ଆମ ଗାଁ ଝିଅ ବୁଲି
ଆମ ଗାଁ ଝିଅ ବୁଲି
ସେ ନଈ ଆରପାରି ଗାଁରୁ ଶିଖିବାର ଥିଲା ବହୁତ କଥା। କଥାଟା ହେଲା ଦୋଳପୂର୍ଣ୍ଣମୀରେ ଠାକୁର ଆସନ୍ତି ଗାଁକୁ। ଦ୍ଵାର ଦ୍ଵାର ଲିପା ପୋଛା, ସଜ୍ଜାସଜ୍ଜି, ବାଣ ତୋରଣରେ ସୁସଜ୍ଜିତ ଗାଁ ଦାଣ୍ଡ ଠୁ ଆରମ୍ଭ କରି ପ୍ରତି ଘର। ଆମ ଦୁଇ ଗାଁ ମଝିରେ ନଈଟିଏ। ନଈ ଆରପାଖେ ବି ଗାଁଟିଏ। ସେଠିକୁ ବି ଆସନ୍ତି ଠାକୁର ସେଠାରେ ମଧ୍ୟ ଗାଁ ଦାଣ୍ଡ ଦୁଲୁକୁଥାଏ ବାଜା ରୋଷଣୀ, ଲାଇଟ ତଥା ଆଲୋକମାଳରେ। ବୁଝି ହୁଏନା କିନ୍ତୁ ଗୋଟିଏ କଥା, ସେଦିନ ଗାଁରେ ଥିବା ସବୁ କୁକୁର ମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଥାଏ ସେ ନଈ ଆରପାରି ଗ୍ରାମର ନଈ କୂଳେ। କିଏ କହେ ଗ୍ରହ ରିଷ୍ଟ ଶାନ୍ତି ପାଇଁ ସେମାନେ ଏପରି କରୁଛନ୍ତି ତ କିଏ ତାତ୍ସଲ୍ୟ କରେ ହେଲେ ଗ୍ରାମ ଝିଅ ବୁଲିକୁ କିଛି ଭାବିବା ପାଇଁ ଖୋରାକ ମିଳିଯାଏ l
ଏ ବର୍ଷ ତାଙ୍କ ଗ୍ରାମରେ ବୁଲି ଅନୁଭବ କଲା, ତାଙ୍କ ଗ୍ରାମର କୁକୁରମାନେ ଦୋଳପୂର୍ଣ୍ଣମୀରେ ବହୁ ଦୁଃଖ କଷ୍ଟ ଭୋଗୁଛନ୍ତି। ଯେଉଁମାନେ ନିତି ପ୍ରତି କୁକୁରମାନଙ୍କୁ ଖାଦ୍ୟ ଦିଅନ୍ତି ସେମାନେ ଦିଅନ୍ତି ନାହିଁ, ଏଇଥିପାଇଁ କି ଯେ ଠାକୁର ଆସିବେ ଘର ଅଗଣା ଦାଣ୍ଡ ଦୁଆର ଅପରିଷ୍କାର ହେବ, ଦ୍ଵିତୀୟରେ, ଛୋଟ ପିଲାମାନେ ବିନା କାରଣରେ ଟେକା ଫୋପାଡି ତାଙ୍କୁ ଘଉଡାନ୍ତି ଶୋଇବା ଜାଗାରୁ ସେମାନଙ୍କୁ ଗାଁ ଦାଣ୍ଡରୁ, ତୃତୀୟରେ ପିଲାଠୁ ବୁଢ଼ା ସଭିଏଁ କୁକୁରମାନଙ୍କ ଉପରେ ଫଗୁ ରଙ୍ଗ ପକାଇ ଅସ୍ତ ବେସ୍ତ କରିପକାନ୍ତି ବିଚରା ଗୁଡ଼ାକୁ। ପୁଣି ଠାକୁର ଆସିବା ବେଳକୁ କାଳେ କୁକୁର ଛୁଇଁ ଦେବ ବୋଲି ସେମାନଙ୍କୁ ଶୋଇବା ଜାଗାରୁ ଦୁର ବାଡ଼ିଆ, ତ ବିଚରା ଗୁଡ଼ାକ କିଛି ନଭୁଝି ଭୁଲିଲେ ବି ସେମାନଙ୍କ ଉପରେ ବସେ ପ୍ରହାର। ଏହାର ପ୍ରତିକାର ସ୍ବରୂପ, ଗ୍ରାମ ଝିଅ ବୁଲିକୁ ସେ ନଈ ଆରପାରି ଗ୍ରାମର ଦୃଶ୍ୟ ମନେ ପଡ଼ିଗଲା ଓ ସେ ବୁଝିଗଲା ବହୁତ କିଛି, ଆଉ ଗ୍ରାମ ମୁଖିଆମାନଙ୍କୁ ବସାଇ ବୁଝାଇ କହିଲା ସବୁକଥା। ମାନବିକତାର ଉନ୍ମେଷ ଭିତରେ ସମସ୍ତେ ଏଥର ଠାକୁର ଆସିବା ପୂର୍ବରୁ କୁକୁରମାନଙ୍କୁ ନଈ କୂଳରେ ଦେଲେ ମନଭରି କୋଠ ଖାଦ୍ୟ ତ ସମସ୍ୟା ଦୂରେଇ ଗଲା ଅନେକ, ସମସ୍ତେ ଗ୍ରାମର ଝିଅ ବୁଲିକୁ ବହୁତ ପ୍ରଶଂସା କରି ହୋଲି ଖେଳିବାକୁ ପ୍ରସ୍ତୁତ ହେଉଥିଲେ।