Sunanda Mohanty

Abstract Tragedy Thriller

4.0  

Sunanda Mohanty

Abstract Tragedy Thriller

ବାପା

ବାପା

4 mins
14


ସେଦିନ ଭିଡ଼ିଓଟିଏ ଦେଖି କୁନା ଚିତ୍କାର କରୁଥିଲା.ଏକତା ହିଁ ପ୍ରକୃତ ବଳ. ତୁମେ ଠିକ କହୁଥିଲ ଜେଜେମା. ଦେଖ ଦେଖ ବଣର ରାଜା ସିଂହର ଶୀକାର ସାଜିଥିବା ମଇଁଷିକୁ ବଞ୍ଚାଇବାକୁ ଯାଇ ଅନ୍ୟ ସବୁ ମଇଁଷିମାନେ ଦଳପତିଙ୍କ ସହ ମିଳିତ ଆକ୍ରମଣ କରିବା ଫଳରେ ମଇଁଷିର ଜୀବନ ବଞ୍ଚିବା ସହ ସିଂହ ପଳେଇଯାଉଛି ଦେଖ କହି ଖୁସିରେ କୁନା ତାଳି ମାରୁଥିଲା ବେଳେ ଜେଜେମାଆ ଦେଖିକି ଖୁସି ହେଲେ ସତ ହେଲେ କୁନାକୁ ମନଲଗାଇ ପାଠ ପଢିବାକୁ କହିଥିଲେ.କୁନା ସେଦିନ ଏକତାହିଁ ବଳ କଥାଟିରେ ଏତେମାତ୍ରାରେ ପ୍ରଭାବିତ ହୋଇଥିଲା ଯେ, ପାଠ ବହି ତଳେ ଜହ୍ନମାମୁଁ ବହି ରଖି ଧାରାବାହିକ ମହାଭାରତ ଗପରେ ପଞ୍ଚଛୁପାଣ୍ଡବଙ୍କ ଏକତା ବିଷୟରେ ପଢୁଥିଲା ବେଳେ ବାପା ଦେଖିନେଇଥିଲେ. ଜେଜେମା ଯେତେ ଛଡେଇଲେ ମଧ୍ୟ କୁନାର ସେଦିନ ମାଡ଼ ଖାଇବା ଯୋଗ ଥିଲା. ସକାଳୁ ସକାଳୁ କୁନା ଉଠି ଛାତ ଉପରକୁ ଯାଇ ଦେଖିଲା ତା ବୋଉ ଚଉରା ପୂଜା ସାରି ତଳକୁ ଯିବା ପରେ ଜେଜେମା ଚଢେଇ ଗିନା ଦୁଇଟିରେ ଚାଉଳ ଓ ପାଣି ଭରି ଥୋଉଛନ୍ତି. ଅନେକ ଘରଚଟିଆ ପକ୍ଷୀ ଚାଉଳ ଖାଇବାକୁ ଯାଇ କିଛି ଖାଉଥିଲେ ତ କିଛି ବିଞ୍ଚି ହୋଇଯାଉଥିଲା. କୁନା ତଳକୁ ଦଉଡି ଯାଇ ବାପା ଆଣିଥିବା ନୂଆ ହେମଦସ୍ତାଟି ଧରି ଆସି ଚାଉଳ ଗୁଣ୍ଡ କରିଦେବା ପରେ ପକ୍ଷୀମାନେ ସହଜରେ ଖାଇପାରୁଥିବା ଦେଖି ଜେଜେମା ବହୁତ ଖୁସି ହେଲେ କଣ ହେବ ବାପା ତଳୁ ପାଠ ପଢିବା ବେଳ ହୋଇନିକି ତୋ ପାଇଁ କହି ବିରକ୍ତ ହେଉଥିଲେ ତ କୁନା ମନେ ମନେ ଭାବୁଥିଲା ଏ ବାପା ମାନେ ଭାରି ନିଷ୍ଠୁର. ଏମାନଙ୍କର ମନ ବୋଲି ଟିକେ ନାହିଁ. ଖାଲି ଜେଜେ, ଜେଜେମା, ଦାଦା, ଖୁଡି ଅଛନ୍ତି ଏକାଠି ବୋଲି ସିନା ତାକୁ ଜଣାଅପଡୁନି.

   ଜେଜେ ତାକୁ ପିଠିରେ ବସେଇ ଚାଲ ଘୋଡା ଚାଲ କହିବା ବେଳେ ବାପା କୁହନ୍ତି ପିଲାଟାକୁ ଗେଲବସର କରିବାରୁ ସେ ପାଠରେ ମନ ଦେଉନି. ଜେଜେମା ପାଖରେ ରାତିରେ ଶୋଇ ଗପ ଶୁଣୁ ଶୁଣୁ ବାପା ଭିଡି ଆଣି ଏକୁଟିଆ ଡ୍ରଇଂ ରୁମରେ ଶୋଇବାକୁ ପରାମର୍ଶ ଦିଅନ୍ତି ଓ କହନ୍ତି ଏକୁଟିଆ ଶୋଇଲେ ଡର କମିବ ସାହାସୀ ହେବୁ କିନ୍ତୁ ସେହି ଡ୍ରଇଂ ରୁମ ବାରଣ୍ଡାରେ ରାତି ସାରା ଶୋଇରହିଥାଆନ୍ତି ବାପା. କୁନା ଭାବେ ଭୋରରୁ ପାଠ ପଢିବାକୁ ନିଦ ଭାଙ୍ଗିବାକୁ ବାପାଙ୍କର ଏସବୁ ନାଟକ .ଚାରିଟା ପରେ ସ୍କୁଲରୁ ଆସି ଦାଦାଙ୍କ ସଙ୍ଗେ ଫୁଟୁବଲ, ଭଲିବଲ, କ୍ରିକେଟ ଖେଳୁଥିଲା ବେଳେ ବାପା ଡାକ ଛାଡ଼ନ୍ତି ଗୋଠବାହୁଡି ଗଲେଣି, ପକ୍ଷୀମାନେ ନୀଡ଼ ଫେରନ୍ତା ହେଲେଣି, ସଞ୍ଜ ମଧ୍ୟ ନଇଁ ଆସିଲାଣି. ଆଜି ଠାକୁର ଘରେ ଜେଜେ ଜେଜେବାପାଙ୍କ ପାଖରେ ଜଣାଣ କରି ପ୍ରଣାମୀ ଜଣାଇବୁ ନାହିଁକି କୁନା? ତ ଦାଦା ପୁତୁରା ଖେଳ ଛାଡ଼ି ଆସନ୍ତି ସତ ହେଲେ ମୁନା ଭିତରେ ଭିତରେ ଗାଳି କରୁଥାଏ ବାପାଙ୍କୁ. କେବଳ ଖୁଡିଙ୍କ ସଙ୍ଗେ ରବିବାର ଦିନ ଆକ୍ୱାରିଅମ ସଫା କରିବା, ବାଡ଼ି ବଗିଚାରେ ଥିବା ଫର୍ଣ୍ଣ ଜାତୀୟ ଗଛକୁ ସୁନ୍ଦର ସୁନ୍ଦର ଆକୃତି ଦେଇ ସଜାଡ଼ି କାଟିବା ସହ ଋତୁ ଅନୁଯାଇ ଫୁଲ ଗଛ ଲଗେଇବା ବାଡ଼ି ବଗିଚା ପରିସ୍କାର କଲାବେଳେ ବାପା କିଛି କହୁନଥିଲେ ମଧ୍ୟ ରବିବାର ଦିନ ରାତିରେ ଦଶଟା ପରିବର୍ତ୍ତେ ବାରଟା ଯାଏଁ ତାକୁ ପଢିବାକୁ ହୁଏ. ପୁଣି ଭୋରରୁ ବାପା ଡାକ ଛାଡ଼ନ୍ତି ଉଠୁ ଉଠୁ ପାହାନ୍ତି ପାଠ ମନେରହିବ, ପଢ ଟିକେ କହି ନିଜେ ବି ବସିଯାଆନ୍ତି ତ କୁନା ଚିଡୁଥାଏ ମନେ ମନେ ଯେ ବାପା କେଡେ ନିଷ୍ଠୁର. ଦିଘଡି ଶୋଉନାହାଁନ୍ତି କି ଶୁଆଇଦେଉନାହାଁନ୍ତି. ହେଲେ କୁନା ଯେବେ କୃତିତ୍ୱର ସହ ସପ୍ତମ ଶ୍ରେଣୀରେ ଏନ. ଆର. ଟି. ଏସ ପରୀକ୍ଷାରେ ତାଙ୍କ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କଲା ବାପାଙ୍କ ଖୁସି ଦେଖେ କିଏ!କେତେ ମିଠା ବାଣ୍ଟିଲେ, କେତେ ଚିହ୍ନା ଜଣା ଲୋକଙ୍କୁ ଡାକି ହାକି ମୋ ପୁଅ କୁନା ସଫଳତା ହାସଲ କରିଛି କହିଲେ ତାର ହିସାବ ନଥିଲା. ସେଦିନ ପ୍ରଥମ କରି କୁନାକୁ ଲାଗିଥିଲା ବାପା ତାକୁ କେତେ ଭଲପାଆନ୍ତି ପୁଣି ମନ ବିଦ୍ରୋହ କରେ ତା ସଫଳତାକୁ ଭଲ ପାଆନ୍ତି ତାକୁ ନୁହେଁ.

     ଯେଉଁଦିନ ସେ ଘର ଛାଡ଼ି ଦାଦା ଖୁଡିଙ୍କ ସଙ୍ଗେ ସହରକୁ ପାଠ ପଢିବାକୁ ଗଲା ବାପା କାନ୍ଦୁଥିଲେ ଭୋ ଭୋ. ବୋଉ ତାକୁ ଗେଲ କରି ତା ନିଜ ଆଖିରୁ ଲୁହ ପୋଛି ଦେଲା ବେଳେ ଜେଜେ ଓ ଜେଜେମା କାନ୍ଦି ପକେଇ କହୁଥିଲେ ମନ ଦେଇ ପଢ଼ିବୁ ସେଠି. ବାପା ପରି ଆକଟ କରିବାକୁ, ମଣିଷ ପରି ମଣିଷ କରିବାକୁ ସେଠି କେହି ନାହିଁ. ଦାଦା ଖୁଡି ଗେଲବସର କରିବେ କିନ୍ତୁ ଭାଗ୍ୟ ଡୋରି ଏଣିକି ତୋ ନିଜ ହାତରେ. କୁନା ଭାବୁଥିଲା ବୋଉ ବାପା, ଜେଜେ ଜେଜେମାଙ୍କ କଥା ଶୁଣି ପ୍ରତିବାଦ କରୁନାହାଁନ୍ତି କାହିଁକି?ଏଠି ସମସ୍ତେ ଏକାଠି ଥିଲା ବେଳେ ବାପାଙ୍କ କଟକଣା ଯୋଗୁଁ ସେ ଖୁସି ମଜ୍ଜା କରିପାରୁନଥିଲା ସେଠି ସେ ଦାଦା ଖୁଡିଙ୍କ ପାଖରେ ଖୁବ ଆରାମରେ ରହିବ. ଖେଳିବ, ଟିଭି ଦେଖିବ, ମୋବାଇଲ ଶିଖିବ ଇତ୍ୟାଦି ଇତ୍ୟାଦି କେତେ କଣ.ଖୁସି ଖୁସିରେ ଗାଡିରେ ବସିଲା ବେଳେ ବାପା କିଛି ନକହି ଖାଲି ଗାମୁଛାରେ ମୁହଁ ପୋଛି ଚାଲିଥିଲେ ଓ ଫୁସ ଫୁସ କରି କହୁଥିଲେ ଛୋଟୁର ଚାକିରୀ ହେଲାନି ଯେ ମୋ ଘର ଉଜୁଡି ଗଲା. ବାପାଙ୍କ ଶେଷ କେଇପଦ କୁନା କାନରେ ବାଜିଥିଲା ତ ସେ ଭାବୁଥିଲା ଵପାଙ୍କୁ ଯେତେ ମାଠିବୁ ମାଠ.. ସେ ସେଇ ଦରପୋଡା କାଠ. ଏମିତି କଣ କୁହନ୍ତି? ଦାଦାଙ୍କ ଚାକିରୀ ସହରରେ ହେଲା ବୋଲି ସିନା ସେ ସହରରେ ରହି ଏନ. ଆର. ଟି. ଏସ ପରୀକ୍ଷାର ସ୍କଲାରସିପ ଟଙ୍କା ପାଇବା ସହ ସହରୀ ସଭ୍ୟତା ଶିଖି ପାରିବ!ଜେଜେ, ଜେଜେମା ଓ ବୋଉ ଖଣ୍ଡେ ବାଟ ଗାଡି ପଛେ ଆସି ଲେଉଟି ଯାଇଥିଲେ.କୁନା ଖୁସିରେ ଗାଡିର ପଛ ସିଟରେ ଖୁଡିଙ୍କ ପାଖେ ବସି ତାଙ୍କ ଉପରେ ଆଉଜୁ ଆଉଜୁ ଶୋଇ ଶୋଇ ସ୍ବପ୍ନ ଦେଖୁଥିଲା ସହରର.ପୁଣି ଦେଖୁଥିଲା ଗାଁର ନଈକୂଳ, ତୋଟାମାଳ, ଆମ୍ବବଉଳ ଭିତରେ ପ୍ରଜାପତିମାନେ ତାକୁ ହାତ ଠାରି ଡାକିବା ବେଳେ ସେ ସେମାନଙ୍କୁ ହାତ ହଲେଇ ହଲେଇ ବିଦାୟ ଜଣାଉଥିଲା ବେଳେ ଗାଁର ମହାଦେବମନ୍ଦିରଉପରେ ଉଡୁଥିବା ନେତକୁ ବାପା ଯେମିତି ପ୍ରଣାମ ଜଣାଇବାକୁ କହୁଥିଲେ ତ ସେ ପ୍ରଣାମ କରୁ କରୁ ପଡି ଯାଇଥିଲା ତ ତା ଦେହରୁ ଧୂଳି ଝାଡ଼ି ବାପା କହୁଥିଲେ ତୁ ବୀର, ତୁ ସାହାସୀ, ତୁ ମୋ ରାଜାପୁଅଟି ମୋର ଉଠୁ ଉଠୁ କହି ବାପା ହାତ ଧରି ଡାକୁଥିଲେ ତ କୁନାର ନିଦ ଭାଙ୍ଗିଯାଇଥିଲା ।

   ସେ ଗାଡିର ପଛ ସିଟରୁ ତଳକୁ ଖସି ପଡିଥିଲା. ଖୁଡି ଆଗସିଟରେ ବସି,ଜି. ପି. ଏସ କଣ୍ଟ୍ରୋଲ କରୁଥିଲେ ଓ ମଝିରେ ମଝିରେ ତାଙ୍କ ପସନ୍ଦର ଗୀତ ଶୁଣୁଥିଲେ. କୁନା ନିଜକୁ ସମ୍ଭାଳି ଉଠିଲା. ନିଜେ ବୋତଲ ଖୋଲି ପାଣି ପିଇଲା. ଘରେ ପଡିଗଲା ବେଳେ ଜେଜେ, ଜେଜେମା, ବୋଉ ଦଉଡି ଆସି ମୋ ଧନର କୋଉଠି କଣ ହେଇଛି ଦେଖି ଦେଖି ବୋଲି କହିବାକୁ କେହି ନଥିଲେ କି ବାପା ଛାତିକୁ ଆଜୁଜେଇନେଇ କହୁନଥିଲେ ଦେଖିଚାହିଁ ନଚାଲିଲେ ଝୁଣ୍ଟିବାକୁ ହୁଏ ପୁଅ ଦେଖି ଚାହିଁ ଚାଲିବୁ. ଗାଡି ସହର ଭିତରେ ପଶିସାରିଥିଲା. ପିଲାଦିନକୁ ସବୁଦିନପାଇଁ ପଛରେ ପକାଇ କୁନା ଆସିଥିଲା ସହରକୁ ବୋଲି ସେ ଜାଣି ପାରିନଥିଲା. ଗାଡି କ୍ଵାଟର ଦ୍ୱାରରେ ରହିବାରୁ ଦାଦାଙ୍କ ସଙ୍ଗେ ସେ ଆଜି ପ୍ରଥମକରି ବ୍ୟାଗ ସବୁକୁ ବୋହି ନେଉଥିଲା ବେଳେ ବାପା ମନେପଡୁଥିଲେ ଖୁବ. ସତେ ଯେମିତି କହୁଥିଲେ ଦେଖିକି ପଡ଼ିବୁ.ମତେ ଦେ ମୁଁ ନେଇଯାଉଛି ତୁ ଭିତରକୁ ଯାଆ. କୁନା ପଛକୁ ଚାହୁଁଥିଲା, କେହି ନଥିଲେ ।



Rate this content
Log in

Similar oriya story from Abstract