Geetanjali Prusty

Comedy

3.6  

Geetanjali Prusty

Comedy

ଲାଟେଷ୍ଟ ଡିଜାଇନ

ଲାଟେଷ୍ଟ ଡିଜାଇନ

2 mins
223


ଆଉ ଦୁଇଦିନ ପରେ ରଜ l ବଜାରରୁ ପୋଷାକ କିଣି ଫେରିଲା ଫତୁରା l ଝାଳ ନାଳ ଆଣ୍ଠିଏ l ବାହାରେ ଟାଇଁ ଟାଇଁଆ ଖରା l ମାଆକୁ ଥଣ୍ଡା ପାଣି ଗିଲାସେ ମାଗି ପିଇ ଦେଲା l ଓଃ କି ଶାନ୍ତି! ପଙ୍ଖା ତଳେ ଟିକେ ବସି ପଡ଼ିଲା l ବାପା ପ୍ରେମାନନ୍ଦ ପୁଅର ଏ ଅବସ୍ଥା ଦେଖି ବ୍ୟସ୍ତହେଇ ପଡ଼ିଲେ l କାନ୍ଧରେ ପଡ଼ିଥିବା ଗାମୁଛା ଟି କାଢ଼ି ପୋଛି ପକାଇଲେ ପୁଅର ଝାଳ l କୋଉ ନଅଟା ନା ଛଅଟା, ଗୋଟିଏ ବୋଲି ତ କୁଳ ଲଣ୍ଠନ l ଭାରି ଗେହ୍ଲାରେ ବଢ଼ାଇ ଛନ୍ତି ତାକୁ l ମାଆ ଚତୁରୀ ଦହି ପାଣି ଗିଲାସେ ଆଣି ପୁଅକୁ ଦେଲେ l ପିଇ ସାରି ସାଷ୍ଟାମ ହେଲା ଫତୁରା l ପ୍ରେମାନନ୍ଦ କହିଲେ ଆରେ କେମିତିକା ପ୍ୟାଣ୍ଟ ସାର୍ଟ ଆଣିଛୁ ଦେଖାଇଲୁ l ଫତୁରା ଜରିରୁ ଜିନ୍ସ ପ୍ୟାଣ୍ଟ ଓ ଟି ସାର୍ଟ ବାହାର କଲା l ଖୋଲୁ ଖୋଲୁ ପ୍ରମାନନ୍ଦଙ୍କ ନଜର ପଡ଼ିଲା ପ୍ୟାଣ୍ଟ ରେ ଥିବା ବଡ଼ ବଡ଼ କଣା ଉପରେ l ସେ ପାଟି କରି ଉଠିଲେ, ହେଇରେ ଫତୁରା ତୁ କଣ ଏଗୁଡ଼ାକ ଦେଖିକି ଆଣିନୁ ? ଏଇଟା ସୁଦୁ ଚିରା ପ୍ୟାଣ୍ଟ ଟା ! ନାଁ ନାଁ ତୁମେ ଜାଣିନ ବାପା ! ଏଇଟା ପରା ଲାଟେଷ୍ଟ ଡିଜାଇନ l ନୂଆ ଫ୍ୟାଶନ l ମାଆ ଚତୁରୀ ଏକଥା ଶୁଣି ଫେଁ କିନା ହସିଦେଲା l ପ୍ରେମାନନ୍ଦଙ୍କ ମୁଣ୍ଡ କୁ ରାଗ ଚଢ଼ି ଗଲା l କହିଲେ କଣ ହେଲା, ଏ ଚିରା ପ୍ୟାଣ୍ଟ, ଏଡ଼େ ଏଡ଼େ କଣା ଇଏ ପୁଣି ନୂଆ ଫେଶନ, ତୋ ମୁଣ୍ଡ ଖରାପ ହେଇ ଗଲାଣି, ତୋତେ ଦୁର୍ବୁଦ୍ଧି ଦେଖା ଗଲାଣି l ହେଇରେ ମୋ ପଇସା କଣ ଗୋଡ଼ି ମାଟି ହେଇଛି ? ରାଗରେ ଗର ଗର ହେଇ ସେଠାରୁ ପଳାଇଗଲେ l ପରଦିନ ସକାଳୁ ପ୍ରେମାନନ୍ଦ ବାହାର ପିଣ୍ଡା ରେ ବସି ଖବର କାଗଜ ପଢୁଛନ୍ତି, ପତ୍ନୀ ତାଙ୍କର ପାଣି ଢାଳେ ଧରି ଚଉରା ମୂଳକୁ ଗଲେ l ପ୍ରମାନନ୍ଦ ଚାହିଁଦେଲେ ତାଙ୍କର ଏକ ମାତ୍ର ଧର୍ମ ପତ୍ନୀଙ୍କ ଆଡ଼େ l ନିରୋଳା ଚିରା ଲୁଗାଟା ପିନ୍ଧିଛି ଚତୁରୀ l ପାଟିକଲେ ଆରେ ଏ ଚିରା ଲୁଗା ଟା କଣ ପିନ୍ଧିଛ ? ତୁମର ଆଉ ଲୁଗା ନାହିଁ ନା କ'ଣ ? ଚତୁରୀ ପତି ଦେବଙ୍କୁ ଚାହିଁ ହସିଦେଲେ, କହିଲେ, ନାଁ ମ ଇଏ ପରା ଲାଟେଷ୍ଟ ଡିଜାଇନ l ପ୍ରେମାନନ୍ଦଙ୍କ ରକ୍ତରେ ନିଆଁ ଲାଗିଗଲା l ଚୁପ ହେଇ ବସି ପଡ଼ିଲେ, ମନେ ମନେ ଭାବିଲେ ଏ ମାଆ ପୁଅ ଦିଇଟା ପୂରା ବିଗିଡ଼ି ଗଲେଣି l ଏମାନଙ୍କୁ ବାଟକୁ ଆଣିବାକୁ ପଡ଼ିବ l

      ଏତିକି ବେଳେ ଫତୁରା ଡାକିଲା, ବାପା ବାପା, ପଇସା ଦିଅ ମାଂସ ଆଣିବାକୁ ଯିବି l ପ୍ରେମାନନ୍ଦ ମନେ ମନେ ଟିକେ ହସିଦେଲେ, ଦଉଚିରେ ପୁଅ ପାନେ l ପକେଟରେ ଥିବା ଫଟା ପାଞ୍ଚଶ ଟଙ୍କିଆ ନୋଟ ଟା ବାହାର କରି ଫତୁରା ହାତ କୁ ବଢ଼ାଇ ଦେଲେ l ଫତୁରା ନୋଟ ଟି ଧରି କହିଲା ବାପା ଇଏତ ଫଟା ନୋଟ ଟା ଚଳିବନି l ପ୍ରେମାନନ୍ଦ କହିଲେ ଏଇଟା ପରା ଲାଟେଷ୍ଟ ଡିଜାଇନ, ଆର ବି ଆଇ ନୂଆ ଛାଡ଼ିଛି ।


Rate this content
Log in