Writer Roja Panda

Inspirational

5.0  

Writer Roja Panda

Inspirational

ବାପା : ତ୍ୟାଗର ଅନ୍ୟନାମ

ବାପା : ତ୍ୟାଗର ଅନ୍ୟନାମ

4 mins
696


କାର୍ଯ୍ୟାଳୟରେ(ଅଫିସ) ପୁରା ଦିନର କର୍ମ ବ୍ୟସ୍ତତା ଭିତରେ ମୁଁ ଆଜି ଠିକ ବୁଝିପାରୁଥିଲି ଜଣେ ଅନନ୍ୟ ବ୍ୟକ୍ତିତ୍ୱଙ୍କ ପରିଶ୍ରମ, ତ୍ୟାଗ ଆଉ ଦାୟିତ୍ୱକୁ । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି "ବାପା" ।ମୋର, ଆପଣ ମାନଙ୍କର, ସମସ୍ତଙ୍କର ବାପା । ଯାହାଙ୍କ ବିନା ସବୁକିଛି ଅର୍ଥହୀନ, ନିସ୍ୱ ।ଏସବୁ ଭାବନାରେ ପହଁରୁ ପହଁରୁ ହରି ମଉସା କଫି ନେଇ ମୋ ଚାମ୍ବର ଭିତରକୁ ଆସିଲେ । ତାଙ୍କ ହାତରୁ କଫି କପ୍ ଟି ନେଇ ମୁଁ ପିଇବାକୁ ଲାଗିଲି । ଅଫିସରେ ପ୍ରୋଜେକ୍ଟ ଫାଇଲର ବୋଝ ଆଉ କମ୍ପ୍ଯୁଟରର ତୀବ୍ର ଲାଇଟ୍ ସାଙ୍ଗକୁ ନୂଆ ନୂଆ କେମିକାଲ ମିଶ୍ରଣ ପ୍ରକ୍ରିୟାର ଲାବ୍ରୋଟେରୀ ଭିତରେ ମୁଣ୍ଡଟା କାହିଁକି ଭାରି ଭାରି ଲାଗୁଥିଲା ।ଏମିତି ଏକ ବିରକ୍ତିକର ପରିସ୍ଥିତିରେ ମନ ଖୋଜୁଥିଲା ଗରମ ଗରମ କଫି କପେ । ଯାହା ହେଉ ହରି ମଉସା ମନକଥା ବୁଝି ଠିକ ସମୟରେ କଫି କପ୍ ଟି ବଢାଇଦେଲେ । ହରି ମଉସା କଫି ଦେଇ ବାହାରକୁ ଯିବାକୁ ପ୍ରୟାସ କରନ୍ତେ ମୁଁ ପଛରୁ ଡାକି ପଚାରିଲି - ମଉସା ଆପଣ କ’ଣ ପୂଜାଛୁଟି ନେଇନାହାନ୍ତି କି ? କହୁଥିଲେ ପୂଜାରେ ଛୁଟି ନେଇ ପିଲାମାନଙ୍କୁ ଦେଖିବାକୁ ଯିବେ । ହେଲେ କ’ଣ ହେଲା ? ଆପଣ ଏଯାଏଁ ଡିଉଟି କରୁଛନ୍ତି । ଆଉ ଦୁଇଦିନ ରହିଲା ପୂଜା । ଘର ପାଇଁ କିଛି କିଣାକିଣି କରିବାକୁ ଯାଇନାହାନ୍ତି କି ? ମୋ କଥା ଶୁଣି ମଉସା ମୁହଁ ଶୁଖେଇ ଉତ୍ତର ଦେଲେ - ନାଁ, ଛୁଟି ନେବିନି,ବଡ ବାବୁ କହୁଥିଲେ ଛୁଟି ନେଲେ ପଇସା କଟିବ । ଗୋଟିଏ ଦିନର ପଇସା କଟିଗଲେ ମୋ ପିଲାଛୁଆ ହଇରାଣ ହେଇଯିବେ । ଏତିକି କହି ହରି ମଉସା ଚାଲିଗଲେ । ମଉସା ସିନା ଚାଲିଗଲେ କିନ୍ତୁ ମୋ ମନ ଭିତରେ ଗୁଡ଼ାଏ ପ୍ରଶ୍ନ ଛାଡ଼ିଦେଇ ଗଲେ । ସେ ବି କାହାର ବାପା । ପିଲାଙ୍କ ପାଇଁ ଏଠି ବିନା ଛୁଟିରେ କାମ କରୁଛନ୍ତି ପୁରା ଦିନ । ଏ ଦୁନିଆରେ ମାଆର ଜୟ ଜୟକାର ହୁଏ କାରଣ ମାଆ ଜନ୍ମ ଦେଇଥାଏ ବୋଲି । ନଅ ମାସ ଗର୍ଭରେ ରଖିଥାଏ ବୋଲି । କିନ୍ତୁ କେହି କେବେ ଭାବିଛନ୍ତି ଯେ, ମାଆ ସିନା ନଅ ମାସ ଗର୍ଭରେ ରଖେ ପିଲାକୁ ଜନ୍ମ ଦେବା ପାଇଁ ହେଲେ ଜଣେ ବାପା ପୁରା ଜୀବନ ପିଲାକୁ ନିଜ ମୁଣ୍ଡ ଭିତରେ ରଖେ ପିଲାର ଭବିଷ୍ୟତ ପାଇଁ । ମାଆ ରୋଷେଇ ଘରେ ଆମ ପାଇଁ ଯେଉଁ ଖାଦ୍ୟ ପ୍ରସ୍ତୁତ କରନ୍ତି ତାହା ଆମେ ଖୁସିରେ ଖାଇ ମାଆ ଆମର ଅର୍ନ୍ନଦାତ୍ରୀ ବୋଲି ଭାବୁ । ହେଲେ କ’ଣ କେବେ ଆମ ମନକୁ ଆସିଛି ଯେ ଯେଉଁ ଖାଦ୍ୟ ମାଆ ମାତ୍ର ଗୋଟିଏ ଘଣ୍ଟା ପରିଶ୍ରମ କରି ତିଆରି କରିଥାନ୍ତି ସେଇ ଖାଦ୍ୟର ଯୋଗାଡ଼ ପାଇଁ ଆମ ବାପା ତାଙ୍କର ପୁରା ଦିନ ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି । ବାପା ଏକ ଅବ୍ୟକ୍ତ ଶବ୍ଦର ଅସ୍ପଷ୍ଟ ଅକ୍ଷର ।


ଆଜି ଅଫିସରେ ଏଇ ଆଠ ଘଣ୍ଟିଆ ଡିଉଟିର ଥକା ଭିତରେ ମୁଁ ଠିକ ଅନୁଭବ କରିପାରୁଛି ବାପାଙ୍କ ତ୍ୟାଗ ଆଉ କଷ୍ଟ । ମାଆ ସିନା କୋଳରେ ଧରିଥାଏ ନିଜ ସନ୍ତାନକୁ ଯାହା ଦୁନିଆର ନଜରକୁ ଆସିଯାଏ ହେଲେ ବାପା ଦୁନିଆର ନଜର ଆଢ଼ୁଆଳରେ ରହି ମଧ୍ୟ ମାଆ ଆଉ ସନ୍ତାନ ଉଭୟଙ୍କ ଭାରି ବୋଝକୁ ମୁଣ୍ଡରେ ମୁଣ୍ଡାଇ ପାଣି, ପଥର, କଣ୍ଟା ସବୁକିଛି ଅତିକ୍ରମ କରି ଚାଲିଥାନ୍ତି ଜୀବନ ରାସ୍ତାରେ ଆଗକୁ । କେବେ ତାଙ୍କ କ୍ଷତାକ୍ତ ପାଦର ଯନ୍ତ୍ରଣାକୁ କିଏ ଅନୁଭବ କରିଛ ? ଆଜି ଯେତେବେଳେ ଅଫିସରେ ମାତ୍ର ଅଳ୍ପ ସମୟ ମଧ୍ୟରେ ମଧ୍ୟାନ ଭୋଜନ ସାରିବାକୁ ଉପର କର୍ମଚାରୀଙ୍କ ଠାରୁ ଆଦେଶ ଆସୁଛି ସେତେବେଳେ ପିଲାବେଳ କଥା ଖୁବ ମନେପଡୁଛି । ପିଲାବେଳେ ଯେତେବେଳେ ମାଆ ଆଉ ମୁଁ ଘରେ ଟିଭି ଲଗେଇ ବିଭିନ୍ନ ପ୍ରକାର ଖାଦ୍ୟ ଆରାମରେ ବସି ଖାଉଥିଲୁ ସେତେବେଳେ ବାପା ନିଜ ଅଫିସରେ ମାତ୍ର ସ୍ୱଳ୍ପ ସମୟରେ ନିଜ ଖାଇବା ଶେଷ କରି କାମରେ ଲାଗିପଡୁଥିଲେ । ଆମେ ମାଆ ଆଉ ମୁଁ କାମ ସାରି କିଛି ସମୟ ବିଶ୍ରାମ ନେଉଥିଲୁ ସେତେବେଳେ କିନ୍ତୁ ବାପା ଗୋଟିଏ ଚେୟାର ଉପରେ ବସି ଅଫିସରେ ପୁରା ଦିନ କାଟିଦେଉଥିଲେ । ବାପା ସାରା ଜୀବନ ବିନା ବିଶ୍ରାମରେ କାଟୁଥିଲେ । ମାଆ ସିନା ଘରେ ସନ୍ଧ୍ୟାରେ ବହି, ସିଲଟ ଧରି ପାଠ ପଢାଉଥିଲେ ହେଲେ ବାପା ସେଇ ବହି, ସିଲଟ କିଣିବା ପାଇଁ ଆଉ ସ୍କୁଲ ଦରମା ଦେବା ପାଇଁ ପୁରା ଦିନ ଅନ୍ୟ ପାଖରେ ଗୁଲାମୀ ଖଟୁଥିଲେ ।


 ମାଆ ସିନା ଆମ ଶୋଇବା ପାଇଁ ମଖମଲି ଶେଯ ପକାଇଦେଉଥିଲେ କିନ୍ତୁ ବାପା ଆମକୁ ସୁଖ ନିଦ୍ରା ଦେବାପାଇଁ କେଉଁ ଏକ କୋଣରେ ତଳେ ଶୋଇ ଯାଉଥିଲେ । ମାଆ ସିନା ସ୍ନେହ କରୁଥିଲେ କିନ୍ତୁ ବାପାଙ୍କ ତାଗିଦ ଆଉ ଗାଳି ଫଳରେ ଆଜି ଆମେ ଏତେ ଉପରେ ପହଞ୍ଚି ପାରିଛେ । ମାଆ ସିନା ମାମୁଘରୁ ଆସିଥିବା ସାବିତ୍ରୀ ପୂଜାରେ ନୂଆ ଲୁଗା ପିନ୍ଧିବାର ସୁଯୋଗ ପାଇଥାନ୍ତି କିନ୍ତୁ ବାପା ସବୁ ପୂଜା ତାଙ୍କ ଅଫିସରେ କାଟି ଦିଆନ୍ତି ଅଧିକା ଦରମାର ଆଶାରେ, ମାଆ ଆଉ ଆମ ମାନଙ୍କ ପାଇଁ ନୂଆ କିଛି କିଣିବାର ଅଭିଳାଷାରେ । ମାଆ ସିନା ସ୍କୁଲ ଯିବାକୁ ରେଡି କରାନ୍ତି କିନ୍ତୁ ବାପା ଧୁଉ ଧୁଉ ଖରାରେ ଆମକୁ ମୁଣ୍ଡାଇ ସ୍କୁଲରେ ଛାଡି ଆସନ୍ତି । ଦୁଇ ବେଳା ମାଆ ଖାଇବା ପ୍ରସ୍ତୁତ ପାଇଁ ସକ୍ଷମ ହୁଅନ୍ତି କେବଳ ବାପାଙ୍କ ପାଇଁ କାରଣ ଏଇ ଦୁଇ ବେଳାର ଖାଦ୍ୟ ବ୍ୟବସ୍ତା ପାଇଁ ବାପା ପୁରା ଜୀବନ ନିଜ ରକ୍ତକୁ ପାଣି କରି ପରିଶ୍ରମ କରିଥାନ୍ତି । ଗାଲରେ ଚାପୁଡ଼ା ଟିଏ ବାଜିଲେ ମାଆ ଲୋ ବୋଲି ପାଟିରୁ ବାହାରି ପଡ଼େ ସିନା କିନ୍ତୁ ରାସ୍ତାରେ ବଡ ଟ୍ରକ କି ବସ୍ ଟିଏ ସାମ୍ନାକୁ ଆସିଗଲେ ବାପା ଲୋ ବୋଲି ପାଟିରୁ ବାହାରି ପଡ଼େ । କାହିଁକି ନାଁ ଛୋଟ ଛୋଟ ବିପଦରେ ମାଆ ମନେ ପଡେ ସିନା କିନ୍ତୁ ବଡ ବଡ ବିପଦ ଆସିଲେ କେବଳ ବାପା ହିଁ ମନେ ପଡ଼ନ୍ତି । ବାପା ଏମିତି ଏକ ବରଗଛ ଯାହାର ଶୀତଳ ଛାଇରେ ପୁରା ଦୁନିଆ ଆଶ୍ରୟ ନିଏ । ଅଫିସରେ ପୁରା ଦିନ ଗୋଟିଏ ଚୌକିରେ ବସି କାମ କରିବାର କଷ୍ଟ ମାଆ ନୁହେଁ ବରଂ ବାପା ହିଁ ଭଲ ଭାବରେ ବୁଝିପାରିବେ । ଏତିକିବେଳେ ଫୋନ ବାଜି ଉଠିଲା । ଆରପଟୁ ଶୁଣାଗଲା,"ଅଫିସରୁ ବାହାରିଲୁଣି, ନାଁ ଏଯାଏଁ କାମ ସରିନି ?" ମୁଁ ଉତ୍ତରରେ କହିଲି -ହଁ ବାପା ।


Rate this content
Log in

Similar oriya story from Inspirational