ସ୍ବାଗତ ଶରତ
ସ୍ବାଗତ ଶରତ
ଆଶ୍ବିନ ପ୍ରବେଶେ ବିସର୍ଗେ ମୌସୁମୀ
ଆକାଶ ଦିଶେ ନିର୍ମଳ
ରୂପେଲି ଜୋଛନା କରଇ କିମିଆ
ଜହ୍ନ ନୀଳ ସୁଶୀତଳ ।
ପସରା ମେଲାଇ ଶୁଭ୍ର କାଶତଣ୍ଡୀ
ଦୋହଲେ ଧୀର ପବନେ
ମୋହିନିଏ ମନ ଶାରଦୀୟ ସନ୍ଧ୍ଯା
ପୁଲକ ଖେଳାଏ ମନେ ।
କମଳା ସୁନେଲି ଦିଶେ ହଳଦିଆ
ବୃକ୍ଷ ନବ ପଲ୍ଲବିତ
ନାଚି ଉଠେ ମନ ଆନନ୍ଦ ଉଲ୍ଲାସେ
ହସୁଥାଏ ଧାନ କ୍ଷେତ ।
କୃଷକ କରଇ ଫସଲ ଅମଳ
ଦିବସ ହୁଅଇ ଛୋଟ
ଉତ୍ସବ ମୁଖର ପାର୍ବଣ ଋତୁ
ହରିନିଏ ଦୁଃଖକଷ୍ଟ ।
ନବଦୁର୍ଗାଙ୍କର ହୁଏ ପୂଜାର୍ଚ୍ଚନା
ଝଲସେ ମଣ୍ଡପମାନ
ଯାକଜମକରେ ହୁଅଇ ରୋଷଣୀ
ଦଶହରା ବିସର୍ଜନ ।
ପାଳିତ ହୁଅଇ ଲକ୍ଷ୍ମୀ କାଳୀପୂଜା
ନଗର ପୁରପଲ୍ଲୀରେ
ଜଳେ ଦୀପାବଳି ଆଲୋକର ପର୍ବେ
ପ୍ରକମ୍ପେ ଶବ୍ଦ ଉଚ୍ଚରେ ।
ଉଛୁଳେ କଣ୍ଠରେ ବଉଳବେଣୀର
ଗୀତ ସୁଲଳିତ ସ୍ବନ
କୁମାର ଉତ୍ସବ ଶାରଦୀୟ ରାସ
ପୁଣ୍ଯେ ଜନମନ ମଗ୍ନ ।
ଭସାଇ ପଟୁଆ ଜଳସ୍ରୋତ ଧାରେ
କାର୍ତ୍ତିକ ପୂର୍ଣ୍ଣମୀ ଦିନ
ଅରଜନ୍ତି ଧର୍ମ ଶ୍ରଦ୍ଧାଳୁ ଭକତ
କରନ୍ତି ଦେବ ଦର୍ଶନ ।
ନଡିଆ କଦଳୀ ଖଇକୁ ଚକଟି
ତିଆରି ରୂପେଲି ଚାନ୍ଦ
ହରଷ ଚିତ୍ତରେ କୁମାରୀ କରନ୍ତି
ବ୍ରତ ଚାନ୍ଦ ବନ୍ଦାପନ ।
ମାତି ପୂଚି ଖେଳେ ନୃତ୍ଯ ରସରଙ୍ଗେ
ବିତଇ ମଧୁ ଯାମିନୀ
ନୂଆ ଆଶା ସ୍ବପ୍ନେ ମଗନ ପରାଣ
ଶରଦଶ୍ରୀ ହୁଏ ଗୁଣୀ ।