ଚିଠିରେ... ଚିଠିରେ...
ଚିଠିରେ... ଚିଠିରେ...
ଆଖିର ଲୋତକରେ
ଲେଖିଛି ମୁଁ ଚିଠି
ଦେଇ ହୃଦୟର ରଙ୍ଗ...
ତୁମ ଶୂନ୍ୟତାକୁ
ସହି ମୁଁ ପାରୁନି
ସହୁଛି ଖାଲି ବ୍ୟଙ୍ଗ... I1I
ଭୁଲି ମୁଁ ପାରୁନି
ଭୁଲି ପାରିବିନି
ତୁମ ସ୍ୱପ୍ନ ଭିଜା କଥା
ପ୍ରତିଟି ମୁହୂର୍ତ୍ତ
ପାଉଛି ଆଘାତ
ଘୁରି ମୋ ଯାଉଛି ମଥା... I2I
କାହିଁ କେତେ ଦିନୁ
ରହିଗଲ ଦୂରେ
ମୋ କଥା କି ମନେ ନାହିଁ
ତୁମ ଶୂନ୍ୟତାକୁ
ଖୋଜୁଛି ମୁଁ ଆଜି
ଲୋତକ ଦୁଇଟୋପା ଦେଇ...I3I
ଦେଇଥିଲ ସ୍ୱପ୍ନ
ନୟନେ ଅନେକ
ଉଡିଯିବା ସାଥୀ ହୋଇ
ତୁମରି ସ୍ମୃତିକୁ
ସାଇତି ରଖିଛି
ପ୍ରତୀକ୍ଷାର ଅନ୍ତ କାହିଁ... I4I
ଅତୀତ ପୃଷ୍ଠାକୁ
ଉନ୍ମୋଚନ କରି
ଜାଣିନି କି ଲାଭ ଅଛି
ତଥାପି ମୁଁ ଖୋଜେ
ତୁମକୁ କାହିଁକି
ଯନ୍ତ୍ରଣାରେ ମରୁଅଛି... I5I
ତୁମେ ଦେଇଥିବା
ଅସୁମାରୀ ସ୍ୱପ୍ନ
ସ୍ମୃତି ହୋଇ ରହିଗଲା
ତୁମ ଭାବନାର
ମଧୁର ସଂଗୀତ
ଫୁଲ ହୋଇ ଝଡିଗଲା I6
ମୋର କିନ୍ତୁ ଏ
ନିରବ ପ୍ରତୀକ୍ଷା
ଅନ୍ତ କେବେ ହେବ ନାହିଁ
ଫେରିବା ପଥକୁ
ରହିଥିବି ଚାହିଁ
ମରିକି ଜୀଇଁବି ମୁହିଁ... I7I
ସବୁ କଥା ଲେଖି
ହୁଏନା ଜୀବନେ
କିଛି ରହିଯାଏ ବାକି
କିଛି ସ୍ମୃତି ପୁଣି
ଭୁଲି ହୁଏ ନାହିଁ
ମନେ ରହିଥାଏ ଆଙ୍କି... I8I
ଭୁଲ ଥିଲେ ଠିକ
କରିଣ ପଢିବ
ଦୋଷ ଥିଲେ କ୍ଷମା ଦେବ
ଦେଇଥିବା କଥା
ନିଶ୍ଚୟ ରଖିବ
ଚିଠି ପାଇ ଚିଠି ଦେବ I9