Sudeshna Misra

Action Inspirational Others

4.4  

Sudeshna Misra

Action Inspirational Others

ବିଶାଖା

ବିଶାଖା

6 mins
541


ବିଶାଖା ନିଜକୁ ଏତେ ବିବଶ ବୋଧ କରୁଥିଲା ଯେ , ଖବର କାଗଜଟା ଧରିଥିଲେବି ଅକ୍ଷର ସବୁ ମୁଣ୍ଡରେ ପଶୁନଥିଲା । ଭାବିଲା ଟିକେ ଖଟରେ ଗଡିପଡିଲେ ନିଦ ହେଇଯିବ । ଆଉ ସବୁକଥା ଭୂଲିଯିବ। କିନ୍ତୁ ଗୁଡେ଼ତୁଡେଇ ପୁଣି ସେଇ କଥା ମୁଣ୍ଡକୁ ଆସିଗଲା । 

"ବୋହୁ ସାଆନ୍ତାଣୀ ବୋହୁ ସାଆନ୍ତାଣୀ" ଏଇଡାକରେ ଭାବନା ରାଜ୍ୟ ରୁ ଫେରି ଆସିଲା ବିଶାଖା। ଓଃ ନଟିଆମା ଡାକୁଛି । "କଣ କିରେ ଭିତରକୁ ଆସୁନ କହିଲା"

ତମ ପାଇଁ ଚାହା କରିଦେବି, ଚାରିଟା ବାଜିବ ଚାହା କରିସାରି ଘରକୁ ଯିବି। 

ମାମା ଉଠିଲେଣି କି ପଚାରିଲା ବିଶାଖା । 

ନା ଉଠିନାହାଁନ୍ତି । 

ହଉ ତେବେ ତୁ ଯା , ମାମା ଉଠିଲେ ମୁଁ ଚାହା କରିବି, ମିଶିକି ପିଇବୁ। 


କେବଳ ଏ ନଟିଆମା ଟି ଅଛି , ଆଉ ସବୁ ଲୋକ କାମ ଛାଡି ଚାଲିଗଲେଣି। ଆଗରୁ ପ୍ରାୟ ୪/୫ ଜଣ କାମ କରିବା ଲୋକ ଘରେ ଥିଲେ। ନଟିଆମା ଘରଓଳା ବାସନମଜା ଓ ରୋଷେଇ ଯୋଗାଡ଼ ପ୍ରାୟ ସବୁ କରିଦିଏ।ଏତେବଡ଼ ଉଆସ ପରି ଘରେ ନିଜେ ବିଶାଖା ତାର ପୁଅ ସମର, ଝିଅ ତନ୍ବି ଓ ଶାଶୁ ରହୁଛନ୍ତି। ବେଶ୍ ଏକୁଟିଆ ଲାଗେ। ରାତିରେ ତ ମାଡ଼ି ମାଡ଼ି ପଡେ ଘରଟା । ଅବଶ୍ୟ ରାତିରେ ନଟିଆ ଆସି ଘରବାଡି ଦେଖାଦେଖି କରି ବନ୍ଦବାନ୍ଦ କରେ ଓ ଜଗିକି ଶୁଏ।


 ଏମ୍ ଏ ପଢ଼ିବା ପରେ ବିଶାଖାର ଡକ୍ଟରେଟ କରିବାକୂ ବହୁତ ଇଚ୍ଛା ଥିଲା। କିନ୍ତୁ ବାହା ହେବାପରେ ଆଉ ସମ୍ଭବ ହେଲାନି କିଛି। ମନେପଡିଲା ତାର ବାପାଙ୍କ କଥା। "ତତେ ପାଠ ପଢେଇଛି, ଖାଲି ଚାକିରି ପାଇଁ ନୁହେଁ , ଘର ବାହାର ସବୁକାମ କରିପାରିବୁ। କୌଣସି କାମରେ ହଟିଯିବୁନି ମା।" ସେତେବେଳେ ବିଶାଖା ସେକଥା ବୁଝିପାରି ଥିଲା କି ନାହିଁ ମନେ ପଡୁନି। ବୋଧେ ଆଜି ସେ ସମୟ ଆସିଯାଇଛି ବାପାଙ୍କ ସେ କଥା କୁ କାମରେ ଲଗାଇବା ପାଇଁ। ଜମିଦାର ଘରର ସ୍ତ୍ରୀ ଲୋକମାନେ ବିଶେଷ ବାହାରକୁ ଯିବାର ପରମ୍ପରା ନାହିଁ। କିନ୍ତୁ ବିଶାଖା କୁ ବହୁତ ବିଷୟରେ 'ଛାଡ' ଥିଲା। କାରଣ ତା ଶଶୁର ଆଉ ବାବା ବହୁତ ଭଲ ସାଙ୍ଗଥିଲେ। ଯେହେତୁ ଶଶୁର ଜାଣିଥିଲେ ସେ ସହରରେ ବଢ଼ିଛି ଓ ପଢାପଢି କରିଛି, ତେଣୁ ଘରର ଚଉହଦି ଭିତରେ ତାକୁ ରଖିବାକୁ ଚାହିଁ ନଥିଲେ। ସେଇ ସୁବିଧା ନେଇ ବିଶାଖା ଗାଁ ର କିଛି ଝିଅ ବୋହୁ ଙ୍କ ସହ ମିଶେ ଓ ସାଙ୍ଗସାଥୀ ହେଇ ପର୍ବପର୍ବାଣୀ ଓ କିଛି ସାମାଜିକ କାର୍ଯ୍ୟକ୍ରମ ରେ ଭାଗନିଏ। ଖାଲି ଭାଗ ନିଏନି ରିତିମତ ନେତୃତ୍ୱ ନିଏ।

 

 ପ୍ରତାପଗଡ଼ ଜମିଦାରୀ ଥିଲା ତାଙ୍କର। ଗାଁ ର ନାଁ ଥିଲା ପ୍ରତାପପୁର। ତାର ଜେଜେବାପା ଶଶୂର ପୁରା ଜମିଦାର ଢାଞ୍ଚାରେ ଚଳୁଥିଲେ ବୋଲି ଶୁଣିଛି ବିଶାଖା। ପ୍ରତାପପୁର ଗାଁ ର ଅଧିକାଂଶ ଅଧିବାସୀ ଙ୍କୁ ତାଙ୍କରି ପରିବାର ର ପୂର୍ବପୁରୁଷ ଆଣି ବିଭିନ୍ନ କାର୍ଯ୍ଯଲାଗି ଜାଗାବାଡି ଦେଇ ରଖେଇଥିଲେ। ତା ଶଶୂର ଜମିଦାରୀ ବୁଝୁଥିଲେ ସତ ,କିନ୍ତୁ ଜଣେ ସମାଜସେବୀ ଥିଲେ। ସାତଖଣ୍ଡ ଗାଁ ରେ ତାଙ୍କର ଭାରି ନାଁ ଡାକ। ଯେହେତୁ ସେ ଜଣେ ନିର୍ଲୋଭୀ ଓ ପରୋପକାରୀ ବ୍ଯକ୍ତି ଥିଲେ, ତେଣୁ ଜମିଦାରୀ ବଢେଇ ପାରି ନଥିଲେ। ସେହେତୁ ରୋଜଗାର ର ପନ୍ଥା ମଧ୍ୟ ବହୁତ ଅଧିକ ନଥିଲା କିମ୍ବା ଅତ୍ଯଧିକ ଅର୍ଥ ଓ ସମ୍ପତ୍ତି ଗଚ୍ଛିତ ନଥିଲା।


ପୁଅ ପ୍ରତାପ କୁ ବିଦେଶରେ ପାଠ ପଢେଇବାରେ ଓ ଝିଅ ପୁଅ ଦୁଇଜଣଙ୍କର ଜାକଜମକରେ ବାହାଘର ରେ ଅନେକ ଖର୍ଚ୍ଚ କରିଥିଲେ। ପ୍ରତାପଙ୍କର ବିଜିନେସ୍ ମ୍ୟାନେଜମେଣ୍ଟ ପଢାରେ ଓ ନିଜର ଫ୍ଯାକଟ୍ରି ବସାଇବାରେ କିଛି ଜମି ବିକ୍ରି ଓ କିଛି ବନ୍ଧକ ପଡ଼ିଥିଲା। 


ତାପରେ ଶଶୁର ଙ୍କ ଦେହ ଖରାପ ହେଲା। ଅନେକ ଚିକିତ୍ସା ପରେ ପ୍ରାୟ ଦେଢ଼ ବର୍ଷ ଭିତରେ ମାତ୍ର ପଞ୍ଚଷଠି ବର୍ଷ ରେ ସେ ଦେହତ୍ୟାଗ କଲେ। 

ବାପାଙ୍କ ମୃତ୍ୟୁ ପରେ ଧିମେଇଯାଇଥିବା ବିଜିନେସ୍ କୁ ସଜାଡିବାକୁ ଚେଷ୍ଟା କଲେ ପ୍ରତାପ। ପ୍ରାୟ ସବୁ ପ୍ରସ୍ତୁତି କାମ ହେଇ ଫ୍ଯାକ୍ଟେରି ଚାଲିବାକୁ ଆରମ୍ଭ କଲା, କିନ୍ତୁ ଉତ୍ପାଦନ ଆରମ୍ଭ ହେଇନଥିଲା । କଥାରେ ଅଛି ଦୁଃଖ ଏକୁଟିଆ ଆସେନି ସାଙ୍ଗସାଥୀ ନେଇକି ଆସେ । ଅଳ୍ପଦିନ ଭିତରେ କାର୍ ଦୁର୍ଘଟଣା ରେ ଚାଲିଗଲେ ପ୍ରତାପ୍। ଏହାଥିଲା ତାଙ୍କ ପରିବାର ପ୍ରତି ଏକ ବଜ୍ରପାତ। ବିଶାଖା ପାଇଁ ଜଣେ ଅତି ପ୍ରିୟ ବ୍ଯକ୍ତି ର ବିଚ୍ଛେଦ ଯେତିକି ଯନ୍ତ୍ରଣାଦାୟକ ଥିଲା, ସେତିକି କଷ୍ଟ ଥିଲା ନିଜକୁ ଓ ନିଜ ପରିବାର ପ୍ରତିପୋଷଣ । 


 ବାପାଙ୍କ ସେଇ କଥା ଦୋହରଉ ଥିଲା ତାର ମନ, ସାର୍ଟିଫିକେଟ ପାଇଁ ସେ ପାଠ ପଢିନି, ଘର ବାହାର ସବୁକାମ କରିପାରିବା ଶିକ୍ଷା ଦେଉଥିଲେ ତା ବାପା। ଅନେକ ଭାବିଲା, କିନ୍ତୁ କିପରି କଣ କରିବ କିଛି ବୁଝିପାରୁନଥିଲା। ବର୍ତ୍ତମାନ ପରିସ୍ଥିତିରେ ଫ୍ଯାକ୍ଟେରି ଚଳେଇବା ଏତେ ସହଜ ନୁହେଁ। କାରଣ,ବିଶାଖା ଓ ପ୍ରତାପଙ୍କ ମାଙ୍କର ବିଜନେସ୍ ଓ ଫ୍ଯାକ୍ଟେରି ବିଷୟରେ ବିଶେଷ କିଛି ଧାରଣା ନଥିଲା।


 କିଛି ଭାଗ ଲାଗିଥିବା ଜମିରୁ ଯେଉଁ ଫସଲ ଆସୁଥିଲା ସେଥିରେ ତ ସେମାନଙ୍କ ଘର ଖର୍ଚ୍ଚ ବେଶ୍ ଭଲରେ ଚଳିଯାଉଥିଲା। ଆଉ ଦରକାର ଥିଲା ପାଠପଢ଼ା, ସାମାଜିକ ତଥା ସ୍ବାସ୍ଥ୍ୟ ନିମନ୍ତେ ଖର୍ଚ୍ଚ ପାଇଁ । ଅନେକ ଭାବିଲା ପରେ ତା ମନରେ କିଛି କିଛି ବୁଦ୍ଧି ଆସିଲା, କିନ୍ତୁ ସେଥିପାଇଁ ଜମି ଓ କିଛି ପୁଞ୍ଜି ର ଆବଶ୍ୟକ। ତାଙ୍କର ଅନେକ ଜମି କାରଖାନା ପାଇଁ ବନ୍ଧା ପଡ଼ିଥିଲା , ଯାହାକୁ ମୁକୁଳେଇବା କଥା ସେ ଚିନ୍ତା କରୁଥିଲା। ଆଉ ଅର୍ଥ ଥିଲା ବାଧକ। 

 

ଅନେକ ଦିନ ଗରମ ପରେ ଆଜି ଝିପି ଝିପି ବର୍ଷା ହେଉଛି। ଝରକା ଦେଇ ବାହାରକୁ ଚାହିଁଥିଲା ବିଶାଖା । ଏଇ ପହିଲି ବର୍ଷା ସବୁବେଳେ ତା ମନକୁ ଆମୋଦିତ କରୁଥିଲା । ମନେପଡିଲା ଥରେ କିପରି ସେ ଓ ପ୍ରତାପ ବର୍ଷା ରେ ଓଦା ହେଇ ଆଉଜଣଙ୍କ ପିଣ୍ଡାରେ ଠିଆ ହେଇଥିଲେ । ଓଳିରୁ ପଡ଼ୁଥିବା ପାଣିକୁ ସେ ଚାହିଁ ରହି ଥିଲା ଏକଲୟରେ। ପ୍ରତାପ ତା ହାତକୁ ଚାପିଧରି ଫିସ୍ ଫିସ୍ କରି ତା କାନ ପାଖରେ କହିଲେ କଣ ଭାବୁଛ ଏତେ? "ଆରେ ନା କିଛି ନୁହେଁ।" "ଏଇ ଆମ ଫ୍ଯାକ୍ଟେରି କଥା କି । ଦେଖିବ ଫ୍ଯାକ୍ଟେରି ଚାଲିଲେ ଆମେ ଜମି ସବୁ ମୁକୁଳେଇ ଆଣିବା ଆଉ ପୁଣି ସବୁ ଆଗଭଳି ହେଇଯିବ।" ଦଲକାଏ ଥଣ୍ଡା ପବନ ସହ ବର୍ଷାପାଣି ଛିଟିକି ପଡ଼ିଲା ତା ମୁହଁ ରେ। ସେଇ ଶୀତଳ ସ୍ପର୍ଶ ରେ ପୁରୁଣା କଥା ଭାବନାରେ ପୂର୍ଣ୍ଣଚ୍ଛେଦ। ସେକଥା ଭାବି ଆଉ ଲାଭ କଣ ? ଧାନଖେତ ଭିତରେ ଦୂରରୁ କାରଖାନାର ଚିମନି ଦେଖାଯାଉଥିଲା ବିଶାଖା କୁ । କେତେ ସ୍ବପ୍ନ ଦେଖୁଥିଲେ ପ୍ରତାପ୍ ଏଇ ଫ୍ଯାକ୍ଟେରିକୁ ନେଇ। ହଁ ଫ୍ଯାକ୍ଟେରିକୁ ତ କାର୍ଯ୍ୟକ୍ଷମ କରିବାକୁ ହେବ , କିନ୍ତୁ ଏବେ ନୁହେଁ । ସେଥିପାଇଁ ତାକୁ ଆଉ ସମୟ ଓ ଅନେକ ଅନୁଭୂତି ଦରକାର।


 ନିଜକୁ ପ୍ରକୃତିସ୍ଥ କରି ପୁଣି ନିଜ ଯୋଜନା ବିଷୟରେ ଚିନ୍ତାକଲା। ବ୍ଯାଙ୍କରୁ ଲୋନ୍ କରିବ ନା ଆଉ କାହା ପାଖରୁ ଧାର ମାଗିବ। କିନ୍ତୁ ବ୍ଯାଙ୍କରୁ ଲୋନ୍ ବିନା ବନ୍ଧକରେ ମିଳିବନି। ନହେଲେ ଆଉ କିଛି ସାଙ୍ଗମାନଙ୍କ ଠୁ ଧାର ମାଗିବ, ଏହା ଭାବୁ ଭାବୁ ଜଣେ ଦିଜଣଙ୍କୁ ଫୋନ୍ ଲଗେଇଲା। କିନ୍ତୁ ସେମାନଙ୍କ ସହ କଥା ହେଲା ସିନା ଧାର ମାଗିବାକୁ ଖରାପ ଲାଗିଲା। ସେ ଅନୁଭବ କଲା ସମସ୍ତେ ଧାର୍ ଦେବା ଅବସ୍ଥା ରେ ନାହାଁନ୍ତି । ସୁନିତା ତାର ସବୁଠୁ ପ୍ରିୟ ସାଙ୍ଗ , ତା ସହିତ ସେ ବରାବର‌ କଣ୍ଟାକ୍ଟ ରେ ଅଛି। ତାଠୁ ଆଉ ସାଙ୍ଗମାନଙ୍କ ବିଷୟରେ ପଚାରୁ ପଚାରୁ ଶୁଭ୍ରାଂଶୁ କଥା ପଡ଼ିଲା।


 ଶୁଭ୍ରାଂଶୁ ତାର ଗୋଟେ ଭଲ ସାଙ୍ଗ । ସ୍କୁଲ୍ ରୁ ଦିଜଣ ଏକାଠି ପଢି ଆସିଛନ୍ତି। ଭାରି ସାହାଯ୍ୟକାରି ପିଲାଟିଏ। ଏବେ ସେ କଟକରେ ଡାକ୍ତର୍ । କିନ୍ତୁ ବାହାଘର ପରଠୁ ପ୍ରାୟ ୧୧ ବର୍ଷ ହେଲାଣି, ତାଙ୍କ ଦିଜଣଙ୍କ ଦେଖା ସାକ୍ଷାତ ହେଇନି। ତାର କାରଣ ହେଉଛି ଦୁଇ ପରିବାର ଭିତରେ ଶତୃତା । ଏକଥା ବାହାଘରର କିଛି ମାସ ଭିତରେ ଜାଣିପାରିଥିଲା ବିଶାଖା। ଆଉ ସେତେବେଳେ ସେ ବୁଝିପାରିଲା ଶୁଭ୍ରାଂଶୁ କାହିଁକି ତା ବାହାଘରକୁ ଆସିନଥିଲା। ଆଗରୁ ଆସି ଚୁପ୍ ଚାପ୍ ତାକୁ ଦେଖାକରି କହିଥିଲା "ପ୍ରତାପ୍ ଭଲପିଲା, ତୁ ସେଠି ବାହାହେଇ ସୁଖରେ ରହିବୁ ।"


 ଶୁଭ୍ରାଂଶୁର ଜେଜେ ଓ ବିଶାଖା ର ଜେଜେ ଶଶୁର ଙ୍କ ସମୟରୁ ସେମାନଙ୍କ ଭିତରେ ଶତ୍ରୁତା। କିନ୍ତୁ ଭଲ ସମ୍ପର୍କ ନଥିଲେ ସୁଦ୍ଧା ଶୁଭ୍ରାଂଶୁ ପ୍ରତାପ ତଥା ତା ଶଶୁରଙ୍କ ବିଷୟରେ କେବେ ଖରାପ କହିନାହିଁ। ଆଜି, ସମସ୍ତେ ଶୋଇସାରିଲାପରେ ବହୁତ ଭାବିଚିନ୍ତି ସେ ଫୋନ୍ କଲା ଶୁଭ୍ରାଂଶୁକୁ। ଫୋନ୍ ଉଠେଇଲା ଶୁଭ୍ରାଂଶୁ ଆଉ ଆଶ୍ଚର୍ଯ୍ୟାନ୍ବିତ ସ୍ବରରେ କହିଲା ତୁ ହଠାତ୍ କେମିତି। ବିଶାଖା ବହୁ କଷ୍ଟରେ ନିଜର ଦୁଃଖ କୁ ଲୁଚେଇରଖି କହିଲା କେମିତି ଅଛୁ ? ତୁ ବୋଧେ ଶୁଣିଥିବୁ ଆମକଥା। ହଁ ଜାଣିଛି, ହେଲେ, ତମମାନଙ୍କ ସାଙ୍ଗରେ କଥାହେଲେ.... କଥା କାଟିକି ବିଶାଖା କହିଲା ମୁଁ ସବୁ ବୁଝିପାରୁଛି। ତୁ ବ୍ୟସ୍ତ ହେବାର ଦରକାର ନାହିଁ। ତାପରେ କିଛି ସମୟ ଚୁପ୍ ରହିଲା ବିଶାଖା। କହିବାକୁ ସାହାସ ହେଉନଥିଲା ତାର। ଶୁଭ୍ରାଂଶୁ ବୁଝିଲା କିଛି ବିଶେଷ ଉଦ୍ଦେଶ୍ୟ ନେଇ ଏ ଫୋନ୍। କଥାକୁ ସହଜ କରିବାକୁ ସେ କହିଲା କଣ କହୁନୁ । 


 ବିଶାଖା ସଂକ୍ଷିପ୍ତ ରେ କହିଲା ତା ଦୁଃଖଦ ଇତିହାସ , ତାପରେ ରହିଗଲା ଟିକେ ।  

ବିଶାଖା ର ନିରବତା ଦେଖି ଶୁଭ୍ରାଂଶୁ କହିଲା "ମୁଁ ତୁମ ପରିବାର ର ଶତୃ ପରିବାରରେ ଜନ୍ମହେଇଥାଇପାରେ କିନ୍ତୁ ତୁମର କାହାର ଶତୃ ନୁହେଁ। ବରଂ ଶୁଭାକାଂକ୍ଷୀ। ତୋ ବକ୍ତବ୍ୟ ତୁ ନିଃସନ୍ଦେହରେ କହିପାରୁ। "

 ନିଜର ବନ୍ଧକ ଜମି ମୁକୁଳେଇବାକୁ ଚାହୁଁଛି ଓ ସେଥିପାଇଁ ଖାଲି ଅର୍ଥ ନୁହେଁ, ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ରେ ସାହାଯ୍ୟ ଦରକାର କରୁଛି। ଶୁଭ୍ରାଂଶୁ ସବିସ୍ତାର ବୁଝିଲା ପରେ କହିଲା ତୁ ବ୍ୟସ୍ତ ହୋନା , ମୁଁ ଏହି କାର୍ଯ୍ୟରେ ତୋ ସହିତ ଅଛି।ଆଉ ତୋର ବା ତୁମ ପରିବାର ର ମର୍ଯ୍ଯାଦା ହାନି ହେବାପରି କୌଣସି କଥା ହେବନି" ବିଶାଖା କହିଲା, "ମୁଁ ଲୋନ୍ ଆକାର ରେ ନେଇ ତତେ ଆସ୍ତେ ଆସ୍ତେ ଫେରେଇ ଦେବି ।କିନ୍ତୁ ଗୋଟେ କଥା, ଆମକୁ ଏକଥା ଗୁପ୍ତ ରଖିବାକୁ ପଡିବ। ତୁ କି ମୁଁ ଏହି କଥାଟିକୁ କାହାକୁ କହିବାନାହି। ନହେଲେ ମୋ ଶାଶୁ ଓ ଭାଇଆଳି ରେ ମତେ ରଖେଇ ଥୋଇ ଦେବନି।"

 "ତୁ ନିଶ୍ଚିନ୍ତ ରହିପାରୁ"।


ଆଜି ବିଶାଖା ଠିଆ ହେଇଛି ତାଙ୍କ ଫ୍ଯାକ୍ଟେରି ପାଖ ଜମିରେ ।ତା ଆଗରେ ସବୁଜ କ୍ଷେତ ହସୁଛି । ଗୋଟେପଟେ ବିଭିନ୍ନ ଧରଣର ପରିବା ଆଉଗୋଟେପଟେ ନାନା ଜିତିର ଫୁଲ। ଗାଁ ରେ ଥିବା ତାର ସାଥୀ ଭଉଣୀ ମାନେ ଗ୍ରୁପ୍ କରି ତା ସହିତ ମିଶି ନୂଆ ପ୍ରଣାଳୀ ରେ ପରିବା ଓ ଫୁଲ ଉତ୍ପାଦନ କରି ପାଖ ଦୁଇଟି ହାଟରେ ବିକୁଛନ୍ତି। ତିନିବର୍ଷ ଭିତରେ ସେମାନେ ସମସ୍ତେ ନିଜଗୋଡରେ ଠିଆ ହେବାକୁ ସକ୍ଷମ ହେଇପାରିଛନ୍ତି। ଅନେକ ବର୍ଷରୁ ବନ୍ଧା ପଡିଥିବା ତାଙ୍କ ପରିବାରର ମୂଲ୍ୟବାନ ଜମି ଆଜି ରାଏ ବଂଶ ଖାଲି ଫେରିପାଇନି ବରଂ ସେଥିରୁ ଉତ୍ପାଦନ କରିପାରୁଛି। ନିଜ ବୁଦ୍ଧିରେ କିଛି ଗୋଟେ କରିପାରିଛି ବୋଲି ତାର ଭାରି ସନ୍ତୋଷ। ପିଲାଦିନୁ ନିଜେ କିଛି କରିବାର ଇଚ୍ଛା ତାରଥିଲା ସବୁବେଳେ। ଭରା କ୍ଷେତ ରେ ଦକ୍ଷିଣି ବାଆରେ ଦୋହଲୁଛି ଭେଣ୍ଡି ଓ ବାଇଗଣ ଗଛ। ସୁଲୁସୁଲିଆ ବାଆଟା ବିଶାଖା ର କେରାଏ ବାଳକୁ ଖସେଇ ଆଣିଛି କପାଳ ଉପରକୁ। ସେଇ ପବନରେ ରୋମାଞ୍ଚିତ ହେଉଥଥିଲା ବିଶାଖା ର ମନ ଓ ଶରୀର, ଅନେକ ନୂଆ ଆଶା ନେଇ।  

  



Rate this content
Log in

Similar oriya story from Action