Dr Jagatabandhu Mohapatra

Action Classics

5.0  

Dr Jagatabandhu Mohapatra

Action Classics

ଦୋଷୀ

ଦୋଷୀ

6 mins
579



"ଝୁଲ" ଓରଫ ଝୁଲିଆ ଆସିଲା ବେଳଠୁ ସେମିତି ମା’ ଗହୀରବଘେଇଙ୍କ ପାଖରେ ବସି କାନ୍ଦୁଛି I ନିଜକୁ ବହୁତ ଖରାପ ଲାଗୁଛି I କ'ଣ ବା ସେ କରିଥାନ୍ତା ? କେମିତି କରିଥାନ୍ତା ? ଦୁଃଖ ଏଇଥିପାଇଁ ଲାଗୁଛି, ସେ ସ୍ଵାତୀ ମା’ଙ୍କ ଆଗରେ ଦୋଷୀ ହୋଇ ଠିଆହୋଇଛି I ସ୍ଵାତୀ ମା’ଙ୍କ ପ୍ରତି ସେ ଅବିଚାର କରିଛି ! କାହିଁକି ସେ ବଞ୍ଚୁଥିଲା, କେଜାଣି I ବରଂ ମରି ଯାଇଥିଲେ, ଭଲ ହୋଇଥାନ୍ତା !

ସ୍ଵାତୀ ମା’ଙ୍କ ପ୍ରତି ସତରେ ସେ ବିଶ୍ଵାସଘାତକତା କରିଛି I ତା'ର ବାର ବର୍ଷର ତପସ୍ୟା ସବୁ ଶୁଖୁଆ ପୋଡ଼ାରେ ଯାଇଛି I ଝୁଲିଆକୁ ସ୍ଵାତୀ ମା’ ବହୁତ ଭରସା କରିଥିଲେ, ହେଲେ ତାଙ୍କ ଭରସା ଓ ବିଶ୍ଵାସରେ ସେ ବିଷ ମିଶେଇ ଦେଇଛି I

ସବୁ କଥା ଆଜି ତା’ ମନ ଭିତରେ ନାଚି ଉଠୁଛି I …….   

ସ୍ଵାତୀ ମା’ ସତରେ ବହୁତ ଭଲ, ବହୁତ ସ୍ନେହୀ I ଜମିଦାର ରୁଦ୍ର ନାରାୟଣ ରାୟ ବାହାଦୂର ମହାପାତ୍ରଙ୍କ ଝିଅ ସେ I ବହୁତ ବଡ ଘରର ଝିଅ I ଖାଲି ବଡ ଘରରେ ନୁହଁ, ବରଂ ମନରେ ବି ସେ ବହୁତ ବଡ I ଏତେ ବଡ଼ ଘର ଝିଅ ହୋଇ ବି ମନରେ ଗର୍ବ କି ଅହଂକାର ତାଙ୍କର ନାହିଁ l ରୁଦ୍ର ନାରାୟଣ ରାୟ ବାହାଦୂର ମହାପାତ୍ରଙ୍କ ଅଚଳାଚଳ ସମ୍ପତ୍ତିର ଏକମାତ୍ର ଉତ୍ତର ଅଧିକାରୀ ତ ସ୍ୱାତୀ ମା' I

ରୁଦ୍ର ନାରାୟଣ ରାୟ ବାହାଦୂର ମହାପାତ୍ରଙ୍କ କୌଣସି ପୁଅ ନ ଥିବାରୁ ଘର ଜ୍ଵାଇଁ ହିସାବରେ ସେ ତାଙ୍କ ନିଜ ସାଙ୍ଗର ପୁଅ ସହ ସ୍ଵାତୀ ମା’ଙ୍କ ବିବାହ କରିଦେଇଥିଲେ I ବାହାଘର ପରେ ଜମିବାଡ଼ି, ପୋଖରୀ, ମନ୍ଦିର, ତୋଟା, ଦୋକାନ ଘର, ମିଲ ସବୁକଥା ତ ସ୍ଵାତୀ ମା’ଙ୍କ ସ୍ଵାମୀ ତୁଷାର ବାବୁ ବୁଝନ୍ତି I ଅବଶ୍ୟ ହିସାବକିତାବ ସବୁ ତାଙ୍କ ମୁନସୀ କରନ୍ତି I ତୁଷାର ବାବୁ ପ୍ରତି ମାସରେ ବ୍ୟବସାୟ କାମରେ ବାହାରକୁ ଯାଆନ୍ତି I ଚାରି ପାଞ୍ଚ ଦିନ ବାହାରେ ରହି କାମ ସାରି ସେ ରାୟ ବାହାଦୂର କୋଠିକୁ ଫେରନ୍ତି l 

ସ୍ଵାତୀ ମା’ଙ୍କ ଦୁଇ ପୁଅ I ରାକେଶ ବାବୁ ଆଉ ବିକାଶ ବାବୁ I ଏବେ ତ ସେମାନେ ବିଦେଶରେ ରହୁଛନ୍ତି I ଅଚଳାଚଳ ସମ୍ପତ୍ତିର ଦେଖାରଖା କରିବାକୁ ତ କେହି ନାହାନ୍ତି, ଝୁଲିଆ ଛଡା I

ଝୁଲଣ ପୁନେଇ ଦିନ ସ୍ଵାତୀ ମା’ ମନ୍ଦିରରୁ ତାକୁ ଆଣିଥିଲେ, ତାଙ୍କ ରାୟ ବାହାଦୂର କୋଠିକୁ I ସେଥିପାଇଁ ତ ତା’ ନା ଦେଇଛନ୍ତି, ଝୁଲିଆ I ତା’ ବାପା ମା’ କିଏ ? ଏକଥା ଝୁଲିଆ କ'ଣ, କେହି ବି ଜାଣିନାହାନ୍ତି I ଶୁଣିଥିଲା, ଭୋରରୁ ଭୋରରୁ କିଏ ଆଣି ଗହୀରବଘେଇଙ୍କ ବେଢାରେ ଛାଡି ଦେଇଥିଲେ, ତାକୁ I ସ୍ଵାତୀ ମା’ ମନ୍ଦିରକୁ ଯାଇଥିଲା ବେଳେ ଝୁଲିଆକୁ ରାହା ଧରି କାନ୍ଦୁଥିବା ଅବସ୍ଥାରେ ନେଇ ଆସିଥିଲେ I କ'ଣ ପାଇଁ କେଜାଣି ଦୟା ଆସିଥିଲା, ସ୍ଵାତୀ ମା’ଙ୍କୁ ଝୁଲିଆକୁ ଦେଖି I ଜମିଦାରୀ ରକ୍ତ ତାଙ୍କ ଦେହରେ ବୋହୁଛି I ତାଙ୍କ କୋଠିରେ କେତେ ଲୋକ ଖାଇ ପିଇ ରହୁଛନ୍ତି, ଝୁଲିଆ ବି ରହିବ I ଏଥିରେ ତାଙ୍କୁ କିଏ ବା ମନା କରିବ ?

ସ୍ଵାତୀ ମା’ ନ କହିବା ପୂର୍ବରୁ ଝୁଲିଆ ସବୁ କାମ କରିଦିଏ, ମନ ପ୍ରାଣ ଦେଇ I ସ୍ଵାତୀ ମା’ଙ୍କ ଦୁଇ ପୁଅଙ୍କୁ ଧରିବା, ତାଙ୍କୁ ଖେଳେଇବା ଏଇ କାମ ତ ସବୁ ଝୁଲିଆ କରୁଥିଲା I କେବେ ବି ଥକେନି ସେ, ସମୟ ଅନୁସାରେ ତା’ କାମ ବହୁତ ନିଷ୍ଠାର ସହ କରିଦିଏ, ଝୁଲିଆ I ସ୍ଵାତୀ ମା’ ଝୁଲିଆକୁ ନିଜ ପାଇଁ ଶୁଭ ମାନନ୍ତି I କାରଣ ଝୁଲିଆ ଆସିବା ପରେ ରାକେଶ ବାବୁ ଆଉ ବିକାଶ ବାବୁଙ୍କ ଜନ୍ମ ହୋଇଥିଲା I କଥା ଛଳରେ, ସ୍ଵାତୀ ମା’ କହିଦିଅନ୍ତି, ଝୁଲିଆ ମୋର ଧର୍ମର ଫଳ I ଏଇ କଥାପଦକ ଶୁଣିଦେଲେ, ଝୁଲିଆର ମନ କୁଣ୍ଢେ ମୋଟ ହୋଇଯାଏ I ବହୁତ ଖୁସି ଲାଗେ, ତାକୁ l ସବୁ ଦୁଃଖ ଭୁଲିଯାଏ, ସେ l

ଝୁଲିଆ ଦେଖିବାକୁ କଳା ଆଉ ଗେଡା I ଚେପଟା ନାକ I କୁଞ୍ଚୁ କୁଞ୍ଚିଆ ଚୁଟି I ଘରର ସବୁ କାମ ତ ମନ ଦେଇ ସେ କରୁଛି I ହେଲେ ତୁଷାର ବାବୁ ତାକୁ ମନକୁ ଆଣନ୍ତିନି I ବିରକ୍ତରେ ତୁଷାର ବାବୁ ତ କହି ପକାନ୍ତି, ଘରେ ଏତେ ଚାକରବାକର ଅଛନ୍ତି, ଏଇ ନିଗ୍ରୋଟାକୁ କ'ଣ ପାଇଁ ତମେ ନେଇ ଆସିଲ, କେଜାଣି I ସେତେବେଳେ ଝୁଲିଆକୁ ବହୁତ ବାଧେ, କିନ୍ତୁ ସେ ତ କେବଳ ସ୍ଵାତୀ ମା’ଙ୍କ ଯୋଗୁଁ ଏ ଘରେ ପଡି ରହିଛି I 

ସମୟ ଗଡିଚାଲେ, ଆଗକୁ ଆଗକୁ I ରାକେଶ ବାବୁ ଆଉ ବିକାଶ ବାବୁ ସ୍କୁଲ ଗଲା ପରଠୁ ଆଉ ସେ ଘର ଭିତରକୁ ପଶିବାକୁ ଇଚ୍ଛା କରିନି I ସେ ବୁଝିଛି, ଯଦି ସ୍ଵାତୀ ମା’ ତାକୁ ଆଣି ଏଠି ଆଶ୍ରୟ ଦେଇ ନଥାନ୍ତେ, ତାହାଲେ ସେ ତ କେଉଁଠି ଭିକ ମାଗୁଥାନ୍ତା I ସ୍ଵାତୀ ମା’ କିନ୍ତୁ ଝୁଲିଆକୁ ବହୁତ ସ୍ନେହ ଆଉ ଶ୍ରଦ୍ଧା କରନ୍ତି I ଗାଈ ଗୁହାଳ ଘର ପାଖରେ ଥିବା ବଖରାଟିରେ ରହି ସବୁ କାମଦାମ କରେ I ସକାଳୁ ଉଠି ଗାଈ, ଗୋରୁ କାମ ସାରି ସ୍ଵାତୀ ମା’ଙ୍କ ପାଇଁ ଫୁଲ ଆଣିବା I ସ୍ଵାତୀ ମା’ ପୂଜା କରିବାକୁ ଭଲ ପାଆନ୍ତି, ବୋଲି ତାଙ୍କ ପାଇଁ କେତେ ରଙ୍ଗ ବେରଙ୍ଗର ଫୁଲ ଆଣିବା I ଆଉ ଦରକାର ପଡିଲେ, ପାଖ ଦୋକାନରୁ ସଉଦା ଆଣିବା I

ସମୟର ସ୍ରୋତରେ ଧୀରେ ଧୀରେ ଜମିଦାରୀ କୋଠିରେ ଚାକର ପୂଜାରୀଙ୍କ ସଂଖ୍ୟା କମିଯାଏ I କିନ୍ତୁ ଝୁଲିଆ ସେମିତି ପଡ଼ିରହିଛି, ଜଣେ ବିଶ୍ଵସ୍ତ ସେବକ ପରି I ରାକେଶ ବାବୁ ଆଉ ବିକାଶ ବାବୁଙ୍କର ବାହାଘର ବି ହୋଇଯାଇଛି I ସେମାନେ ଦୁଇଜଣ ସେମାନଙ୍କ ପରିବାର ସହ ବିଦେଶରେ ରହୁଛନ୍ତି I

ଜମିବାଡ଼ି, ପୋଖରୀ, ତୋଟା କଥା ଜଣେ ଗୁମାସ୍ତା ବୁଝୁଛନ୍ତି l ଦୋକାନ ଆଉ ମିଲ କଥା ଏବେ ତୁଷାର ବାବୁ ବୁଝୁଛନ୍ତି I ଦିନସାରା ତୁଷାର ବାବୁ ସେଠାରେ ରହନ୍ତି I ଦ୍ୱିପ୍ରହରରେ ଝୁଲିଆ ଟିଫିନରେ ଖାଇବା ନେଇ ଦେଇକରି ଆସେ, ଦୋକାନରେ I ଏବେ ତୁଷାର ବାବୁ ବି ଅଭ୍ୟସ୍ତ ହୋଇ ଗଲେଣି, ଝୁଲିଆ ସହ I ଆଉ ତା’ ଉପରେ ବିରକ୍ତ ହୁଅନ୍ତିନି I କାରଣ ସବୁ କାମରେ ତ ଝୁଲିଆ ଲୋଡ଼ା l

ସ୍ଵାତୀ ମା’ ରାତିରେ ଖାଇବା ବେଳେ କହି ଦିଅନ୍ତି, କେତେବେଳେ କେମିତି, ଆମର ବୁଢା ବୁଢୀ ଅବସ୍ଥାରେ ଏଇ ଝୁଲ ତ ଆମ ସାହା ଭରସା I ଆଉ ସ୍ଵାତୀ ମା’ ଏକଥା ବି କହନ୍ତି, ସେ ବି ଆମର ଗୋଟେ ପୁଅ I କିନ୍ତୁ ଆମେ ତା’ ପ୍ରତି ଅବିଚାର କରିଛେ I ତାକୁ ଦି ଅକ୍ଷର ପାଠ ପଢେଇଥିଲେ, ବହୁତ ଭଲ ହୋଇଥାନ୍ତା I ମୋ ଜୀବନର ଏଇଟା ଗୋଟେ ଦୁଃଖ ରହିଗଲା I ଚୁପ ରହନ୍ତି, ତୁଷାର ବାବୁ I କିଛି ବି କୁହନ୍ତିନି, ସେ l

ଝୁଲିଆ ଏବେ ମୂଳ କୋଠି ଭିତରେ ଗୋଟେ ବଖରାରେ ରହୁଛି I ସବୁ କଥା ତ ସେ ବୁଝୁଛି, କିନ୍ତୁ ହିସାବକିତାବ କରି ପାରେନି, ସେ I ଏଥିପାଇଁ ସବୁ ଦୋଷ ନିଜ ମୁଣ୍ଡକୁ ନିଅନ୍ତି, ସ୍ଵାତୀ ମା’ I ଏଥିପାଇଁ ସ୍ୱାତୀ ମା' ନିଜକୁ ଦୋଷୀ ବୋଲି ମନେ କରନ୍ତି l

ଡ୍ରାଇଭର ରଘୁଆଠାରୁ ଗାଡି ଚଳେଇବା ବି ଶିଖିନେଲା, ଝୁଲିଆ I ବହୁତ ଜଲଦି ଗାଡି ଶିଖିନେଲା, ସେ l ଏକଥା ରଘୁଆ ସ୍ୱାତୀ ମା'ଙ୍କୁ କହିଲା ବେଳେ ସ୍ୱାତୀ ମା' କେତେ ଖୁସି ହୋଇଥିଲେ, ସେଦିନ l 

ସେଦିନ କଥା ବି ସବୁ ମନେ ପଡି ଯାଉଛି l ରଘୁଆର ମା’ ଆରପାରିକୁ ଚାଲିଯିବାରୁ ବ୍ୟବସାୟ କାମ ପାଇଁ ଝୁଲିଆକୁ ନେଇ ତୁଷାର ବାବୁ ବାହାରକୁ ବାହାରି ଗଲେ I ତୁଷାର ବାବୁ ଆଗରୁ ଯେତେବେଳେ ଯାଆନ୍ତି, ଚାରି ପାଞ୍ଚ ଦିନ ରହନ୍ତି I କିନ୍ତୁ ସେଠି ଯାଇ ଝୁଲିଆ ଯାହା ଦେଖିଲା, ତା’ ପାଦ ତଳୁ ମାଟି ଖସିଗଲା I ତୁଷାର ବାବୁଙ୍କର ଆଉ ଗୋଟେ ସ୍ତ୍ରୀ ଅଛନ୍ତି I ତୁଷାର ବାବୁ ଝୁଲିଆକୁ ତାଙ୍କ ମୁଣ୍ଡ ଛୁଆଁଇ ମନା କଲେ, ଏକଥା ସ୍ଵାତୀ ମା’ଙ୍କ ଆଗରେ ନ କହିବାକୁ I ଏକଥା ବି ସେ ଜାଣିଲା, ଏଠି ଯେଉଁ ମା’ ଅଛନ୍ତି, ତାଙ୍କୁ ତୁଷାର ବାବୁ ଭଲ ପାଇ ମନ୍ଦିରରେ ବାହା ହୋଇଥିଲେ I ଆଉ ନିଜ ବାପାଙ୍କ ଜିଦ ଯୋଗୁଁ ସେ ସ୍ଵାତୀ ମା’ଙ୍କୁ ବାହା ହୋଇଥିଲେ I ସ୍ଵାତୀ ମା’ଙ୍କୁ ବାହା ହୋଇଥିବାରୁ ସେ ରାୟ ବାହାଦୂର ଘରର ଜ୍ଵାଇଁ ହୋଇଥିଲେ I ରାୟ ବାହାଦୂର ଘରର ଭୟରେ ସେ ଏକଥା କାହାକୁ ନ କହି ମିତା ମା’ଙ୍କୁ ଏଠି ରଖିଛନ୍ତି I ଆଉ ସେଇଥିପାଇଁ ପ୍ରତି ମାସରେ ସେ ଆସନ୍ତି, ଏଠିକି, ମିତା ମା’ ଓ ତାଙ୍କ ଝିଅ କାବେରୀ ଦିଦିଙ୍କ ପାଖକୁ I ଏଥରକ କାବେରୀ ଦିଦିଙ୍କ ବାହାଘର ପାଇଁ ସେ ଆସିଥିଲେ I    

ଝୁଲିଆକୁ ସେତେବେଳେ ଉପଲବ୍ଧି ହୋଇଥିଲା, ଭଲ ହୋଇଛି, ମୁଁ ଗୋଟେ ମୂକ I ଆହୁରି ଭଲ ହୋଇଛି, ସ୍ଵାତୀ ମା’ ମୋତେ ପାଠ ପଢାଇ ନାହାନ୍ତି, ତୁଷାର ବାବୁଙ୍କ ଭୟରେ I ନିଜ ମନ ଭିତରେ ବହୁତ ଦ୍ଵନ୍ଦ ସୃଷ୍ଟି ହୋଇଥିଲା I ନ କହିଲେ, ନିଜକୁ ଦୋଷୀ ବୋଲି ମନେ ହେଉଛି, ଏପଟେ କହିଲେ, କାଳେ ସ୍ଵାତୀ ମା’ ଦୁଃଖରେ ଭାଙ୍ଗି ପଡ଼ିବେ I ତାଙ୍କର ଯଦି କଣ ହୋଇଯିବ ! କ’ଣ କରିବ ! କିଛି ବି ଭାବି ପାରୁ ନଥିଲା, ସେ I

ସାତ ଦିନ ରହିବା ପରେ ତୁଷାର ବାବୁ ଆଉ ଝୁଲିଆ ଫେରିଲେ, ସ୍ଵାତୀ ମା’ଙ୍କ ପାଖକୁ I ସ୍ଵାତୀ ମା’ ବି କିଛି ପଚାରିଲେ ନାହିଁ I କାରଣ ତୁଷାର ବାବୁ ତ ପ୍ରତି ମାସରେ ଯାଆନ୍ତି I ଅବଶ୍ୟ ଏଥରକ ଟିକେ ଅଧିକା ଦିନ ହୋଇଯାଇଛି I ସେଦିନଠୁ ଝୁଲିଆ ନିଜକୁ ଦୋଷୀ ବୋଲି ଭାବେ, ଅନ୍ତର ଭିତରୁ କେମିତି ଗୋଟେ ଖରାପ ଲାଗେ I ସ୍ଵାତୀ ମା’ଙ୍କ ପ୍ରତି ବହୁତ ମନ ଦୁଃଖ ହୁଏ, ତା'ର I ବେଳେବେଳେ ତା’ ମନରେ ଭାବାନ୍ତର ସୃଷ୍ଟି ହୁଏ, ସେ ସ୍ଵାତୀ ମା’ଙ୍କୁ ଅନ୍ଧାରରେ ରଖି ତାଙ୍କ ବିଶ୍ଵାସରେ ବିଷ ଦେଉନି ତ ! ମନ ଭିତରେ ବହୁତ ଛାଟି ପିଟି ହେଉଥାଏ, ସେ l

ତା’ ପରେ ରଘୁଆ ଆସିବା ପରେ ତୁଷାର ବାବୁ ତା’ ସହ ସେମିତି ଯାଆନ୍ତି, ସେମିତି ପ୍ରତି ମାସରେ ଯାଆନ୍ତି I ବ୍ୟବସାୟ କାମ କହି ମିତା ମା'ଙ୍କ ପାଖକୁ l

ସେଦିନ ଆଜି ବି ମନେ ପଡିଯାଉଛି, ତୁଷାର ବାବୁଙ୍କ ଗୋଟେ ଜରୁରୀ ଫୋନ ଆସିବାରୁ ସେ ତରତର ହୋଇ ଝୁଲିଆକୁ ଧରି ପଳେଇଗଲେ I ମିତା ମା’ଙ୍କ ଦେହ ବହୁତ ଖରାପ ହେବାରୁ ଫେରିବାରେ ଡେରି ହେଉଥାଏ I ମିତା ମା’ ଚାଲିଗଲେ, ଆରପାରିକୁ I ସବୁ କାମ ସାରି ଆମେ ଫେରିଥିଲୁ, ରାୟ ବାହାଦୂର କୋଠିକୁ I ତୁଷାର ବାବୁ ବହୁତ ମନ ଦୁଃଖରେ ଥାନ୍ତି I ନିଜ ଆଟାଜ ସହ ଆଉ କିଛି ଜିନିଷ ଧରି ଆମେ ପହଁଚିଥିଲୁ I ସ୍ଵାତୀ ମା’ଙ୍କୁ କେମିତି ଗୋଟେ ଅଜବ ଅଜବ ଲାଗୁଥାଏ I ସ୍ଵାତୀ ମା’ ଝୁଲିଆକୁ କ'ଣ ବା ପଚାରିବେ ? ସେ କ'ଣ ବା କହିବ ? କେମିତି ଅବା କହିବ ? ସେ ତ ମୂକ I ପାଠଶାଠ ପଢିଥିଲେ, ସିନା ଲେଖା ଲେଖି କରି ଜଣେଇଥାନ୍ତା, ସେ I  

ତୁଷାର ବାବୁ ସବୁ ସତ କଥା ସ୍ଵାତୀ ମା’ଙ୍କୁ କହିଥିଲେ I ସ୍ଵାତୀ ମା’ ପ୍ରଥମଥର ପାଇଁ ରାହା ଧରି କାନ୍ଦୁଥିଲେ, ଗୋଟେ ଛୋଟ ପିଲା ପରି I ଏମିତି ସ୍ୱାତୀ ମା'ଙ୍କୁ କାନ୍ଦିବାର କେବେ ବି ସେ ଦେଖି ନ ଥିଲା l ବହୁତ ଭାଙ୍ଗି ପଡ଼ିଥିଲେ, ସ୍ୱାତୀ ମା' I ଝୁଲିଆକୁ ବାରମ୍ବାର କହୁଥିଲେ, ଝୁଲରେ ତୁ ବି ମୋତେ ଏଇ କଥା ଲୁଚେଇ ରଖିଥିଲୁ I ତୋଠୁ ମୁଁ ଏମିତି ଆଶା କରି ନଥିଲିରେ I ତଥାପି ଝୁଲିଆ ସେମିତି ଚୁପଚାପ ଥାଏ I ନିରବ ଆଉ ନିର୍ବିକାର l 

କୌଣସି ସ୍ତ୍ରୀ କ'ଣ ଏକଥା ସହି ପାରିବ ? ସତରେ କେତେ କଷ୍ଟ ନ ହୋଇଥିବ, ସ୍ୱାତୀ ମା'ଙ୍କୁ l ଅଭିମାନ ଆଉ ରାଗରେ ସ୍ୱାତୀ ମା' ରାଗିକି ବାହାରିଯା, ଏ ଘରୁ ବୋଲି କହିଦେଇଥିଲେ, ଝୁଲିଆକୁ I ପ୍ରଥମ ଥର ପାଇଁ ତା' ଉପରେ ସ୍ୱାତୀ ମା'ଙ୍କୁ ରାଗିବାର ସେ ଦେଖିଥିଲା, ସେଦିନ l ଝୁଲିଆ ଆଖିରୁ ଲୁହ ବୋହି ଯାଉଥାଏ,  ତଥାପି ଝୁଲିଆ ସ୍ଵାତୀ ମା’ଙ୍କୁ ମୁଣ୍ଡିଆଟେ ମାରି ପଳେଇଆସିଲା, ମା’ ଗହୀରବଘେଇଙ୍କ ପାଖକୁ I ଗୋଟେ ମା' ପାଖରୁ ଆଉ ଗୋଟେ ମା' ପାଖକୁ l

ହଠାତ୍ "ଝୁଲ"...... "ଝୁଲ" ବୋଲି କେହି ଜଣେ ପଛରୁ ଡାକିବାରୁ ଝୁଲିଆ ପଛପଟକୁ ଅନାଇ ଦେଖେ, ତ ସ୍ଵାତୀ ମା’ I 

ସ୍ଵାତୀ ମା’ଙ୍କ ଆଖିରେ ଆଖିଏ ଲୁହ l ଝୁଲ, ତୁ ମୋର ବି ଗୋଟେ ପୁଅରେ I ତତେ ରାଗିକି କହିଦେଲି, ବୋଲି ତୁ ପଳେଇଆସିଲୁ ? ଚାଲ, ଝୁଲ ଆମେ କାବେରୀ ଘରକୁ ଯିବା, ସେ ବି ମୋର ତ ଗୋଟେ ଝିଅ ନା I ଆଗରୁ ଭାବୁଥିଲି, ମୋର ତିନିଟା ପୁଅ ବୋଲି ଏବେ ମୋର ତିନି ପୁଅ ଆଉ ଗୋଟେ ଝିଅ l 

କିଛି ବି ବୁଝି ପାରୁ ନଥିଲା, ଝୁଲିଆ I ସେ କେବଳ ଏତିକି ବୁଝୁଥିଲା, ସ୍ଵାତୀ ମା’ ଆଗରେ ସେ ଗୋଟେ ଦୋଷୀ I                       




Rate this content
Log in

Similar oriya story from Action