Geetanjali Prusty

Inspirational

4  

Geetanjali Prusty

Inspirational

ଅନ୍ଵେଷା

ଅନ୍ଵେଷା

2 mins
394



ସେଦିନ ନିର୍ବାଣ ଏବଂ ନୀଳିମା ମନଦୁଃଖରେ ଡକ୍ଟର ଆଶୁତୋଷ ପଟ୍ଟନାୟକଙ୍କ ପାଖରୁ ଫେରିଥିଲେ l ସମସ୍ତ ପ୍ରଚେଷ୍ଟା ବ୍ୟର୍ଥ ହୋଇଥିଲା l ଦାମ୍ପତ୍ୟ ଜୀବନର ପରିପୂର୍ଣ୍ଣତା ଅଧୁରା ରହିବାର ଦୁଃଖରେ ଅଜସ୍ର ଅଶ୍ରୁ ନିଗାଡ଼ି ଥିଲେ ନୀଳିମା l ଗୋଟି ଗୋଟି ହୋଇ ସବୁ ଆଜି ତାଙ୍କ ଚକ୍ଷୁ ସମ୍ମୁଖରେ ଚଳଚିତ୍ର ଭଳି ଭାସି ଯାଉଥିଲା l ଶାଶୁଙ୍କର ଘୃଣା, ସାହି ପଡ଼ିଶାଙ୍କର ଟାହି ଟାପରା ତାଙ୍କୁ ବିବ୍ରତ କରି ପକାଇ ଥିଲା l ଡାକ୍ତରଙ୍କର ଚରମ ବାଣୀ ସେ ଆଉ କୌଣସି ଦିନ ମାଆ ହୋଇପାରିବନି l କେତେ ଥର ଭାବିଛି ଆତ୍ମହତ୍ୟା କରିଦେବ...ମାତ୍ର ପର ମୁହୂର୍ତ୍ତରେ ନିର୍ବାଣଙ୍କର ସରଳ ଭଲ ପାଇବା ତାଙ୍କୁ ସେଥିରୁ ନିବୃତ କରିଛି l

ନିର୍ବାଣ ଅନେକ ବୁଝେଇଛନ୍ତି l ଧୈର୍ଯ୍ୟ ଧର ନୀଳିମା.... ଈଶ୍ୱରଙ୍କର ଯାହା ଇଚ୍ଛା ତାହାହିଁ ତ ଭୋଗ କରିବାକୁ ପଡ଼ିବ l ସବୁ ପରେବି ନୀଳିମା ନିର୍ବାଣଙ୍କ ପାଖରେ ଢେର ଅଶ୍ରୁ ନିଗାଡ଼ି ଥିଲେ l ଅନୁରୋଧ କରିଥଲେ ପୁନର୍ବିବାହ ପାଇଁ l କୁଳ ରକ୍ଷା ପାଇଁ ନିହାତି ଆଉ କାହାର ହାତ ଧରିବା ପାଇଁ ବାଧ୍ୟ କରିଥିଲେ ନୀଳିମା l ନିର୍ବାଣ ଏକା ଜିଦ କରିଥିଲେ... ସେମିତି ହେବନି... ମୁଁ ମୋର ଭଲ ପାଇବାକୁ ବଳି ପକାଇ ପରିବିନି l ତୁମକୁ ଛାଡ଼ି ଆଉ କାହାର ବି ହେଇ ପାରିବିନି.... ମୁଁ କେବଳ ତୁମର... l

    

    ଏମିତି ମାନ ଅଭିମାନ... ରାଗ ରୁଷା ମଧ୍ୟରେ କଟିଯାଇଥିଲା ଅନେକ ବର୍ଷ l ଦିନେ ନିର୍ବାଣ ବନ୍ଧୁ ପରେଶଙ୍କର ନିମନ୍ତ୍ରଣରେ ସହରର ଏକ ଅନାଥାଶ୍ରମକୁ ନିମନ୍ତ୍ରିତ ଅତିଥି ଭାବରେ ଯାଇଥିଲେ l ସେଇ ପରିବେଶରେ ଅସହାୟ ଶିଶୁ ମାନଙ୍କର କଥାକୁହା ଆଖି ତାଙ୍କୁ ବିମୋହିତ କରିଥିଲା l ଗୋଟିଏ ଚାରି ବର୍ଷର ଛୋଟ ଝିଅକୁ ଦେଖି କୋଳେଇ ନେଇଥିଲେ ନିର୍ବାଣ l ପ୍ରସ୍ତାବ ଦେଇଥିଲେ ଅଧ୍ୟକ୍ଷ ବନ୍ଧୁ ପରେଶଙ୍କୁ ସବୁଦିନ ପାଇଁ ଝିଅଟିକୁ ଆପଣାର କରିନେବାକୁ l କାଖରେ ଧରି ଅନୁଭବ କରିଥିଲେ ପିତୃତ୍ୱର ଉଷ୍ମତାକୁ l ଖୁସିରେ ପିଠି ଥାପୁଡାଇ ସମ୍ମତି ଜଣାଇଥିଲେ ପରେଶ l କେତେ ଦିନରୁ କହୁଥିଲି.... ତୁ ଶୁଣୁ ନ ଥିଲୁ l ଠିକ ଅଛି.. ଆସନ୍ତା କାଲି ଭାଉଜଙ୍କୁ ନେଇକି ଆସିଲେ ଆଇନିଗତ ପ୍ରକ୍ରିୟା ଶେଷ କରିବା l


  ତା ପରେ ଘରକୁ ଆସିଥିଲା 'ଅନ୍ଵେଷା' l ଅମାବାସ୍ୟାର ଚନ୍ଦ୍ର ଭଳି ଉଜ୍ଜ୍ୱଳି ଉଠିଥିଲା "ନରେନ୍ଦ୍ର ନିବାସ" l ଦିନେ ଓଳିଏ ନୁହେଁ ବର୍ଷ ବର୍ଷ ଧରି..... l ଅନ୍ତିମ ଶଯ୍ୟାରେ ଶାଶୁମାଆଙ୍କ ଅଧର ଫାଙ୍କରୁ ଝରି ଆସିଥିଲା ଆତ୍ମତୃପ୍ତିର ଧାରେ ହସ l ଆଉ ପଛକୁ ଫେରି ଚାହିଁ ନାହାନ୍ତି ଦୁହେଁ l ଲାଗି ପଡିଛନ୍ତି ଝିଅକୁ ସଂସାରର ସବୁ ସୁଖ ଦେଇ ଲାଳନ ପାଳନ କରବାରେ l


   ଆଜି ଅନ୍ଵେଷା ମେଡିକାଲ ପାଇଥିବା ଖବର ଗାଁ ଗଣ୍ଡା, ପୁରପଲ୍ଲୀରେ ପ୍ରତିଧ୍ୱନିତ ହେଉଛି l ସେଇ ଖୁସିରେ ନୀଳିମା ମନ ପୂରାଇ ମିଠା ବାଣ୍ଟି ଚାଲିଛନ୍ତି l ମାତୃତ୍ୱର ଗର୍ବରେ ଫାଟି ପଡୁଛି ହୃଦୟ l ରୋମାଞ୍ଚିତ ଦେହ ମନ l ଈଶ୍ୱରଙ୍କୁ ଶତଶତ ଧନ୍ୟବାଦ ଅର୍ପଣ କରୁଥିଲା ନୀଳିମା l ସତରେ ପ୍ରଭୁ ଶୁଣିଛନ୍ତି ତାର ଡାକ l ଭଗବାନ କରନ୍ତୁ, ଭଲ ଡାକ୍ତରଟିଏ ହୋଇ ନାଆଁ କରୁ ଝିଅ l

ଏତିକି ବେଳେ ଅନ୍ଵେଷା ମାମା.. ମାମା.... ଡାକି ପହଞ୍ଚି ଗଲା ସେଠାରେ l ଚିନ୍ତାମଗ୍ନା ନୀଳିମାଙ୍କୁ ହଲାଇ ଦେଲା ଜୋରରେ l ମାମା... କଣ ଏତେ ଭାବୁଛଯେ... l ଭାବନା ରାଜ୍ୟରୁ ଫେରି ଆସି ଗଭୀର ଆବେଗରେ କୋଳେଇ ନେଲେ ଅନ୍ଵେଷାକୁ.... l ଦୂରରୁ ଥାଇ ଏ ଦୃଶ୍ୟକୁ ଉପଭୋଗ କରୁଥିଲା ନିର୍ବାଣ........l



Rate this content
Log in

Similar oriya story from Inspirational