ନାରୀ ସିଏ
ନାରୀ ସିଏ
ଶ୍ରେଷ୍ଠ ପରିଚୟ
ନାରୀ ସିଏ,କିଏ ନ ଚିହ୍ନିଛି କହିବ କି
ଅସରନ୍ତି ଅନାବିଳ ମମତା ଢାଳି ଦିଏ
ବିନା ପ୍ରଶ୍ନେ ବିନା ଦ୍ବିଧାରେ ନାରୀ ସିଏ ।।
ଯେବେ ସେ ଝିଅଟି ଥିଲା
କେବେ କେବେ
ବାପା ଭାଇ କୁ ମାଆ ହେଇ ଆକଟ କରୁଥିଲା
ଘରକୁ କାମରୁ ଫେରିବା ପୂର୍ବରୁ
ପିଣ୍ଡାରେ ଗାମୁଛା , ପାଣିଢ଼଼ାଳ , ଚଟେଇ ରଖୁଥିଲା
ଖାଇବା ବେଳେ ପାଖରେ ବସି
ବିଂଚଣାରେ ବିଞ୍ଚୁ ଥିଲା
ଜୋର କରି ଭାତ ଦିଗୁଣ୍ଡା ଅଧିକ ଦେଉଥିଲା
ଗୋଡ଼ ହାତ ଟିକେ ଆଉଁଷି ଦେଉଥିଲା
ଘର ଅଗଣା ରେ ସୂର୍ଯ୍ୟମୁଖୀ ଭଳି ଦିଶୁ ଥିଲା
ବାପା ଭାଇ ଲୁଚି ଲୁଚି ଆଖିରୁ ଲୁହ ପୋଛିଲା ବେଳେ
ବୁଝି ହେଉଥିଲା
ତା ଅସ୍ତିତ୍ବ ଜାହିର ହେଉଥିଲା ,ନାରୀ ସିଏ ।।
ଯେବେ ପୁଣି ବୋହୁ ଟେ ସାଜିଲା
ପରିବାର ଅମୃତ ପାରାବାର ଭଳି ମନେ ହେଲା
ପ୍ରତ୍ୟେକ ସଦସ୍ୟ ଘୁରି ବୁଲୁଥିଲେ
ଠିକ୍ ଅଖ ଚାରିପଟେ ଚକ ଭଳି
ନିଜ ନିଜ ଆବଶ୍ୟକତା କୁ ପାଥେୟ କରି
ସମସ୍ତଙ୍କୁ ପାଖରେ ପାଇ
ଅନୁଭବ କରୁଥିଲା ସେ
କେତେ ଭାଗ୍ୟବାନ ସତେ
ବୋହୁ,ସ୍ତ୍ରୀ ପୁଣି ମାଆ ର ପରିଚୟରେ
ଯେବେ ଆଖି ଭିଜୁଥିଲା,ହାତ ଉଠୁଥିଲା
ମାନବୀ ର ଦେବୀ ପାଖେ ପ୍ରାର୍ଥନା ପୂର୍ବକ
ଝରି ଯାଉଥିଲା
ଅଜସ୍ର ଆତ୍ମପ୍ରତୟ ଆତ୍ମସନ୍ତୋଷ ର ରୂପ ନେଇ
ଠିକ ବୁଝି ହେଉଥିଲା
ସ୍ରଷ୍ଟାଙ୍କ ର ଶ୍ରେଷ୍ଠ ସୃଷ୍ଟି ନାରୀର ମର୍ଯ୍ୟାଦା, ନାରୀ ସିଏ ।।
ମମତା ର ସୂକ୍ଷ୍ମ ନୀଡଟେ,
ଅତି ଯତ୍ନ ରେ ଗଢ଼ିଲା
ପ୍ରତି ସମ୍ପର୍କ ର ମାନ ବୃଦ୍ଧି କଲା
ଦଶ ମାସ ଦଶ ଦିନ ଗର୍ଭରେ ଧରିଲା
ଥନରୁ ଅମୃତ ଝରେଇ ଜୀବନ ସିଞ୍ଚିଲା
ସବୁ ବିପଦ ଆପଦରୁ ପଣତେ ଘୋଡେଇ
ନିଜେ ହାତ ଧରି
ସନ୍ତାନ କୁ ତାର ଦୁନିଆ ଚିହ୍ନେଇଲା
ମାଆ ର ପରିଚୟ ରେ ଆତ୍ମହରା ହେଲା
ନିମିଷକ ରେ କୋଟି କଷଣ ଭୁଲିଲା
ଓଠରେ ଧାରେ ହସ,
ଆଖିରୁ ଦି ଟୋପା ଲୁହ ଖସିଗଲା
ଜୀବନ ଟା ତାର ସାର୍ଥକ ହୋଇଲା
ନିଜ ପରିଚୟ ଗରବେ କହିଲା ,ନାରୀ ସିଏ ।।