Writer Roja Panda

Abstract Others

5.0  

Writer Roja Panda

Abstract Others

ସ୍ୱୟଂସିଦ୍ଧା

ସ୍ୱୟଂସିଦ୍ଧା

4 mins
378


ଆଜି ମୋ ଆଖିସାମ୍ନାରେ ଦେଖିଲି ଗୋଟେ ବାର ବର୍ଷର ଝିଅଟିଏ ସାମ୍ନାରେ ଥିବା ଚେୟାର ଉପରେ ବସି ରାଗ ତମତମରେ କିଛି କାଗଜପତ୍ର ଚିରି ଖଣ୍ଡଖଣ୍ଡ କରି ତଳେ ପକାଉଛି | ପାଖରେ ତାକୁ ବାରଣ କରିବା ଛଳରେ ଜଣେ ବୟସ୍କ ବ୍ୟକ୍ତି ଉପସ୍ଥିତ ଅଛନ୍ତି | କିଛି କ୍ଷଣ ମଧ୍ୟରେ ଝିଅଟି ପାଖକୁ ଦୌଡ଼ି ଆସିଲେ ତିନି ଜଣ ବ୍ୟକ୍ତି | ସେମାନଙ୍କ ମଧ୍ୟରୁ ଜଣେ ସତୁରି ବର୍ଷର ବୃଦ୍ଧ ଏବଂ ଦୁଇଜଣ ସ୍ତ୍ରୀଲୋକ ଥିଲେ | ଦୁଇଜଣ ସ୍ତ୍ରୀଲୋକଙ୍କ ମଧ୍ୟରେ ମଧ୍ୟ ଜଣେ ଥିଲେ ବୃଦ୍ଧା ଓ ଅନ୍ୟଜଣେ ପାଖାପାଖି ପଇଁଚାଳିଶ ବର୍ଷୀୟା ନାରୀ | ଲାଗୁଥିଲା ସେମାନେ ଝିଅଟିର ଖୁବ ପରିଚିତ | ଝିଅଟିର ପାଖକୁ ଦୌଡ଼ିଯାଇ ସମସ୍ତେ ଏକ ସ୍ୱରରେ କହୁଥିଲେ , "ମା'ରେ ସେ କାଗଜପତ୍ର ଚିରି ନଷ୍ଟ କରନା" | ତାଙ୍କ କଥାବାର୍ତ୍ତାରୁ ଲାଗୁଥିଲା ସତେ ଯେମିତି କିଛିଗୋଟେ ବହୁତ ବଡ ଦରକାରୀ କାଗଜପତ୍ରକୁ ଝିଅଟି ଚିରି ନଷ୍ଟ କରିଦେଉଛି | ଠିକ ସେତିକିବେଳେ ଝିଅଟି ଚିତ୍କାର କଲା ,"ଚାଲିଯାଅ ! ଚାଲିଯାଅ ସମସ୍ତେ ମୋ ପାଖରୁ କେବଳ ମୋ ମାଆଙ୍କୁ ଛାଡି " |  

ବୁଝିଲି ସେମାନଙ୍କ ମଧ୍ୟରୁ ପଇଁଚାଳିଶ ବର୍ଷୀୟା ସ୍ତ୍ରୀଲୋକ ଜଣକ ଥିଲେ ସେ ଝିଅଟିର ମାଆ | ଏବଂ ଅନ୍ୟମାନେ ଥିଲେ ତାର ବାପା ଆଉ ଜେଜେବାପା,ଜେଜେମାଆ | କିନ୍ତୁ ଝିଅଟି ନିଜ ବାପା ଆଉ ଜେଜେବାପା ଓ ଜେଜେମାଆଙ୍କୁ ନିଜ ପାଖରୁ ଚାଲିଯିବାକୁ କାହିଁକି ବାରମ୍ବାର କହିଚାଲିଛି ? 

ହା..ହା... ହା... ମୁଁ ଜଣେ ସାହିତ୍ୟକାର | ସାମ୍ନାରେ ଘଟୁଥିବା ପ୍ରତ୍ୟେକଟି ଘଟଣାରୁ କଥାବସ୍ତୁ ବାହାରକରି ତାକୁ ଲେଖନୀ ମୁନରେ ଜୀବନ୍ତ ରୂପ ଦେଇ ରଚନାତ୍ମକ ରୂପେ ଭାବାବେଶ କରିବା ହିଁ ମୋର ଧର୍ମ | ମୋର ବି ମନ ଆକାଶରେ ଆଗ୍ରହର ସ୍ରୋତ ଖେଳିଗଲା ସାମ୍ନାରେ ଘଟୁଥିବା ଘଟଣାର ଜଡ଼ ପର୍ଯ୍ୟନ୍ତ ଯିବାପାଇଁ | ମୋ ପାଦ ଆଗେଇ ଚାଲିଲା ସେଇ ଝିଅଟିର ଚେୟାର ପାଖକୁ | ମୁଁ ଝିଅଟିର କାନ୍ଧ ଉପରେ ହାତ ଥାପି ତାକୁ ଏକ ଅପଲକ ନୟନରେ ଚାହିଁରହିଲି କିଛି ମୁହୂର୍ତ୍ତ | ମୁଁ ଜଣେ ଝିଅ ହେଇଥିବାରୁ ମୋର ଏପରି ବ୍ୟବହାରରେ ସେଠାରେ ଉପସ୍ଥିତ ଜନମଣ୍ଡଳୀ କିଛି ପ୍ରତିଉତ୍ତର ଦେଲେନାହିଁ ବରଂ ମତେ ପ୍ରୋତ୍ସାହନ ଦେଇଥିଲେ ଝିଅଟିକୁ ବୁଝାଇବା ପାଇଁ | ମୁଁ ମୃଦୁ କଣ୍ଠରେ ଝିଅଟିକୁ ତାର କ୍ରୋଧିତ ଓ କ୍ଷୁବ୍ଧ ହେବାର କାରଣ ପଚାରିଲି | 

ଝିଅଟି ପ୍ରଥମେ ମୋର ପ୍ରଶ୍ନକୁ ଅଣଦେଖା କରିଥିଲା କିନ୍ତୁ ପର ମୁହୁର୍ତ୍ତରେ ମୋର ହାତର ସ୍ନେହଭରା ସ୍ପର୍ଶ ଆଉ କେଇପଦ ମିଠା କଥା ତାକୁ ମୋ ସାମ୍ନାରେ ତାର ମନକଥା ଖୋଲି କହିବାକୁ ବାଧ୍ୟ କରିଥିଲା | ସେ ବ୍ୟାଖ୍ୟା କଲା ତାର ଅନ୍ତରର ଦୁଃଖ | 

ତାର ଦୁଃଖ ହେଉଛି ତା ମାଆର ଅନ୍ଧକାର ଭବିଷ୍ୟତ | ସେ ବାରମ୍ବାର ଅନୁତାପ କରୁଥିଲା | ନିଜକୁ ଦୋଷୀ ମନେ କରୁଥିଲା | ତା ମାଆର ଦୋଷୀ | ଏବଂ ତାର ମନରେ ଅସୁମାରୀ ଘୃଣାର ସାଗର ଗର୍ଜନ କରୁଥିଲା ତା ବାପା , ଜେଜେବାପା ଓ ଜେଜେମାଆଙ୍କ ପ୍ରତି | ସେ ବହୁତ ଘୃଣା କରୁଥିଲା ତା ବାପାଙ୍କୁ ଏବଂ ଜେଜେବାପା ଓ ଜେଜେମାଆଙ୍କୁ | ଏପରିକି ସେମାନଙ୍କର ମୁହଁ ଦେଖିବାପାଇଁ ଝିଅଟି କୁଣ୍ଠାବୋଧ କରୁଥିଲା | 

ପ୍ରତି ମୁହୂର୍ତ୍ତରେ ନିଜ ମାଆକୁ ପ୍ରଶ୍ନ କରୁଥିଲା,"ଯେ କାହିଁକି ? କାହିଁକି ମତେ ଲାଳନପାଳନ କରିବାକୁ ଯାଇ ତୁମେ ନିଜର ସବୁକିଛି ତ୍ୟାଗ କରିଦେଲ ?

ମୁଁ କଣ କେବଳ ତୁମର ଦାୟିତ୍ୱ ଥିଲି ? ବାପା ଆଉ ପୁରା ପରିବାର କ'ଣ କରୁଥିଲେ ସେତେବେଳେ ,ଯେତେବେଳେ ମୋର ଦାୟିତ୍ୱ ନେବାପାଇଁ ତୁମେ ତୁମର ଅତି ପ୍ରିୟ ସ୍ୱପ୍ନ ସବୁ , ନିଜର ସୁନ୍ଦର ଭବିଷ୍ୟତ ଆଉ ଆକାଂକ୍ଷା ସବୁ ନିଜ ମନ ଭିତରେ ଚାପିଦେଇ ମୋ ପାଇଁ ସେସବୁକୁ କେଉଁ ଏକ ଅଳିଆ କୁଢ଼ ଭିତରେ ଲୁଚାଇଦେଇ ମୋର ଭବିଷ୍ୟତକୁ ଗଢ଼ିଚାଲିଲ ? ବାପାଙ୍କର କଣ ମୋ ପ୍ରତି କିଛି ଦାୟିତ୍ୱ ନଥିଲା ? କାଇଁ ମୋପାଇଁ ସେ ନିଜର ଭବିଷ୍ୟତକୁ ପଛରେ ଛାଡ଼ିନାହାନ୍ତି ତ ? ଆଉ ଯିଏ ଆଜି ମତେ ନାତୁଣୀ ,ନାତୁଣୀ କହି ପୁରା ଘରଟା କମ୍ପୋଉଛନ୍ତି ସେମାନେ କଣ କରୁଥିଲେ ସେତେବେଳେ ,ଯେତେବେଳେ ତମେ ମତେ ଖୁଆଇଦେବାପାଇଁ , ମୋର ଯତ୍ନ ନେବାପାଇଁ ନିଜ ଚାକିରୀ ଛାଡିଦେଲ, ବଜାରକୁ ଯିବା ଛାଡିଦେଲ, ନିଜପାଇଁ କିଛି ସମୟ ଦେବାକୁ ଭୁଲିଗଲ ? ଆଜି ବିଦ୍ୟାଳୟରେ ପିଲାମାନେ ମତେ ଜଣେ ଚାକିରୀ କରିନଥିବା ଗୃହୀଣୀର ସନ୍ତାନ ବୋଲି ପରିହାସ କରୁଛନ୍ତି | ଦୁନିଆଁ ବଦଳିବା ସହିତ ତମେ କାହିଁକି ବଦଳିଲନି ମାଆ ?

ପରିବାରର ଚାପରେ ତମେ କାହିଁକି ଶ୍ୱାସରୁଦ୍ଧ ହେଲ ? କାହିଁକି ବାପା ତୁମକୁ ସେତେବେଳେ ସାହାଯ୍ୟ କଲେନି ? ବାପା ନିଜ ପରିବାରର ବୋଝ ତୁମ ମୁଣ୍ଡ ଉପରେ ଲଦିଦେଇ ନିଜେ ନିଜର ଭବିଷ୍ୟତ ଗଢ଼ିଚାଲିଲେ ଆଉ ତୁମେ ରହିଗଲ ସେଇ ପଛରେ ବାପାଙ୍କ ପରିବାରର ଭାରି ବୋଝକୁ ମୁଣ୍ଡାଇ | ବାପାଙ୍କ ପରିବାରକୁ ଛାଡି ତୁମର ବି ଗୋଟେ ଛୋଟ ପରିବାର ଥିଲା ମାଆ | ଯେଉଁଠି ତୁମ ମନକୁ ଠିକ ଭାବରେ ବୁଝିପାରୁଥିବା ତୁମର ବୃଦ୍ଧ ମାଆ,ବାପା ଥିଲେ | କେବେ ତ ସେମାନଙ୍କ ପାଇଁ କିଛି ସମୟ ବାହାର କରିନ ତମେ ? ବାପାଙ୍କ ପରିବାରର ଯତ୍ନ ନେଲା ଭଳି ସେମାନଙ୍କର ଯତ୍ନ ନେବାକୁ କେହିତ ତୁମକୁ କେବେ ପରାମର୍ଶ ଦେଇନାହାନ୍ତି ? କେବଳ ସେଇଥିପାଇଁ ମୁଁ ବାପାଙ୍କ ସମେତ ପୁରା ପରିବାରକୁ ଘୃଣା କରେ | ଜେଜେମାଆ ଯିଏକି ନିଜେ ଜଣେ ନାରୀ ହେଇ ମଧ୍ୟ ତୁମକୁ ବୁଝିପାରିନଥିଲେ | ତୁମର ପ୍ରତ୍ୟେକଟି କାର୍ଯ୍ୟକୁ ପରିହାସ କରୁଥିଲେ | ସେ ତୁମପରି ଅଧିକ ପାଠ ପଢିନଥିଲେ ବୋଲି ତୁମର ଶିକ୍ଷାଗତ ଯୋଗ୍ୟତା ଉପରେ ଡୋରି ବାନ୍ଧି କେଉଁ ଏକ ଖତଗଦାରେ ଫିଙ୍ଗିଦେଲେ | ଆଉ ନିଜପରି ଜୀବନ ବିତାଇବାକୁ ବାଧ୍ୟ କଲେ | ତେବେ ତୁମେ କାହିଁକି ଏତେ ଯତ୍ନ ନେଉଛ ଆଜି ସେମାନଙ୍କର ? ସେମାନେ ସମସ୍ତେ ଚାହିଁଥିଲେ ନିଜର ବହୁମୂଲ୍ୟ ସମୟରୁ କିଛି କିଛି ସମୟ ବାହାରକରି ତୁମକୁ ତୁମ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସାହାଯ୍ୟ କରିପାରିଥାନ୍ତେ | ତୁମର ସବୁ ସମୟ ମୋପାଇଁ ସରିନଥାନ୍ତା | ଆଜି ମୁଁ ବଡ ହେଲିଣି | ବିନା କାହାର ସାହାଯ୍ୟରେ ନିଜର ଯତ୍ନ ନେବା ଶିଖିଗଲିଣି କିନ୍ତୁ ତୁମର ସେଇ ଅଧୁରା ଥିବା ସ୍ଵପ୍ନ ସବୁ ମୁଁ ଗୋଟାଇ ସାଉଁଟି ଆଣି ତୁମ ଆଖିରେ ସଜାଇପାରୁନି ମାଆ | ହୁଏତ ବହୁତ ଡେରି ହେଇଗଲା ମତେ ଏସବୁ ବୁଝିବାପାଇଁ" |

ମୁଁ ଲେଖିକା ହେଲେବି ଜଣେ ଭଲ ସ୍ରୋତା | ଖୁବ ଧ୍ୟାନର ସହିତ ଶୁଣୁଥିଲି ଝିଅଟିର ତା ମାଆ ପ୍ରତି ଥିବା ଅସୁମାରୀ ପ୍ରଶ୍ନ ସବୁ | ଝିଅଟିର ପ୍ରଶ୍ନ ଶେଷ ହେଇଯାଇଥିଲା ସତ କିନ୍ତୁ ମୁଁ ହଜିଯାଇଥିଲି କେଉଁ ଏକ ନିର୍ଜନ,କୋଳାହଳ ବିହୀନ ନୀରବତାର ଶୂନ୍ୟ ଆକାଶରେ | ସେଠାରୁ ଫେରିବାକୁ ମତେ କିଛି ସମୟ ଲାଗିଥିଲା | ଝିଅଟିର ଚିତ୍କାରରେ ମୁଁ ଫେରିଥିଲି ପୁଣି ବାସ୍ତବତାକୁ | 

ମୁଁ ଛୋଟିଆ ଝିଅଟିର ପ୍ରଶ୍ନରେ ନିରୁତ୍ତର ଥିଲି | ଭାବୁଥିଲି ସତରେ ଯୁଗ ବହୁତ ଆଗକୁ ଗଲାଣି | ନଚେତ ଏଡିକି ଟିକିଏ ଛୋଟିଆ ଝିଅ ମନରେ ଏପରି ଭାବନା ନିଶ୍ଚିନ୍ତ ଭାବରେ ଆଶ୍ଚର୍ଯ୍ୟଜନକ | 

ଆଜିକାଲିର ପିଲାମାନେ ସତରେ ବାସ୍ତବତାର ବହୁତ ଆଗରେ | ସେମାନଙ୍କ ମନଭିତରେ ଆମମାନଙ୍କର ପରମ୍ପରା ଓ ଚଳଣି ବହୁତ ମାତ୍ରାରେ ପ୍ରଭାବ ପକାଉଛି | ସେମାନେ ଆମର ଭବିଷ୍ୟତ | ସେମାନେ ଅବଶ୍ୟ କିଛି ଭୁଲ କହୁନାହାନ୍ତି | ଆମେ ଆମର ଚଳଣି ଓ ପରମ୍ପରାର ଦ୍ୱାହି ଦେଇ ନାରୀମାନଙ୍କ ପ୍ରତି ଅବିଚାର କରୁନାହୁଁ ତ ? ପରିବାରର ବୋଝ ମୁଣ୍ଡାଇବା କଣ କେବଳ ଜଣେ ନାରୀର ଦାୟିତ୍ୱ ? ପୁରୁଷ ଏବଂ ନାରୀ ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ୍ୟ | ତେବେ ଦୁହେଁ ମିଶି ଦୁହିଁଙ୍କ ପରିବାରର ଯତ୍ନ ନେବା ସହିତ ଉଭୟଙ୍କର ସ୍ୱପ୍ନ ପୂରଣ କରିବାରେ ଚେଷ୍ଟାରତ ରହିଲେ ହୁଏତ ଆଗାମୀ ପିଢ଼ିମାନଙ୍କ ଉପରେ ଏଭଳି କୁପ୍ରଭାବ ପଡ଼ିବନାହିଁ | ନଚେତ ଆଗାମୀ ପିଢ଼ିର ପିଲାମାନେ ଠିକ ଏଇ ଛୋଟ ଝିଅଟି ପରି ନିଜ ବାପା ଆଉ ନିଜ ପରିବାରକୁ ଘୃଣା କରିବେ |   


Rate this content
Log in

Similar oriya story from Abstract