Lata Behera

Abstract

4.4  

Lata Behera

Abstract

ଓଁ ମହା ଶିବରାତ୍ରୀ।

ଓଁ ମହା ଶିବରାତ୍ରୀ।

2 mins
299



ଓଁ କର୍ପୁର ଗୈାରଂ କରୁଣାବତାରମ୍ 

ସଂସାର ସାରଂ ଭୁଜଗେନ୍ଦ୍ର ହାରମ୍

ସଦା ବସନ୍ତଂ ହୃଦୟାର ବିନ୍ଦମ୍ 

ଭବଂ ଭବାନୀ ସହିତଂ ନମାମି ।।


ଆଜି ହେଉଛି ପବିତ୍ର ଦେବ ଦେବ ମହାଦେବଙ୍କର ମହା ଜାଗର ମହା ଶିବରାତ୍ରୀ । କିଏ ତାଙ୍କୁ ଭୋଳାଶଙ୍କର କୁହନ୍ତି ତ ପୁଣି କୋଉ ଭକ୍ତ ଆକୁଳ ମନରେ ବିକଳ ହୃଦୟରେ ତ୍ରିଶୂଳ ଧାରୀ, ଡମ୍ବରୁଧର, ବୃଷଭ ବାହନ, ଚନ୍ଦ୍ର ଶେଖର ବୋଲି ଆରାଧନା କରିଥାନ୍ତି । ଶ୍ରାବଣ ମାସର ବୋଲବମ୍ ଠାରୁ ଆରମ୍ଭ କରି ପ୍ରତ୍ୟେକ ସୋମବାର ଆଉ ମହା ଶିବରାତ୍ରୀରେ ଲକ୍ଷ ଲକ୍ଷ ଭକ୍ତମାନେ ଭକ୍ତି ଭାବରେ ମଙ୍ଗଳ ମୂରତି ଶ୍ମଶାନବାସୀ ପ୍ରଭୁ ତ୍ରିଲୋଚନ ତ୍ରିପୁରାରୀ ଶିବ ଶଙ୍କରଙ୍କୁ ପୂଜା କରନ୍ତି । କଥାରେ ଅଛି , ବାର ମାସରେ ତେର ପର୍ବ । ହେଲେ ମହାପ୍ରଭୁ ମହାଦେବଙ୍କର ପାଳନ ହୁଏ ଚଉଦ ପର୍ବ । ସେଥି ମଧ୍ୟରୁ ଏହି ମହା ଶିବରାତ୍ରୀ ଅନ୍ୟତମ । ଏହା ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ଅଗଣିତ ଭକ୍ତମାନଙ୍କ ଗହଣରେ ମହା ଆଡ଼ମ୍ବରର ସହିତ ପାଳନ କରାଯାଇଥାଏ । 


 ଏହି ଶିବରାତ୍ରୀ ବା ମହା ଜାଗରରେ ଭକ୍ତମାନେ ଉପବାସ ରଖି , ଉଜାଗର ରହି ମହାଦୀପ ଉଠିବା ପର୍ଯ୍ୟନ୍ତ ଅତି ନିଷ୍ଠାର ସହିତ ଦୀପ ଜଳାଇ ଓଁ ଶିବାୟ ପଞ୍ଚାକ୍ଷର ମନ୍ତ୍ର ଜପ କରି ଚାଲିଥାନ୍ତି । ଯେତେବେଳେ ମହାପ୍ରଭୁଙ୍କ ମହାଦୀପ ମନ୍ଦିରର ଶୀର୍ଷରେ ଉଠେ , ସେତେବେଳେ ଭକ୍ତମାନଙ୍କ ମନ ହୃଦୟରେ ଏମିତି ଖୁସିର ଶିହରଣ ଖେଳିଯାଏ ଯେ ,ତାହା ଭାଷାରେ କେବେବି ପ୍ରକାଶ କରି ହୁଏନା ।  “ଓଁ ନମଃ ଶିବାୟ” ଏହି ପଞ୍ଚାକ୍ଷର ମନ୍ତ୍ରର ଅର୍ଥ ବିଭିନ୍ନ ଶାସ୍ତ୍ରରେ ବିଭିନ୍ନ ପ୍ରକାର ଉଲ୍ଲେଖ କରାଯାଇଛି ।‘ନ’ ଅର୍ଥ - ପୃଥିବୀ ବା ବ୍ରହ୍ମ, ‘ମ’ ଅର୍ଥ-ବିଷ୍ଣୁ ,‘ଶି’ ଅର୍ଥ - ଅଗ୍ନି ଓ ରୁଦ୍ର ,‘ବା’ ଅର୍ଥ ବାୟୁ ବା ମହେଶ୍ରର ଓ ‘ୟ’ ଅର୍ଥ - ଆକାଶ । ଆଉ ଏହି ସବୁର ଆଧାର ହେଲେ ଆମର ହର ହର ସଂହାରକର୍ତ୍ତା ଦେବ ଦେବ ମହାଦେବ । ସେ ଏକା ଥରକେ କାମ ,କାଳ ଓ ଅହଙ୍କାରର ତ୍ରିକାର ଧ୍ଵଂସକାରୀ ।


     ସବୁ ଦେବାଦେବୀଙ୍କ ପୂଜା ଦିନରେ ହେଲାବେଳେ ଦେବ ଦେବ ମହାଦେବଙ୍କର ପୂଜା ରାତ୍ରୀର ଅନ୍ଧକାରରେ ହିଁ ହୋଇଥାଏ । ଅନ୍ଧକାରକୁ ନାଶ କରି ସେ ସାରା ଜଗତକୁ ଆଲୋକମୟ କରିଥାନ୍ତି । ଏହି ଶିବରାତ୍ରୀ ପ୍ରଚଳିତ ହୋଇଛି ବହୁ ପୁରାତନ ଯୁଗରୁ । ପିତାମହ ବ୍ରହ୍ମା ହିଁ ଏହାକୁ ପ୍ରଥମେ ରାତି ଉଜାଗର ରହି ପାଳନ କରିଥିଲେ । ଆଉ ଏହି ମହା ଜାଗର ପାଳନ କରି ବାଲ୍ମିକୀ,ବ୍ୟାସ ଆଦି ମହାଋଷିମାନେ ମହାଭାରତ , ରାମାୟଣ ଭଳି ମହାନ ଗ୍ରନ୍ଥ ରଚନା କରିଥିଲେ । ସବୁଠୁ ସୁନ୍ଦର କଥା ହେଲା ଶିବ ହେଉଛନ୍ତି ପାପ, ତାପ ନାଶକାରୀ ମୁକ୍ତିଦାତା । କାମ , କ୍ରୋଧ ,ଲୋଭ ,ମୋହ ଜୟକାରୀ ଭସ୍ମ ଲେପନ, ନନ୍ଦୀ ବାହନ ,ଅର୍ଦ୍ଧ ନାରୀଶ୍ଵର, ଶତୃସଂହାର ,ନୀଳକଣ୍ଠ ଧାରୀ ପ୍ରଭୁ ଗଙ୍ଗାଧର । ଯିଏ କି କ୍ଷଣିକ ଭିତରେ ତପେ ବର ଅବା କୋପେ ବର ପ୍ରଦାନ କରନ୍ତି । ଏମିତି କୋଉ ଶାସ୍ତ୍ର ନାହିଁ ଯେଉଁଥିରେ କି ଦେବ ଦେବ ମହାଦେବଙ୍କର ମହିମା ବର୍ଣ୍ଣନା ହୋଇନି । 


   ଆଉ ଗୋଟେ ନିରାଟ ସତ୍ୟ କଥା ହେଲା , ଦେବ ଦେବ ମହାଦେବ କାହାକୁ ଆଡେ଼ଇ ଦିଅନ୍ତିନି । ଶେଷ ସମୟରେ ବି ନିଜ ମଶାଣି ଭୂଇଁରେ ସେ ସ୍ଥାନ ଦେଇ ଦିଅନ୍ତି । ଯାହାକୁ ସମସ୍ତେ ଶବ କହି ଛୁଇଁବୁନି ଛୁଇଁବୁନି କୁହନ୍ତି , ଶେଷ ସମୟରେ ସେ ଅମର ସାହାରା ହୋଇ ଆମର ମୁକ୍ତିପଥର ସାଥୀ ହୋଇଥାନ୍ତି । ଆଜି ସେହି ପ୍ରଭୁଙ୍କ ପାଖରେ କେତକୀ , ଦୁଦୁରା,ଅରଖ ଫୁଲ , କଞ୍ଚା କ୍ଷୀର ସହ ଭକ୍ତି ସହକାରେ ଅର୍ପଣ କରି ,ରାତି ଉଜାଗର ରହି ଦୀପ ଲଗାଇ ଭଗବାନ ଭୋଳାନାଥ ଭୋଳେଶ୍ବରଙ୍କ ପାଦରେ ନିଜକୁ ସମର୍ପଣ କରି ଦିଅନ୍ତୁ । ଆଉ ଭକ୍ତି ଭାବରେ କହି ତାଲିଥାନ୍ତୁ --

   ଓଁ ନମଃ ଶିବାୟ । 

 


Rate this content
Log in

Similar oriya story from Abstract