BANANIBALA NAIK

Others

4  

BANANIBALA NAIK

Others

ଭୁଲ୍ ର ବୁଝାମଣା

ଭୁଲ୍ ର ବୁଝାମଣା

6 mins
312



   " ଦିଦି, ମୋ ଝିଅ ପରୀର ଟି.ସି ଟା ନେଇଥାନ୍ତି । ଘରେ ଭାରି ଅସୁବିଧା ହେଇଗଲା ଦିଦି ।"

   ମୁଁ କହିଲି" ଭାଇ କଣ ଅସୁବିଧା ହେଲା କି ? ଏମିତି ଅସମୟରେ ଟି.ସି ମାଗୁଛ କଣ ପାଇଁ ? ଝିଅଟା ନିୟମିତ ସ୍କୁଲକୁ ଆସୁଛି । ପାଠ ବି ଭଲ ଧରୁଛି । ଆଠ ଦଶ ଦିନ ହେଲା ସେ ସ୍କୁଲ୍ ଆସୁନି ତ.... । ମାମୁଁ ଘର ଯାଇଛି ନା କଣ ? " ପ୍ରଥମ ଶ୍ରେଣୀରେ ଏ ବର୍ଷ ନା ଲେଖାଇଥିବା ଲାଜକୁରି ହସକୁରି ଝିଅ ,ପରୀ । ତା ବଡ ଭଉଣୀ ରାଣୀ ତୃତୀୟ ଶ୍ରେଣୀରେ ପଢେ । ରାଣୀ ଓ ପରୀ ତଳକୁ ପୁଅଟିଏ । ତିନି ବର୍ଷ ପାଖାପାଖି ହବ । ଅଙ୍ଗନୱାଡିରେ ପଢେ ।

    ପରୀର ବାପା ଗୁରୁବାରୁ କହିଲା, "ହଁ ଦିଦି , ତା ମା ସାଙ୍ଗରେ ମାମୁଁ ଘରକୁ ଯାଇଛି । ସେଇଠି ପଢ଼ିବ । ଟି.ସି ଟା ଟିକେ ଦିଅନ୍ତୁ ।"

   ମୁଁ କହିଲି ,"ଆଜିକାଲି ଆଉ ଆଗପରି ନାହିଁ । ଯିଏ ଯେତେ ବେଳେ ଇଚ୍ଛା ଟି.ସି ନେଇ ପାରିବ । ଯିଏ ଯେତେ ବେଳେ ଚାହିଁଲେ ନା ଲେଖାଇ ପାରିବ । ଏଇ ସେପ୍ଟେମ୍ବର ମାସରେ ଆମେ ଟି.ସି ଦେଇ ପାରିବୁ ନାହିଁ । ଏମିତି କଣ ଅସୁବିଧା ହେଲା ଯେ ତମେ ତାକୁ ମାମୁଁ ଘରେ ରଖି ପାଠ ପଢେଇବ ? ଏଠି ତାର ବହି ଆସିଛି, ଡ୍ରେସ ଆସିଛି, ଜୋତା ମୋଜା ଆସିଛି । ତା ଛଡା ଆଜି କାଲି ସବୁ online ବ୍ୟବସ୍ଥା । ପରେ ଆମକୁ ବହୁତ ହଇରାଣ ହେବାକୁ ପଡ଼ିବ । ଆସନ୍ତା ବର୍ଷ ଏପ୍ରିଲ ମାସରେ ଟି.ସି ନେଲେ ଭଲ ହୁଅନ୍ତା । "

ଗୁରୁବାରୁ ଏକା ଜିଦ୍ ଧରି ଥାଏ ଟି.ସି ନେବା ପାଇଁ ।

    ମୁଁ ହସି କି କହିଲି" ତମେ ବାପା ମା ଏଠି ଥିବ , ଆଉ ପିଲାକୁ କଣ ପାଇଁ ମାମୁଁ ଘରେ ଛାଡିବ ?"

" ତା ମା ବି ସେଠି ଅଛି ଦିଦି । ଆଠ ଦଶ ଦିନ ହେଲାଣି ଏକୁଟିଆ ପଳେଇଲା । ତିନି ତିନିଟା ଛୁଆଙ୍କୁ ମୁଁ ସମ୍ଭାଳିବି କେମିତି ? ତେଣୁ ପରୀକୁ ନେଇ କି ସେଠି ଛାଡ଼ି ଦେଇଛି । ତା ମା ସାଙ୍ଗରେ ରହିବ । ଟି.ସି ନେଲେ ସେଠି ତାର ଆଡ଼ମିଶନ କରେଇ ଦେବି " ।

    ମୋତେ ଗୁରୁବାରୁ କଥା ଗୁଡା କିଛି ଅବାଗିଆ ଲାଗିଲା । ମୁଁ କହିଲି କଣ ସ୍ଵାମୀ ସ୍ତ୍ରୀ ଦି ଜଣଙ୍କ ଭିତରେ ଗଣ୍ଡ ଗୋଳ ହେଇଛି କି ?? ସଫା କଥା କହୁନ ! ସ୍ତ୍ରୀ ଆଉ ଗୋଟିଏ ପିଲା ସେଠି ରହିବେ,ଆଉ ତମେ ଦୁଇଟା ଛୁଆଙ୍କୁ ଧରି ଘରେ ରହିବ । କଣ ହେଇଛି କି ?""

  ଏଥର ଗୁରୁବାରୁ ସତ ସତ କହିଲା । "ହଁ ଦିଦି, କହିବାକୁ ଲାଜ ଲାଗୁଛି । ମାଇକିନିଆଟା ପର ପୁରୁଷ ସହିତ ମିଳାମିଶା କରୁଛି । ମୁଁ ଆଉ ସହି ପାରୁନି । ସେଇ କଥାକୁ ନେଇ ସ୍ୱାମୀ ସ୍ତ୍ରୀ ଭିତରେ ଗଣ୍ଡଗୋଳ । "

   ମୁଁ କହିଲି ",ଓଃ, ତାହେଲେ ତୁମେ ତାକୁ ଅବିଶ୍ବାସ କରି ଘରୁ ତଡ଼ି ଦେଇଛ । ତମେ ନିଜେ ତାର କିଛି ଖରାପ କାମ ଦେଖିଛ କି ?? ନା ପର ଶୁଣା କଥାରେ ସ୍ତ୍ରୀକୁ ଘରୁ ବାହାର କରି ଦେଲ ? ତା ହେଲେ ପିଟା ପିଟି କରିଥିବ ନିଶ୍ଚୟ । "

   ମୋର ଅନ୍ୟ ପରିବାରର ଝଗଡ଼ା ଭିତରେ ମୁଣ୍ଡ ଖେଳାଇବା ଅବଶ୍ୟ ନୀତି ବିରୁଦ୍ଧ । କିନ୍ତୁ ସେ ବାରମ୍ବାର ଟି.ସି ମାଗିବାରୁ ମୋତେ ଘଟଣା ଜାଣିବାର ପ୍ରବଳ ଇଚ୍ଛା ଜାଗ୍ରତ ହେଲା । ସେ ସବୁ କଥା ଖୋଲି ନ କହିଲେ ମଧ୍ୟ ମୁଁ ତା କଥାରୁ ଠଉରାଇ ନେଲି ,କଥାଟା ବିଷମ ବୋଲି ।

   ଏଥର ସେ ଉତ୍ୟକ୍ତ ପ୍ରାୟ ହୋଇ "ପିଟିବିନି , ଏମିତି ଭୁଲ୍ କାମ କଲେ ପିଟିବିନି,ଆଉ କଣ ଗେଲ କରିବି ତାକୁ ?? ଏମିତି ପିଟିଛି,ଏମିତି ପିଟିଛି ତାକୁ ଜୀବନରେ ଆଉ ମୋ ଘରକୁ ଆସିବନି । ରାସ୍ତାରେ ଘୋଷାରି ଘୋଷାରି ପିଟିଛି । ପିଟି ପିଟି ଲହୁ ଲୁହାଣ କରି ଦେଇଛି । ମୋ ସ୍ତ୍ରୀ ହୋଇ ସେ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିବ ?? ଦିଦି, ମୁଁ ତ ଟି.ସି ମାଗିଲି ।ଆପଣ ଟି.ସି ନ ଦେଇ ଏତେ ଭିତରକୁ କାହିଁକି ଯାଉଛନ୍ତି । ପିଟି ପିଟି ଜୀବନରେ ମାରିଦେଇ ଥାନ୍ତି ତାକୁ । ଅନ୍ୟ ଲୋକ ଆସି ବଞ୍ଚେଇ ଦେଲେ ବୋଲି ବଞ୍ଚି ଗଲା । " ଏଥର ସେ ଆହୁରି ରାଗି ଯାଇଥିଲା । ପରିସ୍ଥିତି ଦେଖି ମୁଁ ତାକୁ ଆଉ ସେ ବିଷୟରେ କିଛି ନ କହି ଚୁପ୍ ରହିଲି । ସେ ମନକୁ ମନ ଗୁଡ଼ାଏ ଗାଳି ବକିଗଲା ତା ସ୍ତ୍ରୀକୁ । ଟିକିଏ ଶାନ୍ତ ହେବା ପରେ ମୁଁ କହିଲି " ହଉ ,ନେବ ତ ଟି.ସି କାଲିକି ଆସିଲେ ଭଲ ହେଇଥାନ୍ତା । ଆଜି ଅନେକ ଗୁଡ଼ିଏ କାମ ଅଛି । ପୁଣି ବାରଟା ବେଳେ ବ୍ଲକରେ ମିଟିଂ ଅଛି BEO ଡାକିଛନ୍ତି । କାଲି ଆସିବ । " 

 " ଠିକ୍ ଅଛି ଦିଦି କାଲି ଯେମିତି ହେଲେ ଟି.ସି ଦେବେ ।" ଛୋଟ ଦୁଇ ବର୍ଷର ପୁଅକୁ କାଖେଇ ପଳେଇଲା । 

  ପରଦିନ ପୁଣି ପ୍ରାର୍ଥନା ସରୁ ସରୁ ଆସି ପହଂଚିଲା ଗୁରୁବାରୁ । କ୍ଷୀର ଖିଆ ଦୁଇ ବର୍ଷର ପୁଅକୁ କାଖେଇ କରି । ନାକରୁ ସିଂହାଣୀ ବହି ଶୁଖି ଯାଇଥାଏ ନାକ ତଳେ । ଅଲରା ଦେଖା ଯାଉଥାଏ । ଛିଣ୍ଡା ମଇଳା ପ୍ୟାଣ୍ଟ୍ ଖଣ୍ଡେ ପିନ୍ଧିଥଲା ଛୁଆଟି । 

ମୁଁ ତାକୁ କହିଲି ," ଆଜି ତମେ ତମ ପିଲାଙ୍କୁ କଣ ଖାଇବାକୁ ଦେଲ ? ସେ କହିଲା "କଣ ଖାଇବାକୁ ଦେବି ଦିଦି ,ଗରିବ ଲୋକ ନାଲି ଚା ଆଉ ମୁଢ଼ି ଟିକେ । " ଗାଧୁଆ ପାଧୁଆ ନ କରି ବଡ ଝିଅଟି ସ୍କୁଲ୍ ଆସିଥାଏ । ମୁଣ୍ଡରେ ତିନି ଦିନରୁ ପାନିଆ ବାଜିନି । ମୁହଁ ଶୁଖିଲା ଦିଶୁଥାଏ । ସତେ ଯେମିତି ସେ କିଛି ଅଭାବ ଅନୁଭବ କରୁଥିଲା । ଦୁଇ ବର୍ଷର ପୁଅର ଅବସ୍ଥା ବି ତଦୃପ ।" ଆଜି ରାଣୀ ତ ଗାଧୁଆ ପାଧୁଆ କରିନି ବୋଧେ । " "ହଁ ଦିଦି , କାଲି ରାତି ଠୁ ତାକୁ ଥଣ୍ଡା ଜର । ଖୁଁ ଖୁଁ କାଶୁଛି । 

ପୁଅକୁ ବି ଜର । ରାତି ସାରା ଏଇ ଦୁଇ ପିଲାଙ୍କ ପାଇଁ ଶୋଇ ପାରିନି । ଅଙ୍ଗନୱାଡି ଦିଦିଙ୍କ ପାଖରୁ କିଛି ଔଷଧ ଆଣି ଦେଇଛି ତ......। ""

    ମୁଁ ଗୁରୁବାରୁକୁ କହିଲି ," ତୁମକୁ ଲାଗୁନାହିଁ କି ତୁମେ ପିଲା ମାନଙ୍କ ଠାରୁ ମାର ମମତା ଛଡେଇ ନେଇଛ ? ମା ଠାରୁ ତା କ୍ଷୀର ଖିଆ ପିଲାକୁ ଛଡେଇ ନେଇଛ । ମା ଛେଉଣ୍ଡ ପିଲାଙ୍କ ପରି ପିଲାଙ୍କୁ ତୁମେ ରଖିଛ । ତା ମା ଥିଲେ ସେ ପିଲାଙ୍କ ଯେତିକି ଯତ୍ନ ନେଇ ପାରିଥାନ୍ତା । ତୁମେ କଣ ବାପାର କର୍ତ୍ତବ୍ୟ ସହିତ ମାର ମମତା ତାଙ୍କୁ ଦେଇ ପାରିବ କି ? ସେ ପୁଣି ଦୁଇ ଚାରିଦିନର କଥା ନୁହେଁ । ତୁମେ ତାକୁ ଛାଡ ପତ୍ର ଦେବା ପାଇଁ ଭାବୁଛ । ସବୁ ଦିନ ପାଇଁ ତୁମେ ପିଲାଙ୍କୁ ମା ଛେଉଣ୍ଡ କରି ରଖିବ । ମା ବଞ୍ଚି ଥାଉ ଥାଉ ପିଲା ମାନେ କେତେ ହିନିସ୍ତା ହେଉଛନ୍ତି । " 

   ନିର୍ଭୀକ ଭାବରେ ଗୁରୁ କହିଲା " ତାକୁ ଛାଡ଼ପତ୍ର ଦେଇ ଅଲଗା ବାହା ହେବି ପଛେ ତାକୁ ଘରେ ପଶେଇ ଦେବିନି ।"

 " ତମେ ଆଉ ଗୋଟିଏ ବାହା ହେଲେ ତମ ସ୍ତ୍ରୀ ବି ଆଉ ଗୋଟିଏ କାହିଁକି ବାହା ନ ହବ ? "

 "ହଉ ,ଗୋଟିଏ ଛାଡ଼ି ପାଞ୍ଚଟା ବାହା ହଉ । ମୋର ଯାଏ ଆସେ କେତେ ? ମୋତେ ଟି.ସି ଟା ଦେଲ ଦିଦି । ଚୂଲିରେ ଭାତ ବସେଇ ଦେଇ ଆସିଛି ।" 

 " ଦେଖ ଗୁରୁ, ଏ ସବୁ ଭଲ କଥା ନୁହେଁ । ତିନିଟା ପିଲାଙ୍କୁ ପାଠ ଶାଠ ପଢ଼ାଇ ମଣିଷ କରିବା ଏତେ ସହଜ କଥା ନୁହେଁ । ରାଗରେ ବୁଦ୍ଧି ବିବେକ କାମ ଦିଏନି । ପିଲାଙ୍କ ଭବିଷ୍ୟତ କଥା ଟିକିଏ ଚିନ୍ତା କର । ତମେ ପୁରୁଷ ଲୋକ । ବାହାର କାମ କରିବ ନା ଘରେ ଥାଇ ଦୁଇ ଦୁଇଟା ପିଲାଙ୍କ ଦାୟିତ୍ଵ ସମ୍ଭାଳିବ । ମା ଥାଉ ଥାଉ ତାଙ୍କ ଠୁ ତାଙ୍କର ମମତାର ଅଧିକାର ଛଡେଇ ନେଉଛ । ଜୀବନର ରାସ୍ତା ଏତେ ଛୋଟ ନୁହେଁ । ପିଲାଙ୍କୁ ଭଲ ମଣିଷ କରିବା, ଭଲ ବର ପାତ୍ରଟିଏ ଖୋଜି ହାତକୁ ଦି ହାତ କରିବା ଏତେ ସହଜ ନୁହେଁ । ଝିଅ ବଡ ହେଲା ପରେ ସେ ମାକୁ ମନ କଥା ଯେତିକି କହି ପାରିବ ବାପାକୁ ସେ ସବୁ କଥା କହି ପାରିବ ନାହିଁ । ତମେ ପୁଣି ସାବତ ମା ଆଣିବା ପାଇଁ ଚିନ୍ତା କରୁଛ । ତମର ସାବତ ମା ଅଛି ପରା, ତମ ଠୁ ଅଧିକ କିଏ ବୁଝି ପାରିବ ସାବତ ମା ଓ ଅସଲି ମା ଭିତରେ ତଫାତ କଣ ? ପର କଥାରେ କାନ ଦେଇ ନିଜ ସଂସାରକୁ ଜାଳି ଦେଉଛ କାହିଁକି ?? ଅନ୍ୟ ଲୋକ ପର ଘର ଭାଙ୍ଗି ଖୁସି ହୁଅନ୍ତି । ତେଣୁ ତୁମେ ନିଜର ବିବେକର ଆଶ୍ରୟ ନିଅ । ଝଗଡ଼ା ତ ସମସ୍ତଙ୍କ ଘରେ ଲାଗେ । ସ୍ଵାମୀ ସ୍ତ୍ରୀ ଭିତରେ ମନୋମାଳିନ୍ୟ ହେବା ସ୍ବାଭାବିକ କଥା । କିନ୍ତୁ ସ୍ଵାମୀ ସ୍ତ୍ରୀ ଝଗଡ଼ା ଲାଗି ପିଲାଙ୍କ ଭବିଷ୍ୟତ ଓ ଖୁସିକୁ ବଳି ଦେଉଛ କଣ ପାଇଁ ? ପରସ୍ପର ବୁଝାମଣା ଠିକ୍ ଥିଲେ ସଂସାର ଗାଡି ଠିକ୍ ଭାବେ ଗଡି ଯାଏ । ବିଶ୍ୱାସ ହେଉଛି ସବୁ ଠାରୁ ମୁଖ୍ୟ କଥା । ବିଶ୍ଵାସର ମୂଳଦୁଆ ଦୁର୍ବଳ ହେଲେ ସଂସାର ଛାର ଖାର ହୋଇ ଯାଏ । ତେଣୁ ମୋ କଥା ମାନ କି ନ ମାନ, ପିଲାଙ୍କ ଶୁଖିଲା ନିସ୍ତେଜ ମୁହଁକୁ ଦେଖି ଠିକ୍ ନିର୍ଣ୍ଣୟ ନିଅ । ତୁମ ଝଗଡ଼ାଝାଟି କଥା ତୁଣ୍ଡରୁ ତୁଣ୍ଡକୁ ବ୍ୟାପୀ ସମସ୍ତେ ଜାଣିଲେଣି । ମୁଁ ମଧ୍ୟ ବାହାରୁ ଶୁଣିଛି ତମେ ତମ ସ୍ତ୍ରୀକୁ ରାସ୍ତାରେ ଘୋଷାରି ଘୋଷାରି ପିଟିଲ ବୋଲି । ଗୋଟିଏ କଥା ପଚାରିବି ଗୁରୁ?"

   ଅଗତ୍ୟା ଗୁରୁବାରୁ ଟିକିଏ ମତି ପରିବର୍ତ୍ତନ ହେଲା ପରି ମୋତେ ଅନୁଭବ ହେଲା ।ସେ କହିଲା "କୁହନ୍ତୁ ଦିଦି ।"

 ତମ ଝିଅକୁ ଯଦି କେହି ଏମିତି ରାସ୍ତାରେ ଘୋଷାରି ଘୋଷାରି ପିଟିଥାନ୍ତା,ତୁମେ ସହି ପାରିଥାନ୍ତ ?? "

 ଗୁରୁର କ୍ରୋଧ ଟିକିଏ ଶାନ୍ତ ହେଲା ପରି ଲାଗୁଥାଏ ।

"ସେ ବି ତ ଜଣକର ଝିଅ । ତା ବାପା ମାଙ୍କୁ କେତେ ବାଧୁଥିବ କହିଲ ? ସୁଖରେ ଘର ସଂସାର କରିବ ବୋଲି ତୁମକୁ ଯୋଗ୍ୟ ଭାବି ତମ ହାତରେ ତାଙ୍କ ଅଲିଅଳି ଝିଅକୁ ଟେକି ଦେଇଥିଲେ । ଏବେ ସେମାନେ ନିଶ୍ଚୟ ମନସ୍ତାପ କରୁଥିବେ , ଗୋଟିଏ ଅଯୋଗ୍ୟ ମଣିଷ ସହିତ ଝିଅକୁ ବାହା ବହୁତ ବଡ ଭୁଲ୍ କରିଛୁ ବୋଲି । ଆଜି ତାଙ୍କ ଝିଅକୁ ବାଡେଇଲ, କାଲି ପୁଣି ଆଉ ଗୋଟିଏ ବାହା ହୋଇ ତା ସହିତ କିପରି ବ୍ୟବହାର କରିବ କିଏ ଜାଣେ ?"

 ମୁଁ ପୁଣି କହିଲି , "ଯାହା ହେବାର ତ ହେଇଗଲା । ଏଥର ଯାଇକି ଭୁଲ୍ ମାଗି ନିଅ ଆଉ ତାକୁ ଘରକୁ ନେଇ ଆସ । ତୁମ ପରିବାର ପୁଣି ହସି ଉଠିବ । ପିଲାଙ୍କ ଭବିଷ୍ୟତ ସୁଧାରି ଯିବ । ମଣିଷ ମାତ୍ରକେ ଭୁଲ ତ ହୁଏ । ସମୟ ଥାଉ ଥାଉ ଭୁଲ୍ ସୁଧାରି ନେଲେ ଲୋକ ହସା ହେବା ଠାରୁ ବଞ୍ଚିଯିବ ।"

   ଏଥର ଔଷଧ କାଟୁ କଲା ପରି ଲାଗୁ ଥାଏ । ଗୁରୁ ବସିବା ଜାଗାରୁ ଉଠି ମୋର ଗୋଡ ଧରିବାକୁ ଚେଷ୍ଟା କରୁଥାଏ । ଦୁଇ ବର୍ଷ ର କଅଁଳା ପିଲା ଟି ଭେଁ କରି କାନ୍ଦି ଉଠିଲା । ସତେ ଯେପରି ସବୁ ବୁଝି ଗଲା । 

   ତା ପରଦିନ "ପରୀ "ସ୍କୁଲ୍ ରେ ପ୍ରାର୍ଥନା ସଭାରେ ଧାଡ଼ିରେ ଠିଆ ହୋଇ ପ୍ରାର୍ଥନା କରୁଥିଲା । ପରୀକୁ ଦେଖି ସବୁ କଥା ବୁଝିଗଲି ।

   


Rate this content
Log in