Chittaranjan Nanda

Children Stories Inspirational

3  

Chittaranjan Nanda

Children Stories Inspirational

ଭକ୍ତ କବି ମଧୁସୂଦନ ରାଓ ସ୍ମରଣେ

ଭକ୍ତ କବି ମଧୁସୂଦନ ରାଓ ସ୍ମରଣେ

8 mins
1.0K



ଛବିଳ ମଧୁବର୍ଣ୍ଣ ବୋଧର ରଚୟିତା ମଧୁସୂଦନ ରାଓ। ଓଡିଆ ଭାଷାକୁ, ଓଡିଆଙ୍କୁ ବିଶ୍ବ ଦରବାରରେ ପରିଚିତ କରାଇଥିଲେ ଭକ୍ତକବି ମଧୂସୁଦନ ରାଓ। 


 ସେ ଥିଲେ ଶିକ୍ଷକ, କବି, ସାହିତ୍ୟିକ, ସୁସଂଗଠକ, ସମାଜ ସଂସ୍କାରକ, ଦାର୍ଶନିକ, ସ୍ୱାଧୀନତା ସଂଗ୍ରାମୀ ଓ ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା।

ମଧୁସୂଦନ ରାଓ ୧୮୫୩ ମସିହା ଜାନୁଆରୀ ୨୯ ତାରିଖ ମାଘ ମାସରେ ପୁରୀର ପଥୁରିଆ ସାହିରେ ଶ୍ରୀପଞ୍ଚମୀ ଦିନ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ଥିଲେ ଭାଗୀରଥୀ ରାଓ ଓ ମାତା ଅମ୍ବିକାବାଇ। 


ମଧୁସୂଦନଙ୍କୁ ଯେତେବେଳେ ପାଞ୍ଚବର୍ଷ ତାଙ୍କୁ ମାଆ ଛାଡ଼ି ଚାଲିଗଲେ। ଦୁଇ ଭାଇ ଓ ପିତା ଭାଗୀରଥୀ ରାଓଙ୍କୁ ନେଇ ମଧୁସୂଦନଙ୍କ ଜୀବନ ଅତିବାହିତ ହେଲା। ତାଙ୍କ ପିତା ଭାଗିରଥୀ ରାଓ ପୁରୀର ଅଠରନଳା ଘାଟରେ ଟିକସ ଆଦାୟ କାର୍ଯ୍ୟରେ ନିଯୁକ୍ତ ଥିଲେ। ମାତ୍ର ୧୮୫୮ ମସିହାରେ ସରକାର ଘାଟରୁ ଟିକସ ବନ୍ଦ କରିଦେବାରୁ ତାଙ୍କ ପିତାଙ୍କର ଚାକିରି ଚାଲିଗଲା। କିଛି ଦିନ ପରେ ସେ ଗୋପ ଥାନାରେ ଚାକିରି ପାଇଲେ। ପିତା ତାଙ୍କୁ ଓ ତାଙ୍କ ସାନଭାଇଙ୍କୁ ଗୋପ ନେଇ ଆସିଲେ। ସେତେବେଳେ ଗୋପରେ ପ୍ରାଥମିକ ବିଦ୍ୟାଳୟ ନଥିଲା। ଅତଏବ ମଧୁସୂଦନ ଗୋପରେ ଥିବା ଏକମାତ୍ର ଚାଟଶାଳୀରେ ଅଧ୍ୟୟନ କଲେ।


କିଛି ଦିନ ପରେ ପିତା ଗୋପ ଥାନାରୁ ଭୁବନେଶ୍ୱର ବଦଳି ହେଲେ।ସେତେବେଳେ ଭୁବନେଶ୍ୱରରେ ଥିବା ବିଦ୍ୟାଳୟରେ ଓଡ଼ିଆ ବଦଳରେ ବଙ୍ଗଳା ପଢ଼ା ଯାଉ ଥିଲା। ମଧୁସୂଦନ ରାଓ ବାଧ୍ୟ ହୋଇ ସେହି ବିଦ୍ୟାଳୟରେ ପାଠ ପଢ଼ିଲେ। ଥରେ ଏଡ୍ରୋ ସାହେବ ବିଶ୍ୱପ୍ରସିଦ୍ଧ ଖଣ୍ଡଗିରି ବୁଲି ଆସିଥିଲେ।ଭୁବନେଶ୍ୱର ଥାନାରେ ରାତ୍ରି ରହଣି ସମୟରେ ଭାଗିରଥୀ ରାଓଙ୍କ ଉପରେ ପ୍ରୀତ ହୋଇ ମଧୁସୂଦନଙ୍କୁ ମାଗଣାରେ ପୁରୀ ଜିଲ୍ଲା ସ୍କୁଲରେ ପଢ଼ିବାକୁ ସୁପାରିଶ୍ କଲେ।


ବାଲ୍ୟବିବାହ କୁସଂସ୍କାରରୁ ବାଦ ପଡି ନଥିଲେ ମଧୁସୂଦନ ରାଓ। ତାଙ୍କୁ ଯେତେବେଳେ ଏଗାର ବର୍ଷ ମାତ୍ର ସେତେ ବେଳେ ସେ ୯ ବର୍ଷର ବାଳିକା ପଦ୍ମାବାଇଙ୍କୁ ବିବାହ କରିଥିଲେ। ପଦ୍ମାବାଇଙ୍କ ଘର ପୁରୀ ସହରରେ ଥିଲା। ବିବାହ ବନ୍ଧନରେ ଆବଦ୍ଧ ହୋଇ ମଧ୍ୟ ସେ ବିଦ୍ୟା ଅଭ୍ୟାସରୁ ଦୂରେଇ ଯାଇ ନଥିଲେ। ଅଧ୍ୟୟନରେ ମନୋନିବେଶ କରି ସେ ଛାତ୍ର ଜୀବନରେ ସଫଳତା ଆଣିବା ପାଇଁ ପ୍ରୟାସ ଜାରି ରଖିଲେ।


୧୮୬୫ ମସିହାରେ ପ୍ରବଳ ବନ୍ୟା ଓ ୧୮୬୬ ମସିହାରେ ମରୁଡ଼ି ଯୋଗୁଁ ୧୮୬୬ ମସିହାର ଓଡ଼ିଶାର ନଅଙ୍କ ଦୁର୍ଭିକ୍ଷ ଦେଖା ଦେଇଥିଲା ସେତେବେଳକୁ ମଧୁସୂଦନ ନଵମ ଶ୍ରେଣୀରେ ପଢ଼ୁଥା’ନ୍ତି। ବୟସ ମାତ୍ର ୧୪ । ଦୁର୍ଭିକ୍ଷ ସମୟରେ ଲୋକ ମାନଙ୍କ ସେବା କରିବା ପାଇଁ ମନ ବ୍ୟାକୁଳ ହୋଇ ପଡ଼ିଲା। ପୁରୀର ମଠାଧୀଶ ମହନ୍ତ ନାରାୟଣ ଦାସ ଲୋକ ସେବାରେ ନିଜକୁ ସାମିଲ କରିଥାନ୍ତି। ଲୋକଙ୍କୁ ଦୁର୍ଦ୍ଦିନରେ ଚାଉଳ ଯୋଗାଇ ଦେଉଥିଲେ। ମଧୁସୂଦନଙ୍କ ଅନୁରୋଧ କ୍ରମେ ପୁରୀର ମାଜିଷ୍ଟ୍ରେଟ୍ ଜନ୍ ବକ୍ସ ସାହେବ ତାଙ୍କୁ ଦଳେ ସ୍ୱେଚ୍ଛା ସେବକଙ୍କ ଦାୟିତ୍ଵ ନିର୍ବାହ କରିବାକୁ ଦେଲେ। ସେ ସ୍ୱେଚ୍ଛା ସେବକ ମାନଙ୍କୁ ଧରି ଚାଉଳ ବଣ୍ଟନ କାର୍ଯ୍ୟ ସୁଚାରୂ ରୂପେ ତୁଲାଇଥିଲେ।


୧୯୬୯ ମସିହାରେ ମଧୁସୂଦନ ପୁରୀ ଜିଲ୍ଲା ସ୍କୁଲରେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋ‍ଇ ସର୍ବପ୍ରଥମ ସ୍ଥାନ ଅଧିକାର କଲେ। ଏହା ସମସ୍ତ ଶିକ୍ଷାବିତଙ୍କ ଦୃଷ୍ଟିଗୋଚର କରିଥିଲା। ପ୍ରବେଶିକା ପରୀକ୍ଷାରେ ତାଙ୍କ ସଫଳତାର ଶ୍ରେୟ ମଧୁସୂଦନ ରାଧାନାଥ ରାୟଙ୍କୁ ପ୍ରଦାନ କରିଥିଲେ।ଉଚ୍ଚଶିକ୍ଷା ପାଇଁ ମଧୁସୂଦନ କଟକ ବାହାରିଲେ। ସାଙ୍ଗରେ ସାନଭାଇ ଜଗନ୍ନାଥ ଓ ମାଉସୀ ମଧ୍ୟ ଗଲେ।

ମଧୁସୂଦନ ରାଓ କଟକରେ ଏଫ.ଏ. ପଢ଼ିଲେ। ତାଙ୍କର ଆଦର୍ଶ ଛାତ୍ର ଜୀବନ ଅବ୍ୟାହତ ରହିଥିଲା। ମଧୁସୂଦନଙ୍କର ପ୍ରଧାନ ପ୍ରଧ୍ୟାପକ ଥିଲେ ଚଣ୍ଡୀଚରଣ ଶବନ୍ଦୋପଧ୍ୟାୟ, ରାଜକିଶୋର ବନ୍ଦୋପଧ୍ୟାୟ ହରିନାଥ ଭଟ୍ଟାଚାର୍ଯ୍ୟ ଆଦି ସୁପଣ୍ଡିତ ଓ ଚରିତ୍ରବାନ ବ୍ୟକ୍ତି ବିଶେଷ। କଟକରେ ଅଧ୍ୟୟନ କାଳରେ ମଧୁସୂଦନ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ।


  ଏଫ.ଏ. ପଢ଼ିବା ସମୟରେ ମଧୁସୂଦନ ଗୋଟିଏ ଗୋଟିଏ ଇଂରାଜୀ କବିତା ଅନୁବାଦ କରୁଥିଲେ। ତାହାକୁ ଅନୁସରଣ କରି ବଳରାମ ଦାସ ‘କୁମାର ସମ୍ଭବ’ ଅନୁବାଦ କରିଥିଲେ। ହେଲେ ମଧୁସୂଦନଙ୍କ ଅନୁବାଦ ତାଙ୍କ ଠାରୁ ଉନ୍ନତ ଥିଲା। ସେହି ସମୟରେ ତାଙ୍କ ପାଇଁ ଆଉ ଗୋଟିଏ ବଡ଼ ସୁଯୋଗ ଥିଲା ସେ ତାଳପୋଥିରୁ ହିଁ ‘ବୈହେଦୀଶ ବିଳାସ’ ଓ ‘ବିଦଗ୍ଧ ଚିନ୍ତାମଣି’ ଚର୍ଚ୍ଚା କରି ପାରୁଥିଲେ। ସେତେବେଳେ ଓଡ଼ିଆ ଭାଷାରେ ମାତ୍ର ଦୁଇଖଣ୍ଡ ବହି ‘ନିତିବୋଧ ଓ ହିତପୋଦେଶ’ ମିସନାରୀମାନଙ୍କ ଦ୍ୱାରା ମୁଦ୍ରିତ ହୋଇଥିଲା। ଏଣୁ ତାଳପତ୍ର ପୋଥୀ ହିଁ ଜ୍ଞାନ ବିକାଶର ଏକ ମାତ୍ର ସାହା ଭରସା ଥିଲା।


  ୧୮ ବର୍ଷ ବୟସରେ ଏଫ୍ ଏ ପାସ୍ କଲା ପରେ ୧୮୭୧ ମସିହାରେ ସେ ପ୍ରଧାନ ଶିକ୍ଷକ ଭାବରେ ଯୋଗ ଦେଇ ଥିଲେ ଯାଜପୁର ମଧ୍ଯ ଇଂରାଜୀ ବିଦ୍ୟାଳୟରେ। ସେଠାରୁ ସେ ୧୮୭୩ ଖ୍ରୀଷ୍ଟାବ୍ଦ ଅକ୍ଟୋବର ୨୯ ତାରିଖରେ ବାଲେଶ୍ୱର ଜିଲ୍ଲା ସ୍କୁଲର ୨ୟ ଶିକ୍ଷକ ପଦରେ ଯୋଗ ଦେଇ ସର୍ବପ୍ରଥମ ସରକାରୀ କର୍ମକ୍ଷେତ୍ରରେ ପ୍ରବେଶ କଲେ।ସେଠାରେ ଅବସ୍ଥାନ କାଳରେ ସେ ବ୍ୟାସକବି ଫକୀରମୋହନ ଓ କବିବର ରାଧାନାଥ ରାୟଙ୍କ ସାନ୍ନିଧ୍ଯ ଲାଭ କରି ଥିଲେ। ଏହା ଥିଲା ଓଡ଼ିଆ ସାହିତ୍ୟ ସ୍ରୋତସ୍ୱିନୀର ତ୍ରିବେଣୀ ସଂଗମ ଅବଂ ଅପୂ୍ର୍ବ ମଣିକାଞ୍ଚନ ସଂଯୋଗ।


୧୮୭୬ରୁ ୩ ବର୍ଷ ସେ ଥିଲେ ରେଭେନସା କଲେଜିଏଟ୍ ସ୍କୁଲର ସରକାରୀ ଶିକ୍ଷକ ଓ କଟକ ଜିଲ୍ଲା ସ୍କୁଲ୍ ସମୂହର ଡ଼େପୁଟି ଇନ୍ସ୍ ପେକ୍ଟର।


 ୧୯୦୮ ମସିହାରେ ସେ ସର୍ବଭାରତୀୟ ଶିକ୍ଷା ସେବା (ଆଇ ଇ ଏସ୍) ରେ ସ୍ଥାନ ପାଇ ମାସିକ ଏକ ଶହ ଟଙ୍କା ଅଧିକା ବେତନ ପାଇ ଅତିରିକ୍ତ ଇନ୍ସପେକ୍ଟର ପଦରେ ଅବସ୍ଥାପିତ ହେଲେ ଓ ୧୯୦୯ରେ ସରକାରୀ ବୃତ୍ତିରୁ ଅବସର ଗ୍ରହଣ କଲେ ।


୧୮୮୬ ମସିହା ଜାନୁଆରୀ ମାସରେ ପ୍ରକାଶିତ ଏକ ପ୍ରବନ୍ଧ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ସେ ଲେଖିଥିଲେ।

"ହେ ତୁମ୍ଭେ କିପରି ଛାତ୍ରମାନଙ୍କର ହୃଦୟ କୁସୁମରେ ଶ୍ରୀବର୍ଦ୍ଧନ କରିପାରିବ ? ତୁମେ କିପରି ସୁନୀଳ ଅନନ୍ତ ଗ‌ଗନ ପଟରେ ଯେଉଁ ରବିଚନ୍ଦ୍ରମୟୀ ମହାକବିତା ଲିଖିତ ହୋଇ‌ଅଛି ସେଥିର ମହିମା ଛାତ୍ରମାନଙ୍କୁ ବୁଝାଇ ସେମାନଙ୍କର ପ୍ରାଣକୁ ଉଦାର କରିପାରିବ ? ତୁମ୍ଭେ କିପରି ସମୁଦ୍ରର ଗମ୍ଭୀର ଧ୍ୱନି ମଧ୍ୟରେ ଛାତ୍ରମାନଙ୍କୁ ବ୍ରହ୍ମାଣ୍ଡପତିଙ୍କର ମହାସ୍ତବ ଶୁଣାଇ ପାରିବ ? ତୁମେ କିପରି ପର୍ବତକାନନ ଜଳସ୍ଥଳ ସର୍ବତ୍ର ଶିକ୍ଷାର ଦ୍ୱାର ଉଦ୍‌ଘାଟନ କରିପାରିବ ? ତୁମ୍ଭେ କିପରି ନରନାରୀ ହୃଦୟର ନିଗୁଢ଼ ସୌନ୍ଦର୍ଯ୍ୟ ନିଜେ ନିଜେ ନଦେଖି ଅନ୍ୟକୁ ଦେଖାଇପାରିବ ? ହେ ଶିକ୍ଷକ ! ତୁମ୍ଭେ ନିଜ ହୃଦୟକୁ ସୌନ୍ଦର୍ଯ୍ୟ ରସରେ ସରସ କରି କବିତାର ସ୍ନିଗ୍ଧ ସମୀରଣ ସେବନ କର।ନୀରସ ସଂସାର ମରୁ ପରିତ୍ୟାଗ କରି କାବ୍ୟର ନନ୍ଦନ‌କାନନ ମଧ୍ୟରେ ବାଲ୍ମୀକି, ବ୍ୟାସ, କାଳିଦାସ, ଭବଭୂତି, ସେକ୍‌ସପିୟର, ମିଲଟନ୍ ପ୍ରଭୃତି କବି କୋବିଦ ମାନଙ୍କର ଅମୃତମୟ ସଂଗୀତ ଶ୍ରବଣ କରି କଳ୍ପନା ପକ୍ଷରେ ସ୍ୱର୍ଗ ମର୍ତ୍ତ୍ୟ ବିଚରଣ କରି ସୌନ୍ଦର୍ଯ୍ୟ ସଂପାଦନ କରିବା ନିମିତ୍ତ ମାନବ ମନକୁ ଦେବ ଭାବରେ ପୂର୍ଣ୍ଣ କରିବା ନିମିତ୍ତ, ଛାତ୍ରମାନଙ୍କର ବୁଦ୍ଧି, କଳ୍ପନା, ସ୍ମୃତି, ହୃଦୟ, ବିବେକ ଓ ଆତ୍ମାର ପୂର୍ଣ୍ଣ କଲ୍ୟାଣ ସଂପାଦନ କରିବା ନିମିତ୍ତ ପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରୁଅଛନ୍ତି।ଜାଗ୍ରତ ହୁଅ ତୁମ୍ଭ ଜୀବନର ମହାବ୍ରତ ସାଧନ ନିମିତ୍ତ ପ୍ରାଣପଣରେ ଯତ୍ନ କର।"


ସେତେବେଳେ ବାଲେଶ୍ୱରରେ ଫକୀରମୋହନ ସେନାପତି ପ୍ରତିଷ୍ଠା କରିଥିଲେ ଏକ ନୂତନ ମୁଦ୍ରଣ ପ୍ରେସ। ରାଥାନାଥ ଓ ମଧୁସୂଦନଙ୍କ ସହଯୋଗରେ ସେ ପ୍ରକାଶ କରିଥିଲେ ବାଲେଶ୍ୱରରେ ସମ୍ବାଦବାହିକା ଓ ବୋଧଦାୟିନୀ ପତ୍ରିକା। ବାଲେଶ୍ୱରର ରାଜକୁମାର ବୈକୁଣ୍ଠନାଥ ଦେ ମଧ୍ଯ ଗୋଟିଏ ପ୍ରେସ୍ ପ୍ରତିଷ୍ଠା କରି ରାଥାନାଥ ଓ ମଧୁସୂଦନଙ୍କ ସହଯୋଗରେ ଊତ୍କଳ ଦର୍ପଣ ପତ୍ରିକା ପ୍ରକାଶ କଲେ।ମଧୁସୂଦନଙ୍କର ଅନେକ କବିତା ଓ ପ୍ରବନ୍ଧ ଏହି ପତ୍ରିକାରେ ଆତ୍ମ ପ୍ରକାଶ ପାଇଥିଲା। ପରବର୍ତ୍ତୀ କାଳରେ ସେଗୁଡ଼ିକ ସଂକଳିତ ହୋଇ ପ୍ରକାଶିତ ହୋଇଥିଲା ଯଥାକ୍ରମେ କବିତାବନୀ ଓ ପ୍ରବନ୍ଧମାଳୀ ରୂପରେ। ସେଗୁଡ଼ିକ ପାଠ୍ୟପୁସ୍ତକରେ ବହୁଦିନ ଧରି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବ୍ୟବହୃତ ହୋଇଥିଲା।


ଆଧୁନିକ ଶିକ୍ଷାର ପ୍ରସାର ନିମିତ୍ତ ମଧୁସୂଦନ ୧୮୮୧ ମସିହାରେ କଟକ ଟାଉନ୍ ସ୍କୁଲ ପ୍ରତିଷ୍ଠା କରିଥିଲେ। ପ୍ରାରମ୍ଭିକ ଅବସ୍ଥାରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ ବିଶିଷ୍ଠ ଶିକ୍ଷାବିତ୍ ଓ ସାହିତ୍ୟିକ ସର୍ବଶ୍ରୀ ବିଜୟଚନ୍ଦ୍ର ମଜୁମଦାର, ବିଶ୍ୱନାଥ କର, ନନ୍ଦକିଶୋର ବଳ ପ୍ରମୁଖ କାର୍ଯ୍ୟ କରିଥିଲେ। ୧୮୮୯ ମସିହାରେ ଏହା ହାଇସ୍କୁଲ ସ୍ତରକୁ ଉନ୍ନୀତ ହୋଇଥିଲେ ହେଁ ତାଙ୍କ ପକ୍ଷରେ ଆବଶ୍ୟକ ଅର୍ଥ ଯୋଗାଇବା କଷ୍ଟକର ହୋଇଥିଲା। ଅବଶ୍ୟ ପରେ ତାହା ପୁନର୍ବାର ଉନ୍ନୀତ ହୋଇ ଅନ୍ୟତମ ହାଇସ୍କୁଲ ଭାବରେ ପ୍ରତିଷ୍ଠା ଅର୍ଜନ କରିଥିଲା। ମଧୁସୂଦନ ଦୀର୍ଘ ୧୧ ବର୍ଷ କାଳ କଟକ ଜିଲ୍ଲାର ଡେପୁଟି ଇନ୍‌ସ୍‌ପେକ୍ଟର ଭାବରେ କର୍ତ୍ତବ୍ୟ ସମ୍ପାଦନ କରିବା ସ‌ହିତ ଉକ୍ତ ଶିକ୍ଷାନୁଷ୍ଠାନର ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ମଧୁସୂଦନ ୧୮୯୧ ମସିହା ଜୁଲାଇ ମାସରେ ରେଭେନ୍ସା କଲେଜିଏଟ୍ ସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ। ଏହି ପଦବୀ ଲାଭ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ। ଏହା ପରେ ୧୮୯୩ ମସିହାରେ ଅକ୍ଟୋବର ୨୬ ତାରିଖରେ କଟକ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ସେ ନିଯୁକ୍ତ ହୋଇଥିଲେ। ମଧୁସୂଦନ ନିଜେ ଶ୍ରେଣୀ ଅଧ୍ୟାପନାରେ ନେତୃତ୍ୱ ନେଇ ଉପ‌ଯୁକ୍ତ ଶିକ୍ଷାଦାନ କୌଶଳ ଓ ମାର୍ଗଦର୍ଶନ ପ୍ରଦାନ କରୁଥିଲେ। ଏଥିରେ ତାଙ୍କର ଗଭୀର ନିଷ୍ଠା ଓ ଆଗ୍ରହ ଥିଲା। ପ୍ରଧାନ ଶିକ୍ଷକ ଭାବରେ ପ୍ରାଶାସନିକ ଦାୟିତ୍ୱ ସଂପାଦନ କରିବା ସଙ୍ଗେ ସଙ୍ଗେ ମଧୁସୂଦନ ସାହିତ୍ୟ, ସଂସ୍କୃତ, ଗଣିତ,ଏମିତିକି ଶାରୀରିକ ଶିକ୍ଷାଦାନରେ ଅଂଶଗ୍ରହଣ କରୁଥିଲେ। କୋୖଣସି ଶିକ୍ଷକ ଅନୁପସ୍ଥିତ ରହିଲେ ସେ ନିଜେ ଉକ୍ତ ଶ୍ରେଣୀରେ ଶିକ୍ଷାଦାନ କରୁଥିଲେ।


 ଭକ୍ତକବି ମଧୁସୂଦନ ଥିଲେ ଉତ୍କଳ ସାହିତ୍ୟ ସମାଜର ଜନ‌କ। କଟକ ଟ୍ରେନିଂ ସ୍କୁଲ ଥିଲା ଉତ୍କଳ ସାହିତ୍ୟ ସମାଜର ଏନ୍ତୁଡ଼ିଶାଳ। ଗୁରୁଛାତ୍ର ଓ ଶିକ୍ଷକମାନଙ୍କ ମନରେ ସାହିତ୍ୟ ପ୍ରତି ଅନୁରାଗ ଜାତ କରାଇଵା ସହ ସେମାନଙ୍କ ମଧ୍ୟରେ ସେ ପ୍ରେରଣା ଭରି ଦେଇ ଥିଲେ।

 ମଧୁସୂଦନ ରାଓ ଅବସର ଗ୍ରହଣ ପୂର୍ବରୁ ପ୍ରତିଷ୍ଠିତ ଟାଉନ୍ ଭିକ୍ଟୋରିଆ ହାଇସ୍କୁଲର ସ୍ଥାୟୀ ଗୃହ ନିର୍ମାଣ ଓ ଏହାର ବ‌ହୁବିଧ ଉନ୍ନତିକରଣ କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିଥିଲେ।ନିଜର ସଂଚିତ ଅର୍ଥ ଏହି ବିଦ୍ୟାଳୟର ପ୍ରତିଷ୍ଠା ଓ ବିକାଶ ପାଇଁ ପ‌ର୍ଯ୍ୟାପ୍ତ ହୋଇ ନଥିଲା । ତେଣୁ ଜରାଜୀର୍ଣ୍ଣ ସ୍ୱାସ୍ଥ୍ୟରେ ସେ ବିଭିନ୍ନ ସ୍ଥାନ‌କୁ ଯାତ୍ରା କରି ଏହି ଅନୁଷ୍ଠାନ ପାଇଁ ଅର୍ଥ ସଂଗ୍ରହ କରି ଥିଲେ। ରାଜ୍ୟର ବ‌ହୁ ଶିକ୍ଷାପ୍ରେମୀ ବଦାନ୍ୟ ବ୍ୟକ୍ତି ଏହି ମହତ୍ କାର୍ଯ୍ୟରେ ଋଷିପ୍ରାଣ ମଧୁସୂଦନଙ୍କୁ ସାହାଯ୍ୟ କରିଥିଲେ। ୧୯୧୨ ଡ଼ିସେମ୍ବର ୨୮ ତାରିଖରେ ସେ ଶେଷ ଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ଏହାର କାର୍ଯ୍ୟନିର୍ବାହୀ ସମିତିର ସଭାପତି ଥିଲେ ଏବଂ କଟକର ବ‌ହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ସଭ୍ୟ ଓ କର୍ମକର୍ତ୍ତା ରହି ସବୁ କାର୍ଯ୍ୟରେ ସ‌ହ‌ଯୋଗ କରୁଥିଲେ। ଭକ୍ତ କବିଙ୍କ ମୃତ୍ୟୁ ପରେ ରାୟ ବାହାଦୁର ଜାନ‌କୀ ନାଥ ବୋଷ (ନେତାଜୀଙ୍କ ପିତା) ଏହି ସମିତିର ସଭାପତି ହୋଇଥିଲେ। ଗୋପାଳଚନ୍ଦ୍ର ପ୍ରହରାଜ, ବିଶ୍ୱନାଥ କର, ଲକ୍ଷ୍ମୀନାରାୟଣ ପଟ୍ଟନାୟକ (ବିଜୁ ପଟ୍ଟନାୟକଙ୍କ ପିତା) ପ୍ରମୁଖ ଏହାର ସଦସ୍ୟ ହୋଇଥିଲେ।ପ୍ରତିଷ୍ଠାତାଙ୍କ ମୃତ୍ୟୁ ପରେ ଉକ୍ତ ହାଇସ୍କୁଲର ନାମ ଭକ୍ତମଧୁ ବିଦ୍ୟାପୀଠ ହୋଇଥିଲା। ଶିକ୍ଷା କ୍ଷେତ୍ରରେ ଏହା ମଧୁସୂଦନଙ୍କର ଏକ ଅକ୍ଷୟ କୀର୍ତ୍ତିସ୍ତମ୍ଭ ।


ତାଙ୍କର "ବର୍ଣ୍ଣବୋଧ" ଦୀର୍ଘକାଳ ଧରି ପିଲାମାନଙ୍କର ଅକ୍ଷର ଶିକ୍ଷା ସ‌ହିତ ସାହିତ୍ୟ ଶିକ୍ଷାରେ ସ‌ହାୟକ ହୋଇ ଆସିଛି।

ତାଙ୍କର ଶିଶୁ ସାହିତ୍ୟ ରଚନା ଖୁବ୍ ଉପଭୋଗ୍ୟ ଓ ସାର୍ଥକ।ତାଙ୍କର ଶିଶୁ ଶିକ୍ଷା ସାହିତ୍ୟ ଓ ଭକ୍ତିଭାବ ସଦ୍ ସ୍ୱଭାବ ଗଠନରେ ବିଶେଷ ପ୍ରେରଣା ଦେଇ ପାରିଥିଲା ।

ସେଗୁଡ଼ିକର କେତୋଟି ଦୃଷ୍ଟାନ୍ତ ହେଲା

୧. "ବାଳକେ ମୋର ବୋଲ କର, ସତ୍ୟ ପାଳିବ ନିରନ୍ତର" 

୨. "ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜ୍ଜନ" ।

      ଭକ୍ତକବିଙ୍କର ପ୍ରାର୍ଥନା କବିତାଗୁଡ଼ିକ ମଧ୍ୟ ଖୁବ୍ ମର୍ମସ୍ପର୍ଶୀ।

୧. "ଯାହା ମୁଁ କର‌ଇ, ଯାହା ମୁଁ କ‌ହଇ, ଯାହା ମୁଁ ଚିନ୍ତଇ ମନେ,

ଜଗତର କର୍ତ୍ତା ପରମ ଈଶ୍ୱର, ଜାଣୁଛନ୍ତି ପ୍ରତିକ୍ଷଣେ,"

୨. "ମୋ ପାଶେ ଅଛନ୍ତି ଦିବସ ରଜନୀ, ମହାପ୍ରଭୁ ପରାତ୍ପର

ଏ କଥା ସୁମରି ହୃଦୟେ ତାହାଙ୍କୁ, ପୂଜିବି ମୁଁ ନିରନ୍ତର।


ତାଙ୍କର "ଜୀବନ ଚିନ୍ତା" "ଋଷି ପ୍ରାଣେ ଦେବାବତରଣ", "ଏ ସୃଷ୍ଟି ଅମୃତମୟ ହେ", "ପଦ୍ମ", ଓ "ନିର୍ବାସିତର ବିଳାପ" ଆଦି କବିତାମାନ ଅନୁପମ ଓ ସଦା ସ୍ମରଣୀୟ। 

  ସେ ଥିଲେ ପ୍ରଥମେ ଶିକ୍ଷକ ଓ ପରେ ଅନ୍ୟକିଛି। ଶିକ୍ଷାକୁ ଜ୍ଞାନାର୍ଜନ, ଚରିତ୍ର ଗଠନ,ସସାହିତ୍ୟ ସର୍ଜନା ଓ ଆଧ୍ୟାତ୍ମିକ ଜୀବନ‌ଚର୍ଯ୍ୟାର ଶ୍ରେଷ୍ଠ ମାଧ୍ୟମ ତ‌ଥା ଆୟୁଧ ଭାବରେ ବ୍ୟବ‌ହାର କରିବାରେ ସେ ଥିଲେ ସିଦ୍ଧହସ୍ତ ଓ ପ୍ରକୃଷ୍ଟ ପ୍ରବକ୍ତା । ବ୍ୟାସକବି ଫକୀରମୋହ‌ନ ଯଥାର୍ଥରେ ଗାଇଛନ୍ତି

"ଆଦର୍ଶ ମନୁଷ୍ୟ ଯେବେ ଦେଖିବାକୁ ଚାହଁ,

ଧାଇଁ ଆସି ଥରେ ଦେଖି ଯାଅ ମଧୁ ରାଓ"

ତାଂକ ଚିନ୍ତା ଧାରା କେତେ ଆନନ୍ଦମୟ ଓ ମଧୁରମୟ ଥିଲା, ତାହା ଆମେ ଜାଣି ପାରିବା।

୧. ହରିଣ ନ ଦିଏ ଧରା,

  ଦଉଡନା ବଡ ଖରା

୨. "ରେ ଆତ୍ମନ୍ ନିଦ୍ରା ପରିହରି

  ଫେଡି ଚିନ୍ତାର ଲୋଚନ,

    କର କର ନିରୀକ୍ଷଣ

ନିଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି

ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ

ମଧୁସୁଦନ ରାଓ ଥିଲେ ପ୍ରକୃତରେ ଆଦର୍ଶ ମାନବ ଏବଂ ତାଙ୍କର ଶିକ୍ଷକତା ଥିଲା "ଅମୃତର ସୋପାନ"।

ତାଙ୍କ ରଚିତ ନିମ୍ନଲିଖିତ କବିତାଟି ଖୁବ୍ ମନଛୁଆଁ ଓ ଭାବଗର୍ଭକ ମଧ୍ୟ:--

"ବିଧି ବିଧାନ ପୂଣ୍ୟମୟ ,

ଗାଅ ହେ ସେହି ବିଧି ଜୟ ।

ମଙ୍ଗଳମୟ ସେ ବିଧାନ,

ମହିମା ତା’ର କର ଧ୍ଯାନ ।

କୋଟି ଭୂବନ ପାଦେ ଯା’ର,

ଆନନ୍ଦେ କରେ ହେ ଜୁହାର ।

ସେ ମହାବିଧି ବଳୀୟାର

ହେଜ ହେ ନରେ ବାରମ୍ବାର ।

ସେହି ତ ଧର୍ମ ସନାତନ,

ଧରି ରଖିଛି ଏ ଭୂବନ ।

ସେ ଧର୍ମପଥ ମଧୁମୟ,

ତାହାକୁ କର ହେ ଆଶ୍ରୟ ।

ଅଧର୍ମ  ପଥ ପରିହରି,

ଦୃଢ ବିଶ୍ଵାସ ହୃଦେ ଧରି।

ସମ୍ପଦେ ଅବା ବିପଦରେ,

ଧର୍ମେ ନ ହୁଡ଼ କେବେ ନରେ ।

ଯେ ଜନ ଧର୍ମ ଆଚରଇ,

ଧନ୍ୟ ଧନ୍ୟ ସେ ପାପଜୟୀ ।

ଧନ୍ୟ ବିଧାନ ବିଧାତାର,

ତା ପାଦେ କୋଟି ନମସ୍କାର ।"

ମଧୁସୂଦନ ରାଓଙ୍କ ରଚନା ଖୁବ୍ ସରଳ ଓ ସୁବୋଧ୍ୟ।ବାଳୁତ ବେଳରେ ସମସ୍ତଙ୍କ ମୁହଁରେ ଯେଉଁ ଛବିଳ ମଧୁ ବର୍ଣ୍ଣବୋଧର ପଦ୍ୟାଶଂ ଗୁଡ଼ିକ ଶୁଣିବାକୁ ମିଳେ। ସେହି ବର୍ଣ୍ଣବୋଧ ପ୍ରତ୍ୟେକ ଓଡ଼ିଆର ଚିର ପରିଚିତ। ସେ ସାକ୍ଷର ହେଉ କି ନିରକ୍ଷର ସେ ଓଡ଼ିଶାର ବାସିନ୍ଦା ହେଉ କି ଉପାନ୍ତ ଅଞ୍ଚଳର ସମସ୍ତଙ୍କ ପାଖରେ ବର୍ଣ୍ଣବୋଧ ଖୁବ୍ ଆଦୃତ ହୋଇଅଛି।ତାଙ୍କ ରଚିତ ମଧୁ ବର୍ଣ୍ଣବୋଧ ଏକ ଉପାଦେୟ ବହି ଯାହା କାଳ କାଳ ଧରି ଶିଶୁମାନଙ୍କର ପଠନଯୋଗ୍ୟ ହୋଇ ରହିଅଛି।ତାଙ୍କର ମଧୁର ରଚନା ଲାଗି ତାଙ୍କୁ ଭକ୍ତକବି ବୋଲି କୁହାଯାଏ।


ମଧୁସୂଦନ ଓ ଫକୀର ମୋହନ ସେନାପତିଙ୍କ ଠାରୁ ଓଡ଼ିଆ ଭାଷାର ଆଧୁନିକ ଯୁଗ ଆରମ୍ଭ ହୋଇଛି ବୋଲି କୁହାଯାଏ।ମଧୁବାବୁଙ୍କ ଅନେକ କୃତ୍ତି ମଧ୍ୟରୁ ଶିଶୁବୋଧ, ବାଳବୋଧ, ବସନ୍ତଗାଥା, ସାହିତ୍ୟ କୁସୁମ, ହେମ ମାଳା, ଉତ୍କଳ ଗାଥା, ଛନ୍ଦମାଳା, ଜୀବନ ଚିନ୍ତା, ଆକାଶପ୍ରତି, ସୌରଭ, ପଦ୍ମ, କୁସୁମାଞ୍ଜଳୀ, ପ୍ରବନ୍ଧମାଳା, ଉଲକା ପିଣ୍ଡ, କବିତାବଳୀ ଓ ସୁଖବୋଧ ଅଭିଧାନ ଇତ୍ୟାଦି ଅନ୍ୟତମ।

ସାହିତ୍ୟର ପ୍ରଚାର ଓ ଶିକ୍ଷାର ପ୍ରସାର ପାଇଁ ତାଙ୍କୁ

ଭକ୍ତକବି ଓ ସରକାରଙ୍କ ପକ୍ଷରୁ ରାୟବାହାଦୂର ଉପାଧିରେ ଆଭୂଷିତ କରାଯାଇଥିଲା। ସେ ୧୯୧୨ ମସିହା ଡିସେମ୍ବର ୨୮ ତାରିଖ ସକାଳେ ଇହଲୀଳା ସମ୍ବରଣ କରିଥିଲେ। ସେହି ମହାନ ଆତ୍ମାଙ୍କ ଜନ୍ମ ଜୟନ୍ତୀ ଦିବସରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଅଛି ।



Rate this content
Log in