ଜୀବନ ଡଙ୍ଗା
ଜୀବନ ଡଙ୍ଗା
ଜୀବନ ଡଙ୍ଗାରେ ବସିରେ କାଳିଆ
ଯାଉଛି ମୁଁ ହଲିହଲି
ତୋହରି ଚରଣେ ହେବିକିରେ ଲୀନ
ଭାବୁଛି ମୁଁ ତାହା ଖାଲି ।
ଅଧା ସାଗରରେ ଭସାଇ ଦେବୁନି
ଯିବାକୁ ଚାହେଁ ତୋ ପାଖ
ନାହିଁ ଧନ, ଜନ ନାହିଁ ବନ୍ଧୁ ବଳ
ସାହା ଖାଲି ତୋର ମୁଖ ।
ଜଳନ୍ତା ସାଗରେ ଜଳଇ ତନୁ ମୋ
ହୋଇ ଯାଉଛି ଉତ୍ତପ୍ତ
ତୋହରି ଚରଣେ ଆଶ୍ରା ନଦେଲେରେ
ହୋଇଯିବି ବାଷ୍ପୀଭୁତ ।
ଏ ମୃତ୍ୟୁ ମଣ୍ଡଳେ ମୋ ପାଇଁ କାଳିଆ
ହସ କାନ୍ଦ କେତେ କେତେ
ମୋ ଦେହେ ଲାଗିଛି ଘୃଣା ଦ୍ୱେଷ ସବୁ
ତୋ ଦେହେ ଚନ୍ଦନ ଯେତେ ।
ଅବଶ୍ୟ କାଳିଆ କ୍ଷମାପ୍ରାର୍ଥୀ ମୁହିଁ
ସେହି ଜନମାନଙ୍କର
କଣ କରିବି କହରେ କାଳିଆ
ସେମାନେ କରିଲେ ପର ।
ଯାହା ମୋର ଦୋଷ କ୍ଷମା କର ତୁରେ
ନ ଭାବି ମତେ ଯେ ପର
ଜୀବନ ଡଙ୍ଗାକୁ କୂଳରେ ଲଗାଇ
ମତେ କରିନେ ତୋହର
ମତେ କରିଦେ ତୋହର ।।