ସାଧାରଣ ନୁହେଁ ଏ ଉପହାର
ସାଧାରଣ ନୁହେଁ ଏ ଉପହାର
ଶୁଣ ହେ ପିଲାଏ ଏକ କାହାଣୀ,
କାହାଣୀ ନୁହଁଇ ଏ ସତ୍ୟ ବାଣୀ।
ଦେଶ ସ୍ୱାଧୀନତା ସମୟ କଥା,
ଆସିଥିଲେ ଗାନ୍ଧୀ ଦେବେ ବାରତା।
ବମ୍ବେ ସଭା ପାଇଁ ଥିଲା ଯୋଜନା,
ସଅଳ ଉଡିବ ଏଦେଶେ ବାନା।
ଆଶ୍ରମେ ଥାଆନ୍ତି ବାପୁ ସେଦିନ,
ବିଚଳିତ ଥିଲା କିମ୍ପାଇଁ ମନ ।
ପଚାରିଲେ ତାରେ କାକା ସାହେବ,
ରହିଲା କି' ତିଳେ କିସ ଅଭାବ ।
କହିଲେ, ଗାନ୍ଧିଜୀ ଶୁଣ ହେ କାକା
ପେନସିଲ କାହିଁ ମିଳେନି ଦେଖା ।
ଖୋଜିବାରେ ମୁହିଁ ରହିଛି ବ୍ୟସ୍ତ,
ଭଲ ନାହିଁ ତିଳେ ସେପାଇଁ ଚିତ୍ତ।
ଗାନ୍ଧୀ କଥା ଶୁଣି କହନ୍ତି କାକା,
ଏପାଇଁ ଶ୍ରୀମୁଖ ପଡିଛି ଫିକା ।
ସାଧାରଣ ଏକ ଦରବ ପାଇଁ,
ଏତେ ବ୍ୟସ୍ତ ତୁମେ ହୁଅ କିମ୍ପାଇଁ ।
ନେଇ ମୋ' ପେନସିଲ କର କାମ,
ପଛେ ଖୋଜି ଦେବି ଦରବ ତୁମ ।
ଏହା ଶୁଣି ଗାନ୍ଧୀ ଦେଲେ ଉତ୍ତର,
ସାଧାରଣ ନୁହେଁ ଏ ଉପହାର ।
ତବ ପାଇଁ ସିନା ଏ ଅତି ସାନ,
ମୋ'ପାଇଁ ଅଟଇ ଏତ ମହାନ ।
ଉପହାର ସାଥେ ବାଳକ ଶ୍ରଦ୍ଧା,
ଚିର ଦିନ ପାଇଁ ରହିଛି ବନ୍ଧା ।
ଭୁଲି କି' ହୋଇବ ଶରଧା ତାର,
ଯତନେ ଦେଇଛି ଯେ' ଉପହାର ।
ଏହା କହି ଗାନ୍ଧୀ ଖୋଜିଲେ ପୁଣି,
କେତେ ଖୁସି ହେଲେ ପାଇବା କ୍ଷଣି ।
ଉପହାର ବଡ଼ ହେଉ କି ସାନ,
ସାଦରେ ସଭିଏଁ କର ଗ୍ରହଣ ।
ଉପହାର ସାଥେ ବନ୍ଧା ଶରଧା,
ଦିଅ ନାହିଁ ତାରେ ତିଳେ ବି ବାଧା ।