କାନ୍ଦ କାହାଣୀ
କାନ୍ଦ କାହାଣୀ
ଜନମେ ଆସିଛି କୁଆଁ କୁଆଁ କାନ୍ଦି
ସେଇ ଏକା ବନ୍ଧୁ
ସାଥିରେ ଅଛି ।
ସୁଖ ଠାରୁ ଦୁଃଖ ଅତି ଆପଣାର
ନଲୋଡିବି ଯିଏ
ପାଖେ ରହୁଛି ।।
ସୁଖ ଆସୁଥାଏ ଅତିଥିଟେ ହୋଇ
କିଛି କ୍ଷଣ ରହି
ଯାଏ ସେ ଚାଲି ।
ଦୁଃଖ ରହିଥାଏ ତମାମ ବରଷ
ଦରଦୀ ବନ୍ଧୁ କି !
ପାରୁନି ଭୁଲି ।।
ଫୁଲ ପରି ଯା'ର ନରମ ଦେହକୁ
ସୁଖ ବୋଲି ଭାବେ
ଯଉବନରେ ।
କେତଟି ମୂହୁର୍ତ୍ତ ଏଇ ରତିକ୍ରୀଡା
ଚବିଶ ଘଣ୍ଟାର
ଗୋଟେ ଦିନରେ ।।
ପର କିଏ ଆମ ନିଜର ବି କିଏ
ପଶୁଠାରୁ ହୀନ
ପ୍ରକୃତି ପୁଣି ।
ମଣିଷ ହୋଇକି ମାନବିକତାରେ
କୋଟି ହୃଦୟକୁ
ପାରୁନି ଜିଣି ।।
ସୁବର୍ଣ୍ଣରେ ନୁହେଁ ମାଟି ପାତ୍ର ଜଳ
ତୃଷ୍ଣା ମେଣ୍ଟାଇବା
ପାଇଁକି ଯୋଗ୍ୟ ।
ଭୋଗେ ହୁଏ ରୋଗ ତ୍ଯାଗ ହିଁ ଯଥାର୍ଥ
ସ୍ବାଭିମାନ ପଣ
ପ୍ରକୃତ ସ୍ବର୍ଗ ।।
ମରଣ କାଳରେ ଆତ୍ମୀୟ ସ୍ୱଜନ
କାନ୍ଦି କାନ୍ଦି ସତେ
ଦେବେ ମେଲାଣି ।
କାନ୍ଦ ଠାରୁ ସୁଖ ହସରେ ନଥାଏ
ଜନ୍ମ ମୃତ୍ୟୁର ଏ
କାନ୍ଦ କାହାଣୀ ।।