BANANIBALA NAIK

Others

4.7  

BANANIBALA NAIK

Others

ସମ୍ପଦ ବେଳେ ସର୍ବେ ସଖା

ସମ୍ପଦ ବେଳେ ସର୍ବେ ସଖା

6 mins
279



    ଦେବେନ୍ଦ୍ର ବାବୁ ଙ୍କ ନା ଆଖ ପାଖ ଦଶ ଖଣ୍ଡ ଗାଁ ରେ ଜଣାଶୁଣା । ଯେମିତି ପରୋପକାରୀ ଓ ମେଳାପୀ ସେମିତି ହୃଦୟବାନ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ଟିଏ । ପୈତୃକ ସମ୍ପତ୍ତି ପ୍ରାୟ ପଚାଶ ଏକର ଜମିର ମାଲିକ । ବାପ ଅଜା ଅମଳ ରୁ ଆଖ ପାଖ ଗାଁ ରେ ନାଁ ଅଛି । ସେ ଗାଁ ର ମାଇନର ସ୍କୁଲ୍ ରେ ପ୍ରଧାନ ଶିକ୍ଷକ ଭାବେ କାମ କରୁଥିଲେ । ବିଦ୍ୟାଳୟ ପରିଚାଳନା ତଥା ପାଠ ପଢା ହିସାବ ରେ ମଧ୍ୟ ବାପା ଦେବେନ୍ଦ୍ର ପଟେଲ ଙ୍କ ପ୍ରତିଷ୍ଠା ଥିଲା । ପ୍ରତି ବର୍ଷ ତାଙ୍କ ସ୍କୁଲ୍ ରୁ ପଞ୍ଚମ ଓ ତୃତୀୟ ଶ୍ରେଣୀରୁ ଶତ ପ୍ରତିଶତ ପିଲା ବୃତ୍ତି ପାଉଥିଲେ । ତେଣୁ ଅଞ୍ଚଳ ରେ ସମସ୍ତ ସ୍କୁଲ ଭିତରେ ତାଙ୍କ ସ୍କୁଲ୍ ର ନା ଡାକ ଥାଏ । ଦେବେନ୍ଦ୍ରsir କହିଲେ ଏସ୍ ଆଇ, ଡି ଆଇ ଙ୍କର ମଧ୍ୟ ମୁଣ୍ଡ ନଇଁ ଯାଉଥିଲା । 

  ଧୋତି ପଞ୍ଜାବୀ ପିନ୍ଧା ସାଧାରଣ ମଣିଷ ଟିଏ । ସରଳ ଅମାୟିକ ବ୍ୟବହାର । ଦୟାଳୁ, ପରୋପକାରୀ ,ସାଚ୍ଚୋଟ ମଣିଷ ଟିଏ । ସରକାରୀ ଚାକିରୀ ରେ କେବେ ବି ଅବହେଳା ନାହିଁ । ତା ସାଙ୍ଗକୁ ଭୂ ସମ୍ପତ୍ତି ପଚାଶ ଏକର ଜମି ର ରକ୍ଷଣା ବେକ୍ଷଣ କମ୍ କଥା ନୁହେଁ । ଗୁହାଳ ରେ ଚାଳିଶ ପଚାଶ ଗୋରୁ ଗାଈ ଙ୍କ ଭିଡ । ଦୁଇ ହଳ ପୋଢ଼ ସାଙ୍ଗକୁ ତିନି ହଳ ବଳଦ । ଚାରି ଜଣ ଗୋତି ସବୁ ଦିନ ସକାଳୁ ଘରେ ହାଜର ହୁଅନ୍ତି । ଜଣେ ଗାଈ ଜଗୁଆଳି , ଜଣେ ବଳଦ ଓ ପୋଢ଼ ଜଗୁଆଳି । ପ୍ରତିଦିନ ବାହାରକୁ ଚରାଇ ବାକୁ ନିଅନ୍ତି । କୁଣ୍ଡା,ପାଳ, ନଡ଼ା, କୁଟା ଖାଇବାକୁ ଦିଅନ୍ତି । ଜଣେ ପ୍ରତିଦିନ ଗୁହାଳ ସଫା କରେ । ଗଉଡ଼ ଟିଏ ପାଣି ଆଣିବା ପାଇଁ ଘରେ ନିଯୁକ୍ତ ହୋଇ ଥାଏ । ପ୍ରତି ଦିନ ଘରେ ଯେତେ ପାଣି ଦରକାର ବାଡି କୂଅ ରୁ ଆଣି ଘରେ ବଡ ବଡ଼ ହାଣ୍ଡି ଗରା ରେ ଭରି ଦିଏ ।  

   ଘରେ ସବୁବେଳେ ଦୁଇ ତିନିଟା ଦୁହାଳିଆ ଗାଈ ଥାଆନ୍ତି । ଗୋରସ ,ଦହି ର ଅଭାବ ନାହିଁ । ସବୁ ଗୁଡା ଦେଶୀ ଗାଈ । ବାହାରୁ ଚରି ବୁଲି ଆସି ଯୋଉ କ୍ଷୀର ଟିକେ ଦିଅନ୍ତି ,ସେ ଅମୃତ ତୁଲ୍ୟ । ଦାନା ଖିଆ ଗାଈ ର ଗୋରସ ଠାରୁ ନିଆରା ସ୍ଵାଦ ।

   ସବୁ ଜମି ଚାଷ କରି ଦେବେନ୍ଦ୍ର ବାବୁ ଭଲ ଚାଷୀ ଭାବରେ ବି ନା କମେଇ ଥାଆନ୍ତି । ମୁଗ,ବିରି,କୋଳଥ, ମାଣ୍ଡିଆ ,ରାଶି,ଅଳସି ଆଦି ଢିପ ଜମିରେ ଚାଷ ହୁଏ ।ନିଜ ପରିବାର ଖାଇ ପିଇ ଗୋତି ମୂଲିଆ ଙ୍କୁ ଦେଇ ମଧ୍ୟ ବର୍ଷ ଶେଷ କୁ ଢେର୍ ଧାନ ବଳକା ରହି ଯାଏ । ଗାଁ ର ଗରୀବ ଗୁରୁବା ଯିଏ ଧାର ଉଧାର ମାଗିଲେ ମନା କରନ୍ତି ନାହିଁ । କିଏ କାମ କରି ପରିଶୋଧ କରେ ତ କିଏ ଫେରାଇ ଦିଏ । ଯିଏ ଦେଇ ନ ପାରିଲେ ମଧ୍ୟ ତାକୁ ପୁରା ମାଫ । 

    ବାଡ଼ିରେ ଶୀତ ଦିନିଆ ଚାଷ ବି ହୁଏ । ଆଳୁ, ବାଇଗଣ, ଟମାଟୋ, କୋବି,ପିଆଜ, ରସୁଣ ,ମୂଳା କୋଶଳା ଇତ୍ୟାଦି । ଘର ଭର୍ତ୍ତି ହୋଇଯାଏ । ନିଜ ପରିବାର ଖାଇ ବନ୍ଧୁ ବାନ୍ଧବ ଙ୍କୁ ମଧ୍ୟ ଦିଆଯାଏ । ପଡୋଶୀ ଙ୍କୁ କିଛି କିଛି ଦିଆଯାଏ । ଗୋତି,ମଜୁରିଆ ସମସ୍ତ ଙ୍କୁ କିଛି କିଛି ଦିଆଯାଏ। ସାଇ ପଡ଼ିଶା ଙ୍କ ର ସବୁ ବେଳେ ଯା ଆସ ଲାଗିଥାଏ । ବେଳ ଅବେଳ ରେ ଜ୍ଞାତି ବା ସାହିର ପିଲା ମାନେ ବି ବୋଲ ହାକ କରନ୍ତି ।

   ହେଲେ ସବୁ ଦିନ ସମାନ ଯାଏନି । ଆହୁରି କିଛି ବର୍ଷ ଚାକିରି ବାକି ଥାଏ । ଦେବେନ୍ଦ୍ରsir ଦୁରାରୋଗ୍ୟ ବ୍ୟାଧି ରେ ପୀଡ଼ିତ ହେଲେ । ଅନ୍ତନଳୀ ରେ ସଂକ୍ରମଣ ହୋଇ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହେଲେ । ରୋଗଗ୍ରସ୍ତ ହେବାରୁ ସେ ଆଉ ଚାଷ ବାସ ସମ୍ଭାଳି ପାରିଲେ ନାହିଁ । ଧିରେ ଧିରେ ଘର ର ପରିସ୍ଥିତି ହୁଗୁଳିବାକୁ ଲାଗିଲା । ଚିକିତ୍ସା କଲେ ମଧ୍ୟ ସେ ଆରୋଗ୍ୟ ହୋଇ ପାରିଲେ ନାହିଁ । ଚିକିତ୍ସା ପାଇଁ ଧାର ଉଧାର ଆଣିବାକୁ ପଡ଼ିଲା । ଦୀର୍ଘ ତିନି ବର୍ଷ ସେ ଶଯ୍ୟାଶାୟୀ ହୋଇ ଶେଷରେ ଆଖି ବୁଜି ଦେଲେ । କିଛି ବର୍ଷ ପରେ ଦେବେନ୍ଦ୍ର sri ଙ୍କ ସ୍ତ୍ରୀ ମାନସିକ ଦୁଶ୍ଚିନ୍ତା ରେ ମ୍ରିୟମାଣ ହୋଇ ଆଖି ବୁଜିଦେଲେ ।

   ସବୁ ଆଡୁ ପରିବାର କୁ ଅଭାବ ମାଡ଼ି ବସିଲା । ଚାକିରୀ ଗଲା, ଚାଷ ଗଲା। ପୁଣି ପରିବାର ଉପରେ ଋଣ ବୋଝ । ବୋଝ ଉପରେ ନଳିତା ବିଡ଼ା ପରି । 

   ତାଙ୍କର ପୁଅ ତିନିଟା ଝିଅ ଦୁଇଟା । ବଡ଼ ପୁଅ ଓ ଦୁଇ ଝିଅ ଙ୍କ ବାହାଘର ସରି ଯାଇଥାଏ । ମଝିଆ ,ସାନ ଅବିବାହିତ । ଧିରେ ଧିରେ ଘର ର ଅବସ୍ଥା ତଳି ତଳାନ୍ତ ହେବାକୁ ଲାଗିଲା । ବଡ ପୁଅ ବି ଜଣେ ସରକାରୀ ଶିକ୍ଷକ ଭାବରେ କାମ କରୁଥିଲେ । ହେଲେ ଖିଆ ପିଆ ,ତଥା ସାଙ୍ଗ ଦୋଷ ରୁ ସେ ପରିବାର ଚଳାଇବାରେ ଅଯୋଗ୍ୟ ବିବେଚିତ ହେଲେ । ରାତି ଅଧରେ ଢଳି ଢଳି ଘରକୁ ଫେରିବା ତାଙ୍କର ନିତିଦିନିଆ କାର୍ଯ୍ୟ ସୂଚୀ । ମଝିଆ ପୁଅ ର ଅନ୍ୟ ବ୍ଲକ୍ ରେ ଚାକିରି । ହେଲେ ପରିବାର ପ୍ରତି ତାଙ୍କର ଗୁରୁଦାୟିତ୍ଵ ରହିଛି ,ଏକଥା ସେ ମର୍ମେ ମର୍ମେ ଅନୁଭବ କରନ୍ତି । ତଥାପି ଯଥା ସାଧ୍ୟ ପରିବାର କୁ ସମ୍ଭାଳି ଥାନ୍ତି । ସେତେ ବେଳେ ପ୍ରଥମେ ପ୍ରଥମେ ଶିକ୍ଷକ ଚାକିରୀ ରେ ଯୋଗ ଦେଇ ଥିବାରୁ ଅଳ୍ପ ଦରମା । ସେଥିରେ ପୁଣି ଆଠ ପ୍ରାଣୀ କୁଟୁମ୍ବ ଙ୍କ ର ହାନି ଲାଭ ଦୁଃଖ ସୁଖ ବୁଝିବା କୁ ପଡେ । ସାନ ଭାଇ ବାହାରେ ପୋଷ୍ଟ ଗ୍ରାଜୁଏଟ ପାଠ ପଢେ । ତାର ପଢା ଖର୍ଚ୍ଚ ବି ତୁଲାଇ ବାକୁ ପଡ଼େ । ଘର ର ପରିସ୍ଥିତି ଦେଖି ମଝିଆ ଭାଇ ହରେଶ ବାହା ହେବାକୁ ଅମଙ୍ଗ ହେଉଥିଲେ । ବାହା ହେଲେ ପୁଣି ନୂଆ ବୋହୂ ଟିଏ ଆସିବ । ଘର ର ଅସନ୍ତୁଲିତ ପରିସ୍ଥିତି ରେ ବୋହୂ ଟି ଖାପ ଖୁଆଇ ଚଳି ପାରିବ କି ନାହିଁ ,ସେଇ କଥା ଚିନ୍ତା କରି ଚୁପ୍ ରହିଥାନ୍ତି । ସମସ୍ତ ବନ୍ଧୁ ବାନ୍ଧବ ଙ୍କ ବୁଝା ସୁଝା ପରେ ତିରିଶ ବର୍ଷ ପରେ ଭଲ ଚାକିରିଆ ଝିଅ ଦେଖି ବାହା ହେଲେ । ଦଶ ବର୍ଷ ପରେ ସାନ ଭାଇ ନକୁଳ ର ବାହା ଘର କରି ଦିଆ ଗଲା । ନକୁଳ ଓଏଏସ ପରୀକ୍ଷାରେ ପାସ୍ କରି ବଡ ପୋଷ୍ଟ ରେ ଚାକିରି କରନ୍ତି । ବଡ଼ ଘର ବଡ ଅଫିସର ଙ୍କ ସୁନ୍ଦରୀ ଝିଅ ଟିଏ ଦେଖି ବାହା ଘର ହେଇ ଗଲା । ବାହା ଘର ପରେ ନକୁଳ ସ୍ତ୍ରୀ କୁ ନେଇ ସହର ରେ ରହିଲେ । ସାନ ଭାଇ ଓ ବଡ ଭାଇ ର ରଙ୍ଗ ଢ଼ଙ୍ଗ ଦେଖି ମଝିଆ ଭାଇ ହରେଶ ଦୁଃଖ କହିଲେ ନ ସରେ । ସାନ ଭାଇ ନକୁଳ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା ଯେ ସେ ଚାକିରୀ କଳା ପରେ ନିଶ୍ଚିତ ଭାବରେ ପରିବାର କଥା ବୁଝିବ । ହେଲେ ସବୁ ଆଶା ଆଶା ରେ ହିଁ ରହିଗଲା । ପାଞ୍ଚ ଆଙ୍ଗୁଳି ସମାନ ନ ଥାଏ ।ବେଶୀ ପାଠ ପଢ଼ିଲେ କଣ ହବ, ସାମାଜିକ ସଂସ୍କାର ବୋଲି ଜ୍ଞାନ ମୋଟା ମୋଟି କିଛି ନାହିଁ ।ନିଜ ସ୍ତ୍ରୀ ପିଲା ଙ୍କୁ କେନ୍ଦ୍ର ବିନ୍ଦୁ କରି ତାଙ୍କ ଭିତରେ ହିଁ ତାର ସଂସାର । ଗାଁ କଥା ସମ୍ପୂର୍ଣ୍ଣ ଭୁଲି ଗଲେ । ଭାଇ ମାନଙ୍କ ଅବଦାନ ବି ଭୁଲି ଗଲେ । ଏବେ ସେ promotion ପାଇ କଲେକ୍ଟର ପଦ ରେ ଥାଇ ଅବସର ନେଲେଣି । ହେଲେ ସେ ମାତୃଭୂମି କଥା ସମ୍ପୂର୍ଣ୍ଣ ଭୁଲିଗଲେ । 

    ମଝିଆ ଭାଇ ହରେଶ ମଧ୍ୟ ପଚାଶ ବର୍ଷ ବୟସ ରେ କ୍ୟାନ୍ସର ରୋଗରେ ତିନି ବର୍ଷ କାଳ ସଂଘର୍ଷ କରି ଇହ ଲୀଳା ସମ୍ବରଣ କଲେ । 

   ଯେଉଁ ଘରେ ଧନ ଜନ ଗୋପ ଲକ୍ଷ୍ମୀ ର ଅଭାବ ନ ଥିଲା ,ସେ ଘର ଟା ଆଜି ଶୁନଶାନ୍ । ବଡ ଭାଇ ଓ ତାଙ୍କ ସ୍ତ୍ରୀ ସେହି ଘରେ ରହନ୍ତି । ସାନ ଭାଇ ତ ସହର ରେ ସହରୀ ପାଲଟି ଯାଇ ମାତୃଭୂମି ର ମାୟା ଭୁଲି ଗଲେ । ବଡ ଭାଇ ସାଙ୍ଗ ଦୋଷ ରେ ପଡ଼ି ନିଜ ପରିବାର ସମ୍ଭାଳି ବାରେ ଅସମର୍ଥ । ଜମି ରେ ଆଜି ବିଲୁଆ ହଗୁଛି । ଅନ୍ୟ ଲୋକ ଯିଏ ଯେତିକି ପାରିଲା ଅକ୍ତିଆର କରି ନେଲା । ବିରୋଧ କରିବାକୁ କେହି ନାହିଁ । ଜମି ବାଡ଼ି ଭାଗ ବଣ୍ଟା ବି ଏ ଯାଏ ହେଇ ପାରିଲା ନାହିଁ । ଘର ର ପରିସ୍ଥିତି ଦେଖି ମଝିଆ ବୋହୂ ଝିଅ ଦୁଇଟା ଙ୍କୁ ଧରି ବାପ ଘରେ ଆଶ୍ରୟ ନେଇଛନ୍ତି । ନିଜ ଚାକିରି ଖଣ୍ଡେ ଥିବାରୁ ବାପା ଭାଇ ଙ୍କ ସାହାଯ୍ୟ ନେଇ ପିଲାଙ୍କ ଦାୟିତ୍ଵ ଆରାମ ରେ ତୁଲାଇ ନେଉଛନ୍ତି । 

    ପୈତୃକ ଘରେ ବଡ ଭାଇ ଓ ତାଙ୍କ ସ୍ତ୍ରୀ ରହନ୍ତି ସିନା ରକ୍ଷଣା ବେକ୍ଷଣ ପାଇଁ କୌଣସି ପଦକ୍ଷେପ ନିଅନ୍ତି ନି। ନିଜ ରକ୍ଷଣ ଅସମ୍ଭାଳ । ବାପା ଙ୍କ ଅନୁପସ୍ଥିତି ରେ ବଡ ଭାଇ ବାପାଙ୍କ ଦାୟିତ୍ଵ ନିର୍ବାହ କରିବା କଥା । କିନ୍ତୁ ଘର ସମ୍ଭାଳିବା ଯୋଗ୍ୟତା ଯାହାର ନାହିଁ ସେ କଣ କରିବ ?? Pention ଗଣ୍ଡାକ ପ୍ୟାଣ୍ଟ ପକେଟ ରୁ ହିଁ ଶୂନ୍ୟ ହୋଇ ଯାଏ । ଜମିଜମା ବନ୍ଧକ ଦେବାରେ ପଛଘୁଞ୍ଚା ଦିଅନ୍ତି ନାହିଁ । ତାଙ୍କ ସ୍ତ୍ରୀ ଙ୍କ ର ଗହଣା କହିଲେ କେବଳ ନାକ ଫୁଲ ଟିଏ । ଯେଉଁ ଘରେ ଦିନ ସାରା ଲୋକ ଙ୍କ ଅଭାବ ନ ଥିଲା , ଗୋତି ମଜୁରିଆ ,ମାଗି ଖିଆ ଙ୍କ ପାଇଁ ସବୁ ବେଳେ ଦରଜା ଖୋଲା ଥିଲା । ଗାଈ ଗୋରୁ ଛେଳି ମଇଁଷି ଭର୍ତ୍ତି ହୋଇ ଥିଲେ , ସେଇ ଘର କୁ ଆଜି କେହି ଆସୁ ନାହାନ୍ତି । ଗାଁ ସାରା ଲୋକ ଙ୍କୁ ଧାର ଉଧାର ଦେଇ ଯିଏ ଚଳାଉ ଥିଲେ ,ସେ ଆଜି ଚାଉଳ କିଣି ଖାଉଛନ୍ତି । ମିଲ ମୁଢ଼ି କୁ ଆସରା । ନିଜେ ପାଖ ନଳକୂଅ ରୁ ପାଣି ଆଣି ରୋଷେଇ କରିବାକୁ ପଡେ । 

    ପ୍ରତିଦିନ ଗୋତି,ମଜୁରିଆ କଥା ଦୂରେ ଥାଉ , ସୁବିଧା ଅସୁବିଧାରେ ଗୋଟେ ଦିନ ପାଇଁ କାମ କରିବାକୁ କହିଲେ କେହି ଶୁଣୁ ନାହାନ୍ତି । ସେଥିରେ ପୁଣି ଦିନକୁ ତିନି ଶହ ମଜୁରୀ ରେ ବି ମଙ୍ଗୁ ନାହାନ୍ତି । ଯେତେ ବେଳେ ଧନ ସଂପତ୍ତି ଥିଲା ,ଦାଣ୍ଡରେ ଠିଆ ହୋଇ ଟିକେ ପାଟି କରି ଡାକି ଦେଲେ ଲୋକ ହାଜିର୍ ହେଉ ଥିଲେ । ଆଜି କିନ୍ତୁ ପରିସ୍ଥିତି ସାଙ୍ଘାତିକ ଭାବେ ବଦଳି ଯାଇଛି । ଅନ୍ୟ ଘରକୁ ଯାଇ ଯେତେ ନେହୁରା ହେଲେ ବି କେହି ଦୁଃଖ ଶୁଣିବାର ନାହିଁ କି ପାଖ ମାଡ଼ିବାର ନାହିଁ ।

ସେଥି ପାଇଁ କଥାରେ କହନ୍ତି _"ସମ୍ପଦ ବେଳେ ସର୍ବେ ସଖା,ବିପଦେ ନ ଦିଅନ୍ତି ଦେଖା ।"

  


Rate this content
Log in