Satyabati Swain

Tragedy

4  

Satyabati Swain

Tragedy

ମହାମାରୀ

ମହାମାରୀ

5 mins
190



ଆସ୍ତେ କି ଖୋଲିଲି କବାଟ । 


ଡ୍ରଇଂ ରୁମରେ ପେପର୍ ଏଣେ ତେଣେ ଉଡ଼ି ଉଡ଼ି କ୍ଲାନ୍ତ ହୋଇ ଶୋଇପଡିଛନ୍ତି । ଦେହରେ ବହଳେ ଧୂଳି । ଫ୍ୟାନଟି ଦେଇଦେଲି । ପେପର୍ ଗୁଡା ଅଂଶୁ ଭାଇ, ଅଂଶୁ ଭାଇ, କହି ମୋ ଦେହରେ ଗୁଡେ଼ଇ ହୋଇ ଗଲେ । 


ସୋଫା ନିର୍ବିକାର । ଧୂଳି ମଳିରେ ପୋତି ହୋଇ ସମାଧିସ୍ଥ ଋଷିଙ୍କ ପରି ତପସ୍ୟା କରୁଛନ୍ତି । ହାତ ବାଡେଇ ଦେଲି ସେଥିରେ । ସୋଫା ଗଦି କାନ୍ଦିଉଠିଲେ ଭେଁ କରି । 


ଟି ପୟ ଉପରେ ବାବାଙ୍କ ହାତ ଘଡି,ଚା ପିଆ କପ୍, ଡାଇରୀ, ପେନ୍ ହିସାବ ଖାତା ଓ ଚଷମା । ଘଡିଟି ହାତରେ ବାନ୍ଧିଲି । କପକୁ ଓଠ ଛୁଆଁ ଦେଲି । ପେନଟି ଛାତି ପକେଟରେ ମାରିଲି । ଡାଇରୀ ଓଲେଟେଇଲି । ମେ ବାଇଶି ଠାରୁ ଡାଇରୀ ଲେଖା ବନ୍ଦ । 


ଏବେ ମୁଁ ବାବାଙ୍କୁ ଶୁଣି ପାରିଲି । 


ବାବା ଏ ଚଷମା ଫ୍ରେମ ଟିକେ ବଦଳେଇ ଆଣିବା । ନୂଆ ଲୁକର୍ ସୁନ୍ଦର ସୁନ୍ଦର ଫ୍ରେମ ଆସିଲାଣି । ରୋଟାରିରେ ଆଇ ଟେଷ୍ଟ୍ ବି କରିଦେବା । ମୁଁ ତ ଆସିଛି ସବୁ ଦରକାରୀ କାମ ଗୁଡା କରିଦେଇ ଯିବି । ଏଣିକି ପିଲାଟିଏ ରଖିବା । ହାଟ ବଜାର କରିବ । ଆପଣଙ୍କ ସହ ଦରକାରୀ କାମରେ ସାଙ୍ଗରେ ଯିବ । 


ଆରେ ଅଂଶୁ, ମୋତେ ବୁଢା ଭାବିଲୁକି ? ଦେଖ୍ ଏବେ ବି ମୁଁ ଯୁବକ ଅଛି । ଏଇ ଦୁଇ ମାସ ହେବ ରିଟାର୍ଡ ହୋଇଛିରେ ଅଂଶୁ । ମୋତେ ଜମାରୁ ବୁଢା ଭାବିବୁନି ଟି । ତୋର ତ ଚାକିରୀ ହୋଇଗଲା । ଆଉ ଅପେକ୍ଷା କାହିଁକି ? ମେଘା କଣ ତୋତେ ଅନେଇଁ ବୁଢ଼ୀ ହେବ । ଏଇଥରକ ନିର୍ବନ୍ଧ ସାରି ଦେବା । ନାତି ନାତୁଣୀ ସହ ନ ଖେଳି ମୁଁ କଣ ମରିବି ଭାବୁଛୁ କି?


ମାଆ କହିଲା ସବୁବେଳେ ଗୋଟେ କାଳତୁଣ୍ଡ କଥା । ପୁଅ ଘରକୁ ଆସିଛି, ବାପାର ସବୁ କାମ କରିବ କହୁଛି । ତା ବୋଲି ତୁମେ ମରିବା କଥା ମୁହଁରେ ଧରିବ!


ଓହୋ ଶିଖା ! ଷାଠିଏ ପୁରିଲେ ଆଉ ଆୟୁଷକୁ ଭରସା ନଥାଏ । ମରିବା ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସତ୍ୟ । ତୁମେ, ମୁଁ, କି ଆଉ କେହି ସବୁଦିନେ କଣ ବଞ୍ଚିବା !


ତୁ ଗଲୁ ଅଂଶୁ, ବାବା ଆଜି ଗୋଟେ ସ୍ୱର ଧରିଛନ୍ତି । 


ହେଉ ବାବା ମୁଁ ମରିବିନି । ତୁମ ମୋତେ ବାନ୍ଧି ରଖିବ ପଣତ ଘୋଡାଇ । ଅଂଶୁକୁ ତ ଜଣେ ବଡ଼ ଇଞ୍ଜିନିୟର ପୁଣି ସିଙ୍ଗାପୁରରେ ନାମୀ ଦାମୀ କମ୍ପାନୀରେ ହେଲାଣି । ଏଥରକ ନିର୍ବନ୍ଧ ସାରିଦେବା । ମେଘା ଓ ଅଂଶୁ ପରସ୍ପର ସାଙ୍ଗ ପୁଣି ଜୀବନସାଥୀ ହେବାକୁ ମନସ୍ଥ କରିଛନ୍ତି । ଆଉ ଡେରି କାହିଁକି କରିବା । ଏକାଠି କରିଦେବା ତାଙ୍କୁ । ଆଉ ରହିଲା ରିୟା କଥା । ତାର ତ ମେଡ଼ିକାଲ ଲାଷ୍ଟ୍ ଇଅର୍ । ଅଂଶୁ ତା ଭଉଣୀ ରିୟା କଥା ବୁଝିବ । ଆମେ ଦୁହେଁ ଏଥର ଏ ଘର ଛାଡ଼ି ଟିକେ ବାହାର ଦୁନିଆଁ ଦେଖିବାକୁ ବୁଲି ଯିବା । ଜୀବନ ସାରା ମୋର, ଘରର ଓ ପିଲାଙ୍କ ଦାୟିତ୍ୱ ନେଇ ନେଇ ତୁମେ ପଂଚାଵନରେ ପହଂଚିଗଲ । ଏଣିକି ଟିକେ ଫୁର୍ତ୍ତି କରିବା । 


ଫୁର୍ତ୍ତି !! 


ହେଉ ହେଉ ରଖ ତୁମ ରସିକ ପଣ । ଯାହା ନହୋଇଛି ବାଲ୍ୟ କାଳେ ତାହା କି ହେବ ପାଚିଲା ବାଳେ । ଅଂଶୁ ନିର୍ବନ୍ଧ କଥାଟା ମନକୁ ପାଇଲା । ଖୁବ୍ ଧୁମଧାମରେ ବାହାଘର କରିବା । ବୁଝିଲ ବଡ଼ ହୋଟେଲ ଟଏ ବୁକ୍ କରିବ । ପୁଅ ମୋର ଦେଢ଼ ଲକ୍ଷ ଦରମା ପାଉଛି । କୁନ୍ଥୁ କୁନ୍ଥୁ ହେବ ନାହିଁ । ମନ ଖୋଲା ଖର୍ଚ୍ଚ କରିବ, ବୁଝିଲ । 


ହେଉ ହେଲା ହେଲା । ଧୁମଧାମରେ ଏ ବର୍ଷ ଭଲ ତିଥି ଦେଖି ବାହାଘର ହେବ । ଶାଶୁ ବୋହୁଙ୍କ ଖୁବ୍ ଜମିବ । ମେଘା ତ ତୁମ ସ୍ନେହରେ ପାଗଳୀ । 


ହଁ ହୁଅନ୍ତା ନାହିଁ । ସେ ବୋହୁ ନୁହେଁ ମୋ ରିୟା ପରି ଆଉ ଗୋଟେ ଝିଅ ହେବ । 


ହାତ ମୁଦିକୁ ଚାହିଁଲା ଅଂଶୁ । ବାବା,ବାବା ହୋଇ ଘଣ୍ଟା ଚଷମା, ପେନ୍,ଡାଇରୀ ସବୁକୁ ଛାତିରେ ଜାକି ଧରି ଭୋ ଭୋ ହେଲା । 


ବାବା ମାଆଙ୍କ ବେଡ୍ ରୁମକୁ ଗଲା । ତାଙ୍କ ଫଟୋ ମଝିରେ ଠିଆ ହେଲା । 


ମାଆ ମାଆ,ଦେଖ୍ କେତେବେଳୁ ଆସିଲିଣି । ମୋତେ ପଚାରିବୁନି କଣ ଖାଇବି? ମୋ ଦେହରେ ହାତ ମାରି କହିବୁନି ମୋ ରାଜାଟା ଝଡି କଣ୍ଟା ହେଲାଣି ! ତରବରରେ ମୋ ପାଇଁ ଛତୁ ତରକାରୀ କରିବୁନି ମାଆ ! ତୋ ହାତର ସେଇ ଯେଉଁ ବାସି ଚକୁଳି ପିଆଜ, ଭ୍ରୁସଙ୍ଗ ପତ୍ର, କଞ୍ଚା ଲଙ୍କା ପକାଇ କହିବୁ ଦେଖ୍ ଅଂଶୁ ତୋ କିଣା ପିଜା ଠାରୁ ମୋ ଚକୁଳି ପିଜା ଟେଷ୍ଟି କି ନାଇଁ ! ସିଝା କ୍ଷୀରରେ ମୋଟା ସ୍ପଞ୍ଜ ପରି ଚକୁଳି ପକାଇ ଖଣ୍ଡ ଖଣ୍ଡ ଖୁଆଇ ଦେବୁନି ! ଗ୍ୟାସ ପାଇଁ ତେଲ ଭାଜି ଖାଏ ନାହିଁ ବୋଲି କେତେ ପ୍ରକାର ସୁଜି ସିଝା ମଣ୍ଡା କରୁ । କୁଆଡେ ଗଲୁ ମାଆ ଆ । 


ଆଃ ଏଇ ତ ସେ ବାସ୍ନା ଏବେ ମୁଁ ଶୁଙ୍ଘି ପାରୁଛି । ମାଆ କହୁଥିଲୁ ମୋ ବାହାଘର ଏମିତି କରିବୁ ଯେ ଆଜି ଯାଏ କେହି କରି ନଥିବେ !


ଆଲଣାରୁ ମାଆ ଲୁଗା ଆଣି ଘୋଡେଇ ପଡି ଅଂଶୁ ଡାକ ଛାଡିଲା ମାଆ ମାଆ ତୁ କେଉଁଠି ?


ଆଉ ରିୟା ! ତୁ ପରା ଜଣେ ଡ଼ାକ୍ତର ହୋଇଥାନ୍ତୁ । ତୁ ବି ଶେଷରେ ବାବା ମାଆ ପରି ଠକି ଦେଲୁ । କହିଥିଲୁ ଭାଇ ଏଥରକ ତୋ ବାହାଘରରେ ଦେଖିବୁ ମୁଁ କେମିତି ଆଖି ଝଲ୍ସା ଡ୍ୟାନ୍ସ କରିବି । ଟେରା ହୋଇଯିବେ ସମସ୍ତେ । ମୋ ପାଇଁ ସୁନ୍ଦର ଡ୍ୟାନସ୍ ଡ୍ରେସ୍ ଆଣିବୁ ତ । ରିୟା କିଏ ବାନ୍ଧିବ ରାକ୍ଷୀ ମୋ ହାତେ । କିଏ ମୋତେ ମେଘା ମେଘା କହି ଚିଡ଼େଇବ ! ରିୟା ଲୋ ନିଜେ ବଞ୍ଚି ପାରିଲୁ ନାହିଁ କି ବାବା ମାଆ ଙ୍କୁ ବି ବଞ୍ଚେଇ ପାରିଲୁ ନାହିଁ । ରିୟା ତୋ ଦାୟିତ୍ୱ ପରା ମୋର ବୋଲି ବାବା କହୁଥିଲେ ! ମୋତେ ତୋ ଦାୟିତ୍ୱ ନିଭାଇବାର ସୁଯୋଗ ଦେଲୁନି ! ରିୟା ତୁ ଭାରି ହିଂସିକି । ଏକା ଏକା ବାବା ମାଆ ପାଖେ ରହିଲୁ? କେମିତି ଭୁଲିଗଲା ତୁମେମାନେ ତୁମ ଅଂଶୁକୁ! 


କେହି ମୋତେ ଭଲ ପାଉ ନଥିଲ । ନଚେତ ମୋତେ ଏକା କରି ଆକାଶ ତାରା ହୋଇଥାନ୍ତ କି!


ଥାକରେ ବାବା ସାର୍ଟ, ମାଆ ଶାଢ଼ୀ, ରିୟା ଡ୍ରେସ୍ ଛୁଇଁ ଛୁଇଁ ଅନୁଭବ କରୁଥିଲା ଅଂଶୁ ସେମାନଙ୍କୁ । 


କାଳର କରାଳ ରୂପ । କୋଭିଡ ମହାମାରୀରେ ଅଂଶୁ ବାବା, ମାଆ ଓ ଭଉଣୀ ରିୟା ମୃତ । ରିୟା ହସ୍ପିଟାଲରେ କରୋନା ପେସେଣ୍ଟଙ୍କ ସଂସ୍ପର୍ଶରେ ଆସି ଆଗ ପଜିଟିଭ ହେଲା । ଜର ଛାଡିଲା ନାହିଁ । ପିଲାଦିନୁ ରିୟା ସେମିତି । ଦେହ ଖରାପ ହେଲେ ଭଲ ହେବାକୁ ବହୁଦିନ ଲାଗିଯାଏ । ତା ଦେହରେ ଇମ୍ୟୁନିଟି ପାୱାର୍ କମ୍ ଯେଣୁ । ଜର ଆସ୍ତେ ଆସ୍ତେ ନିମୋନିଆ ହୋଇ ଗଲା । ଶେଷରେ ପ୍ରଥମେ ରିୟା ହିଁ ଏ ଦୁନିଆଁ ରୁ ବିଦା ହେଲା । 


ତାପରେ ବାବା ଓ ବାବାଙ୍କ ଯିବାର କେଇ ଘଣ୍ଟା ଭିତରେ ମାଆ । 


ପୁରା ଗୋଟିଏ ପରିବାର ନିଶ୍ଚିହ୍ନ ହୋଇଗଲା କୋଭିଡ ମହାମାରୀରେ । ମୁଁ ସିଙ୍ଗାପୁରରେ ଥିଲି । ଜଣଙ୍କ ପରେ ଜଣେ ଡକା ଡ଼କି ହୋଇ ଯିବା ଖବର ମୋତେ ମାମୁଁ ଜଣାନ୍ତି । ଏମିତି ପୁଅ,ଭାଇ ମୁଁ ଯେ ସବୁ ପ୍ରିୟଜନଙ୍କୁ ହରେଇ ଏକା ବଞ୍ଚିଛି । ଏତେ ହତଭାଗ୍ୟଟିଏ, ବାବା ମାଆ କି ଭଉଣୀଙ୍କ ପାଇଁ ବିଧି ମୁତାବକ ଶୁଦ୍ଧିକ୍ରିୟା ବି କରି ପାରିନାହିଁ । ସୀମା ସିଲ୍ । ଆସିବା ସବୁ ବାଟ ବନ୍ଦ । 


ଓଃ ..ବିଦେଶ ପୁଣି ବାବା,ମା ଓ ଭଉଣୀ ମଲା ଖବର ପାଇ ଏକା ଏକା ବଞ୍ଚିଥିଲି କି ମରୁଥିଲି ଜାଣି ପାରୁ ନଥିଲି । ଖାଲି ଅନେଇଁ ଥିଲି କେମିତି ପ୍ଲେନ୍ ଚାଲିବ, ମୁଁ ଘରକୁ ଆସିବି । ଛୁଇଁବି ମୋ ବାବା, ମା, ଭଉଣୀ ବ୍ୟବହୃତ ଜିନିଷ । କାନ୍ଥ, ବେଡ୍, ଚେୟାର, ଟେବୁଲ,ଗ୍ୟାସରେ ହାତ ମାରି ଅନୁଭବ କରିବି ମୋ ମାଆ,ବାବା ଓ ଭଉଣୀଙ୍କ ଉପସ୍ଥିତି । ଏଥିରେ ସେଇମାନଙ୍କ ହାତ ସ୍ପର୍ଶ ଅଛି । 


ଭୂତାଣୁ ସଂକ୍ରମଣ ମୋତେ ଅନାଥ କରିଦେଲା । ମୋ ହସଖୁସିର ପରିବାର ସବୁଦିନ ପାଇଁ ମୋ ଠାରୁ ଛଡେଇ ନେଲା । 


ଆଃ ବାବା, ମାଆ,ରିୟା କହି ପାଗଳ ପରି ଅଂଶୁ ଚିତ୍କାର ଛାତରେ ବାଡେଇ ହୋଇ ତାରି ଛାତି ଭିତରେ ଗଳି ଯାଉଥିଲା ଯେମିତି । 


ଘର ସାରା ଖାଲି ଚେୟାର । 


ଶୂନ୍ୟ ଘର । 


ଆସବାଵ ପତ୍ର, କାନ୍ଥ, ଛାତ ସମସ୍ତେ ଓଦା ହରେଇବା ଦୁଃଖରେ । 


 ଷ୍ଟାଣ୍ଡ ଭର୍ତ୍ତି ଚପଲ କିନ୍ତୁ ପିନ୍ଧିବାକୁ ଗୋଡ଼ ନାହିଁ । 


ମନ ପଡିଗଲା ରେବତୀ ଗଳ୍ପରେ ଆଈ ମାଆର କରୁଣ ଲୋ ରେବି,ଲୋ ନିଆଁ,ଲୋ ଚୁଲିର ଛାତି ଥରା ଡାକ । ଶେଷ ହୋଇଯାଇଥିଲା ଆଈର ବାଡ଼ି ପିଣ୍ଡାରୁ ଧୁଲ ଶବ୍ଦରେ ଶ୍ୟାମବନ୍ଧୁଙ୍କ ପରିବାର । 


ଆଜି କୋଭିଡ ମହାମାରୀ ଆଁରେ ମୋ ପରିବାର ଗଳିପଡିଛି । ବାବା, ମା, ରିୟାର ପୋଷାକ ଉପରେ ହାମୁଡେଇ ପଡି ଅଂଶୁ ଲୁହ ଢାଳୁଥିଲା କଇଁ କଇଁ ହୋଇ । 


କେହି ଜଣେ କରୁଣ କଣ୍ଠରେ ଡାକିଲେ ଅଂଶୁ !!


କିଏ, ମାମୁଁ !


ଜାଵ ପଡିଗଲେ ମାମୁଁ ଭଣଜା ଦୁହେଁ । 





Rate this content
Log in

Similar oriya story from Tragedy