ପୌରୁଷ
ପୌରୁଷ
ସୃଷ୍ଟି ନିୟନ୍ତାଙ୍କ ଅଶେଷ କୃପାରୁ
ସକଳ ସଜୀବ ପ୍ରାଣ
କିଏ ଦାନେ ଶ୍ରେଷ୍ଠ କିଏ ବା ଭକ୍ତିରେ
ପ୍ରଭୁ ପାଦେ ସବୁ ଲୀନ ।
କର୍ମ ସଂପାଦନେ ଯଶ କୀର୍ତ୍ତି ଗୁଣେ
ସର୍ବେ ହୋନ୍ତି ବଳୀୟାର
ତହିଁରୁ ଏକ ଯେ ପୁରୁଷ ଜନମ
ନର ମଧ୍ୟ ଚାରୁ ବୀର ।
ପୁରୁଷ ହୃଦୟେ ପୌରୁଷ ନଜଗେ
କି ହେବ ସେ ଜନ୍ମ ପାଇ
ପରିବାର ହେଉ କିବା ଏ ଜଗତ
ସଭିଏଁ ଅଛନ୍ତି ଚାହିଁ ।
ବିହୟସ ପରି ବିଶାଳ ହୃଦୟ
ଗିରି ପରି ସେ ଅଟଳ
ସନ୍ତାନ ପାଳନେ ନିତି ପ୍ରତି ଦିନ
ବୁହାଏ ଅଜସ୍ର ଝାଳ ।
ଘର ଉପରେ ସେ ହୋଇ ଥାନ୍ତି ଛତ୍ରୀ
ଦେଇ ସୁଶୀତଳ ଛାୟା
ଧନ ଲକ୍ଷ୍ମୀ ବୋଲି କନ୍ୟାକୁ ଆଦରି
ଲଗାନ୍ତି ନିବିଡ଼ ମାୟା ।
ପୌରୁଷ ବୀରତ୍ବ ବଳରେ ନିହିତ
ଦାୟିତ୍ଵ ନିର୍ବାହ ଗୁଣ
ଅନ୍ନଦାତା ଜନ୍ମଦାତା ପୁଣି ମନ୍ତ୍ର
ଦାତା ସଙ୍ଗେ ସର୍ବଦାନ ।
ସନ୍ତାନ ରକ୍ଷକ କବଚ ପରିକା
ହରଣ କରନ୍ତି ଭୟ
ପୌରୁଷେ ଭୀରୁତା କଳଙ୍କ ଲାଗିଲେ
ହୁଏ ନାହିଁ ତା'ର ଜୟ ।
ବଳ ବୀର୍ଯକୁ ଯେ ଦାସତ୍ୱ ଖଟାଏ
ପୌରୁଷ ବିଲୀନ ହୁଏ
ସତ୍ୟ ପଥେ ଚଳି ଅହଂଭାବ ନାଶି
ଜନ ମନେ ରହି ଥାଏ ।
ପୁରୁଷ ସୁଲଭ ଜନମ ଧାରଣେ
ପୁରୁଷାର୍ଥ ବିଜଡ଼ିତ
ପୁରୁଷକାରେ ତ ସୁଶୋଭିତ ହୋଇ
କରି ଥାନ୍ତି ସୁଗନ୍ଧିତ ।