କରିବିନି ଅହଙ୍କାର
କରିବିନି ଅହଙ୍କାର
ଯେଉଁ ଦିନ ଠାରୁ ଦୁନିଆଁ ଦେଖିଲି
ଥାପିଲି ଭୂଇଁ ରେ ପାଦ
ମାଆ କୋଳ ଛାଡ଼ି ଶେଯ ରେ ଶୋଇଲି
ଲାଗୁ ନ ଥିଲା ଯେ ନିଦ।
ନିଦ ରେ ଶୋଇବା ଅଭିନୟ କଲି
ଅଭିନୟ ହେଲା ସତ
ନିଘୋଡ଼ ନିଦରେ ଶୋଇ ଗଲି ତେବେ
ସପନ ରେ ଅଭିଭୂତ।
ସପନ ଭାଙ୍ଗିଲା ଆଖି ଖୋଲିଗଲା
ଦେଖିଲି ଯେଉଁ ମାନଙ୍କୁ
ନିଜ ଠୁଁ ନିଜର ଲାଗିଲେ ସଭିଏଁ
ବିଶ୍ୱାସ କଲି ତାହାଙ୍କୁ।
ଭାବନା ରାଇଜେ ହଜିଗଲି ଯେବେ
ଚାହିଁଲି ପଛକୁ ଫେରି
ଯାହା ମୁଁ ଦେଖିଲି ସ୍ତବ୍ଧ ହୋଇ ଗଲି
ହୃଦୟ ମୋ ଗଲା ଥରି।
ଅଣ୍ଟୀ ଛୁରୀ ଏଠି କାଟୁ ଅଛି ତଣ୍ଟି
ଭଗାରି ହେଉଛି ଭାଇ
ସ୍ବାର୍ଥ ପାଇଁ ବନ୍ଧୁ ବନ୍ଧୁ ର ବଇରୀ
ବନ୍ଧୁତା କୁ ଭୁଲି ଯାଇ।
ଯଉବନ ମଦେ ଅନ୍ଧ ନରନାରୀ
ଖାତର କରନ୍ତି ନାହିଁ
ଯଉବନ ଯିବ ବୟସ ହଜିବ
ଏଥକୁ ନଜର ନାହିଁ।
ଧନ ଯଉବନ ପଦ ଓ ପଦବୀ
ନୁହଁଇ ତ ଚିରସ୍ଥାୟୀ
ଆଜି ଯାହା ଅଛି କାଲି କି ନ ଥିବ
କେହି ନୁହେଁ ବନ୍ଧୁ ଭାଇ।
ପିତା ମାତା ବନ୍ଧୁ ଆତ୍ମୀୟ ସ୍ୱଜନ
ସଭିଏଁ ସ୍ବାର୍ଥ ରେ ବନ୍ଧା
ସ୍ବାର୍ଥ ଥିବା ଯାଏଁ ଛାଇ ପରି ଥିବେ
ସରିଲେ ରଟିବେ ନିନ୍ଦା।
ଏ ସଂସାର ଅଟେ ମାୟା ମରୀଚିକା
ବିଶ୍ୱାସ କାହାକୁ ନାହିଁ
ବନ୍ଦ୍ ହୋଇଲେ ନିଃଶ୍ୱାସ ଜାଣିଥା
ସମସ୍ତେ ଯିବେ ଦୂରେଇ।
ଗୀତା ଭାଗବତ ଯେତେ ଶାସ୍ତ୍ର ମତ
ଲେଖା ହୋଇଛି ତହିଁ ରେ
ଗର୍ବ ଅହଙ୍କାର ପତନ କାରଣ
ତେଜିବା ଏହାଙ୍କୁ ଦୂରେ।
ଅହଙ୍କାର କେବେ କରିନାହିଁ ମୁହିଁ
ଗରବ କରିନି ମନେ
ତନ ମନ ମୋର ଅରପି ଦେଇଛି
ଜଗବନ୍ଧୁ ଙ୍କ ଚରଣେ ।