ସେଦିନର ଗ୍ରୀଷ୍ମ ଅବକାଶ
ସେଦିନର ଗ୍ରୀଷ୍ମ ଅବକାଶ
ଗ୍ରୀଷମ ଆଗମେ ବିଦ୍ୟାଳୟେ ଯେବେ
ଗ୍ରୀଷ୍ମ ଅବକାଶ ହୁଏ
ମନ ଉପବନେ ଖୁସୀର ଫୁଲ ଯେ
ପାଖୁଡ଼ା ମେଲାଇ ଝୁଲେ ।
ଦୀର୍ଘ ଛୁଟୀ ପାଇଁ ଯୋଜନାର ଫର୍ଦ୍ଦ
ମୁଣ୍ଡରେ ଚକର କାଟେ
ଘର ଲୋକଙ୍କର ଯୋଜନାର କଥା
କାହାକୁ ଜଣା ନଥାଏ |
ବଡ଼ ଭୋଗରୁ ଝାଳୁଆ ଦେହରେ
ହାତରେ ଥଳୀଟେ ଧରି
ପାଚିଲା ଆମ୍ବର ସଂଗ୍ରହ ପାଇଁ ଯେ
ଆମ୍ବ ତୋଟାରେ ଯେ ମେଳି ।
ସର୍ବେ ଶୋଇଗଲେ ଖରା ଦ୍ୱି ପହରେ
କୋଳି ସଂଗ୍ରହର ବେଳ
କଣ୍ଟେଇ, ଖଜୁରୀ , ମିରିଗା ଗଛରେ
କୋଳିର ପ୍ରଚୁର ଭିଡ ।
ଆମ୍ବତୋଟାରେ ଯେ ପିଲାଙ୍କ ଗହଳ
ପାଚିଲା ଆମ୍ବରେ ମାଡ଼
ଟେକା ମାରି ଆମ୍ବ ଝାଡ଼ିବାର ନିଶା
ଖରା କି ଅବା ଡର ।
ଆମ୍ବ ତୋଟା ନାହିଁ ନାହିଁ ବଣ କୋଳି
ନାହିଁ ପିଲାଙ୍କର ମେଳି
ଆମ୍ବ ତୋଟାର ସୁଶୀତଳ ଛାୟା
ଡାକୁନି ଆଜି କୋଇଲି ।
ଆଜିର ପିଲାଏ କୋଳି ଚିହ୍ନିନ୍ତିନି
ଯୁଗ ବଦଳି ଯାଇଛି
ଦାଣ୍ଡ ରେ ପିଲାଙ୍କ ଖେଳେ ତ ଦିଶେନି
ଘରେ ମୁଣ୍ଡ ଗୁଞ୍ଜିଛନ୍ତି ।
ସେ ନିଦାଘ ଆଜି ହଜି ଯାଇଅଛି
ନେଉଅଛ ପରା ପ୍ରାଣ
ଯନ୍ତ୍ରଣା ଜଡିତ ଜୀବ ଜଗତ ଯେ
କହେ ରଖ ଭଗବାନ ।
ଘର ଓ ବାହାର ସତେ କି ଜଳୁଛି
ନିଦାଘ ର ତୀକ୍ଷ୍ଣ କୋପେ
ସତେ କି କରୁଛି ମଣିଷକୁ ଦାୟୀ
ମଣିଷ କି ତାହା ବୁଝେ !
ପ୍ରତି ବରଷ ଯେ ନିଦାଘର ଜ୍ୱାଳା
ବଢି ବଢି ଯାଉଅଛି
ବିଷମ ସଂକଟେ ବିଶ୍ଵ ବୁଡିଅଛି
ଦିଶା ଖୋଜି ନ ପାଉଛି ।
ନାହିଁ କୋଳି ତାଳ ନାହିଁ ଆମ୍ବ ତୋଟା
ଗ୍ରୀଷ୍ମ ଅବକାଶ ଫିକା
ଖରାରେ ବାହାରେ ବୁଲିବାକୁ ମନା
ଅଂଶୁମାନ ଦେବେ ଧୋକା ।