Madhabi Patel

Tragedy

3  

Madhabi Patel

Tragedy

ଅଭିମାନ

ଅଭିମାନ

4 mins
157



ଶୀତଲର ଅଭିମାନସବୁ ବରଫପରି ତରଳି ବହି ଯାଉଥିଲା ଆଖି ଝରକାର ଦ୍ବାରବନ୍ଧ ଦେଇ।ଆଜି ସେ ବୁଝି ପାରିଥିଲା ସ୍ବାଗତ ତା ଉପରେ ଚିଡି ଚିଡି ହେବାର ରହସ୍ୟ।ଏଇ ଦୁଇବର୍ଷ ହେବ ସ୍ବାଗତ ବଦଳି ଚାଲିଥିଲା। ବିବାହର ପ୍ରଥମ କେତେବର୍ଷ କେତେ ଗେଲ କରୁୁଥିଲା।ତାକୁ ଫୁଲପରି ସଜାଇ ରଖିଥିଲା।ସବୁ ଅଳି ଅରଦଳି କ୍ଷଣକେ ପୂରଣ କରୁଥିଲା।ସେ ବି,ଏ ପରେ ବିବାହ କରିନେଇଥିଲା।ସ୍ବାଗତ ଜଣେ ଇଞ୍ଜିନିୟର ଭଲ ଦରମା ଥିଲା ତାର।ସେଥିପାଇଁ ତାକୁ ଚାକିରି କରିବାକୁ ଦେଲାନି।ଦୁଇ ବର୍ଷ ପରେ କୋଳକୁ ଆସିଲା ପପୁନ୍।ପପୁନ ଗର୍ଭରେ ରହିବା ଖବର ଶୁଣି ସ୍ବାଗତ ଆନନ୍ଦାତିସଯ୍ୟାରେ ତାକୁ ଉଠାଇ ନେଇଥିଲା ଦୁଇ ହାତରେ।ତାପରେ ତାର ସବୁ ପ୍ରକାର ଆଦର ଯତ୍ନରେ ଲାଗି ପଡିଥିଲା।ତାର ମନ ପସନ୍ଦର ଖାଦ୍ୟ କିଣି ଆଣି ଖୁଆଉଥିଲା। ମାଆର କିଛି ଖାଇବା ଇଛା ଥାଇ ଯଦି ନ ମିଳେ ପିଲାର ମୁହଁରୁ ଲାଳ ଗଡେ ବୋଲି ସେ ତା ମାଆ ଓ ଆଈମାଙ୍କ ଠାରୁ ଶୁଣିଥିଲା।ତେଣୁ ଦୂର ସହରରେ ଶୀତଲର ସବୁ ପ୍ରକାରର ଯତ୍ନ ନେଉଥି୍ଲା।

ଶାଶୁ ବି ବିଭିନ୍ନ ପ୍ରକାର ଚଟପଟା ଦରବ,ଲଡୁ ଆଦି ତିଆରି କରି ତା ପାଖକୁ ପଠାଉଥିଲେ।ସମସ୍ତେ ନୂଆ ଅତିଥୀ ଆସିବାର ଖୁସୀରେ ବିଭୋର ଥିଲେ।ଯୋଉଦିନ ହସପିଟାଲରେ ପପୁନ୍ ଜନ୍ମନେଲା ଗାଆଁରେ ତା ଶାଶୁ ସମସ୍ତଙ୍କୁ ମିଠା ବାଣ୍ଟିଥିଲେ।ମଧ୍ୟବିତ୍ତ ପରିବାର ହେଲେବି ଶଶୁର ଘରଙ୍କ ଗାଆଁରେ ନାଆଁ ଥିଲା।ତା ଶଶୁର ସ୍କୁଲ ଶିକ୍ଷକ ଥିଲେ।ତାଙ୍କ ଶିକ୍ଷାରେ ଆଜି କେତେ ଡାକ୍ତର ଇଞ୍ଜିନିୟର ଓ ଆଇ,ଏ, ଏସ ଚାରିଆଡେ ଖେଳେଇ ହୋଇଯାଇଛନ୍ତି।ଷଷ୍ଠୀଦିନ ସେମାନେ ଗାଆଁରେ ପୂଜା କରିଥିଲେ।ଏକୋଇଶିଆ ବି ବଡ ଧୁମଧାମ୍ ରେ ପାଳନ କରିଥିଲେ।ମାମୁଁଘରୁ ଭଲଭଲ ଜିନିଷ ଆସିଥିଲା ଭଣଜା ପାଇଁ।ହସଖୁସୀର ପରିବାର ଟିଏ ବିତାଉଥିଲେ ସେମାନେ।ହେଲେ କାହାର କୁ ନଜର ପଡିଗଲା କେଜାଣି ତାର ସଂସାରରେ ।ସ୍ବାଗତ ଧିରେ ଧିରେ ବଦରାଗୀ ପାଲଟିଗଲେ।ସବୁ ବେଳେ ମିଷ୍ଟ କଥା କହୁଥିବା ସ୍ବାଗତ ଏବେ କେବଳ କଟୁ ଶାଣଦିଆ କଥା କହୁଥିଲେ।ପ୍ରଥମେ ଯିଏ ଚାକିରି କରିବାକୁ ମନା କରୁଥିଲେ ଏବେ କହୁଥିଲ,କେତେଦିନ ଏମିତି ଅର୍ଡର ମାରିବ।ନିଜେ କମାଇଲେ ସିନା ଜାଣନ୍ତ କେତେ କଷ୍ଟରେ ପଇସା ଆସେ।ତାଙ୍କ କଥା ତାର କଲିଜା ଚିରି ଗଳି ଯାଉଥିଲା।ସେ ଏବେ ବି,ଇ,ଡି କରିବ ବୋଲି ମନସ୍ଥ କଲା।ସ୍ବାଗତ ବି ତାକୁ ଏଥିପାଇଁ ସହଯୋଗ କଲେ।ଶୀତଲ ନିଜ ସହରରେ ଯାଇ ବି,ଇ,ଡି କଲା। ପୁଅକୁ ତାଆ ମାଆ ଓ ଭାଉଜ ସମ୍ଭାଳି ଦେଉଥିଲେ।ଅବଶ୍ୟ ସ୍ବାଗତ ତାର ଖର୍ଚ୍ଚ ପାଇଁ ଟଙ୍କା ତା ଏକାଉଣ୍ଟରେ ପଠାଇ ଦେଉଥିଲେ।

ସେ ଗାଡି ଚଳାଇବା ଜାଣୁନ ଥିଲା ବୋଲି ତାକୁ ଗାଉଁଲି ବୋଲି କୁହନ୍ତି ଆଉ କୁହନ୍ତି ନିଜ ଗୋଡରେ ଠିଆ ହେବା ଶିଖ।କିଏ ତୁମ ପାଖେ ସବୁବେଳେ ଥିବ ଯେ ତୁମ କହିବା ମୁତାବକ ସବୁ ଜିନିଷ ଆଣି ପହଞ୍ଚାଇବ।ପିଲାର ସ୍କୁଲରେ କିଛି କାମ ପଡିଲେ ତୁମକୁ ଯିବାକୁ ପଡିବ।

ତୁମର ସ୍କୁଟି କି କାର ଶିଖିବା ନିତାନ୍ତ ଜରୁରୀ।ତାଙ୍କ ସାହାଯ୍ୟ ପାଇ ସେ ସ୍କୁଟି ଶିଖିଲା।ତାପରେ ଡ୍ରାଇଭିଂ କୋର୍ଷ କରି କାର ବି ଶିଖିଗଲା।ଏବେ ସେ ଆଗପରି ପର ଉପରେ ନିର୍ଭରଶୀଳ ନଥିଲା।ବି,ଇ,ଡି ପରେ ଶଶୁରଙ୍କ ଉଦ୍ୟମରେ ତାକୁ ଶିକ୍ଷୟତ୍ରୀ ଚାକିରିଟେ ବି ମିଳିଗଲା।ବ୍ୟାଙ୍କ କାମ ଇନ୍ସୁରେନ୍ସ କାମ ସବୁ ସ୍ବାଗତ ତାକୁ ବୁଝାଇ ଦେଉଥିଲା।ସେ ଭାବୁଥିଲା ସ୍ବାଗତ ତାକୁ ଏସବୁ କାହିଁକି କରିବାକୁ କହୁଛି।ଗ୍ୟାସ ଆଣିବା,ଇଲେକ୍ଟ୍ରି ବିଲ ପଇଠ କରିବା ଏମିତି ଛୋଟମୋଟ ସବୁ କାମ ଏବେ ଶୀତଲ ହାତରେ କରାଉଥିଲା।ଦିନେ ଯିଏ ରାଣୀକରି ରଖିବ ବୋଲି କହୁଥିଲା ଏବେ ତାକୁ ଚାକରାଣୀ ପରି ଖଟାଉଥିଲା।ବଦ୍ଖର୍ଚ୍ଚ କରିବାରୁ ନିବୃତ୍ତ କରୁଥିଲା।ପ୍ରଥମେ କେବଳ ସମ୍ବଲପୁରୀ ପାଟ ଆଣି ଦେଉଥିବା ସ୍ବାଗତ ଏବେ କମ୍ ଦାମର ସୂତାଶାଢୀ ଆଣୁଥିଲା।ତାର ଏପରି ପରିବର୍ତ୍ତନ ଦେଖି ଶୀତଲ୍ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଥିଲା।ମନରେ ବଡ ଅଭିମାନ ଆସୁଥିଲା।ହେଲେ ମୁହଁଖୋଲି କିଛି କହି ପାରୁନଥିଲା।ବେଳେବେଳେ ତା କଥାରେ ଆହତ ହୋଇ ମୁହଁଲୁଚାଇ କାନ୍ଦୁଥିଲା।ମନରେ ଶଙ୍କାଜାତ ହେଉଥିଲା ତାର ସ୍ବାଗତ ଆଊ କୋଉ ଝିଅର ପାଲରେ ପଡିନି ତ?


ସେ ଦୁଇବର୍ଷ ବାପଘରେ ରହି ପାଠ ପଢିଲା।ସ୍ବାଗତ ସହରରେ ଏକା ରହୁଥାଏ।ସେଠି କାହାସଙ୍ଗେ କଣ କରୁଥିବ ତାକୁ କିଛି ଜଣା ନଥିଲା।ତେଣୁ ମନରେ ଅନେକ ଦୂର୍ଭାବନା ଆସିବା ସ୍ବାଭାବିକ।ଏବେ ନିଜ ଗୋଡରେ ଠିଆ ହେବାପରେ ତାକୁ ଲାଗୁଥିଲା ଯେମିତି ସେ ସ୍ବାଗତକୁ ପାନେ ଦେଇଛି।ତା ଅହଂକୁ ସ୍ତ୍ରୀର ପ୍ରଗତି ନିଶ୍ଚୟ କାଟୁଥିବ?

ହେଲେ ସ୍ବାଗତ ନିଜର ପ୍ରତିକ୍ରିୟା କିଛି ଜଣାଉନଥିଲା। ଏବେ ପୁଣି ଶୀତଲ ଫେରି ଆସିଥିଲା ସ୍ବାମୀ ପାଖକୁ।ସେହି ସହରରେ ତାର ଚାକିରି କରାଇ ନେଇଥିଲା।ସେ ଗଲାବେଳେ ପୁଅକୁ ନିଜ ସ୍କୁଲରେ ଛାଡି ଦେଉଥିଲା।

ଫେରିଲାବେଳେ ସାଥିରେ ନେଇ ଆସୁଥିଲା।ଘରେ ଏବେ ଚାକରାଣୀଟେ ବି ରଖିବାକୁ ପଡୁଥିଲା।ଘର କାମରେ ସାହାଯ୍ୟ କରିବାକୁ।

ସ୍ବାଗତର ଦିନେ ରକ୍ତ ବାନ୍ତି ହେଲା।ସେ ତାଙ୍କୁ ଧରି ହସପିଟାଲ ପହଞ୍ଚିଲା। ସ୍ବାଗତକୁ ଦେଖି ଡାକ୍ତର କହିଲେ ତୁମ ରୋଗ ଚତୁର୍ଥ ପାହଚରେ ପହଞ୍ଚି ସାରିଛି।ଏବେ ଆମ ହାତରେ ଆଉ ନାହିଁ।ଭଗବାନଙ୍କୁ ଭରସା କରି ଏଇ ଔଷଧ ଦେଉଛି।ଏହାକୁ ନିଅ।ସେତେବେଳେ ଶୀତଲ ଡାକ୍ତରଙ୍କୁ ପଚାରିଥିଲା କି ରୋଗରେ ମୋ ସ୍ବାମୀ ଆକ୍ରାନ୍ତ?

ଆଉ ଏହା କେତେଦିନରୁ ଚାଲିଛି।ଡାକ୍ତର କହିଲେ ପ୍ରାୟ ଦୁଇବର୍ଷ ହେବ ଏହା ଜଣା ପଡିଲାଣି।ହେଲେ ତୁମ ସ୍ବାମୀ ବହୁତ ଖର୍ଚ୍ଚ ହେବ ବୋଲି ଅପରେସନ କରୁ ନାହାଁନ୍ତି।ଏବେ ଏହା ଶେଷପାହଚରେ ପହଞ୍ଚି ସାରିଲାଣି।ଏବେ ଅପରେସନ କଲେବି ସଫଳ ହେବ ବୋଲି ମୁଁ କହି ପାରୁନି।

ଏବେ ଶୀତଲ ବୁଝୁଥିଲା।ସ୍ବାଗତ କାହିଁକି ତାକୁ ଛି ଛି ଦୂର୍ ଦୂର୍ କରୁଥିଲେ।କଟୁକଥା କହି ତା ଅହଂକୁ କ୍ଷତାକ୍ତ କରୁଥିଲେ।ସେ ଚାହୁଁଥିଲେ ତାର ଛୁଇଁମୁଇଁ ଶୀତଲ ଶକ୍ତ ଶକ୍ଷମ ହେଉ।ନିଜ ଉପାର୍ଜନରେ ପୁଅକୁ ଓ ନିଜକୁ ସମ୍ଭାଳି ଶିଖୁ।ଆଉ ସେଇଆ ହିଁ ହେଲା।

ସେ ଏବେ ସବୁ ପରିସ୍ଥିତିରେ ଚଳି ପାରିବ।ହେଲେ ଏତେବଡ କଥା ତାକୁ କାହିଁକି ଲୁଚାଇଲେ।ଘରେ ବାପା ମାଆଙ୍କୁ ବି କିଛି ଜଣାଇଲେ ନାହିଁ।

ଯଦି ସମସ୍ତେ ଜାଣିଥାନ୍ତେ କେମିତି ବି କରି ତାଙ୍କର ଚିକିତ୍ସା କରିଥାନ୍ତେ।ସେ ବି ଠିକ୍ ସମୟରେ ତାଙ୍କଠୁ ଦୂରେଇ ବାପ ଘରେ ରହିଲା।ଏ ସମୟରେ ସେ ଏତେ ଯନ୍ତ୍ରଣା ସହି କେମିତି ସମୟ କାଟିଥିବେ କେଜାଣି?

ସେ ଭିତରେ ଭିତରେ ବଡ ଘାଣ୍ଟି ହେଉଥିଲା।ସ୍ବାଗତ କେବଳ ତାର ଭବିଷ୍ୟତ କଥା ଭାବିଲେ।ତାକୁ ସକ୍ଷମ କରିବାକୁ ନିଜେ କଷ୍ଟସହି ଦୂରକୁ ପଠାଇଦେଲେ।ଯଦି ସେ ଜାଣିଥାନ୍ତା ପାଠ ପଢି ନ ଥାନ୍ତା । ତାଙ୍କ ସଙ୍ଗେ ରହି ସେବା ଶୁଶ୍ରୁସା କରିଥାନ୍ତା ।ଯେମିତି ହେଲେ ନିଜ ଅଳଙ୍କାର ଜମିବାଡି ବିକି ଅପରେସନ କରାଇଥାନ୍ତା।

ହେଲେ ସ୍ବାଗତ ଚାହୁଁନଥିଲା ଏସବୁ ହେଉ।ସେ ନିଜର ଜମାପୁଞ୍ଜି ଅପରେସନରେ ସାରିବାକୁ ଚାହୁଁନଥିଲା। ସେ ତ ଯେମିତି ହେଲେ ମରିବା ଥୟ।ତାହେଲେ କାହିଁକି ନିଜ ଜମାପୁଞ୍ଜି ଓ ପୈତୃକ ଜମିବାଡି ବିକି ଚିକିତ୍ସା କରାଇବ।ବରଂ ଏସବୁ ଥିଲେ ତା କୁନୀପିଲା ପପୁନର ପାଠପଢା ଓ ଅନ୍ୟ କାମରେ ଲାଗିବ।ସେ ଗଲାପରେ ଘର ଚଳିବ କେମିତି ସେଇ ଚିନ୍ତା ତାକୁ ଘାରୁଥିଲା।ସେ ଦେଖୁଥିଲା ତା ସ୍ତ୍ରୀ କୋଉ କାମକୁ ନୁହଁ।ଜଣେ ସରଳ ଗୃହିଣୀ।ସ୍ବାମୀଟେକା ଉପରେ ଜୀବନ ବିତାଏ।ଯଦି ସବୁଦିନ ଏମିତି ରହିବ ତାହେଲେ ପରେ ଭିକ ମାଗିବାକୁ ପଡିପାରେ।ବିପଦ ବେଳେ ଘରଲୋକ ବି ପର କରିଦିଅନ୍ତି।ସେଥିପାଇଁ ସେ ତା ଉପରେ ବିରକ୍ତ ହୋଇ କଟୁକଥା କହୁଥିଲା ଯା,ରି ଫଳରେ ତାର ଇଗୋ ହଟ୍ ହେଲେ ଉତ୍ତେଜିତ ହୋଇ ନିଜ ଗୋଡରେ ଠିଆ ହେବାକୁ ଯତ୍ନ କରିବ।ଆଉ ତାର ସେଇ ଉଦ୍ୟମ କାମ କରିଥିଲା।ସେ ପୁଣି ବି,ଇ,ଡି କଲା ଓ ଚାକିରି କରି ରୋଜଗାରପାଇଁ ସକ୍ଷମ ବି ହେଲା।

ହେଲେ ସେ ବହୁତ ମନଦୁଃଖ କଲା।ସ୍ବାଗତ କେମିତି ତାକୁ ଛାଡି ଯିବାକୁ ମନରେ ଭାବି ପାରିଲେ?

ତାଙ୍କ ବିନା ତା ଜୀବନର କିଛି ମାନେ ନାହିଁ।ତାର ଦିନ ସ୍ବାଗତ ଠାରୁ ଆରମ୍ଭ ହୁଏ ଓ ତାରିକୋଳରେ ନିଦ୍ରାଗଲେ ଶେଷ ହୁଏ।ତାର ଦିଗଦର୍ଶନ ବିନା ସେ କିଛି କରେନା।ସ୍ବାଗତହିଁ ତା ଜୀବନର ସବୁ ଖୁସୀର ଆଧାର।ତାବିନା ସେ ଆଉ କୋଉ ଖୁସୀକୁ ଉପଭୋଗ କରିପାରିବ?

ସ୍ବାଗତର ଚାରିପଟେ ତାର ଜୀବନର ପରିଧୀ ଘୂର୍ଣନମାନ ଥିଲା।ଯେଉଁଦିନ ସେ ତାକୁ ଛାଡିଚାଲିଯିବ ସେ କେମିତି ବଞ୍ଚିବ?କଣ କିଛି ଟଙ୍କା ରୋଜଗାର କରିଦେଲେ ତାର ଜୀବନର ଶୁନ୍ୟତା ପୂରଣ ହୋଇଯିବ?

ତାର ମଥାର ସିନ୍ଦୁର ତାର ହାତର ଶଙ୍ଖା ଯଦି ରହିବନି ସେ ହତଭାଗିନୀ ହୋଇ ବଞ୍ଚିବ କିପରି।

ସେ ଏମିତି ଅନେକ ଭାବନା ଭିତରେ ଘାଣ୍ଟି ହେଉଥିଲା।ଆଜିଯାଏ ସେ ସ୍ବାଗତକୁ ଭୂଲ ବୁଝି ଅଭିମାନ କରୁଥିଲା।ହେଲେ ତା ଅଭିମାନ ଅମୂଳକ ଥିଲା।ସ୍ବାଗତ କେବଳ ତାରି ଚିନ୍ତା କରୁଥିଲା।


ଆଉ ସେଇଦିନ ଆସିଯାଇଥିଲା ଯେଉଁଦିନ ସ୍ବାଗତ ତାଙ୍କ ସମସ୍ତଙ୍କୁ ଛାଡି ଚାଲିଯାଇଥିଲା ସେଇ ଅଫେରା ଦେଶକୁ ଯୋଉଠୁ ମଣିଷ ଗଲେ କେବେ ଫେରିଆସେନାହିଁ।

ଆଉ ଶୀତଲ ସଂସାର ଜଞ୍ଜାଳ ସମ୍ଭାଲିବାକୁ ଅଣ୍ଟା ଭିଡିଲା କାରଣ ଏସବୁ ସ୍ବାଗତର ନିର୍ଦ୍ଦେଶ ଥିଲା ତା ପାଇଁ।ତା ପପୁନ୍ କୁ ତାକୁହିଁ ମଣିଷ କରି ଗଢିବାର ଅଛି।ସେ ଦୁର୍ବଳ ପଡିଲେ କଅଁଳା ପିଲାଟାକୁ ସମ୍ଭାଳିବ କିଏ?



Rate this content
Log in

Similar oriya story from Tragedy