Madhabi Patel

Inspirational

4.0  

Madhabi Patel

Inspirational

ପ୍ରଥମ ଟ୍ରେନ ଯାତ୍ରା

ପ୍ରଥମ ଟ୍ରେନ ଯାତ୍ରା

4 mins
183


ସିଏ ଥିଲା ମୋର ପ୍ରଥମ ଟ୍ରେନଯାତ୍ରା । ଆମେ ଦୁଇଟା ପରିବାର ମିଶି ଏଲାହବାଦ ବାହାରିଥଲୁ । ପ୍ରୟାଗରେ ଅସ୍ଥି ବିସର୍ଜନ ପାଇଁ । ବୋଧହୁଏ ଉଣେଇଶହ ନବେ କି ଏକାନବେ ମସିହା ଥିଲା । ଏବେ ଯୁଆଡେ ଗଲେ ଆମେ ଏ.ସି. ବଗିରେ ଯାଉଛୁ କିନ୍ତୁ ସେତେବେଳ ଆମ ପରିସ୍ଥିତି ସେତେ ଭଲ ନଥିଲା ଏତେ ଖର୍ଚ୍ଚ କରିବାକୁ । ମୋ ସ୍ୱାମୀଙ୍କ ଏକାନ୍ନବର୍ତ୍ତୀ ପରିବାର ହେତୁ ସବୁ ଖର୍ଚ୍ଚ ତାଙ୍କୁ ହିଁ ବହନ କରିବାକୁ ପଡୁଥିଲା । ଏଗାର ଜଣ ଭାଇ ଭଉଣୀର ପରିବାର ଥିଲେ ସେମାନେ । ଅନେକ ଜଣ ବାହା ସରି ଯାଇଥିଲା । କିଛି ଜଣ ବାକିଥିଲେ । ବାହାହେଇଥିବା ଭଉଣୀମାନଙ୍କ ସବୁ ଜଞ୍ଜାଳ ବି ସେ ସମ୍ଭାଳୁ ଥିଲେ । ସେଥିପାଇଁ ନିଜକୁ ଦେଖି ଚାହିଁ ଖର୍ଚ୍ଚ କରିବାକୁ ପଡୁଥିଲା । ଏମିତି ବି ଯିଏ କମାଏ ସେ ନିଜ ପାଇଁ କିଛି କରିପାରେନି ଅନ୍ୟଙ୍କ ପାଇଁ କରୁ କରୁ ତା ପାଇଁ କିଛି ବଳେନି । ଯେମିତି ବୃକ୍ଷର ଚେର ନିଜେ ପାଣିଖାଦ୍ୟସାର ଯୋଗାଡ କରେ ଅଥଚ ସବୁ ଖାାଦ୍ୟ ଗଛର ଶାଖା ପଶଖା ଓ ପତ୍ର କଢ ଓ ଫଳଙ୍କ କାମରେ ଆସେ । 

ଆମେ ସାଧାରଣ ବଗିରେ ଯାତ୍ରାକରୁଥାଉ । ଅକ୍ଟୋବର ମାସ ଥିବାରୁ ଏତେ ଗରମ ବି ନଥିଲା । ତେଣୁ ବିନା ଏସିରେ ବି ଚଳି ଯାଉଥିଲା । ଝରକା ଖୋଲା କରିଦେଇଥାଉ । ବାହାରୁ ପବନ ଆସିବା ସଂଗେ

 ବାହାରର ସବୁ ଦୃଶ୍ୟ ଦୃଷ୍ଟିଗୋଚର ହେଉଥାଏ । ପ୍ରଥମଥର ରେଳ ଯାତ୍ରାଥିବାରୁ ଲାଗୁଥାଏ ଯେମିତି ଗଛଓ ଘରଦ୍ବାର ଗୁଡାକପଛଆଡେ ଦଉଡୁଛି । କିନ୍ତୁ ପ୍ରକୃତରେ ଆମ ଗାଡି ଆଗକୁ ଯାଉଥିଲା । ପିଲାବେଳେ ପଢିଥିଲୁ ଟ୍ରେନରେ ଗଲେ ଗଛମାନେ ବିପରୀତ ଦିଗକୁ ଦଉଡିବା ପରିଲାଗେ ସେ କଥା ସେଦିନ ଅନୁଭବ କଲି । ମୋ ଛୋଟ ପୁଅକୁ ବସିବା ପରେ ସୌଚ ଲାଗିଲା । ତାକୁ ଟ୍ରେନର ପାଇଖାନକୁ ନେଇକି ଗଲି । ଟ୍ରେନ ଚାଲୁଥିବା ହେତୁ ହଲଚଲ ହେଉଥାଏ । କୌଣସି ମତେ ତାକୁ ଧରି ବସେଇଦେଲି । ସେଠିକା ପାଇଖାନଟି ତଳକୁ କଣାଟେ ଥିବା ଦେଖିଲି । ଭାବିଲି ଯାତ୍ରୀମାନଙ୍କ ସବୁ ମଇଳା ରେଳ ଧାରଣା ଉପରେ ପଡୁଥିବ । ପ୍ରଥମେ ଷ୍ଟେସନରେ ଚଢିଥିବାରୁ ଟ୍ରେନଟି ସଫାଥିଲା ହେଲେ ପରେ ବିହାରୀ ଯାତ୍ରୀ ସବୁ ପଶିବା ପରେ ପାଇଖାନାକୁ ଅପରିଷ୍କାର କରିଦେଲେ । ରାତ୍ରୀ ପରେ ପାହାନ୍ତିକୁ ଯେତେବେଳେ ଉଠି ବାଥରୁମ୍ ଗଲି ପାଇଖାନାରେ ଝାଡା କରି ପାଣି ଢାଳିନଥିଲେ । 

ସେତେବେଳେ ଲୋକେ ପାଇଖାନାର ବ୍ୟବହାର ଏତେ ଶିଖିନଥିଲେ । ପାଣି ଢାଳିବାକୁ ପଡେ ସେ ଜ୍ଞାନ ବି ନଥିଲା ସେମାନଙ୍କର । ମୁଁ ଫେରିଆସିଲି । ଆମର ଯାତ୍ରା ସରିବା ଯାଏ ଅପେକ୍ଷା କଲି । ପରେ ସୁଇପର ଆସି ସଫା କଲା ପାଇଖାନାକୁ । ଆମେ ସବୁ ସୌଚାଳୟ ଦେଖି ଆମ ସ୍ନାନ ସୌଚ ସାରିଦେଉଥିଲୁ । ଆମ ସଂଗେ ଯାଇଥିବା ଆମ ଭଣଜା ଜଣେ ଟ୍ରେନ କର୍ମଚାରୀ ଥିଲେ । ତାଙ୍କର ଟ୍ରେନଯାତ୍ରା ମାଗଣା ଥିଲା । ତାଙ୍କର ଟ୍ରେନ ବିଷୟରେ ବିଶେଷ ଜ୍ଞାନ ଥିବାରୁ ସେ ଆମକୁ ସୁବିଧାରେ ନେଇ ପହଞ୍ଚାଇଦେଲେ । ଟ୍ରେନ ଭିତରେ ଅନେକ ବୁଲା ବିକାଳି ଆସୁଥିଲେ ନାନା ରକମ ଚଟପଟା ଖାଦ୍ୟ ଧରି । ମତେ ଏସବୁ ବହୁତ ଭଲ ଲାଗିଲା । ସେତେବେଳେ କରୋନାର ଡର ନଥିଲା ତେଣୁ ବାହାରର ଝାଲ୍ ମୁଢି ବାଦାମ, ସ୍ନେକ୍ସ, ସିଙ୍ଗାଡାକନ୍ଦା, କଦଳୀ,ପିଜୁଳି ଆଦି ଯାହା ଆସୁଥିଲା କିଣି ଆରାମରେ କ୍ଷୁଧା ନିବାରଣ କରୁଥିଲୁ । ଷ୍ଟେସନ ଆସିଲେ ଭଣଜା ଯାଇ ତଳୁ ବୋତଲମାନଙ୍କରେ ପାଣି ଭରି ନେଇଆସୁଥିଲେ । ଏବେ ମିନେରାଲ ୱାଟର ପିଉଛୁ ସେତେବେଳେ ନଳପାଣି ବି ଦେହରେ ଯାଉଥିଲା । ଭଣଜାଓ ତାଙ୍କ ଧର୍ମପତ୍ନୀ ଦୁଇଜଣ ଥିଲେ । ଆମେ ସ୍ୱାମୀ ସ୍ତ୍ରୀ ଝିଅ ପୁଅ ଓ ମୋ ଶାଶୁ ଥିଲୁ । ସେତେବେଳେ ଛୋଟ ପୁଅ ଜନ୍ମ ହେଇନଥିଲା । 

ଗଙ୍ଗାରୁ ଫେରିବା ପରେ ଛୋଟ ପୁଅ ଗର୍ଭରେ ରହିଲା । ସେଥିପାଇଁ ତାକୁ ମୋ ଶଶୁର ଆସିଛନ୍ତି ବୋଲି ସମସ୍ତେ କୁହନ୍ତି । ଶଶୁରଙ୍କ ଅସ୍ଥି ବସର୍ଜନ ପାଇଁ ଯାଇଥିଲୁ । ସେଠୁ ଫେରିଲାପରେ ଶଶୁର ମୋ ସ୍ୱାମୀଙ୍କୁ ସ୍ୱପ୍ନରେ ଆସି କହିଲେ ମୁଁ ତୋ ପୁଅ ହେଇ ଯାଉଛି ମତେ ନଷ୍ଟ କରିବାକୁ ଚେଷ୍ଟା କରିବୁନି । ଆଗରୁ ଝିଅଟେ ଓ ପୁଅଟେ ଥିବାରୁ ଆମର ଆଉ ସନ୍ତାନ ଜରୁରୀ ନଥିଲା ହେଲେ ସ୍ୱପ୍ନାଦେଶପରେ ବାଧ୍ୟହେଇ ଆଉ ଗୋଟେ ସନ୍ତାନ କଲୁ । ସେ ପୁଅ ଭଲ ପଢି ଏବେ ବଡ କମ୍ପାନୀରେ ଚାକିରୀ କରୁଛି । 

ଯାତ୍ରା ସମୟରେ ଅନେକ ରାଜ୍ୟର ଯାତ୍ରୀଙ୍କୁ ଦେଖିବାର ସୌଭାଗ୍ୟ ମିଳିଲା । ତାଙ୍କର ବିଭିନ୍ନ ବେଶଭୂଷା ଖାଦ୍ୟପେୟ ବିଷୟରେ ଅବଗତ ହେଲୁ । ଭାଷା ବି ଅଲଗା ଅଲଗା ଥିଲା ପ୍ରତ୍ୟେକଙ୍କର ହେଲେ ଯାତ୍ରାପଥ ଗୋଟିଏ ଥିଲା । ସମସ୍ତେ ରେଳ ନୀୟମ ମାନି ଚଳୁଥିଲୁ । ବଡ ମଜା ଲାଗୁଥିଲା ଯାତ୍ରା । ବାହାରେ ବଣ ପାହାଡ ସବୁଜ ବିଲ ଦଳଦଳ ବକାଳିକାପଂକ୍ତିଙ୍କ ବିଚରଣ ମନକୁ ଖୁସିକରିଦେଉଥିଲା । ଛୋଟ ବଡ ସହର ସବୁ ପଡୁଥିଲା ଆଖି ସାମନାରେ । ବହୁତ ବଡବଡ କୋଠା ,ମନ୍ଦିର ,ମସ୍ଜିଦ,ଗିର୍ଜା,କାରଖାନା ଆଦି ଦୃଷ୍ଟିଗୋଚର ହେଉଥିଲା । ଯୋଉ ଷ୍ଟେସନରେ ଗାଡି ଅଟକୁଥିଲା ଆମେ କିଛି ଖାଦ୍ୟ କିଣିଆଣି ମିଶିକି ଖାଉଥିଲୁ । ବୋହୁ ଶାଶୁଙ୍କ ଭିତରେ ଯୋଉ ଡରଥିଲା କଟିଗଲା ଯାତ୍ରାରେ । ଆମେ ସେଠି ଓହ୍ଲାଇ ହୋଟେଲରେ ରହିଲୁ । ସେ ହୋଟେଲମାନଙ୍କରେ ବାଜରା ରୋଟି ଓ ଭାତ ମିଶେଇ ଖାଇବାକୁ ଦେଉଥିଲା । ଯେହେତୁ ଆମ ସ୍ତ୍ରୀ ଲୋକମାନଙ୍କୁ ରୋଟି ଭଲ ଲାଗୁନଥିଲା ବିଶେଷକରି ବାଜ୍ରାରୋଟି । କେମିତି ଖରଖସିଆ ଲାଗୁଥିଲା । ତେଣୁ ଭାତ ତକ ଆମକୁ ଦେଉଥିଲେ । ମୋସ୍ୱାମୀ ଭଣଜା ଓ ଝିଅ ରୋଟିତକ ଖାଉଥିଲେ । ଏମିତି ଭାବରେ ଆମ ଭିତରେ ତାଳମେଳ ରଖି ଚଳୁଥିଲୁ ସେଠି । ସେଠିକାର ମିଠା ସମୋସା ପ୍ରଥମେ ଖାଇବାକୁ ମିଳିଲା । 

ଆମେ ଗାଡିଟେ କରି ପ୍ରୟାଗରେ ଅସ୍ଥି ବିସର୍ଜନ ପାଇଁ ଗଲୁ । ସେଠି ଘାଟରେ ଡଙ୍ଗାନେଇ ସଙ୍ଗମ ସ୍ଥଳଯାଏଗଲୁ ଓ ସବୁ ପୂଜାବିଧି ସମାପନ କଲୁ । ବହୁତ ଖରା ହେଉଥାଏ । ଯମୁନା ନଦୀରେ ଗଭୀର ପାଣିଥିଲା । ଗଙ୍ଗାରେ ଆଣ୍ଠୁଏ ପାଣି ଆଉ ସରସ୍ୱତୀ ଦୁଇ ନଦୀର ସଂଗମ ଜାଗାରେ ଧଳାଧାରଟିଏ ପରି ଦେଖା ଯାଉଥିଲେ । 

ଦଶାଶ୍ୱମେଧ ଘାଟରେ ସ୍ନାନ କଲୁ । କାଶୀର ବିଶ୍ୱନାଥ ମନ୍ଦିର ଦର୍ଶନ କଲୁ । ଆଉଏକ ବିର୍ଲାମନ୍ଦିର ସହ ଅନେକ ଦର୍ଶନୀୟ ଜାଗାବି ବୁଲି ଦେଖିଲୁ । ଦିନେ ସାରନାଥ ଯାଇ ବୋଦ୍ଧମନ୍ଦିର ଓ ଅତୀତର ଅନେକ ଧ୍ୱଂସାବଶେଷ ଦେଖିଲୁ । ଅନେକ ଖମ୍ବ ରହିଛି । । ବଡବଡ ଜଳାଶୟ ପ୍ରଭୃତିର ଧ୍ୱଂସାବଶେଷ ତକ ଯାହା ଥିଲା ଦେଖିଲୁ । ବୁଦ୍ଧଙ୍କ ସୁବର୍ଣ୍ଣ ପ୍ରତିମା ଦେଖିଲୁ । ପାଖରେ ସେଠିକା ବନାରସୀ ପାଟର ଦୋକାନ ସବୁ ଥିଲା । ଆମ ଗାଇଡ୍ ସେଠାକୁ ଡାକିନେଲା କିଣିବେ ବୋଲି । ସେହି ବିକ୍ରିରେ ସେମାନଙ୍କବି ପରସେନ୍ଟେଜ୍ ଥାଏ । ଆମେ ଦୁଇତିନିଖଣ୍ଡ ଶାଢୀ କିଣିଲୁ । ହେଲେ ଶାଢୀଗୁଡାକ ଭଲ ପଡିଲାନି । ଧୋଇଲା ବେଳେ ସୁନ୍ଦର ଏମ୍ରୋଡେରି ହେଇଥିବା ସୁତାର ରଂଗ ଛାଡି ଚାରିଆଡେ ଲାଗିଗଲା । ଯାହା ବି ହେଉ ଭ୍ରମଣ ଯାତ୍ରା ଭଲ ଲାଗିଲା । ଫେରିଲାବେଳେ କିଛି ଅସୁବିଧା ହେଇନି । ଆମେ ସୁବିଧାରେ ଘରେ ପହଞ୍ଚିଲୁ । ଏ ଥିଲା ମୋର ପ୍ରଥମ ରେଳ ଯାତ୍ରା । ଏବେ ତ ପିଲାମାନେ ବାହାରେ ରହୁଥିବାରୁ ସବୁବେଳେ ରେଳ ଓ ଉଡାଯାହାଜ ଯାତ୍ରା କରିବାକୁ ପଡୁଛି । ହେଲେ ପ୍ରଥମ ଯାତ୍ରାର ଅନୁଭବ ଟିକେ ନିଆରା । 



Rate this content
Log in

Similar oriya story from Inspirational