ସମୟର ଆହ୍ୱାନ
ସମୟର ଆହ୍ୱାନ
ବେଳ ନାହିଁ ଆଉ ବେଳ ନାହିଁ ଆଉ
ଉଠରେ ଜନତା ଉଠ
କେତେ ବା ସହିବୁ ପାହିଲାଣି ରାତି
କରନାହିଁ ଆଉ ମଠ ।
ଜାଗରିତ ହୁଅ ଏକତ୍ରିତ ହୁଅ
ଶକ୍ତିକୁ କରି ଠୁଳ
ଅନ୍ୟାୟ ବିରୁଦ୍ଧେ ସଂଗ୍ରାମ କର
ଦେଖାଇ ନିଜର ବଳ ।
ପ୍ରତି ମୁହୂର୍ତ୍ତରେ ମଣିଷ ରକ୍ତରେ
ଦାନଵ ଖେଳୁଛି ହୋଲି
ଚିରିଦିଅ ତାର ଦାମ୍ଭିକ ବକ୍ଷ
ନଦେଖନ୍ତୁ ଆଉ କାଲି ।
ପ୍ରତିହତ କର ସୈତାନି ଶକ୍ତି
ଫୁଟାଇ ଅଧରେ ହସ
ତୁଟିଯାଉ ଏଠି କଳସ କାଳିମା
କୁଶକ୍ତିର ହେଉ ନାଶ ।
ମୁକ୍ତ ମଳୟ ସଞ୍ଚରି ଯାଉ
ଭୁଭୁକ୍ଷୁର ଚତୁର୍ପାଶ୍ୱେ
ଭରି ଯାଉ ପେଟ ମୁଠାଏ ଅନ୍ନରେ
ନରହୁ ସେ ଉପବାସେ ।
ନଦେଖୁ ସେ କେବେ ଦୁର୍ଦ୍ଦିନ ଆଉ
ଚର୍ମ ଚକ୍ଷୁରେ ତା'ର
ନଶୁଣୁ କର୍ଣ୍ଣରେ ନିରୀହ ନିନାଦ
ହା-ଅନ୍ନର ଚିତ୍କାର ।
ଉତଫୁଲ୍ଲିତ ହେଉ ସାମଗ୍ରିକ ସତ୍ତା
ଦେବଭୂମି ହେଉ ଦେଶ
ବେଦନା ବିଭୋର ଜୀବନର ସ୍ୱର
ଅକାଳେ ନହେଉ ନାଶ ।