ତଥାପି ଦୀପ ଜଳୁଥିଲା
ତଥାପି ଦୀପ ଜଳୁଥିଲା
ଥରଟିଏ ବି କେହି ଚାହିଁ ନ ଥିଲେ
ସେମିତି ଗଛ ମୂଳେ ପଡି ରହିଥିଲା
ଆକାଶ ଖସି ନ ଥିଲା
କି ମାଟି ଫାଟି ନ ଥିଲା
କିଏ ଜଣେ ବାଟରେ ଯିବାବେଳେ
ତାକୁ ଡ଼ାକିଲା ଓ ସେ ଓ-କହି ଉତ୍ତର ଫେରେଇଲା
ସନ୍ତର୍ପଣରେ ସେଠି ବାଟୋଇ ଜଣକ
ଫୁଲ ପତ୍ର ଦି’ଟା ରଖି ଗଲା ॥
ପରେ ଆଉ କେହି ଜଣେ ଆସିଲା
ସିନ୍ଦୁର ଲାଗିଲା
ଚୁଡି ରଖାହେଲା
ପତାକା ବନ୍ଧା ହେଲା
ଅରୁଆ ଚାଉଳ ପଡିଲା
ଦେଉଳ ତୋଳା ହେଲା
ବଜାର ଲାଗିଲା
କ୍ୟାସେଟ୍ ଗୀତ ବାଜିଲା॥
ତା’ ଭିତରେ ପ୍ରାଣ ସଂଚରି ସାରିଥିଲା
ସାକ୍ଷୀ ରହିଲା ସେ
ଅନୁକୂଳରେ
ମଙ୍ଗଳବରଣରେ
ମନ ଯୋଡିବାରେ
ସଂପର୍କ ଯୋଡିବାରେ
ଆଶିର୍ବାଦରେ
ଏବଂ ଶେଷରେ ଅଭିଶାପରେ ବି ।।
ତା’ବି ଠିକ୍ ଥିଲା
ରାଗ ରୁଷା ଥିଲା
ପୁଣି ଖୁସି ଫେରୁଥିଲା
କଳି ଝଗଡ଼ା ଥିଲା
ପୁଣି ଖୁସି ଫେରୁଥିଲା
ସବୁ ଅଭାବ ଭିତରେ ବି
ଭଲପାଇବା ଟିକେ ମୁରୁକି ହସା ଦେଉଥିଲା ।I
ଗୋଟେ ଝଡ଼ ଆସିଲା ରାତିରେ
ପୁରୁଣା ଗଛମୂଳେ ଭଙ୍ଗା କାଚ ପଡିଲା
ଛିଣ୍ଡା କନା ଉଡିଲା
ସେ ଦେଖୁଥିଲା
କିନ୍ତୁ କହିପାରିଲାନି
ସହି ପାରିଲାନି
ରୋକି ପାରିଲାନି
ଢାଙ୍କି ପାରିଲାନି ।I
କିଛି କରି ପାରେ ନି ବୋଲି
ସେ ଜାଣି ସାରିଥିଲା
ସେଥିପାଇଁ ନିଜକୁ ଘୃଣା କରୁଥିଲା
ନିପାରିଲା ପଣକୁ ଧିକ୍କାରୁଥିଲା
ଏଣିକି ସେ ଆଉ ନ ଥିଲା
ତଥାପି ଦୀପ ଜଳୁଥିଲା
ସେ ଘଟ ଛାଡ଼ିଯାଇଥିଲା
ଅଥଚ ସେ ଶୁଣିବ ବୋଲି
ଆକୁଳ ସ୍ୱରରେ କେହି ପ୍ରାର୍ଥନା ଗାଉଥିଲା
ତଥାପି ଦୀପ ଜଳୁଥିଲା ।।