ଶେଷ ଫଗୁଣ ଚିଠି
ଶେଷ ଫଗୁଣ ଚିଠି
ଶେଷଫଗୁଣରେ
ଫଗୁଆ ସଂଜରେ
ପ୍ରିୟାର ପାଉଁଜି ବାଜେ ।
ପ୍ରୀତିପାର୍ବଣରେ
ମନେ ନିଶାଘାରେ
ପ୍ରିୟାର ସାନ୍ନିଧ୍ୟ ଖୋଜେ ।
ଅଜଣା ପୁଲକ
ବୁକୁତଳ ଭୋକ
ଉତ୍ତଳା ଚ଼ଗଲା ହୁଏ ।
ରଙ୍ଗର ପସରା
ଏ ଦୁନିଆ ସାରା
ପ୍ରେମମୁରୁଜ ପକାଏ ।
ମୃଦୁ ହିଲ୍ଲୋଳରେ
ବସୁଧା ଥାଳରେ
ପ୍ରୀତି ମୁଗ୍ଧ ଅଭିସାର ।
କୁଆଁରୀ ପଵନେ
ଉନ୍ମାଦ ଏମନେ
ସଙ୍ଗୀତର ସପ୍ତସୁର ।
ମଳୟ ପରଶେ
ମହମହ ବାସେ
ସୁରଭିତ ଉପବନ ।
ଆଖିର ଇଶାରା
ପ୍ରେମର ମଦିରା
ମୁକୁଳାଏ ଯଉବନ ।
ପ୍ରୀତିର ଫଗୁଣ
କରେ ଅନ୍ଵେଷଣ
ନିଶିର ରଜନୀଗନ୍ଧା ।
ପଦ୍ମମୟ ଜଳ
ଶୋଭାମୟ ସ୍ଥଳ
ଅପୂର୍ବ ମିଳନେ ଛନ୍ଦା ।
କାମନାର ନିଶା
ରସସିକ୍ତ ଆଶା
ଅତନୁ ମାର୍ଗଣ ଘାତେ ।
ବିଦଗ୍ଧ ମାନସ
ମାର ଶର ତ୍ରାସ
ଫଗୁଣର ମଧୁ ବାତେ ।
ମତ୍ତଗଜ ସମ
ମନ୍ମଥ ଉଦ୍ଦାମ
ପ୍ରୀତି କୁସୁମ ଶାୟକ ।
ଅଙ୍ଗେ ଅଙ୍ଗେ ମାରେ
ନିର୍ଘାତେ ପ୍ରହାରେ
କୁହୁକୁହୁ ସ୍ଵନେ ପିକ ।
ବିରହୀର ମନ
ଅଳିର ଗୁଞ୍ଜନ
ଅଶନି ପରାୟେ ଭେଦେ ।
ପ୍ରିୟା ଆଲିଙ୍ଗନ
ମଧୁର ଚୁମ୍ବନ
କାନ୍ତ କାନ୍ତା ଲୋଡେ ମୋଦେ ।
ଚନ୍ଦନ ଚର୍ଚ୍ଚିତ
କୁସୁମେ ମଣ୍ଡିତ
ତନୁମନେ ଶିହରଣ ।
ମଧୁର ଲଗନେ
ମଧୁ ପ୍ରୀତିଦାନେ
ସୁରତି ହୁଏ ସ୍ମରଣ ।
ଚାନ୍ଦର ଜୋଚ୍ଛନା
ପ୍ରୀତି ଆଳାପନା
ଚିଠି ଶେଷଫଗୁଣର ।
ପ୍ରେମଗଙ୍ଗା ବହି
ସିକ୍ତାକରେ ମହୀ
ପ୍ରଣୟାସିକ୍ତ ପ୍ରାଣର ।