Satyabati Swain

Romance

4  

Satyabati Swain

Romance

ପ୍ରେମରେ ଅଛି ବୋଲି

ପ୍ରେମରେ ଅଛି ବୋଲି

10 mins
51



ଧୋଇଦେଲି ସାୱାର ତଳେ ମୋ ଭିତର ଡର।


       ଦୁନିଆରେ ସମସ୍ତଙ୍କୁ ସବୁ ସ୍ଥାନରେ ଡରିବି ତ ବଞ୍ଚିବି କେଉଁଠି ? ସେ ଆସିବ ତ ଆସୁ। ଭଲ ପାଇ ପ୍ରତାରଣା କଲା ଏବେ ଝଡ଼ ପରି ଆସି ମୋ ବିବାହିତ ଜୀବନ ନଷ୍ଟ କରିବାକୁ ଚାହୁଁଛି।   ଦୁଃସ୍ୱପ୍ନ ପରି ଭୁଲି ଯାଇଥିବା ପ୍ରେମ କାହାଣୀକୁ ମୋ ମିଷ୍ଟର ସନ୍ଥଙ୍କ ଆଗେ କହିବ ବୋଲି ଧମକ ଦେଉଛି ! 'ଲକ୍ଷ୍ୟ' ମୋ ପୂର୍ବତନ ପ୍ରେମିକ  ପିଛା କରୁଛି ଏଇ କିଛି ଦିନ ହେବ। ଫୋନ୍ ରେ ଦେଖାଉଛି ଆମର ଦେଵଦାରୁ ତଳେ ଯୋଡି ହୋଇ ବସିବା ଫଟୋ।

     

     ଭାରି ଡର ଲାଗୁଥିଲା ମୋତେ।   'ସନ୍ଥ ' ଖୁବ୍ ଭଲ ପାଆନ୍ତି ମୋତେ।କିନ୍ତୁ ସଦା ସର୍ବଦା ଅସୁରକ୍ଷିତ ମନେ କରନ୍ତି ମୋ ପ୍ରେମକୁ ନେଇ। କାଳେ ଆଉ କାହାକୁ ଭଲ ପାଇବି ଏଇ ଚିନ୍ତାରେ କଲେଜ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ମୋତେ ଏକା ଛାଡ଼ନ୍ତି ନାହିଁ। ସଂଦେହୀ ଲୋକ।  କେହି ମୋତେ ବାଃ କି ସୁନ୍ଦରୀ  ହୋଇଛ କହିଦେଲେ ଅଶ୍ଳୀଳ ଟିପ୍ପଣୀ ଦିଅନ୍ତି  । ମୁଁ କାଳେ ମନୋହରି ଦୋକାନ ପରି ନିଜକୁ ବିଜ୍ଞାପିତ କରୁଛି। ଡ୍ରେସ ପିନ୍ଧିବି ନାହିଁ,ଚୁଟି ଛାଡ଼ିବି ନାହିଁ ଏପରି କେତେ ଗୁଡିଏ ପ୍ରିୟ ପସନ୍ଦ ସହ କଟି ମୋର ଏବେ କେବଳ ତାଙ୍କ ପାଇଁ। ହଁ ସନ୍ଥ ମୋତେ ଖୁବ୍ ଭଲ ପାଆନ୍ତି ଏଇଟା ସତ୍ୟ। କିନ୍ତୁ ଇଏ କି ଭଲ ପାଇବା ଯାହା ମୋ ସ୍ୱାଧୀନତା,ସ୍ୱାତନ୍ତ୍ର୍ୟତା, ପସନ୍ଦକୁ ଛଡାଇ ନେବ !  ସଙ୍କୁଚିତ ମନ ମସ୍ତିଷ୍କ ନେଇ ଦେହକୁ ସିନା ଭଲ ପାଇହୁଏ କିନ୍ତୁ ହୃଦୟକୁ ନୁହେଁ ନା। 


      ଅଣନିଃଶ୍ଵାସୀ ଲାଗେ। ଇଚ୍ଛା ହୁଏ ଏ ବନ୍ଧନର ପଞ୍ଜୁରୀ ଛାଡି ଉଡି ଯାଆନ୍ତି ମୁକୁଳା ଆକାଶକୁ। କିନ୍ତୁ ହୁଏ କେଉଁଠି ! ମାଆ କହିଛି ଅଧିକ ପାଠଶାଠ ପଢି ନିଜ ଗୋଡ଼ରେ ଛିଆ ହୋଇଛୁ ଭାବି ଶାଶୁଘରେ କିଛି ମନମାନୀ କରିବୁ ନାହିଁ । ତୁ ମୋର ଭଲ ଝିଅ। ଭଲ ସ୍ତ୍ରୀ, ବୋହୁ ଓ ମାଆ ହେବୁ। ଆଜିକାଲି ଉଦ୍ଧତ ଝିଅଙ୍କ ପରି ହେବୁନି ବୋଲି ମୋର ବିଶ୍ୱାସ।


      ମାଆ ମନରେ ଦୁଃଖ ନ ଦେବା ପାଇଁ ବିଦ୍ରୋହୀ ମନକୁ

ଥାପୁଡ଼େଇ ଶୁଆଇ ଦେଇଛି।ଅବଶ୍ୟ ଶାଶୁଘରେ ମୋ ଉପରେ କୌଣସି କଥାରେ ଶାଶୁ ପାବନ୍ଧି ଲଗାନ୍ତି ନାହିଁ,ସନ୍ଥ ବି ।କେବଳ ମୋ ରୂପ ଓ ହସ  ପାଇଁ ହିଁ ସେ ସବୁବେଳେ ଚିନ୍ତିତ।


ତପୁ ମାରାତ୍ମକ ତୁମର ହସ।


କଣ ଯେ କୁହ ହସ ପୁଣି ମାରାତ୍ମକ !


ତୁମେ ପୁରୁଷ ହୋଇଥିଲେ ବୁଝିଥାନ୍ତ କିପରି ହସ ପ୍ରଲୁବ୍ଧ କରେ ଜଣେ ପୁରୁଷକୁ ନିଆଁରେ ପଡ଼ିବାକୁ।


ନିଆଁ !


ହଁ ତୁମେ ଝିଅ ଗୁଡା ହୁତୁହୁତୁ ଜଳୁଥିବା ନିଆଁ ନୁହଁ ?


ଏ ପୁରୁଣା ଉପପାଦ୍ୟ ଆଉ କାମ କରୁନି।


ତୁମ ହସ ତ ନୂଆ ଏକ ଉପପାଦ୍ୟ।


କବି ହେଲନି ।କିଏ ତୁମକୁ ପ୍ଲାନିଂ ଅଫିସର କରୁଥିଲା ?


    କବି ହା ହା କଲେଜରେ ଦିଧାଡ଼ି କବିତା ଲେଖି ପାରିଲିନି ବୋଲି ମୋତେ ସାନଭି ପ୍ରେମିକ କରିବା ତାଲିକାରୁ ବାଦ୍ କରିଦେଲା।


    ଆଶ୍ଚର୍ଯ୍ୟ ପ୍ରେମିକ ତାଲିକା ! ସେ କଣ ପ୍ରେମ ଦୋକାନ ଖୋଲିଥିଲେ ! ଗରାଖ ରୂପୀ ଅନେକ ପ୍ରେମିକ ଥିଲେ ଲାଇନ ରେ  ?


    ତୁମେ ଜାଣିନ ସାନଭି ସହ କଥା ହେବା ବି ଆମ କଲେଜ ଟୋକା ଭାଗ୍ୟ ମଣୁଥିଲେ। ପ୍ରତିଯୋଗିତା ଚାଲୁଥିଲା ତା ସହ ସାଙ୍ଗ ହେବାକୁ ପରା। 


 ତୁମ ନମ୍ବର କେତେରେ ଥିଲା ?


ଏଗାର।


କଣ ଏଗାର ! 


    ଅଜବ ଝିଅ । ସର୍ତ୍ତ ନୂଆ ନୂଆ ରଖୁଥିଲା ଆମ ଆଗରେ।ଯିଏ ସେ ସର୍ତ୍ତ ପୂରଣ କରୁଥିଲା ସେ ଦିନଟି ସାନଭି ତାରି ନାଁ ରେ କରି ଦେବ ଘୋଷଣା କରିଥିଲା। ତୁମେ ଆଚମ୍ବିତ ହେବ ଯେ କେହି ଜଣେ ତା ସର୍ତ୍ତ ଆଗରେ ତିଷ୍ଠି ନଥୁଲୁ। କେମିତି କେଜାଣି ସେ ଆମର ଅପହଞ୍ଚ ଦୁର୍ବଳ ଗୁଣ ଗୁଡିକ ଜାଣି ସର୍ତ୍ତ ରଖୁଥିଲା !  ମୋ ଆଗରେ ସର୍ତ୍ତ ରଖିଥିଲା ଦୁଇ ମିନିଟରେ ତାକୁ ଛୁଉଁଥିଲା ପରି କବିତାଟିଏ ଲେଖିବାକୁ। 


ଲେଖି ପାରିଲନି ?


   ଓହ କି ଦହନୀୟ ଅବସ୍ଥା ତୁମର। ମୋତେ ସାନଭି ଏକ ଭଲ ଝିଅ ଲାଗୁଛି । ତୁମେ ପୁଅଗୁଡା ତାକୁ ଦେଖି ରଙ୍କାଳିଆ ହୋଇଥିବ ।ତୁମ ମାନଙ୍କ ମନ ପଢି ନେଇ ସେ ନିଜକୁ ସୁରକ୍ଷିତ ରଖିବା ପାଇଁ ସୁନ୍ଦର ଚିନ୍ତା କରିଥିଲା। ସନ୍ଥ ହୋଇ ତୁମର ପ୍ରେମିଳ ମନଟିଏ ଥିଲା ! ସୁଯୋଗ ମିଳିନି ବୋଲି ସତିଆ ପୁରୁଷ ହୋଇଛ, ନାଇଁ ?


      କେହି ପୁଅ ହେଉ ବା ଝିଅ ପ୍ରେମ କରି ନଥିବ ଏଇଟା ଡାହା ମିଛ କଥା । ସାନଭି ଚାନ୍ସ ଦେଇଥିଲେ ତୁମେ ମୋ ଜୀବନରେ ଆସି ନଥାନ୍ତ ସତ।


ଓଃ ଏମିତି କଥା ସନ୍ଥ  ପ୍ରେମୀ ବି ! ଯାହା ସ୍ୱୀକାର କରୁଛ ସେଇଟା ବଡ଼ କଥା 


    କୌଣସି କଥା ଲୁଚାଏନି ମୁଁ।କେହି ଲୁଚାନ୍ତୁ ତା ବି ମୁଁ ସହି ପାରେନାହିଁ। ମୋର ଯେ କୌଣସି ପ୍ରିୟ ଚିଜରେ କେହି ଆଖି ପକାଉ ଚାହେଁ ନାହିଁ। ବୁଝିଲ ତପୁ ସମୟ ଭଲ ନାହିଁ। ଜଗିରଖି ଚଳୁଥିବ। ତୁମେ ବାହାରକୁ ଯାଇ ଘରେ ନ ପହଞ୍ଚିବା ପର୍ଯ୍ୟନ୍ତ ମୁଁ ଚିନ୍ତାରେ ଥାଏ।


     ଓଃ ସେଇଥିପାଇଁ ବାରମ୍ବାର ଫୋନ୍ କରି ପଚାର ଘରକୁ କେତେବେଳେ ଯିବ ? ପହଞ୍ଚି ଫୋନ୍ କରିବ ?


       ହଁ ତପୁ ତୁମେ ବୁଝି ପାରିବ ନାହିଁ ପୁରୁଷ ନଥିବା ଘରେ ତୁମକୁ ଓ ମାଆକୁ ଛାଡି ମୁଁ ଦୂରରେ କେତେ ଚାପରେ ରୁହେ ।


      ମାଆ ଓ ମୁଁ  ଛୋଟ ପିଲା ହୋଇଛୁ ନା କଣ ? ସେଥିରେ ଡ୍ରାଇଭର ମଉସା ଅଛନ୍ତି।



ଯେତେ ବଡ଼ ହେଲେ ବି ତୁମେ ନାରୀ ତପୁ ।


ନାରୀ ଓ ପୁରୁଷ ଭିତରେ ଏବେ କିଛି ଫରକ ଅଛି ?


     ଫରକ  ! ହଁ ଅଛି। ନାରୀ  ପିଲାର ବାପା ହୋଇ ପାରିବ ! ଆମ ନାଁ ଦେଖୁନ ; ତୁମେ  ସନ୍ଥ ନୁହଁ କି ମୁଁ ତପସ୍ୱିନୀ। ନାମ ,କାମ,ଦାୟବଦ୍ଧତା,ଖରା ତରା ସହିବା ଆଦି ପ୍ରତ୍ୟେକଟି କାମରେ ନାରୀ ପୁରୁଷ ମଧ୍ୟରେ ଭିନ୍ନତା ଅଛି ।


    ଏପରି ଅନେକ ଯୁକ୍ତି ବାଢ଼ନ୍ତି ସନ୍ଥ । ପୁରୁଣା କାଳିଆ ଯେତେକ କଥା ତାଙ୍କଠାରେ ଠୁଳ। ପାଟ କନାରେ ଗୁଡେଇ କିନ୍ତୁ ରଖିଛନ୍ତି ମୋତେ।

 

      ହୁଏତ ମୂଳରୁ ମୋ ଜୀବନର ସମସ୍ତ ଗୋପନ କଥା ତାଙ୍କୁ କହିଦେଇ ଥିଲେ ଆଜି ଭୟରେ  ରହୁ ନଥାନ୍ତି।ମୋର ସବୁଠାରୁ ବଡ଼ ଭୁଲ୍ ଯୁଗ୍ମ ଜୀବନ ଆରମ୍ଭ କରିବା ପୂର୍ବରୁ  'ଲକ୍ଷ୍ୟ' ମୋର ପ୍ରଥମ ପ୍ରେମିକ ଏତକ କହି ନାହିଁ ସନ୍ଥଙ୍କୁ। ଶଶୁର ନାହାନ୍ତି। ଶାଶୁଙ୍କୁ ବିବାହ ପୂର୍ବରୁ ଏସବୁ ମୋ ମାଆ ବାପା କହିଥିଲେ। 


    ଶାଶୁ ଜଣେ ଖୁବ୍ ଉଦାର ହୃଦୟ ଓ ଆଧୁନିକା ମହିଳା।

କହିଲେ, ବ୍ୟସ୍ତ ହୁଅନ୍ତୁ ନାହିଁ । କୁଆଁରୀ ବୟସରେ ଏପରି ଭୁଲ୍ ପ୍ରାୟତଃ ଅଳ୍ପ ବହୁତ ସମସ୍ତେ କରିଥାନ୍ତି।କିନ୍ତୁ ଗୋଟିଏ କଥା।


କି କଥା !


ସନ୍ଥକୁ ଏ ବିଷୟରେ କହିବେ ନାହିଁ।


କିନ୍ତୁ ପରେ କେବେ ଯଦି ଜାଣନ୍ତି ?


   ସେତେବେଳେ ମୁଁ ସମ୍ଭାଳି ନେବି। ପୁଅଟା ମୋର ଭାରି ଅବୁଝା । ବିଶେଷ କରି ସେ ଭଲ ପାଉଥିବା ବସ୍ତୁ  ହେଉ କି ମଣିଷଙ୍କ ଅନ୍ୟ କେହି ଭଲ ପାଉ ଆଦୋୖ ସହି ପାରେନି। ମୋ ସର୍ବଗୁଣ ସମ୍ପନ୍ନ ପୁଅଟିର ଏଇଟି ଏକମାତ୍ର ଖରାପ ଗୁଣ।


    କିନ୍ତୁ ଏବେ କଣ ହେବ ? ମାଆ ତ ହଠାତ୍ ପକ୍ଷଘାତ ରୋଗରେ ଆକ୍ରାନ୍ତ ହୋଇ ଅଚଳ। କଥା କହି ପାରୁ ନାହାନ୍ତି।ସନ୍ଥ ଆଗରେ ଯଦି ସତକୁ ସତ ଲକ୍ଷ୍ୟ ସବୁ କହିଦିଏ ଏବେ କିଏ ମୋ ପିଠିରେ ପଡିବ ?


      ଓଃ ଲକ୍ଷ୍ୟ କାହିଁକି ମୋ ଜୀବନରେ ଧୂମକେତୁ ସାଜି ଆସୁଛୁ ? ତୁ ତ ନିଜେ ଆମ ଭଲ ପାଇବାକୁ ଟାଇମ ପାସ୍ କହି ଅନ୍ୟତ୍ର ବିବାହ କଲୁ !  ହଇରେ ମୂର୍ଖ ପ୍ରେମର ନାଁ କେହି ଟାଇମ ପାସ୍ ଦିଏ ! ତୋ ସ୍ତ୍ରୀ ଜଣେ ନଷ୍ଟ ଚରିତ୍ରା ତ ମୁଁ କଣ କରିବି ? ଏବେ ମୋ ପାଇଁ ପ୍ରେମ ଉଛୁଳୁଛି। ଆରେ ବାବୁ ମୁଁ ସବୁ ଭୁଲି ଅନେକ ଆଗକୁ ବଢିଲିଣି। ଚାରି ବର୍ଷ ଝିଅର ମାଆ ମୁଁ । କେମିତି ଭାବି ପାରୁଛୁ ମୁଁ ମୋ ଖୁସିର ସଂସାରରେ ନିଆଁ ଲାଗେଇବି ତୋ ପରି ଏକ ପ୍ରତାରକ ପ୍ରେମିକ ପାଇଁ ?


ତାହେଲେ ତୁ ଭଲରେ ମାନିବୁ ନାହିଁ ?


ଭଲ କଣ ମନ୍ଦରେ ବି ମାନିବି ନାହିଁ।ତୋତେ ମୁଁ ଘୃଣା କରେ।


ଠିକ୍ ଅଛି ସନ୍ଥ ଆଗେ କହିବି ତେବେ ଆମ ପ୍ରେମ କାହାଣୀ।


    କଣ କହିବୁ ତୋତେ ଭଲ ପାଉଥିଲି ? ତୋତେ ଦେଖା କରିବାକୁ ଉଛୁଳୁଥିଲି ? ଗପୁଥିଲେ ଘଣ୍ଟା ଘଣ୍ଟା କଲେଜର ଲେଡିଜ ହଷ୍ଟେଲ ସାମନା ଦେଵଦାରୁ ଗଛ ମୂଳେ ?


      ଆମ ଯୋଡି ହୋଇ ବସିବା ଫଟୋ ବି ଦେଇଦେବି।ଶୁଣୁଛି ତୋ ସ୍ୱାମୀ ତୋତେ କାଳେ ଭାରି ଭଲ ପାଏ ? ଆଖିରେ ବସେଇଛି ? ଆହୁରି ଖୁବ୍ ସନ୍ଦେହି ବି ? ମୋଠାରୁ ଆମ ବିଷୟରେ ଶୁଣି ଆଉ ଫଟୋଗୁଡା ଦେଖିଲେ ତୋ ଅବସ୍ଥା କଣ ହେବ ଭାବି ପାରୁଛୁ ତ ?


    ଲକ୍ଷ୍ୟ ଧମକ ଡରରେ ଏଇଠି କେତେ ଦିନ ହେବ ଖୁବ୍ ଅନ୍ୟ ମନସ୍କ ରହୁଛି।


     ତପୁ କଣ ହୋଇଛି ତୁମର ? ଆଜିକାଲି ଖୁବ୍ ବିଚଳିତ ଲାଗୁଛ ? 


କାଇଁ ନାଇଁ ତ ।


    ମୁଁ ବୁଝୁଛି ମାଆଙ୍କ ସେବା, ତାସୁର ଯତ୍ନ, କଲେଜ କଥା ସହ ମୋ କଥା ବୁଝିବୁଝି ତୁମେ ସତରେ ଥକି ପଡ଼ିଲଣି। ଗୋଟେ କଥାକାର କିଛି ଦିନ ଛୁଟି ନେଇ ବିଶ୍ରାମ ନିଅ।


ନା ନା ସେମିତି କିଛି ନାହିଁ ।


    କିଛି ତ ଅଛି ତପୁ । ଏଇ କେତେଟା ଦିନ ମଧ୍ୟରେ କେତେ ଝଡି ଗଲଣି ଜାଣିଛ ? କଣ ହୋଇଛି କୁହ ?


       କଲେଜ ସମୟ ହୋଇ ଯାଇଥିଲା।ସବୁ ଡରକୁ ୱାସ୍ ରୁମ୍ ସାୱାର ତଳେ ଧୋଇ ଦେଇ ଆସି କଲେଜ ବାହାରି ପଡ଼ିଲି। ସନ୍ଥ ମୋତେ ପଛ ପଡୁ ଆଲିଙ୍ଗନ ମୁଦ୍ରାରେ ଧରି ନେଇ କହିଲେ, ଇସ୍ ! ତପସ୍ୱନୀ ଗୁରୁ  କେତେ ସୁନ୍ଦର

ତୁମେ !


      ଆରେ ଛାଡ଼ ନା ପିଲାଙ୍କ ପରୀକ୍ଷା ଅଛି ଡେରି ହୋଇ ଗଲାଣି।


     ଠିକ୍ ଅଛି ଚାଲ ଆଜି ମୁଁ ତୁମକୁ କଲେଜ ନେଇ ଛାଡି ଆସିବି।


    ତୁମେ ! ବିବାହର ପାଞ୍ଚ ବର୍ଷ ଭିତରେ ତୁମେ ମୋତେ କଲେଜ ନେଇ ଛାଡିବା ମୋର କାଇଁ ମନେ ପଡୁନି ତ। ୟା ଛଡା ତୁମେ ଅଫିସ ଯିବନି କି ?


     ଓଃ ମୁଁ ତ ଗଞ୍ଜାମରେ ଥିଲି।ବାପାଙ୍କ ଦେହାନ୍ତ ପରେ ପରେ ମାଆ ଦେହ ଖରାପ ହେବାରୁ ସିନା ଏଇ କିଛି ଦିନ ହେବ ନିଜ ସହରକୁ ବଦଳି ହୋଇ ଆସିଛି। ତୁମର ତ କଲେଜ ଟାଇମ୍ ନିର୍ଦ୍ଦିଷ୍ଟ ନୁହେଁ ନା ।କେବେ ଦଶଟା ପଇଁଚାଳିଶରେ ତ କେବେ ବାରଟା ପନ୍ଦର ବା ସକାଳ ସାତ। ଆମ ଅଫିସ ପରି ତୁମର ନିର୍ଦ୍ଦିଷ୍ଟ ସମୟ ନାହିଁ। ସେଥିପାଇଁ ଆଜି ମୁଁ ଛୁଟି ନେଇଛି କେବଳ ମାତ୍ର ତୁମକୁ କଲେଜ ଛାଡ଼ିବି ବୋଲି। 


 କଣ କହୁଛ ସନ୍ଥ ! ମୋତେ ....ବିଶ୍ବାସ ହେଉ ନାହିଁ।


     ଅଜବ ତୁମ ନାରୀଜାତି। ମିଛ କହିଲେ ଗୋଟା ସୁଦ୍ଧା ସତ ମଣିବ କିନ୍ତୁ ସତ କହିଲେ ସେଇଟି ସତ ବୋଲି ଗ୍ରହଣ କରିବାକୁ କୁନ୍ଥୁ କୁନ୍ଥୁ ! ଆରେ ହଁ ଆଜି ମୋର ଜଣେ  ବନ୍ଧୁ  ଅନେକ ବର୍ଷ ପରେ ମୋତେ ଦେଖା କରିବାକୁ ଆସୁଛି। ତୁମେ ଶୀଘ୍ର କିନ୍ତୁ ଘରକୁ ଫେରିବ। ଅଧିକନ୍ତୁ ସେ ତୁମକୁ ଦେଖା କରିବାକୁ ହିଁ ଆସୁଛି।


     ବନ୍ଧୁ କେତେବେଳେ ଆସିବେ? ପରୀକ୍ଷା ହେତୁ ସହଲ ନିଶ୍ଚିତ ଆସିବି।


       ଠିକ୍ ଅଛି କହି ମୋତେ ନେଇ ସେ କଲେଜରେ ଛାଡି ଦେଇ ଦେଲେ। ପରୀକ୍ଷା ସରୁସରୁ କାଳ ବିଳମ୍ବ ନ କରି ତରବରରେ ଆସୁଆସୁ ଦେଖିଲି ପାର୍କିଂ ସ୍ଥାନରେ ଆମ ଗାଡି ।ଗାଡି ଭିତରେ ସନ୍ଥ !


 ତୁମେ !


    ଆରେ କୁହନି ମୋ ବନ୍ଧୁ କଣ ରଖେଇ ଥୋଇ ଦେଲେ? ଯାଆ ଯାଆ ଶୀଘ୍ର ନେଇକି ଆସିବୁ କହି ଠେଲି ପେଲି ପରା ପଠେଇ ଦେଇଛି। ଚାଲ ଚାଲ ଅପେକ୍ଷା କରିଛି ସେ ଏକା ସାଙ୍ଗରେ ମଧ୍ୟାହ୍ନ ଖାଇବା ବୋଲି।


      ଘରକୁ ଯାଇ ଯାହା ଦେଖିଲି ମୋ ବୁଦ୍ଧି ହଜିଗଲା ।ଲକ୍ଷ୍ୟ ସନ୍ଥଙ୍କ ବନ୍ଧୁ ! ହେ ଭଗବାନ ! ସତକୁ ସତ ଚାଲି ଆସିଛି ଆମ ପ୍ରେମ କାହାଣୀ କହି ମୋ ଜୀବନ ନଷ୍ଟ କରିବାକୁ ! ମୁହଁର ଭାବ ମୋର ବଦଳି ଗଲା। କିନ୍ତୁ ଲକ୍ଷ୍ୟର ହିରୋ ଚେହେରା କାଇଁ ?


  ମୋତେ ଜାଣିଛ ତପସ୍ୱିନୀ ମାମ୍ ? ମୁଁ ଲକ୍ଷ୍ୟ ; ସନ୍ଥର ଘନିଷ୍ଠ ବନ୍ଧୁ। ସିଙ୍ଗାପୁରରେ ଥିଲି  ବାହାଘରକୁ ଆସି ପାରି ନଥିଲି। ଏବେ ଦିଲ୍ଲୀ ବଦଳି ହୋଇ ଆସିଛି ତ ତୁମକୁ ଦେଖା କରିବାକୁ ଚାଲି ଆସିଲି । ସନ୍ଥ ଯେତିକି ସୁନ୍ଦର ଗୁଣର ତୁମକୁ କହୁଥିଲା ତାଠାରୁ ତୁମେ ଢେର୍ ଅଧିକ।


       ସନ୍ଥ ଖୁବ୍ ଗମ୍ଭୀର ହୋଇ କହିଲେ, ଏ ଲକ୍ଷ୍ୟ ସବୁ କହିବୁ ମୋ ମିସେସ୍ ସୌନ୍ଦର୍ଯ୍ୟ ଉପରେ ଆଖି ପକାଇବୁ ନାହିଁ।


         ଆଚ୍ଛା ବାବା ହେଲା। ତୋ ମିସେସ୍ ତୋର। ଏଥର ଖାଇବା।


       ଲକ୍ଷ୍ୟ ନ ଯିବା ଯାଏ ମୋତେ ଖୁବ୍ ଅସହଜ ଲାଗୁଥିଲା। ସ୍ପନ୍ଦନ ବଢି ଯାଉଥିଲା। କେବଳ ଭାବୁଥିଲି ଏଇ ମାଙ୍କଡ ଯେତେ ଶୀଘ୍ର ଯିବ ମୋର ମଙ୍ଗଳ। କାଳେ ସନ୍ଥଙ୍କୁ କିଛି କହିଦେବ ବୋଲି ଦୁହିଙ୍କ ପାଖେ ପାଖେ ରହୁଥିଲି !


     ଲକ୍ଷ୍ୟ କିଛି ପ୍ରାୟତଃ ଖାଇ ପାରିଲା ନାହିଁ । ସେ ଅଳ୍ପ କିଛି ଖାଇ କୌଣସି କଥା ନ କହି ଚାଲି ଗଲା ଯେ ? 


ଜାଣିଛ ! ଲକ୍ଷ୍ୟ ମରଣ ମୁହଁରୁ ଫେରି ଆସିଛି ଜାଣ। 


ମରଣ ମୁହଁରୁ !


      କ୍ୟାନ୍ସର ତାକୁ। କ୍ୟାନ୍ସର ହୋଇଛି ଜାଣିଲା ପରେ ସେ ଜୀବନ ଦେଇ ଭଲ ପାଉଥିବା ଝିଅଟି ମନରେ ତା ପ୍ରତି ଘୃଣା ସୃଷ୍ଟି କରି  ମିଛ କହିଛି ବିବାହ କରିଛି ବୋଲି।


ଏଇଟା ବି ମୁଁ ଜାଣିଛି ସେ ଝିଅଟି କିଏ।


   ଓଃ କେତେ ଛୋଟ ହୋଇ ଯାଉଥିଲି ସନ୍ଥଙ୍କ ଆଗରେ ! ସନ୍ଥ ଜାଣିଛନ୍ତି ସେ ଝିଅକୁ ମାନେ ମୋତେ ! ଲକ୍ଷ୍ୟ କ୍ୟାନ୍ସର ପେସେଣ୍ଟ ଅଥଚ ମୋତେ କହି ନାହିଁ! ପୁଣି କି ଅଭିନୟ କରିଛି ବିବାହ କରିଛି ବୋଲି ! ଓଃ କଣ ସବୁ ମୋ ସହ ଘଟୁଛି ?


ପଚାରିବ ନାହିଁ ସେ ଝିଅ କିଏ ?


କିଏ !!


ତପୁ ତୁମକୁ ବିବାହ କରିଛି କାହିଁକି ଜାଣ ?


କାହିଁକି ? 


କେବଳ ଲକ୍ଷ୍ୟ ର ଅନୁରୋଧରେ। ତୁମକୁ ସେ ଖୁସି ଦେଖିବାକୁ ଚାହୁଁଥିଲା । ଚିକିତ୍ସା ପାଇଁ ଯିବା ପୂର୍ବରୁ ମୋତେ ସେ କହିଲା, ସନ୍ଥ ମରିବି କି ବଞ୍ଚିବି ଜାଣି ନାହିଁ। ଗୋଟେ କଥା କହିବି ରଖିବୁ ?


ହଁ କହ ।


ମୋ ପ୍ରେମିକାକୁ ବିବାହ କରି ପାରିବୁ ?


କିନ୍ତୁ...


    ତୁ ମୋର ଅତି ଘନିଷ୍ଠ ବନ୍ଧୁରେ। ତୋତେ କଣ ଖରାପ ଝିଅ ଟିକୁ ବିବାହ କରିବାକୁ କୁହନ୍ତି? ସାତ ଜନ୍ମ ତପସ୍ୟା କଲେ ବି ତପସ୍ୱିନୀ ପରି ଝିଅଟିଏ ପାଇବୁ ନାହିଁ। ଆମ ଭଲ ପାଇବା ଦେଵଦାରୁ ଗଛ ମୂଳେ ବସି ପଡ଼ିଆରେ ଖେଳୁଥିବା ପିଲାଙ୍କ ଖେଳ ଦେଖିବା ଭିତରେ ସୀମିତ।କେହି ଆମେ ଲକ୍ଷ୍ମଣ ରେଖା ଡେଇନୁ । ମୁଁ ଚାହେଁ ସେ ଖୁସିରେ ରହୁ।ତୋଠାରୁ ଅଧିକ ଖୁସି ତାକୁ ଆଉ କିଏ ଦେଇ ପାରିବ !


     ଲୁହ ଲୁହ ହୋଇ ବହି ଯିବିକି ଆଉ।ଲକ୍ଷ୍ୟ ଓ ସନ୍ଥଙ୍କ ପ୍ରତି ଥିବା ଭାବନା ମୋର ମିଛ ହୋଇ ଯାଉଥିଲା। ମୁଁ ଖୁବ୍ ଛୋଟ ହୋଇ ଯାଉଥିଲି ।


    ସନ୍ଥ ଫୋନ୍ ଲଗେଇ ଦେଇ କହିଲେ ନିଅ କଥା ହୁଅ ଲକ୍ଷ୍ୟ ସହ ।


    ବଦମାସ ଖେଳୁଥିଲୁ ମୋ ସହ ? କାହିଁକି ଏମିତି କଲୁ ଭରସା କି ବିଶ୍ୱାସ ନ ଥିଲା ମୋ ଉପରେ ?


     ତୋ ଉପରେ ତ ଯଥେଷ୍ଟ ଭରସା ଅଛି କିନ୍ତୁ ମୋ ଉପରେ ନାହିଁ। ଏବେ ବି ନାହିଁ। ତୋତେ ଥରେ ଦେଖିବାକୁ ଇଚ୍ଛା ଥିଲା। ଏଣୁ ତୋ ସହ ଟିକେ ବଦମାସି କଲି।ସରି ତପୁ।


ଲକ୍ଷ୍ୟ ! ତୁ ଏତେ ନିଷ୍ଠୁର କେମିତି ହେଲୁ ?


ପ୍ରେମରେ ଅଛି ବୋଲି ତପୁ ମୁଁ ବଞ୍ଚିଛି। ଏ ବଞ୍ଚିବା ଆଉ ମାତ୍ର କେତେଦିନ। ସେତିକି ଦିନ ମୋତେ ପ୍ରେମରେ ରହିବାକୁ ଦେ।


ଲକ୍ଷ୍ୟ ! ବନ୍ଧୁ ମୋର ।


ମୋ ଆଖି ଏରୁଣ୍ଡି ଡେଇଁ ସମୁଦ୍ର ଭିଜାଉଥିଲା ସନ୍ଥଙ୍କ ଛାତି।

 

 


Rate this content
Log in

Similar oriya story from Romance