ଧକ୍କା ଓ ଧୋକା
ଧକ୍କା ଓ ଧୋକା
ଜୀବନ ଯାତ୍ରାରେ ଚାଲୁ ଚାଲୁ କେବେ
କେଉଁ ଠାରେ ହୁଏ ଧକ୍କା ,
ଧକ୍କା ଖାଇ ପୁଣି ଆଗକୁ ଚାଲିବା
ପାଇ ଗୋଟେ ନୂଆ ଶିକ୍ଷା ।
ଦୁର୍ଘଟଣା ହେଲେ କ୍ଷତି ତ ହୋଇବ
ଦେହରେ ବି ହୁଏ କ୍ଷତ ,
ଧକ୍କା ଠାରୁ ବେଶି ଧୋକା କରେ କ୍ଷତି
ଏ କଥା ନିରାଟ ସତ ।
ଦେହରୁ ତ କ୍ଷତ ଧୀରେ ଧୀରେ ଶୁଖେ
ମନରୁ ପାରେନା ଶୁଖି ,
ଧୋକାରୁ ସେ କ୍ଷତ ହୁଏ ଯାହା ସୃଷ୍ଟି
ଦେଖେ ନାହିଁ ସିନା ଆଖି ।
ଅଜାଣତେ ହୁଏ ଧକ୍କା କାହା ସଙ୍ଗେ
ଜାଣି ଶୁଣି ହୁଏ ଧୋକା ,
ଧୋକା ଦିଅ ନାହିଁ କାହାରିକୁ କେବେ
ମନାନ୍ତର ହେବ ପକ୍କା ।
ଧକ୍କା ହୋଇ ଯଦି ଜୀବନ ପଳାଏ
ଥରଟିଏ ହୁଏ ମୃତ୍ୟୁ ,
ଧୋକା ଦେଲେ ମୃତ୍ୟୁ ଆସେ ବାରମ୍ବାର
ଆସୁଛି ଯେମିତି ଋତୁ ।
ଧକ୍କା ହେଲା ପରେ ସମୟ ସ୍ରୋତରେ
ବନ୍ଧୁତାରେ ହୁଏ ଯୋଡ଼ି ,
ଧୋକା ଦେଲେ ବନ୍ଧୁ ଆଉ ନ ଚାହିଁବ
ଚାଲିଯିବ ମୁହଁ ମୋଡ଼ି ।।