Pradeep Kumar Panda

Abstract Classics Inspirational

4  

Pradeep Kumar Panda

Abstract Classics Inspirational

ପଞ୍ଚତନ୍ତ୍ର

ପଞ୍ଚତନ୍ତ୍ର

3 mins
4


ପ୍ରାଚୀନ ସମୟ, ବହୁତ ପୂର୍ବର କଥା। ପ୍ରାୟ ୨୦୦୦ ବର୍ଷ ପୂର୍ବେ, ଭାରତର ଦକ୍ଷିଣ ଭାଗରେ ମହିଳାରୋପ୍ୟମ ନାମକ ଏକ ସୁନ୍ଦର ରାଜ୍ୟ। ରାଜା ଅମରଶକ୍ତି ସେହି ରାଜ୍ୟରେ ଶାସନ କରୁଥିଲେ। ଅତ୍ୟନ୍ତ ଜ୍ଞାନୀ ଏବଂ ଦୟାଳୁ ରାଜାଙ୍କର ତିନି ପୁତ୍ର ଥିଲେ, ତିନିପୁତ୍ରଙ୍କ ନାମ ବାହୁଶକ୍ତି, ଉଗ୍ରଶକ୍ତି ଏବଂ ଅନନ୍ତଶକ୍ତି। ରାଜା ଯେତିକି ଉଦାର ପ୍ରଶାସକ ଓ କୁଶଳୀ ନୀତି ନିର୍ମାତା ଥିଲେ, ତାଙ୍କ ପୁଅମାନେ ସେତିକି ମୂର୍ଖ ଓ ଅହଂକାରୀ ଥିଲେ |


ଜ୍ଞାନୀ ରାଜାଙ୍କର ସମସ୍ତ ରାଜକୁମାର ଅଜ୍ଞାନ ଥିଲେ। ସେମାନେ ଅଳସୁଆ ଏବଂ ଜ୍ଞାନ ଆହରଣ କରିବାକୁ ଆଦୌ ଆଗ୍ରହ ପ୍ରକାଶ କରୁନଥିଲେ। ରାଜା ସେମାନଙ୍କୁ ବ୍ୟବହାରିକ ଶିକ୍ଷା ଦେବା ପାଇଁ କଠିନ ଚେଷ୍ଟା କଲେ, କିନ୍ତୁ ସେ କୌଣସି ପ୍ରକାରେ ସଫଳ ହୋଇପାରିଲେ ନାହିଁ | ଯେତିକି ଯେତିକି ସମୟ ବଢ଼ି ଚାଲିଲା ସେମାନେ ରାଜାଙ୍କ ପାଇଁ ସେତିକି ସେତିକି ଚିନ୍ତାର ବିଷୟ ପାଲଟିଗଲେ। ରାଜା ଧୀରେ ଧୀରେ ନିରାଶ ହେବାକୁ ଲାଗିଲେ। ରାଜାଙ୍କ ମନ୍ତ୍ରିମଣ୍ଡଳରେ ବହୁ କୁଶଳୀ, ଦୂରଦୃଷ୍ଟି ସମ୍ପନ୍ନ ତଥା ଦକ୍ଷ ମନ୍ତ୍ରୀ ଥିଲେ, ରାଜା ବାଧ୍ୟ ହୋଇ ପରାମର୍ଶ ନେବା ପାଇଁ ମନ୍ତ୍ରୀମାନଙ୍କୁ ଡକାଇଲେ:


"ଆପଣ ମାନେ ଜାଣନ୍ତି ଯେ, ମୁଁ ମୋ ପୁଅମାନଙ୍କ ଉପରେ ଖୁସି ନୁହେଁ। ଜଣେ ରାଜାଙ୍କ ପୁତ୍ର ହୋଇ ମଧ୍ୟ ସେମାନଙ୍କର ମନରେ ଜ୍ଞାନ ପାଇଁ ଉତ୍ସାହ ନାହିଁ। ମୂର୍ଖ ପୁତ୍ର ପିତା ପାଇଁ ଅପମାନ ଆଣେ। ସେମାନଙ୍କୁ ମୁଁ ମୋର ଉତ୍ତରାଧିକାରୀ ଭାବେ କିପରି ବା ଘୋଷିତ କରିପାରିବି? ତାଙ୍କୁ କିପରି ଆମେ ଉତ୍ସାହୀ ସହଯୋଗୀ ବନାଇପାରିବା? ଏପରି ଏକ ଭ୍ରମିତ ସଙ୍ଗୀନ ପରିସ୍ଥିତିରେ ସେମାନଙ୍କୁ ମାର୍ଗଦର୍ଶନ କରିବାକୁ ହେବ, ଏଥି ପାଇଁ ଆପଣ ମାନଙ୍କର ସହାୟତା ଦରକାର। ଆପଣମାନଙ୍କୁ ହି କିଛି ଗୋଟାଏ କରିବାକୁ ଅନୁରୋଧ।"


ଜଣେ ମନ୍ତ୍ରୀ କହିଲେ ଯେ, "ଶହ ଶହ ଶିଷ୍ୟଙ୍କ ସମ୍ମାନ ଉପଭୋଗ କରୁଥିବା ମହାନ ବିଦ୍ୱାନ ବିଷ୍ଣୁ ଶର୍ମା ନାମକ ଜଣେ ପଣ୍ଡିତ ଅଛନ୍ତି। ବିଷ୍ଣୁ ଶର୍ମା ସମସ୍ତ ଶାସ୍ତ୍ରରେ ପାରଦର୍ଶୀ ଏବଂ ଜଣେ ଦକ୍ଷ ବ୍ରାହ୍ମଣ, ସେ ଶିକ୍ଷିତ ତଥା ଅଭ୍ୟାସଗତ ଭାବରେ ଛାତ୍ର ମାନଙ୍କୁ ତାଲିମ ଦେଇପାରନ୍ତି। ଯଦି ରାଜକୁମାର ମାନଙ୍କର ଦାୟିତ୍ୱ ପଣ୍ଡିତ ବିଷ୍ଣୁ ଶର୍ମାଙ୍କୁ ଦିଆଯାଏ ତେବେ ଏହା ଉପଯୁକ୍ତ ହେବ, ସେ ଅଳ୍ପ ସମୟ ମଧ୍ୟରେ ଶିକ୍ଷା ଦେବାରେ ସକ୍ଷମ ଅଟନ୍ତି। ସେ ରାଜକୁମାର ମାନଙ୍କୁ ଶିକ୍ଷାଦାନ କରିବା ପାଇଁ ସବୁଠାରୁ ଦକ୍ଷ ବ୍ୟକ୍ତି। ସେ ଥରେ ରାଜକୁମାର ମାନଙ୍କର ଗୁରୁ ହୁଅନ୍ତୁ, ଖୁବ୍ ଶୀଘ୍ର ଆପଣ ପରିବର୍ତ୍ତନ ଦେଖିବେ।"


ସଙ୍ଗେ ସଙ୍ଗେ ରାଜା ବିଷ୍ଣୁ ଶର୍ମାଙ୍କୁ ଡକାଇଲେ। ବିଷ୍ଣୁ ଶର୍ମାଙ୍କୁ ଦେଖି ଅତି ନମ୍ର ଭାବରେ ତାଙ୍କ ନିକଟରେ ନିବେଦନ କଲେ "ହେ ପଣ୍ଡିତ, ମୋ ଉପରେ ଦୟା କରନ୍ତୁ ଏବଂ ମୋ ପୁଅମାନଙ୍କୁ ଆପଣଙ୍କ ପାଖରୁ ଜ୍ଞାନ ଆହରଣ କରିବାର ସୁଯୋଗ ଦିଅନ୍ତୁ। ସେମାନଙ୍କର ଜ୍ଞାନ ପ୍ରତି ଆଗ୍ରହ ଜନ୍ମାଇବା ଲକ୍ଷରେ ମୁଁ ଆପଣଙ୍କ ପାଖରେ ଗୁହାରି କରୁଛି। ଯଦି ମୋ ପୁତ୍ର ମାନେ ଜ୍ଞାନ ଆହରଣ କରିବାରେ ସକ୍ଷମ ହୁଅନ୍ତି ତେବେ ମୁଁ ଆପଣଙ୍କୁ ଶହେଟି ଗାଁ ଉପହାର ସ୍ୱରୂପ ପ୍ରଦାନ କରିବି।"


ପଣ୍ଡିତ ବିଷ୍ଣୁ ଶର୍ମା ଏହି ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ରାଜକୁମାରମାନଙ୍କୁ ଶିକ୍ଷା ଦେବା କାର୍ଯ୍ୟକୁ ଏକ ଆହ୍ବାନ ଭାବରେ ଗ୍ରହଣ କରିଲେ। ସେ ଅତି ନମ୍ର ଭାବରେ କହିଲେ, "ହେ ମହାରାଜ, ମୁଁ ଜଣେ ଗ୍ରୁରୁ, ଶହ ଶହ ଗାଁର ଉପହାର ମୋତେ ପ୍ରଲୋଭିତ କରି ପାରିବ ନାହିଁ। ମୋର ପ୍ରତିଶ୍ରୁତି ଶୁଣନ୍ତୁ, ଆଜିଠାରୁ ଛଅ ମାସ ମଧ୍ୟରେ ଯଦି ମୁଁ ଆପଣଙ୍କର ପିଲାମାନଙ୍କୁ ମହାନ ବିଦ୍ୱାନ କରିପାରିବି ନାହିଁ ତେବେ ମହାରାଜା ମୋତେ ମୃତ୍ୟୁଦଣ୍ଡ ଦେଇପାରିବେ।"


ପଣ୍ଡିତ ବିଷ୍ଣୁ ଶର୍ମାଙ୍କ ଠାରୁ ଭୀଷ୍ମଙ୍କ ପରି ଏକ ପ୍ରତିଶ୍ରୁତି ଶୁଣି ମହାରାଜ ଟିକେ ଆଶ୍ୱସ୍ତି ପାଇଲେ ଏବଂ ସଙ୍ଗେ ସଙ୍ଗେ ତାଙ୍କ ପୁତ୍ରମାନଙ୍କୁ ଡାକି ସେମାନଙ୍କୁ ବିଷ୍ଣୁ ଶର୍ମାଙ୍କ ହାତକୁ ଟେକି ଦେଲେ। ବିଷ୍ଣୁ ଶର୍ମା ସେମାନଙ୍କୁ ନିଜ ସହିତ ଆଶ୍ରମ ନେଇଗଲେ ଏବଂ ରାଜାଙ୍କୁ ଦେଇଥିବା ପ୍ରତଶ୍ରୁତି ପାଳନ କରି ସେ ରାଜକୁମାର ମାନଙ୍କୁ ଶିକ୍ଷା ଦେବା ଆରମ୍ଭ କଲେ।

 

ପଣ୍ଡିତ ବିଷ୍ଣୁ ଶର୍ମା ରାଜକୁମାରମାନଙ୍କୁ ବିଭିନ୍ନ ପ୍ରକାରର ନୈତିକ କାହାଣୀ ଶୁଣେଇଥିଲେ। ସେ ସେଇ କାହାଣୀଗୁଡିକରେ ପଶୁ ଏବଂ ପକ୍ଷୀମାନଙ୍କୁ ଚରିତ୍ର ଭାବରେ ବର୍ଣ୍ଣନା କରିଥିଲେ ଏବଂ ସେମାନଙ୍କ ମାଧ୍ୟମରେ ନିଜର ଭାବନା ପ୍ରକାଶ କରିଥିଲେ | ପଶୁ ଏବଂ ପକ୍ଷୀମାନଙ୍କୁ ତାଙ୍କର ଆଧାର ଭାବରେ ଗ୍ରହଣ କରି ସେ ରାଜକୁମାରମାନଙ୍କୁ ଉଚିତ୍ ଅନୁଚିତ୍ ବିଷୟରେ ଜ୍ଞାନ ଦେଲେ ଏବଂ ଏହା ସହିତ ସେ ରାଜକୁମାରମାନଙ୍କୁ ପ୍ରତ୍ୟେକ ଦିନ ତାଲିମ ଦେବା ଆରମ୍ଭ କଲେ | ସେ ସେମାନଙ୍କୁ ନିଜ ଜୀବନରେ ଆଗକୁ ବଢ଼ିବା ପାଇଁ ପାଞ୍ଚଟି କୌଶଳ (ପଞ୍ଚତନ୍ତ୍ର) ଶିକ୍ଷା ଦେବା ଆରମ୍ଭ କରିଥିଲେ, ରାଜକୁମାରଙ୍କ ଶିକ୍ଷା ସମାପ୍ତ ହେବା ପରେ ପଣ୍ଡିତ ବିଷ୍ଣୁ ଶର୍ମା ଏହି କାହାଣୀଗୁଡ଼ିକୁ ପଞ୍ଚତନ୍ତ୍ର କାହାଣୀ ସଂଗ୍ରହ ଆକାରରେ ସଂକଳନ କରିଥିଲେ। ସେହି ଦିନଠାରୁ, ଜୀବନର ସମସ୍ୟାର ସମାଧାନ ଏବଂ ପିଲାମାନଙ୍କ ମାର୍ଗଦର୍ଶକ ଭାବରେ ପଞ୍ଚତନ୍ତ୍ର ସାରା ବିଶ୍ୱରେ ଲୋକପ୍ରିୟ ହେଲା |

 

ମନୋବିଜ୍ଞାନ, ବ୍ୟବହାରିକତା ଏବଂ ଶାସନର ନୀତିଗୁଡିକ ଉପସ୍ଥାପନ କରି, ଏହି କାହାଣୀଗୁଡିକର ସମସ୍ତ ବିଷୟକୁ ଏକ ଆକର୍ଷଣୀୟ ଢ଼ଙ୍ଗରେ ଉପସ୍ଥାପନ କରା ଯାଇଛି ଏବଂ ସେହି ସମୟରେ ଏକ ଶିକ୍ଷା ପ୍ରଦାନ କରିବାକୁ ଚେଷ୍ଟା କରାଯାଇଛି। ପଞ୍ଚତନ୍ତ୍ର କୁ ପାଞ୍ଚଟି ତନ୍ତରେ ବିଭକ୍ତ କରାଯାଇଛି: -


1. ମିତ୍ର ଭେଦ (ସାଙ୍ଗମାନଙ୍କ ମଧ୍ୟରେ ମତଭେଦ ଏବଂ ପୃଥକତା)

2. ମିତ୍ରଲାଭ କିମ୍ବା ମିତ୍ରସମ୍ପ୍ରାପ୍ତି (ଜଣେ ବନ୍ଧୁ ପାଇବା ଏବଂ ଏହାର ଲାଭ)

3. ସନ୍ଧି ବିଗ୍ରହ (କାଉ ଏବଂ ପେଚା ର କାହାଣୀ)

4. ଲବ୍ଧ ପ୍ରମାଣ (ମୃତ୍ୟୁ କିମ୍ବା ବିନାଶ ଆସିବା ପରେ; ଯଦି ଏହା ଜୀବନ୍ତ ହୁଏ ତେବେ କଣ ହେବ?)

5. ଅପରୀକ୍ଷିତ କାରକ (ପରୀକ୍ଷିତ ହୋଇନଥିବା କିଛି କରିବା ପୂର୍ବରୁ ସାବଧାନ ରୁହନ୍ତୁ; ଶୀଘ୍ର ପଦକ୍ଷେପ ନିଅନ୍ତୁ ନାହିଁ)


Rate this content
Log in

Similar oriya story from Abstract