ରହିଲା ରାଣ
ରହିଲା ରାଣ
ରହିଲା ରାଣ
ଦିନକରେ ଚାହିଁ ହାତଯୋଡି ମୁହିଁ
ଦଶ ଦିଗପାଳ ଶାଖିଥିବ ଚାହିଁ
ଖାଉଛି ରାଣ
କରୁଛି ପଣ
ଶ୍ରାବଣ ବରଷୁ କି ଫଗୁଣ ହରଷୁ
ବୈଶାଖ ଉଜାତୁ କି ମାଘ ବି ବିଗାଡୁ
ସତ୍ୟ ହିଁ କହୁଛି
କହିବି ବାରବାର
ରହିଲା ସାତ ଗାର ହେ ଶୁଣ ।
ରହିଲା ରାଣ
ତୁମ ପାଦପଦ୍ମେ ଥିବ ଜୀବନ ଯୌବନ
ମନ ଶିବାଳୟେ ବିଜେ ତୁମ ସିଂହାସନ
ଶୁଣ ନାଥପ୍ରାଣ
ଦେଇ ନାସାକର୍ଣ୍ଣ
ସଂକଟ ଆକଟୁ କି ବିପତ୍ତି ଆଉଟୁ
କୌତୁକ ଚହଟୁ କି ଉତ୍ସର୍ଗ ମଲାଟୁ
ଭାବନାରେ ତୁମେ
ଚେତନାରେ ଚୁମେ
ସେବାରେ ଦେବାରେ ନିସର୍ତ୍ତ ସମର୍ପଣ ।
ରହିଲା ରାଣ
ବୁଝେଇ ସୁଝେଇ ଦେବ ଆଖି ଦେଖେଇ
ବୁଲେଇ ବଙ୍ଗେଇ କଟୁକ୍ତି ଚଷିବ ନାହିଁ
ସମୟ ବାରଣ
ସସ୍ନାନ ସମ୍ଭାଷଣ
ପାରିଲା ପଣିଆ ପାଇକ ପୁଙ୍ଗବ
ଚରିତ୍ର ବେଦାଗ କଥାରେ ସୌଷ୍ଠଵ
ରାତିରେ ପାଖରେ
ଶୋଇବା ସାଥିରେ
ଶେଷ ନିଶ୍ଵାସ ଯାଏଁ କୋଳାଙ୍କରଣ ।
ରହିଲା ରାଣ
ଜୀବିକା ସଂକଟୂ କି କରୋନା ଝପଟୁ
ସୁସ୍ଥତା ଚମ୍ପଟୁ କି ଦାରିଦ୍ର୍ୟ କୁହାଟୁ
ଛାଇ ପରି ଥିବି
ଜାୟା କାୟା ଭାବି
ବିପଦ ଉତ୍କଟୁ କି ସଂପଦ ଚହଟୁ
ଦୁର୍ଦ୍ଦିନ ବି ଭେଟୁ କି ସୁଦିନ ପଲଟୁ
ମାଇଲ ଖୁଣ୍ଟ ପରି
ପଛେ ଚାଲି ଅନୁସରି
ଛ' ଖଣ୍ଡ କାଠରେ ଅନ୍ତିମ ଶରଣ ।
ରହିଲା ରାଣ
ତୁମ ପଦସେବା ସଧବା ସଣ୍ଠଣା
ଚରିତ୍ର ଚମକୁ ଦମକୁ ଭିଡରେ ଗଣା
ଉଣା ହେଲେ ଘୃଣା
ମରି ଯିବି ବାରଣା
ପୂଜାରେ ସାଥିରେ ଦାନରେ ଆଗରେ
ବନ୍ଧୁତ୍ୱ ଗାଥାରେ ତ୍ୟାଗରେ ପ୍ରେମରେ
ମନରେ ନ ଆସୁ
ଚିନ୍ତାରେ ନ ପସୁ
ଲମ୍ଫଟର ଦାରା ହାରା ଗିରା ନ ଶୁଣ।