରଣ,
ତୁଳସୀ ପତ୍ରରେ ଦୁଇ ଥୋପା ମହୁ
ଦେଇଥାଏ ନବ ଜୀବନ l