ଶାଶୁ ଘର
ଶାଶୁ ଘର
ଏକ ଛତ୍ରବାଦୀ ଶାଶନ ଘେର
ସଭିଙ୍କ ଉପରେ କଡ଼ା ନଜର,
କଥାରେ କଥାରେ ନିଆଁର ଝର
ସେଇ ଘରଟି ମୋ ଶାଶୁଙ୍କ ଘର ।
ଦିବା ନିଶି କିଳା ଘରର ଦ୍ଵାର
ପ୍ରବେଶ ନିଷେଧ ଆଉ କାହାର,
ସର୍ଵ ଧ୍ୟାନ ଏଠି ଆନ କାମର
ସେଇ ଘରଟି ମୋ ଶାଶୁଙ୍କ ଘର ।
ମୋ କଥା ମାନିଲେ ସବୁ ସୁନ୍ଦର
କ୍ଷଣିକେ ପାଲଟେ ଘର ମନ୍ଦିର,
ନ ମାନିଲେ ଶୁଭେ କ୍ରୋଧ ଝଙ୍କାର
ସେଇ ଘରଟି ମୋ ଶାଶୁଙ୍କ ଘର ।
ପୁଅଙ୍କ ପେଟକୁ ଆଗେ ନିଜର
ସାତ ଦରବରେ ଥାଳି ତାଙ୍କର,
ଇଚ୍ଛା ନ ଥିଲେ ବି କ୍ଷୀରୀ ଶାକର
ସେଇ ଘରଟି ମୋ ଶାଶୁଙ୍କ ଘର ।
ଅଲିଅଳି ଅଟେ ଝିଅ ତାଙ୍କର
ମୁଣ୍ଡ କୁଣ୍ଡାଇଲେ ଦେହରେ ଜ୍ଵର,
ରାଣୀ ପରି ସେବା ଯେଉଁଠି ତାର
ସେଇ ଘରଟି ମୋ ଶାଶୁଙ୍କ ଘର ।
ବାରମାସେ ସେଠି ପରବ ତେର
କେତେ ବନ୍ଧୁ ପୁଣି କେତେ ବେଭାର,
କେତେ ପାଦ କେତେ ଅଳତା ଗାର
ସେଇ ଘରଟି ମୋ ଶାଶୁଙ୍କ ଘର ।
ଓଢଣୀ ଖସିଲେ ମୁଣ୍ଡରୁ ମୋର
କଟାକ୍ଷ ଚାହାଣୀ ମାରଇ ତୀର,
ପ୍ରଶ୍ନ ନପଚାରି ମିଳେ ଉତ୍ତର
ସେଇ ଘର ଟି ମୋ ଶାଶୁଙ୍କ ଘର ।
ଭଲ ମନ୍ଦ ପୁଣି କେତେ ସଂସ୍କାର
ନିତି ନିୟମର ଅତୁଟ ଡୋର,
ଗାଳିରେ ତାଙ୍କର ସ୍ନେହର ସ୍ୱର
ସେଇ ଘର ଟି ମୋ ଶାଶୁଙ୍କ ଘର ।
ଶାଶୁ ଘର ଅବା ବାପାଙ୍କ ଘର
ଚ଼ଳି ଜାଣିଥିଲେ ସବୁ ସୁନ୍ଦର,
ବାନ୍ଧି ଜାଣିଥିଲେ ପ୍ରେମର ଡୋର
କ୍ଷଣିକରେ ହେବେ ସର୍ବେ ନିଜର ।