ଦାୟୀ
ଦାୟୀ
ଶ୍ବାପଦଶଙ୍କୁଳ ଅରଣ୍ୟ ; ପୁଳା ପୁଳା ବାଘଙ୍କ ଚରାଭୂଇଁ। କେମିତି ବଞ୍ଚିବେ ସଞ୍ଜନା ଭାଉଜଙ୍କ ପରି ନିରୀହ ହରିଣୀ !
*******
ସମସ୍ତେ କହୁଛନ୍ତି ସଞ୍ଜନା ଭାଉଜ ଅଲକ୍ଷଣିଟାଏ ।
ଆସୁ ଆସୁ ବରକୁ ଖାଇଲା। ଯାଉ ଶୁଦ୍ଧ ଘର ଏ ଅମଙ୍ଗୁଳିଟାକୁ ଘରୁ ବିଦା କରି ଦିଆ ଯିବ।
ଆଜକୁ ଚାରି ଦିନ ହେବ ସଞ୍ଜନା ଭାଉଜ ନିଜକୁ ଗୋଟିଏ ଘରେ ବନ୍ଦୀ କରି ରଖିଛନ୍ତି।
ଆଶ୍ଚର୍ଯ୍ୟ କେହି ପଚାରୁ ନାହାନ୍ତି ତାଙ୍କୁ। ଖାଇବା ପିଇବା କେହି କିଛି ଦେଉ ନାହାନ୍ତି।କହୁଛନ୍ତି ମରୁ।
ଜୀବନ ଥିବା କୌଣସି ଜୀବ ନ ଖାଇ ନ ପିଇ ରହି ପାରିବ କି !
ମାଆ ! ଭାଉଜ କିଛି ଖାଇଲେଣି ?
ମୋ ପୁଅକୁ ଖାଇଛି ଆଉ କଣ ଖାଇବ ?
ବୁଝୁ ମାଆ ଭାଉଜଙ୍କର ଏ ଅବସ୍ଥାରେ ଆମେ ସମସ୍ତେ ତାଙ୍କ ପାଖରେ ଠିଆ ହେବା ଉଚିତ। ତାଙ୍କୁ ଆଶ୍ୱାସନା ଦେବା ଆମ କର୍ତ୍ତବ୍ୟ ।
ତୋର ତ ଭାରି ସୁଅଗ ଉଛୁଳୁଛି। ତୋ ଭାଇକୁ ଖାଇଛି
ସେ । ସେଇଥିରେ ତା ପେଟ ପୁରିଥିବ।
ବାପା ତୁମେ ବି ଭାବୁଛ ଭାଉଜ ଭାଇଙ୍କ ମୃତ୍ୟୁର କାରଣ ?
ବାପାଙ୍କୁ କଣ ପଚାରୁଛୁ ? ବାହାଘର ଦୁଇଟି ମାସ ହୋଇ ନାହିଁ ମୋ ପୁଅ ଚାଲିଗଲା । ଏ ହତଲକ୍ଷ୍ମୀ ଯୋଗୁଁ ମୋ ଭେଣ୍ଡା ପୁଅ ଆମକୁ ଦାଣ୍ଡରେ ବସାଇ ସବୁଦିନ ଚାଲିଗଲା। ମୋ ଟୁଟୁରେ ! ଧନ ତୁ କୁଆଡେ ଗଲୁ ରେ ଟୁଟୁ ?ମୋ ପୁଅ ଗଲା ତୋର ଭାଉଜ ପାଇଁ ଏତେ ସୋଗ କାହିଁକି ବାହାରୁଛି ?
ଭାଇ ଯିବାରେ ଭାଉଜଙ୍କ ଦୋଷ କେଉଁଠି ? ମାଆ ଯଦି ତୋର କି ମୀରାନୀ କ୍ଷେତ୍ରରେ ଏପରି ଘଟିଥାନ୍ତା ତାହେଲେ..
ମାଆ ଜିଭ କାମୁଡି ପକେଇ କହିଲା, ଏ ଏ ହାରମଜାଦା କଣ କହିଲୁ ? ତୋ ଜିଭ ଲେଉଟୁଛି ଏମିତି କହିବାକୁ ?
ବାସ୍ତବବାଦୀ ହୁଅ ମାଆ । କହ କଣ କରିଥାନ୍ତୁ ତୁମ ମାନଙ୍କ ଭାଗ୍ୟରେ ଯଦି ଏପରି ଘଟିଥାନ୍ତା !
ହଇରେ କୂଳଙ୍ଗାର ! ପାଠ ଶାଠ ପଢେଇ ତୋତେ ଇଞ୍ଜିନିୟର ଏଇଥିପାଇଁ କରିଥିଲି ! ତୋ ବାପା ଓ ଭିଣେଇ ଙ୍କୁ ମାରି ମୋତେ ଓ ତୋ ଭଉଣୀକୁ ସେ ଛତରଖାଇଟା ପାଇଁ ବିଧବା ସଜାଉଛୁ ? କଣ କରିବି ଲୋ ମାଆ। ଏ ଟୋକାଟା ମୁଣ୍ଡ ସେ ହାତଭାଗୀଟା ଖାଇଲାଣି ! ତୋତେ ସିଏ ଗୁଣୀ କରିଛି ନା କଣ ? ଘରେ ଗୋଡ଼ ନ ଦେଉଣୁ ଭାଉଜ ଭାଉଜ ହେଉଛୁ ?
ମାଆ ! ରୁମୀ ଖୁଡି କହିଲେ, ଚାରିଦିନ ହେଲା ଭାଇ ଗଲା ପରଠାରୁ ସଞ୍ଜନା ଭାଉଜ ଗୋଟିଏ ଘରେ ପଡିଛନ୍ତି। ତାକୁ ଖାଇବାକୁ କି ପିଇବାକୁ କିଛି ଦିଆ ଯାଇନି। ତୁମର ତ ପୁଅ ଯାଇଛି ଖାଇନ କି ପିଇନ କେହି ଏଯାଏ ! କୁହ କିଏ କିଏ ମୋ ଭାଇଙ୍କ ଅକାଳ ମୃତ୍ୟୁରେ ଖାଇବା ପିଇବା ବନ୍ଦ କରିଛ ?
ବୁଟୁ ଠିକ୍ କହୁଛି ମାଆ। ଛୁଆଟା ବଞ୍ଚିଛି କି ମରିଛି କେହି ବୁଝିନ କେମିତି ? ଟୁଟୁର ମରଣ ପାଇଁ ତୁ ବେଶୀ ଦାୟୀ ମାଆ।
ମୀରା ! ତୁ ବି ବୁଟୁ ସହ ପାଳି ଧରୁଛୁ। ଆରେ ମୋ ଛାତି କଲିଜା ମୋ ବଡ଼ ପୁଅକୁ ମୁଁ ହରେଇଛିରେ । ତିନି ଦିନ ପରେ ଆସି ଆମକୁ ସାନ୍ତ୍ବନା ଦେବ କଣ କଟା ଘା ରେ ଲୁଣ ଦେଉଛ ଭାଇ ଭଉଣୀ ଦୁହେଁ ?
ମାଆ ତୁ ଭୁଲ୍ ବୁଝୁଛୁ। ଭାଉଜ ଟୁଟୁ ମୃତ୍ୟୁ ପାଇଁ କାହିଁକି ଦାୟୀ ହେବେ ?ବାପାଙ୍କୁ ଲୁଚାଇ କିଏ ଟଙ୍କା ଦେଉଥିଲା
ଟୁଟୁକୁ ? ପିଇବା ସେ ଶିଖିଲା କେଉଁଠୁ ?ତୋର ଯେଉଁ ଯୋଗ୍ୟ ଘୋଡା ମଦୁଆ ପୁତୁରା ରାଜାକୁ କାହିଁକି ଟୁଟୁ ପାଖରେ ରଖି ପଢ଼ାଉଥିଲୁ ? ତୁ କଣ ଜାଣି ନ ଥିଲୁ ରାଜା ଜଣେ ଅସାମାଜିକ ପିଲା? ଯେତେକ ନିଶା ଖାଇ ସେ ପାର କରିଦିଏ। ଦୁର୍ଜନ ସଙ୍ଗେ କଲେ ବାସ ନିଶ୍ଚେ ଘୋଟଇ ସର୍ବନାଶ । ମୁଁ ତ କହିବି ଟୁଟୁ ତୋ ପାଇଁ ମରିଛି। ଏତେ କିଏ ପିଏ ! ପିଇଲା ତ ପିଇଲା ଘରେ ନ ଶୋଇ ତୋ ପୁତୁରା କଥାରେ କାହିକି ନଈକୁ ଗାଧୋଇ ଯାଉଥିଲା ? ହୋସ୍ ନାହିଁ ତ ଅଧିକ ପାଣିରେ ବୁଡିଛି ତ ବୁଡିଛି। କୁଆଡେ ଗଲା ଅତା ପତା ମିଳିଲାନି। ଦୁଇ ଦିନ ପରେ ଫୁଲା ଶବ ମିଳିଲା ଆଣିକଟ୍ ପାଖରୁ। ତୁ ମୋ ଭାଇକୁ ମାରି ଦେଇଛୁ ମାଆ। ମୋ ଭାଇ ମରିବା ପାଇଁ ତୁମେ ଦାୟୀ ।
ବାପା ! ତୁମେ ବି ମାଆ କଥାରେ ପଡି ଭାଉଜଙ୍କୁ ଖାଇବା ପିଇବା ଦେଇନ ? ବିଟୁ ଚାଇଲୁ ଚାଇଲୁ ଦେଖିବା ଭାଉଜ ମରିଛି ନା ବଞ୍ଚିଛି ? ଛିଃ ଚଣ୍ଡାଳ ତୁମେମାନେ। ଜୀଅନ୍ତା ମଣିଷଟିକୁ କଲବଲ କରି ମାରୁଛ ? ଆରେ ନୃଶଂସ ମଣିଷ! ଯିଏ ଗଲା ତ ଆଉ ଫେରିବ ନାହିଁ ; ଅନ୍ତତଃ ଯିଏ ବଞ୍ଚିଛି ତାକୁ ଜୀଇଁବାକୁ ଦିଅ।
ବିଟୁରେ ! ଆମ୍ବୁଲାନ୍ସ ଡକା । ଫୁକୁର ନିଃଶ୍ବାସ ଚଳୁଛିରେ । ଦେଖ ମାଆ ଫୁକୁ ଯଦି ନ ବଞ୍ଚେ ତୁମେ ସମସ୍ତେ ଜେଲ ହାୱା ଖାଇବ।
ହସ୍ପିଟାଲର ବେଡ୍ ରେ ଶୋଇଥିଲେ ସଞ୍ଜନା ଭାଉଜ।ମୀରା ନୀ ଓ ମୁଁ ବସିଥିଲୁ ତାଙ୍କ ବେଡ୍ ପାଖରେ।
ମୀରା ନୀ !କିଏ ଟାଣିଦେଲା ଏତେ ଗୁଡିଏ ଲକ୍ଷ୍ମଣ ରେଖା ସଞ୍ଚନା ଭାଉଜଙ୍କ ପାଇଁ !
ହଁ ରେ ବୁଟୁ ଫୁକୁଟି ଦେଖିବାକୁ ସଖୀ କଣ୍ଢେଇ ପରି। ତାର ଢଳଢଳ ମାଟିଆ ଆଖି, ଡାଳିମ୍ବ ରଙ୍ଗ ଓଠ ଦେଖିଲୁ କେମିତି କଳା କାଠ ଦିଶୁଛି ?
ମୀରାନୀ ମୋ ଦେବୀପରି ଭାଉଜଙ୍କ ରୂପ ଆଜି ଶ୍ରୀହୀନ !
ପୁରିଲା ପୁରିଲା ଦୁଧ ଅଳିତା ରଙ୍ଗର ହାତ ଫୁଙ୍ଗୁଳା ।ସୁନ୍ଦର ହଳେ ପାଦରୁ ଆଉ ଶୁଭୁନି ବିମୋହିତ କଲା ପରି ନିଜ ଉପସ୍ଥିତି ଜାହିର କରି ପ୍ରେମଛନ୍ଦା ପାଉଜର ଗୀତ । ମଥା ଆକାଶର ଦୁଇ ଭ୍ରୁଲତା ମଝିରେ ଆଉ ଉଦୟ ହେବେନି ସକାଳ ସୂର୍ଯ୍ୟ । ମଥାର ସିନ୍ଥି ଲୁହ ଲୁହ ଟିପେ ସିନ୍ଦୁର ପାଇଁ ହେବେ । ଚୁଡ଼ି, ପାଉଜ, ସିନ୍ଦୁର ଖତେଇ ହେବେ ତାକୁରେ ବୁଟୁ।
ମିରାନୀ ସମସ୍ତେ କହୁଛନ୍ତି ସେ ଅଲକ୍ଷଣିଟା । ଆସୁ ଆସୁ ବରକୁ ଖାଇଲା। ଶୁଦ୍ଧ ଘର ପରେ ତାଙ୍କୁ ଏ ଘରୁ ବିଦା କରି ଦିଆ ଯିବ। ଏହା ଠିକ୍ କି ?
ନା ବୁଟୁ। ଆମେ ତା ପାଇଁ ଲଢ଼ିବା। ତାକୁ ଆଉ ଥରେ ଜୀବନ ଜୀଇଁବାକୁ ସୁଯୋଗ ଦେବା। ଚବିଶି ବର୍ଷର ଝିଅଟା ଏକା ଏକା କେମିତି ପାରିହେବ ବିପଦସଙ୍କୁଳ ଅରଣ୍ୟ ! ପୁଳା ପୁଳା ବାଘଙ୍କ ଚରାଭୂଇଁ ଆମ ସମାଜ।ସେ ଭଲ ହୋଇ ଯାଉ ଭଗବାନଙ୍କୁ ଡାକେ। ଫୁକୁକୁ ମୁଁ ନେଇଯାଇ କିଛି ଗୋଟେ କାମରେ ଲଗାଇ ଦେବି। ଉଚ୍ଚଶିକ୍ଷିତ ଝିଅ । ଯେ କୌଣସି କାମ ତାକୁ ମିଳିଯିବ।ତୁ ଓ ମୁଁ ତା ପାଇଁ ଜୀବନ ସାଥିଟିଏ ଖୋଜିବା ।
ମୀରାନୀ କହୁଛନ୍ତି ସମୟ ବଦଳିଛି। ସବୁ କିଛି ବଦଳିଛି ! କଣ ବଦଳିଛି !
ଜୀବନ!
ଜୀଇଁବା !
ନା ସମାଜର ଲକ୍ଷ୍ମଣ ରେଖା !
ଆଜିବି ତ ବିଧବା ଆଭୂଷଣ,ରଙ୍ଗ,ହସ,ଖୁସିକୁ ଉଜେଇ ଦେଇ ଜୀଉଁଛି ପ୍ରତିକ୍ଷଣ ମରିମରି।। ଏଥିପାଇଁ ଦାୟୀ କିଏ ମୀରା ନୀ ?