Pradeep Kumar Panda

Children Stories Classics Inspirational

4  

Pradeep Kumar Panda

Children Stories Classics Inspirational

ଗଛରୁ ଜଗନ୍ନାଥ

ଗଛରୁ ଜଗନ୍ନାଥ

2 mins
5


ସେଦିନ ଥାଏ ରବିବାର । ବାପା ବସି ଦୂରଦର୍ଶନରେ ସମ୍ବାଦ ଦେଖୁଥାନ୍ତି । ଇଜି ବାପାଙ୍କ ପାଖରେ ବସିଥାଏ । ଦୂରଦର୍ଶନରେ ମୁଖ୍ୟ ପ୍ରସଙ୍ଗ ଥାଏ ଦାରୁ । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ମା’ ସୁଭଦ୍ରା ଆଉ ସୁଦର୍ଶନଙ୍କ ଦାରୁ ଚିହ୍ନଟ । ବନଯାଗ ଦଳ ଦେଉଳୀମଠରୁ ବାହାରି ଦାରୁ ଖୋଜୁଥାନ୍ତି । 

ଇଜି ବାପାଙ୍କ ଠାରୁ ‘ଦାରୁ’ ହେବା ପାଇଁ ଗଛର କେଉଁ କେଉଁ ଲକ୍ଷଣ ଥିବା ଦରକାର ସେ କଥା ବୁଝୁଥାଏ । ଗଛଟି ନିମ୍ବଗଛ ହେବା କାହିଁକି ଆବଶ୍ୟକ –ସେ ବିଷୟରେ ଗୋଟିଏ ଗୋଟି ପଚାରୁଥାଏ । ବାପା ମଧ୍ୟ ବୁଝାଇ ଚାଲିଥାନ୍ତି । ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଦାରୁ ଚିହ୍ନଟ ସରି ଶେଷକୁ ଥାଏ ଶ୍ରୀଜଗନ୍ନାଥଙ୍କ ଦାରୁ । ଜଗତସିଂହପୁର ଖରିପଡିଆରୁ ସେ ଦାରୁଟି ଚିହ୍ନଟ ହୋଇଥାଏ । 

ଦୂରଦର୍ଶନରେ ଦେଖାଯାଉଥାଏ କିଭଳି ସେଠାରେ ଲୋକମାନେ ଏକାଠି ହେଉଛନ୍ତି । ଯଜ୍ଞମଣ୍ଡପ ତିଆରି ହୋଇ ଯଜ୍ଞ ହେଉଛି । ଦଇତାପତିମାନେ ସେଠାରେ ଉପସ୍ଥିତ ଅଛନ୍ତି । ବିଦ୍ୟାପତି ନରସିଂହ ପତି ମହାପାତ୍ର, ବିଶ୍ଵାବସୁ ବିନାୟକ ଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ହୋଇ ଦାରୁଙ୍କର ସେବାବିଧି କରୁଛନ୍ତି ।

ଇଜିର ମନ ସେ ଜାଗାଟି ଦେଖିବାକୁ ଅଥୟ ହେଲା । ବାପାଙ୍କ ପାଖରେ ଜିଦ୍ କରିବସିଲା । ବାପା ଶେଷରେ ରାଜି ହେଲେ । ଇଜି ତା’ର ବୋଉ ଏବଂ ବାପାଙ୍କ ଶ ଖରିପଡିଆକୁ ବାହାରିଲା । ସେ ସ୍ଥାନଟି ତାଙ୍କର ଘରଠାରୁ ମାତ୍ର ୧୦ କି.ମି. ଦୂର । ଅଳ୍ପ ସମୟ ମଧ୍ୟରେ ସେଠାରେ ପହଞ୍ଚିଗଲେ । ସେଠାରେ ସେମାନେ ଦେଖିଲେ ବଡଦାଣ୍ଡରେ ରଥଯାତ୍ରା ପରି ଗହଳି ଲାଗିଛି । 

ଦାରୁ ଥିବା ସ୍ଥାନକୁ ଲୋକଙ୍କ ସୁଅ ଛୁଟିଛି । ପିଲାଠାରୁ ବୁଢାଯାଏ ସମସ୍ତଙ୍କ ମନ ଚଞ୍ଚଳ । କେମିତି ଟିକେ ଦାରୁ ଦେବତାଙ୍କୁ ଦେଖିବୁ, ମୁଣ୍ଡିଆଟିଏ ମାରିବୁ। ସେଠାରେ ବିଭିନ୍ନ ଉଠାଦୋକାନମାନ ବସିଛି । ଦାରୁ ଦେବତାଙ୍କର ଫଟୋଚିତ୍ର ଚାଲିଛି । ତାଳସଜ, ପଇଡ ରାସ୍ତାର ଦୁଇପଟେ ଥୁଆ ହୋଇ ବିକ୍ରି ହେଉଛି । 

ଏସବୁ ଦୃଶ୍ୟ ଦେଖି ଇଜିକୁ ଖୁବ୍ ଭଲ ଲାଗିଲା । ଟାଇଁ ଟାଇଁଆ ଖରା ଆଉ ଅସହ୍ୟ ଗୁଳୁଗୁଳିକୁ ଖାତିର ନ କରି ଇଜି ମାଡିଚାଲିଥାଏ ଆଗକୁ ଆଗକୁ । ଶେଷରେ ପହଞ୍ଚିଲେ ଶ୍ରୀଜଗନ୍ନାଥଙ୍କ ଦାରୁ ନିକଟରେ । ଇଜିକୁ ସବୁ ଆଶ୍ଚର୍ଯ୍ୟ ଲାଗୁଥାଏ । ହରିବୋଲ ହୁଳହୁଳି ପଡୁଥାଏ । ଦୀପମାନ ଜଳା ହେଉଥାଏ । ସମସ୍ତଙ୍କର ଆଖି ଲାଖି ରହିଥାଏ ଶ୍ରୀଜଗନ୍ନାଥଙ୍କ ଦାରୁ ଠାରେ ।

ମନଭରି ଶ୍ରୀଜଗନ୍ନାଥଙ୍କ ଦାରୁକୁ ଦେଖିଲା ପରେ ଟଙ୍କତୋରାଣି ପିଇ, ଦାରୁମାନଙ୍କର ଫଟୋଚିତ୍ର ଧରି ଫେରୁଥାଏ । ଦେଖୁଥାଏ ରାସ୍ତାରେ ଉଭୟ ପାଖରେ ଗଛ ନାହିଁ । ତେଣୁ ତାତି ପ୍ରବଳ ହେଉଛି । ଲୋକମାନେ ଛାଇ ଟିକେ ପାଇଁ ଡହଳ ବିକଳ ହେଉଛନ୍ତି । ତେଣୁ ସେ ଭାବିଲା ଯଦି ରାସ୍ତାକଡରେ ଗଛ ଲଗାଯାଆନ୍ତା ତେବେ ଏ କଷ୍ଟ ମଧ୍ୟ ଦୂର ହୁଅନ୍ତା। ଆଉ ଯଦି କିଛି ନିମ୍ବଗଛ ଲଗାଯାଆନ୍ତା ତେବେ ସେଥିରୁ ମଧ୍ୟ ଭାଗ୍ୟରେ ଥିଲେ ଦାରୁଦେବତା ମିଳନ୍ତେ । ତେଣୁ ବାପାଙ୍କୁ ସବୁ ମନକଥା କହିଲା । 

ଇଜିର କଥା ବାପାଙ୍କ ମନକୁ ଛୁଇଁଲା । ବାପା ତାଙ୍କ କ୍ଲବ୍ ର ସଭ୍ୟମାନଙ୍କୁ ଏକାଠି କଲେ ଏବଂ ବର୍ଷାଦିନ ଆରମ୍ଭରୁ ଏହି କାର୍ଯ୍ୟ କରିବେ ବୋଲି ସ୍ଥିର କଲେ ଏବଂ ପ୍ରଥମ ଗଛଟି ଇଜି ପୋତି ଏହି ଶୁଭକାର୍ଯ୍ୟ ଆରମ୍ଭ କରିବ ବୋଲି ସିଦ୍ଧାନ୍ତ ହେଲା । ଇଜି ଏ କଥାଟିଏ ଏକମତ ହେବା ସହ ନିଜ ସାଙ୍ଗସାଥୀମାନଙ୍କୁ ଧରି ତାଙ୍କର ଗାଁ ପାଖ ନଈବନ୍ଧ ରାସ୍ତାରେ ଗଛ ଲାଗାଇବ ବୋଲି ବାପାଙ୍କ ନିକଟରେ ମଧ୍ୟ ଶପଥ କଲା ।

 ବାଟଯାକ ଭାବୁଥାଏ ଏ ଜଗତରେ ସୁନା,ରୁପା, ତମ୍ବା,ହୀରା, ନୀଳା ପରି ଅମୂଲ୍ୟ ଜିନିଷ ଥିଲେ ମଧ୍ୟ ଜଗତର ନାଥ ଜଗନ୍ନାଥ ଗଛରୁ ତିଆରି ହେଉଛନ୍ତି । ମୂଲ୍ୟବାନ୍ ଧାତୁକୁ କେହି ପୂଜା ତ କରୁନାହାନ୍ତି, ପୂଜା କରୁଛନ୍ତି ଗଛକୁ । ତେଣୁ ଗଛର ମୂଲ୍ୟ, ମୂଲ୍ୟବାନ୍ ଧାତୁଠାରୁ ବହୁ ଗୁଣରେ ଅଧିକ । ଏହାର ପ୍ରତ୍ୟେକ ଅଂଶ ଲୋକଙ୍କର ସେବା କରେ । ପ୍ରକୃତରେ ଗଛ ହିଁ ଆମର ସବୁକିଛି । ଗଛ ଆମର ଅତି ନିଜର ।


Rate this content
Log in