ଛୁଟିର ପ୍ଲସ ମାଇନସ
ଛୁଟିର ପ୍ଲସ ମାଇନସ
ସାଣ୍ଟା ଅଙ୍କଲ ବେଶରେ ସେ ଆସିଲେ, ତନୟାର ପୁଅକୁ ଢେର ସାରା ଆଶୀର୍ବାଦ କରିଗଲେ. ଗଲାବେଳେ ଚକୋଲେଟ ମଧ୍ୟ ଦେଇଗଲେ କିନ୍ତୁ ଯିବା ପୂର୍ବରୁ ପଦେ କହିଗଲେ ସାଣ୍ଟା ଅଙ୍କଲ ବେଶରେ ତନୟାଙ୍କୁ ଯେ ମୁଁ ପ୍ରଦୀପ ନାନୀ. କ୍ଷମା କରିଦେବ ତୁମକୁ ଆଶୀର୍ବାଦ କରିଥିବାରୁ. କହୁ କହୁ ପ୍ରଦୀପ ସିନା ଫେରିଗଲା କିନ୍ତୁ ନାନୀ ଡାକରେ ସ୍ତବ୍ଧ ଚକିତ ରୋମାଞ୍ଚିତ ହୋଇଗଲେ ତନୟା. ପ୍ରଭୁଙ୍କ କୃପାରୁ ସାଣ୍ଟା ରୂପେ ତାଙ୍କୁ ନାନୀ ସମ୍ବୋଧନ କରି ଫେରିଯାଇଥିବା ଏ ପ୍ରଦୀପ କିଏ? ଯାହା ପାଇଁ ପ୍ରତିବର୍ଷ ସେ ସତ୍ୟସାଇବାବାଙ୍କ ପ୍ରଶାନ୍ତି ନିଳୟମ ଯାଆନ୍ତି. ସ୍ୱାମୀ ଯେତେ ବିରକ୍ତ ହେଲେ ମଧ୍ୟ ସେ କୁହନ୍ତି ସେଇଠି ପ୍ରଦୀପକୁ ଖୋଜି ପାଏ ମୁଁ. ଗତ ଦୁଇ ତିନିବର୍ଷ ହେଲାଣି ପୁଅ ଜନ୍ମ ପରେ ସେ ଆଉ ଯାଇପାରିନାହାଁନ୍ତି ପୁଟ୍ଟାପାର୍ଥୀ. ସେଇଥି ପାଇଁ କଣ ବାବା ସତ୍ୟସାଇ ତାଙ୍କ ପାଖକୁ ପ୍ରଦୀପକୁ ସାଣ୍ଟା ଅଙ୍କଲ ରୂପେ ପଠାଇ ଦେଇଛନ୍ତି? ପୁଣି ତାଙ୍କ ଜୀବନଧନକୁ ଆଶୀର୍ବାଦ କରି ଫେରିଗଲା ପ୍ରଦୀପ ତାଙ୍କୁ ନାନୀ ଡାକି ସେ ତାକୁ ଅଟକେଇ ପାରିଲେନି କାହିଁକି! ସ୍ୱାମୀ ତାତ୍ସଲ୍ୟ କରି କହୁଥିଲେ ଜୀବନ୍ତ ଲୋକକୁ ସିନା ଅଟକେଇ ହୁଏ ମୃତ ଲୋକକୁ କେମିତି ଅଟକେଇ ପାରିଥାନ୍ତ? ଏକଥା ଶୁଣି କାନ୍ଦିପକେଇଲେ ତନୟା. ସତେତ ପ୍ରଦୀପ ଯେ ମୃତ ଏକଥା ସେ ଭୁଲିବେ କେମିତି!ସେଦିନ ମଲରେ ଯିଏ ପାଖେଇ ଆସି ନାନୀ ସମ୍ବୋଧନ କରି ପୁଅ ବାବାକୁ ବହେ ଗେଲ କରିପକାଇଲା ସେ ନିଜ ପରିଚୟ ଦେଲା ମୁଁ ପ୍ରଦୀପ ନାନୀ. ସେଦିନ ସେଇ ସାଣ୍ଟା ଅଙ୍କଲ ବେଶରେ ଯାଇନଥିଲି! ମୁଗ୍ଧ ହୋଇଗଲେ ତନୟା. ପ୍ରଦୀପ ପ୍ରଦୀପ କହି କେତେ କଣ କିଣି ଖୁଆଇଲେ, ସ୍ୱାମୀଙ୍କ ସହ ପରିଚୟ କରାଇଲେ ଓ ବାଛି ବାଛି ପ୍ରଦୀପ ପାଇଁ ନୂଆ ଡ୍ରେସ କିଣିଦେଲା ବେଳେ ଭୁଲିଗଲେ ସ୍ୱାମୀଙ୍କ ବିକୃତ ଆମ୍ବିଳଖିଆ ମୁହଁ. ଘରେ ଯେବେ ସ୍ୱାମୀ ବିରକ୍ତ ହେଉଥିଲେ ଜଣେ ଅପରିଚିତ ବ୍ୟକ୍ତି ପାଇଁ ଏତେ ପଇସା ଉଡେଇବା କଣ ଦରକାର ଥିଲା କହି କାନ୍ଦୁଥିଲେ ତନୟା ଖୁବ. କାହିଁକି କେଜାଣି ପ୍ରଦୀପର ସେହି ନାନୀ ଡାକ ଓ ଟିକି ପୁଅ ଓଠରେ ଅଙ୍କଲ ଡାକରେ ସେ ବିମୋହତ ହୋଇ ଭୁଲିଯାଇଥିଲେ ଇଏ ସେ ପ୍ରଦୀପ ନୁହେଁ ବରଂ ଆଉକେହି.
ପ୍ରଦୀପକୁ ଆଉକେହି ବୋଲି ଭାବି ପାରୁନଥିଲେ ତନୟା. ନିଜ ହାତରେ ସାନଭାଇ ପ୍ରଦୀପର ଶୀଥିଳ ଦେହଟାକୁ ନିଜ ହାତରେ କଫିନରେ ଭରି କବର ଦେବା ପରେ ମୁଠା ମୁଠା ମାଟି ପକେଇ ଚାଲିଥିଲେ. ସେବର୍ଷ ଖରାଛୁଟିରେ ପ୍ରବଳ ଗରମ ସତ୍ୱେ ସତ୍ୟସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ପଢ଼ୁଥିବା ସାନାଭାଇ ପ୍ରଦୀପ ଆସିଥାଏ ଘରକୁ ଛୁଟିରେ. ନାନୀ ପଛେ ପଛେ ଗୋଡ଼ାଇ ଗୋଡ଼ାଇ ପଚାରୁଥାଏ ତୋ ବର ଦେଖିବାକୁ କେମିତି ନାନୀ? ତୋ ବାହାଘରକୁ ମୁଁ ବର ପାଖରେ ଚର୍ଚ୍ଚ ଭିତରେ ଠିଆ ହେଲେ ମୁଁ ବେଶୀ ସୁନ୍ଦର ଦିଶିବି ନା ତୋ ବର ନାନୀ? ଚୁପି ଚୁପି ହସୁ ହସୁ ତନୟା ବାପାଙ୍କ ମୁହଁକୁ ଚାହିଁଲା ବେଳେ ବାପା କହୁଥିଲେ ନାନୀ ବାହାଘରକୁ ତୋର ତ ଛୁଟି ସରିଯାଇଥିବ ତୁ ବରଂ ଏବେ ଯାଇ ନାନୀ ବର ଓ ତାଙ୍କ ଘର ଦେଖିଆ ପ୍ରଦୀପ. ଏହି କଥା ଶୁଣି ପ୍ରଦୀପ ନାଚି ଯାଇଥିଲା ସେଦିନ. ଟିକେ ପରେ କୂଅରୁ ପାଣି ଶୁଖିଯାଉଥିବାରୁ ଉପର ଘରକୁ ପାଣିଉଠୁନଥିବାରୁ ମିସ୍ତ୍ରୀମାନଙ୍କ ସଙ୍ଗେ ରହି ତଳୁ ବାପା ଡାକ ପକେଇଲେ ପ୍ରଦୀପ.. ବାବା ପ୍ରଦୀପ,ଉପର ସୁଇଚଟା ଟିକେ ଦେଲୁ. ଉପରେ ସୁଇଚ ବୋଲି ପ୍ଲୁସ ଓ ମାଇନସ ତାର ଦୁଇଟି ପ୍ଲକରେ ଦଉ ଦଉ କଣ ଗୋଟେ ଢ଼ୋ କରି ଆବାଜ ଭିତରେ ପ୍ରଦୀପ ସେଇଠି ଢଳି ପଡିଲା. କଥା କହିବା କି ଚାହିଁବା ଦୂରେ ଥାଉ ନିଶ୍ୱାସ ପ୍ରଶ୍ୱାସ ମଧ୍ୟ ଯାଉନଥିଲା. ଧାଁ ଧପଦ, ଡାକ୍ତର ଆସିବା ଫେରିବା ଭିତରେ ସବୁକିଛି ଠପ ହୋଇଯାଇଥିଲା. ବାପା କ୍ଷମା କରିପାରିନଥିଲେ ନିଜକୁ. ହେଲେ ଶଯ୍ୟାଶାୟୀ ଆଉ ତନୟାର ବାହାଘର ହେଲା ମନ୍ଦିରରେ. ଆଉ ବାହାଘର ପରେ ସେ ସ୍ୱାମୀଙ୍କୁ ଅନୁରୋଧ କରିଥିଲା ସେ ତାର ଏକମାତ୍ର ଭାଇକୁ ଦେଖିବାକୁ ଯିବ? ଭାଇ? କହି ଚମକି ପଡ଼ିଥିଲେ ସ୍ୱାମୀ କିନ୍ତୁ ମନା କରିନଥିଲେ, ନେଇଯାଇଥିଲେ ପୁଟ୍ଟାପାର୍ଥୀ, ଯୋଉଠି ପ୍ରଦୀପକୁ ଆଖିରେ ନଦେଖିଲେ ମଧ୍ୟ ଅନୁଭବ କରନ୍ତି ତନୟା. ରାକ୍ଷୀ ପଠାନ୍ତି. ଫେରିଆସେ ତଥାପି ତନୟା ରାକ୍ଷୀପୂର୍ଣ୍ଣମୀକୁ ଅନେଇ ବସିଥାଆନ୍ତି ।
ଦୁଇଟି ଟିକେଟ ଧରି ସ୍ୱାମୀ ପହଞ୍ଚିଲେ କହିଲେ ପୁଅ ଜନ୍ମ ପରେ ତୁମେ ଆଉ ପ୍ରଦୀପକୁ ଦେଖିବାକୁ ଯାଇପାରିନ ତେଣୁ ଟିକେଟ ଦୁଇଟି କରି ଆଣିଛି. ମୋର କିନ୍ତୁ ଯିବାର ନାହିଁ. କାହିଁକି ତୁମେ ପରା କହୁଥିଲ ସତ୍ୟସାଇବାବାଙ୍କୁ ପୁଅ ରୂପେ ପାଇ ବାବାକୁ ତାଙ୍କ ପାଖେ ଗଡେଇ ଶରଣ ନେବ ତା ଛଡା ମୃତକ ସାନ ଭାଇ ପ୍ରଦୀପର ଅନୁଭବରେ ତନ୍ମୟ ହେବ. ପାଟିରେ ହାତ ଦେଲେ ତନୟା ସ୍ୱାମୀଙ୍କର କହିଲେ ସତ୍ୟସାଇବାବା ଏବେ ମୋ ପାଖରେ ମୋ ପୁଅ ରୂପରେ ଆଉ ପ୍ରଦୀପକୁ ମୃତ କହିବ ନାହିଁ. ତାକୁ ନେଇ ମୁଁ ମୋ ବାପାଙ୍କ ପାଖରେ ପହଞ୍ଚାଇ ଦେଇ ଆସିବି ଏ ଛୁଟିରେ. କାଠ ହୋଇ ଶୁଣୁଥିଲେ ସ୍ୱାମୀ ତନୟାଙ୍କ କଥା. ପ୍ରଦୀପ ମଧ୍ୟ ନାନୀ ନାନୀ କହି ପଶିଆସି ମୁଣ୍ଡିଆ ମାରୁଥିଲା ଦୁହିଁଙ୍କୁ ଓ ବାବାକୁ ଗେଲ କରି ଚାଲିଥିଲା.ପାଟିରୁ ବଚନ ସ୍ପରି ନଥିଲା ସ୍ୱାମୀ ଅଜୟଙ୍କର ।