Satyabati Swain

Inspirational

4  

Satyabati Swain

Inspirational

ସ୍ତବ୍ଧ

ସ୍ତବ୍ଧ

4 mins
11



  

  ବୋଉ ଦିନେ ପଚାରିଲା,ଯେ କୌଣସି ବହିଟିଏ ପାଇଲେ ଭୋକ ଶୋଷ ଭୁଲି ଯାଇ ପଢି ବସୁ।ପରୀକ୍ଷା ଦେବାକୁ ଗଲା ପରି ତନ୍ନ ତନ୍ନ କରି ବହି ଗୁଡିକ ପଢୁ। ଏ ବହିରୁ ତୋ ପରୀକ୍ଷାରେ କୋଶ୍ଚିନ୍ ଆସିବ କି ? ବହି ପଢିବା ନିଶ୍ଚିତ ଏକ ଭଲ ଅଭ୍ୟାସ।କିନ୍ତୁ ତୁ ପାଗଳ ପରି ହେଉ। ସବୁ ଅଧିକ ସବୁବେଳେ ପାଇଁ ଖରାପ। ଏତେ ସଂଖ୍ୟକ ବହି ପଢି କିଛି ମନେ ରଖିଛୁ ନା ଏମିତି ଖାଲି ପଢି 

ଦେଉ ? କହିଲୁ କାହିଁକି ତୁ ବହି ପଢୁ ?


    ବୋଉ ପ୍ରଶ୍ନରେ  ନିବର ରୁହେ । ମୋତେ କଣ ବୁଝେଇ ଆସିବ ଏ ପଗାଳାମୀକୁ ମୋର!


    ଏଯାଏ କେବଳ ବହି ପଢ଼ି ତ ଆସିଛି। ବୋଉ କଥା ଶୁଣି ଇଚ୍ଛା ହେଲା ଯାହା ଏଯାବତ ପଢ଼ିଛି , ମୂଳରୁ କେତେ ଆତ୍ମସ୍ଥ କରିଛି ଟିକେ ମନେ ପକାଇବାକୁ। ବିଶ୍ୱାସ କରନ୍ତୁ ପ୍ରତ୍ୟେକ ବହିର ବାକ୍ୟ , ଶବ୍ଦ ଓ ସନ୍ଦେଶ ଏତେ ମନମୋହକ ଲାଗନ୍ତି ଯେ ସବୁ ଛାପି ହୋଇ ଯାଇଛନ୍ତି ମୋ ହୃଦୟ କାନ୍ଥରେ ! ଯେଉଁ ବହିର ଯାହା ଭଲ ଲାଗିଛି ଟିପି ରଖିଛି ମସ୍ତିଷ୍କ କମ୍ପ୍ୟୁଟରରେ। ଯାହା ମନେ ରଖିଛି କିଛି ଲେଖିବାକୁ ଚାହୁଁଛି।

  ସବୁ ତ ଲେଖିବା ସମ୍ଭବ ନୁହେଁ, କାରଣ ଜୀବନ କାଳ ଭିତରେ ସେଇ ଅକ୍ଷର ଶବ୍ଦ ଶିଖିବା ଦିନୁ ଆଜିଯାଏ ଲକ୍ଷାଧିକ ବହି ପଢି ସାରିଛି। ଲେଖୁଛି କଣ ପାଇଛି ମୁଁ ବହିରୁ।


     ପ୍ରଥମରୁ ବହିଟି ଖୋଲୁ ଖୋଲୁ ଅଭିଭୂତ ହୋଇ ଯାଏ।"ଗାଁ ମଶାଣିରେ ଅଛି ଗୋଟେ ପାଉଁଶ ଗଦା।ପାଉଁଶ ଗଦାରେ ଉଠିଛି ଗୋଟେ ସାହାଡ଼ା ଗଛ।ସାହାଡ଼ା ଡାଳରେ ଅଛି ଗୋଟେ ବସା। ବସାରେ ବଢୁଛି ଗୋଟେ ପକ୍ଷୀ ଶାବକ।ପର କଅଁଳୁଛି ,ସାମାନାରେ ବିଶାଳ ଆକାଶ।ନେ' ରେ ଶାବକ ତୋ ଚଞ୍ଚୁରେ ଦାନାଏ ଶବ୍ଦ।" ଏତିକ ଯଥେଷ୍ଟ ଥିଲା ମୋତେ ସ୍ତବ୍ଧ କରିବାକୁ ଗୋଟିଏ ବହିର। ଏହାର ଅର୍ଥ ସେତେବେଳେ ବୁଝି ନଥିଲି।ବୁଝିବା ବେଳକୁ ବହିର ନାଁ ବି ଭୁଲି ଗଲିଣି। କିନ୍ତୁ ବ ହିର ଉପର ଧାଡି କିଛି ଏବେ ବି ବିଶ୍ଳେଷଣ କରେ କେବେ କେବେ ଏକାନ୍ତରେ।

     ତାପରେ ବଡ଼ ହେଲି ଗପ ଭୁଇଁରେ ପାଦ ଥାପିଲି। ଛାତି ତଳର ମୁଠାଏ ମାଟିର ମନ୍ଦାରେ ତାଙ୍କ ଚରିତ୍ର ମାନଙ୍କର ଦରଦୀ କଥାର ମଞ୍ଜି ବୁଣା ହୋଇଥିବା ଦେଖିଲି। ଲୁହ ଆତ୍ମାର ଭାଷା । ଘାସ ଉପରେ ଆକାଶର ଲୁହ କାକର ବିନ୍ଦୁ ହୋଇ ଝରିବା ଦେଖିଲି। ଯେଉଁ କଥାକୁ ଶବ୍ଦରେ କହି ହୁଏନା ତାକୁ ଲୁହରେ କହି ହୁଏ ସତ ବୋଲି ଅନୁଭବ କଲି। କିନ୍ତୁ ଲୁହକୁ କେହି ମାଗି ନିଏନା।ଯଦି ବା ନିଏ ଫୁଲ ଫୁଟେଇ ପାରେ କେଉଁଠୁ ଯେ ?ଘାସ ଫୁଲ ନିଜ ମନ କଥା ପ୍ରକାଶି ସେ ମୋ କଥା କହି ଦେଲା ବୋଲି ଲାଗିଲା।

      ମଉସା ଜଣେ ଭେଟ ହେଲେ କଳା କିଟିମିଟି ଅନ୍ଧାର ରାତିରେ। ଅନ୍ଧାରକୁ ମୋର ଭାରି ଡର। ଜୀବନ ରାସ୍ତାରେ ଏତେ ଅନ୍ଧାର ହଠାତ୍ କେଉଁଠୁ ମାଡି ଆସେ? ଡ଼ରକୁଳା ଅସହାୟ ଅବଶ ହୋଇ ପଡୁଥିଲା ବେଳେ ଓଲଟ ବୃକ୍ଷରେ ଗୀତ ଗାଉଥିବା ମଉସା ମୋତେ ମୋ ଶରୀର ଏକ ମାଟି ମାଠିଆ ଯାହା ସହ ପରିଚିତ କରାଇଲେ। ମନର ଦୃଢ଼ତା ନେଇ ଗାଢ଼ ଖୋଳି ପାରିଲେ ଅନେକ ଲୋକଙ୍କ ଶୋଷ ମେଣ୍ଟେଇବୁ। ଯଦି ଆତ୍ମବଳ ଭାଙ୍ଗିଦେବୁ ନିଜେ ଭାଙ୍ଗି ଖପରା ହୋଇଯିବୁ ଯିଏ ଶିଖେଇଲେ ସେ କିଏ ? ବାପା ନା ଈଶ୍ୱର ! ଯେଉଁ ବାପା ମୋତେ ପିଲା ଦିନୁ ଛାଡି ଆକାଶରେ। ସେ ଆଉ ମୋ ପାଖେ ପାଖେ ଛାଇ ପରି ରହି ବାଟ ଦେଖାଉ ନାହାନ୍ତି ତ ।

      ଭେଟ ହେଲା କଇଁ । ନିସ୍ତବ୍ଧ ହେଲା ଜଙ୍ଗଲୀ ରାତି।ପୋଡିଯିବା ଭୟରେ ପତଙ୍ଗ ଯଦି ଉଡିବା ଛାଡିଦିଏ ତେବେ ସେ କୀଟ ପାଲଟିଯିବ।ଅସହମତି ସମ୍ପର୍କରେ ବ୍ୟବଧାନ ଆଣେ। ଆଉ ବ୍ୟବଧାନରେ ବାଟବଣା ହୁଏ ସମ୍ପର୍କ। ମନ ସେ ତ ଗୋଟିଏ ଅରଣା ଜଙ୍ଗଲୀ ପଶୁ।ବନ୍ଧନ ଜୀବନକୁ ସଙ୍କୁଚିତ କରେ।ଆବେଗ,ଭାବପ୍ରବଣତା ଜୀବନକୁ ଜଟିଳ କରେ।କିନ୍ତୁ ଛାତି ଭିତରେ ମିଠା ଝଡ଼ଟିଏ ଥାଏ। ଆଖି ଆତ୍ମାର ଝରକା।ଅନ୍ଧ ଚନ୍ଦ୍ରମାର କଇଁ ରେ ଦେଖିବେ ନିଶବ୍ଦ, ନିର୍ଲିପ୍ତ ଓ ବିକ୍ଷିପ୍ତ ହସକୁ ଅସମ୍ଭବ ମନେ ହେଉଥିବା ବିଶ୍ୱାସକୁ ନେଇ କଇଁ କେମିତି ବଞ୍ଚେ ଅନ୍ଧ ଚନ୍ଦର ପାଇଁ। ଅନ୍ଧ ଆକାଶରେ ଚନ୍ଦ୍ର ଉଇଁଲେ ମନର ଆଖି ଫିଟି ପଡେ ଶିଖିଲି।

      ବ୍ୟାଚ୍ ଫିଷ୍ଟ ଏକ ଅଦ୍ଭୁତ ଝୁଙ୍କ୍।ଅତୀତରେ ବନ୍ଦୀ ନ ହୋଇ ଭବିଷ୍ୟତ ନିର୍ମାଣ କାରୀ ହୋଇ ଯିବାରେ ଲାଭ ଅଛି ବୁଝି ମାନି ନେବାକୁ ମନ ବୁଝେନା ।କେଜାଣି ବ୍ୟାଚ୍ ଫିଷ୍ଟ ରେ ପ୍ରତ୍ୟେକ ମୁହୂର୍ତ୍ତ,ସ୍କୁଲ ପରିସରର ଗଛଲତା,ଫୁଲ ଓ ପବନରେ ସବୁ ଥାଇ ଅନୁଭବ ହେଉଥିଲା ଗୋଟିଏ ଅନୁପସ୍ଥିତିର ଅନୁଭବ। ଅନୁପସ୍ଥିତି କିମ୍ବା ଅନୁପସ୍ଥିତି ଭିତରେ ଗୋଟିଏ ସୂକ୍ଷ୍ମ ଉପସ୍ଥିତି। କୃଷ୍ଣସାରଙ୍କ ଅନୁପସ୍ଥିତି ଯିଏ ଲଢ଼ୁଛନ୍ତି ଜୀବନ ମରଣ ସହ ଘୁଅ ମୁତରେ ଲଟର ପଟର ହୋଇ।ଯିଏ ଗଢିଛନ୍ତି ଶହ ପିଲା। ଆଜି ସେ ଏତେ ଅସହାୟ ! ମୁଁ ତାଙ୍କ ଯୋଗୁଁ ମଣିଷ।କିନ୍ତୁ କଣ ପାରିବି ସେଇ ଘୁଅ କପଡା ବଦଲେଇ ! ପୂଜା ପାଇ ପୁଷ୍ପାଞ୍ଜଳି ନୁହେଁ ଭକ୍ତି ଲୋଡ଼ା।ସେତିକ କଣ ମୋର ଅଛି ! ଲେଉଟାଣି ରାସ୍ତା ଏତେ ଲମ୍ବା !ଅସହାୟ ସାର୍ ,ବିଧବା ବୋହୁ ଓ ନିର୍ବୋଧ ନାତିକୁ ପଛରେ ଛାଡି ଆସିଲା ବେଳେ ପ୍ରାର୍ଥନା କଲି, ସାରଙ୍କୁ ମୁକ୍ତି ଦିଅ ପ୍ରଭୁ।ଆଃ ପ୍ରାର୍ଥନା ଶବ୍ଦ ସବୁ ଏତେ କରୁଣ !

     ଭେଟ ହେଲେ କେଇ ହଲ ଦମ୍ପତି।ଦିନେ ଗଢିଥିଲେ ଦାମ୍ପତ୍ୟର ସୌଧ। ଆଜି ସେଇ ଦୁହେଁ ହି ଚାହୁଁଛନ୍ତି ସୌଧଟି ଖଣ୍ଡ ବିଖଣ୍ଡିତ ହୋଇ ଭାଙ୍ଗି ପଡୁ ସେମାନଙ୍କ ଆଖି ସମାନାରେ, ନିଶବ୍ଦେ ! ପ୍ରେମ ବିବାହ।କଣ ହେଲା ଯେ ଆଜି ସେମାନଙ୍କ ସମ୍ପର୍କ କୋର୍ଟରେ ! କାଉଁନ୍ ସେଲିଙ୍ଗରେ ସତ୍ୟ ପାଠ କରୁଛନ୍ତି ମନର ପ୍ରେମ ବେଗ ଆବେଗ ! ଗାୟତ୍ରୀ ଓ ମାନସଙ୍କ ମାନସ ମନ୍ଥନ ହୋଇଛି କାଉନସେଲର ପୀତବାସ ରାଉତରାୟଙ୍କ ଦ୍ଵାରା।ନିରୋଳାରେ ଫେରି ଆସୁଛନ୍ତି ମାନସ ସମସ୍ତ ଅଭିମାନ ଅଭଯୋଗକୁ ଫିଙ୍ଗି ମାନସିକ ରୋଗାକ୍ରାନ୍ତ ଗାୟତ୍ରୀଙ୍କ ନିକଟକୁ। ମନକୁ ମୋର ପ୍ରଶ୍ନର ଝଡ଼ ଉଠେ। ଡିଭୋର୍ସ କଣ ସମ୍ପର୍କକୁ ,ଅନ୍ତରଙ୍ଗ ମୁହୂର୍ତ୍ତକୁ ଭୁଲଯାଏ !

  ଏହିପରି ଚମତ୍କାର ଗପ ଗୁଡିକ ମନକୁ ଛୁଇଁ ହୃଦୟ କାନ୍ଥରେ ଛାପି ହୋଇ ମସ୍ତିଷ୍କରେ ଛାଇ ରହିଛନ୍ତି।ଗପ ନୁହେଁ ଜୀବନକୁ ଭେଟିଛି ଭୋଗିଛି , ନିଜକୁ ଭେଟିଛି ଏବଂ ବର୍ତ୍ତମାନ ସମୟକୁ ଭୋଗିଛି ସେଥିରେ ଥିବା ଗପ ମାନଙ୍କ ଚରିତ୍ରରେ। ଭାଙ୍ଗି ଯାଉଛି ଏବେ ସମ୍ପର୍କ ଅତି ସହଜରେ। କିନ୍ତୁ ଭାଙ୍ଗି ଯାଇଥିବା ଭଙ୍ଗା କାଚର ଟୁକୁରାକୁ ରାସ୍ତାରୁ ହଟେଇ ଦେଇ ପୁରୁଣା ବିଶ୍ବାସର ଛାଇରେ ପୁଣି ଥରେ ଜୀବନର ଶିଳାନ୍ୟାସ କରିବା ଉତ୍ସ ପାଲଟିଛି ମୋ ପାଇଁ ବହି। 

    ବୋଉ ଲୋ ! ତୁ ଜନ୍ମ ଦେଇ ଶିକ୍ଷା ସଂସ୍କାର ଦେଲା ବେଳେ ବହି ଜୀଇଁବା, ଜୀବନକୁ ଚିହ୍ନେଇବା, ଏବଂ ସମ୍ପର୍କ ନିଭେଇବା ଶିଖେଇଛି।ତୋରି ଠାରୁ ବହି ଆରମ୍ଭ ହୋଇ ତୋ ଠାରେ ଶେଷ ହୋଇଛି । ଏଣୁ ମୁଁ ସାରା ଜୀବନ ତୋତେ,ତୋ ତ୍ୟାଗ,ସମର୍ପଣ, ଧୈର୍ଯ୍ୟ, କଷ୍ଟ ସହିଷ୍ଣୁ, ଲୁହ କୋହ,ଜୀଇଁବା ମାରିବା ତ ପଢୁଛି।

   ବୋଉ ସ୍ତବ୍ଧ ହୋଇ ମୋତେ କୋଳେଇ ନେଇ କହିଲା,ସାରା ଜୀବନ କେବଳ ମୋତେ ପଢ଼ିବାରେ ସାରିଦେଲୁ ! ପାଗେଳି ଟା।

     



Rate this content
Log in

Similar oriya story from Inspirational