Sunita Kumari Pradhan

Romance

4.3  

Sunita Kumari Pradhan

Romance

ଛୁଇଁ ହେଇନଥିବା ଛାଇ

ଛୁଇଁ ହେଇନଥିବା ଛାଇ

6 mins
351



"ସବୁ ପ୍ରେମ ପ୍ରାପ୍ତି ରେ ନଥାଏ, ଅପ୍ରାପ୍ତି ହିଁ ମଣିଷ କୁ ଅଧିକା ରୁ ଅଧିକା ପ୍ରେମ କରିବା ପାଇଁ ବାଧ୍ୟ କରେ"।ଏକଥା ଟି ପୁଣି ଥରେ ମୋର ହୃଦବୋଧ ହେଲା ଯେତେବେଳେ ଅନେକ ବର୍ଷ ପରେ ତାକୁ ହଠାତ୍ ମୋ ସାମ୍ନା ରେ ଦେଖିଲି।

 ମୋ ହୃଦୟ ର କୋଉ ନିଭୃତ କୋଣରେ ମିଞ୍ଜି ମିଞ୍ଜି ହୋଇ ତା ପାଇଁ ଜଳୁଥିବା ପ୍ରେମ ର ସଳିତା ଟି ପୁଣି ଥରେ ତେଜିୟାନ୍ ହୋଇ ଜଳିବାକୁ ଲାଗିଥିଲା ତାକୁ ଦେଖିବା ପରେ

 

ସେ ଆଜି ଆସିଥିଲା ତା ପୁଅ ର ଆଡ଼ମିଶନ କରିବା ନିମନ୍ତେ ଏକ ନାମୀ ଆବାସିକ ବିଦ୍ୟାଳୟରେ,ଯେଉଁଠି ମୁଁ ଥିଲି ପ୍ରିନସିପଲ୍।

  ଆମ ଦୁହିଁଙ୍କ ପାଇଁ ଏ ସାକ୍ଷାତକାର ଟା ଅପ୍ରତ୍ୟାଶିତ ଥିଲା!!!


ସେ ହଠାତ୍ ମୋତେ ଦେଖି ଅପ୍ରସ୍ତୁତ ହୋଇ ପଡ଼ିଲା ଓ ହଡବଡେଇ କହିଲା," ଆପଣ..... ତୁମେ.....ନା ମାନେ ତୁ....."


ଖୁବ୍ ହସ ମାଡ଼ିଲା ମୋତେ.....।

ମୁଁ କହିଲି ,"ରିଲାକ୍ସ ପ୍ରାର୍ଥନା"।

ତୁ ମୋତେ ତୁ ଡାକି ପାରୁ।କାରଣ ଆମେ ଦୁହେଁ ବନ୍ଧୁ।ବନ୍ଧୁତା ରେ ଫର୍ମାଲିଟି ରହିବା ଉଚିତ୍ ନୁହଁ।

ସେ ଟିକିଏ ସ୍ଵାଭାବିକ ହେଲା।ସାମାନ୍ୟ କେତୋଟି ଔପଚାରିକତା ମୂଳକ ବାର୍ତ୍ତାଳାପ ପରେ

ତା ପୁଅ ର ଆଡ଼ମିଶନ କାମ ଟି ଶେଷ ହେଇ ଯାଇଥିଲା।ଯିବା ପୂର୍ବରୁ  ମୁଁ ତାକୁ ମୋ ଭିଜିଟିଂକାର୍ଡ ଟି ବଢେଇ ଦେଇଥିଲି ।

ସେ ଯେମିତି ଝଡ ପରି ଆସିଥିଲା ସେମିତି ଝଡ ପରିଚାଲିଯାଇଥିଲା, ଶୁଖିଲା ଧନ୍ୟବାଦ ଟେ ଜଣେଇ।

ମୁଁ ଅପଲକ ନୟନ ରେ ଚାହିଁ ରହିଥିଲି ତା ଯିବା ବାଟକୁ।


    ସେ ଯିବା ପରେ ଅଚାନକ

ଅତୀତ ଟା ଆସି ମୋ ହୃଦୟ ଝରକା ରେ କରାଘାତ କରୁଥିଲା ଅତି ଜୋର୍ ରେ.....ଆଉ ମୁଁ ହଜି ଯାଇଥିଲି ଲେଉଟାଣି ସମୟ ର ଅତଳ ସ୍ରୋତ ରେ....

 


ସେ ଆଉ ମୁଁ କ୍ଲାସ୍ ମେଟ୍। ପାଖା ପାଖି ଘର। ଆମେ ଦୁହେଁ ଏକା କ୍ଲାସ୍ ରେ ପଢୁଥିଲୁ, ଏକା ପାଖରେ ଘର ହୋଇଥିଲେ ସୁଦ୍ଧା କାହିଁକି କେଜାଣି ସେହି ଛୋଟ ବେଳୁ ହିଁ ତା ସହ ମୋର କେବେ ବି କଥା ବାର୍ତ୍ତା ନଥିଲା । ଆମ ଦୁହିଁଙ୍କ ମଧ୍ୟରେ ଏହି ନୀରବତା ର କାରଣ ଆଜି ଯାଏ ମଧ୍ୟ ମୁଁ ଖୋଜି ପାଇ ପାରିନି।

କଥା ବାର୍ତ୍ତା ନହେଲେ ମଧ୍ୟ ସ୍କୁଲ୍ ଦୂର୍ ଥିବାରୁ ଓ ଆମ ଘର ପାଖରୁ ଆମେ ଦୁଇ ଜଣ ହିଁ ସ୍କୁଲ୍ ଯାଉଥିବା ଯୋଗୁଁ

ଆମେ ସବୁବେଳେ ସାଙ୍ଗ ହୋଇ ସ୍କୁଲ୍ ଯାଉ ଓ ଫେରୁ।

ଜଣେ ଆସିନଥିବ ମାନେ ଆଉ ଜଣେ ଅଳ୍ପ ବାଟ ଆସି ଅପେକ୍ଷା କରୁ।

ପ୍ରାଇମେରୀ ସ୍କୁଲ୍ ଛାଡ଼ି ହାଇସ୍କୁଲ ଗଲୁ ସେଇଠି ବି ସେଇ ସମାନ ଅବସ୍ଥା। ।

 ବିନା କାଥା ବାର୍ତ୍ତା ରେ ଆମେ ଦୁହେଁ ଦୁହିଁଙ୍କୁ କେବେ ଏକୁଟିଆ ଛାଡି ସ୍କୁଲ୍ କିମ୍ବା ଟିଉସନ୍ ଯାଉନଥିଲୁ କିମ୍ବା ଫେରୁ ନଥିଲୁ।

ଟ୍ୟୁସନ୍ ରୁ ଫେରିଲା ବେଳେ ଅନେକ ରାତି ହୋଇ ଯାଏ,

ସାର୍ ଜଣକ ଯାହାର ଆଗ ଟାସ୍କ କଂପ୍ଲିଟ୍ ହୋଇ ଯାଏ ତାକୁ ଆଗ ଛାଡ଼ି ଦିଅନ୍ତି।କିନ୍ତୁ ସେ ସବୁ ବେଳେ ପଛରେ ରହିଯାଏ। ମୋତେ ପ୍ରଥମେ ଛାଡ଼ିଲେ ମଧ୍ୟ ମୁଁ ବାହାର କୁ ଆସି ତାକୁ ଅପେକ୍ଷା କରିଥାଏ ,ସେ ତା ପାଠ ଦେଖେଇ ସାରିବା ପରେ ମିଶିକି ଫେରୁଥିଲୁ।

  ତେଣୁ ସେ ସେଇଥିପାଇଁ ସମସ୍ତଙ୍କୁ କହି ବୁଲେ ଯେ ଜାଣିଛ, "ଶ୍ରବଣ ମିଶ୍ର ହେଉଛି ମୋ ବଡି ଗାର୍ଡ"।

ତା'ର ବଡି ଗାର୍ଡ ସାଜି ପ୍ରତି ମୁହୂର୍ତ୍ତ ରେ ତା ପଛେ ପଛେ ଛାଇ ଭଳି ରହୁଥିଲି ମୁଁ।ତାକୁ ଏମିତି ଅପେକ୍ଷା କରିବା,ତା ସହ ମିଶିକି ଯିବା ଭଲ ଲାଗୁଥିଲା ମୋତେ କିନ୍ତୁ ବିନା କୌଣସି କଥା ବାର୍ତ୍ତା ରେ।


"ଆମେ ଦୁହେଁ ବୋଧେ ଦୁନିଆ ର ପ୍ରଥମ ପ୍ରେମୀ ଯୁଗଳ ଯିଏ କି ବିନା ବାର୍ତ୍ତାଳାପ ରେ ନୀରବ ରେ ଭଲ ପାଉ ଥିଲୁ ଉଭୟେ ଉଭୟ ଙ୍କୁ".!!!! 


ଏହି ନୀରବ ପ୍ରେମ ର ମୁଖ୍ୟ କାରଣ ହେଲା ,"ଯେହେତୁ ଗୋଟିଏ ସାହି ରେ ଓ ପାଖା ପାଖି ଘର ଓ ତାର ଓ ମୋର ଷ୍ଟାଟସ୍ ରେ ଆକାଶ ପାତାଳ ଫରକ୍।ପ୍ରାର୍ଥନା ର ବାପା ଜଣେ ବିଶିଷ୍ଟ ରାଜ ନେତା ଓ ପ୍ରତିପତ୍ତି ଶାଳୀ ବ୍ୟକ୍ତି ଥିଲେ।ଆଉ ମୋ ବାପା ଜଣେ ସାମାନ୍ୟ୍ ଚାଷୀ।


ତା ଛଡା ସେ ଭାରୀ ରାଗି ଓ ଚୁପ ଚାପ୍ ପ୍ରକୃତି ର ଝିଅ।।ଥରେ ସ୍କୁଲ୍ ରେ କୋଉ ଗୋଟେ ପିଲା ତାକୁ କିଛି କହି ଦେଇଥିଲା ବୋଲି ହେଡ୍ ସାର୍ ଙ୍କୁ କହି ସେ ପିଲାକୁ ସ୍କୁଲ୍ ରେ ସମସ୍ତଙ୍କ ଆଗରେ ଅପମାନିତ କରିଥିଲା ସେ।ତେଣୁ ତା ସହ କଥା ହେବାକୁ ମୋର ଅହେତୁକ ଭୟ ସଦାବେଳେ।


କାଳେ ମୁଁ ତା ସହ କିଛି କଥା ହେଲେ ସେ ଏମିତି କିଛି କାଣ୍ଡ କରି ବସିବ ଯଦି, ମୋ ବାପା ମୋତେ ମାରି ମାରି ଘରୁ ବାହାର କରିଦେବେ।ସେହି ଭୟ ରେ ମୁଁ ଚୁପ୍ ରହି ଯାଏ ସବୁବେଳେ।ସହଜ ଖୁବ୍ ଡରୁଆ ଓ ଲାଜ କୁଳା ସ୍ଵଭାବ ର ପିଲା।କେବେ ବି କାହାକୁ କିଛି ଭରସି କହି ପାରେନା।

ତେଣୁ ମୁଁ ସବୁକଥା ରେ ନୀରବ ରହିବାକୁ ଶ୍ରେୟସ୍କର ମନେ।


ସେ ମୋତେ ଅନ୍ୟକୁ ଦେଖେଇ ଦେଖେଇ ଅନେକ କଥା କୁହେ କିନ୍ତୁ ମୁଁ ଜାଣି ଶୁଣି ଚୁପ୍ ରହିବା ଦେଖି ସେ ବି ଆଉ କିଛି କହୁନଥିଲା।ଏମିତି ରେ କଲେଜ୍ ବି ସରିଗଲା କିନ୍ତୁ ଦୁହେଁ ଦୁହିଁଙ୍କୁ କେବେ ପଦୁଟିଏ କଥା ହୋଇନଥିଲୁ।


କିନ୍ତୁ ତାକୁ ଦେଖିଲେ ମୋ ଭିତରେ ଏକ ହୃଦୟ ଭିତରେ ଏକ ଭିନ୍ନ ପୁଲକ୍ ସୃଷ୍ଟି ହେଉଥିଲା।

ମୋ ହୃଦୟ ତନ୍ତ୍ରୀ ର ତାର ଗୁଡ଼ିକ ହଠାତ୍ ଝଙ୍କୃତ ହୋଇ ଉଠୁଥିଲା ତା ଆଗମନ ରେ।ତା ଚେହେରା ଆଖି ଆଗରେ ନାଚି ଉଠିବା ମାତ୍ରେ ମନ ମନ ଭିତର ଟା ବାସ୍ନାୟିତ ହୋଇ ଯାଉ ଥିଲା ତା ପ୍ରେମ ର ପାରିଜାତ ର ମହକ ରେ।

କାହିଁକି ଏମିତି ହୁଏ ମୁଁ ବି ଜାଣେନା।କିନ୍ତୁ କିଛି ଗୋଟେ ହୁଏ ମନ ଭିତରେ।


ତାର କ୍ଲାସ୍ ରେ କୋଉ ପୁଅ ଙ୍କ ସହ ଅଧିକା କଥା ବାର୍ତ୍ତା କୁ ମୁଁ ସହ୍ୟ କରି ପାରେନା ,ସେ ବୋଧେ ଜାଣେ ଏସବୁ କଥା।ତେଣୁ ମୋତେ ଚିଡେଇ ବାକୁ ଯାଇ ଅନ୍ୟ ମାନଙ୍କ ସହ ଧୁମ୍ ଗପେ ସେ।


ମୁଁ ରାଗରେ ନାଲି ପଡି ଯାଉଥାଏ,କିନ୍ତୁ କାହିଁକି କେଜାଣି କହି ପାରେନା କିଛି......


ମୁଁ ବି ତାକୁ ଚିଡ଼େଇବା ପାଇଁ ତାକୁ ଛାଡ଼ି ସବୁ ଝିଅ ସାଙ୍ଗ ଙ୍କସହ ଗପେ ଟିକେ ଟିକେ।

କାନ୍ଦ କାନ୍ଦ ହୋଇଯାଏ ତା ଆଖି....ବାସ୍ ତାର ସେହି ବିକଳିଆ ମୁହଁ ଦେଖିଲେ ମୋ ହୃଦୟ ଭିତର ଟା ମନ୍ଥି ହୋଇଯାଏ,ତେଣୁ ଆଉ ଚିଡାଇ ବାକୁ ଇଛା ହୁଏନା ତାକୁ....l


***************************


ସେଦିନ ସନ୍ଧ୍ୟା ରେ ଆସିଥିଲା ତା ଫୋନ କଲ।ନିର୍ଜୀବ ମୋବାଇଲ୍ ଟି ଆଜି ପ୍ରଥମ ଥର ସାଜିଥିଲା ଆମ ଦୁହିଁଙ୍କ ପ୍ରେମ ବନ୍ଧନ ର ଏକ ପୁରୁଣା ଦୁର୍ବଳ ସେତୁ ବନ୍ଧ ଟିଏ........


ଅଧିକାଂଶ ସମୟ ଚୁପ୍ ଚାପ୍ ରହୁଥିବା ଝିଅ ଟି ଏବେ ପାଲଟି ଯାଇଥିଲା ଏକ ପ୍ରଗଳଭା ନଈ ଟିଏ।


ସେ କହୁଥିଲା," ଏ ଶ୍ରବଣ ତୋର ମନେ ଅଛି ଆମ ଦୁଇ ଜଣ ପ୍ରଥମେ କେବେ କଥା ହୋଇଥିଲେ"???


ମୁଁ କହିଲି,"ହଁ ପ୍ରାର୍ଥନା ସେ ଦିନ ତ ଏକ ସ୍ମରଣୀୟ ଦିନ ଥିଲା ଆମ ଦୁହିଙ୍କ ପାଇଁ।ନା ସେଦିନ କୁ ତୁ ଭୁଲି ପାରିବୁ ନା ମୁଁ....

ସେଦିନ ଥିଲା ୨୦୦୫ ମସିହା ଜୁନ ମାସ ର ଏକ ବର୍ଷା ଭିଜାସକାଳ.....ଆଉ ତୁ ଆଉ ମୁଁ

 ସେଥର ପ୍ରଥମ ଥର ପାଇଁ ବିଏଡ ଟ୍ରେନିଂ ସ୍କୁଲ୍ କୁ ସାଙ୍ଗ ହୋଇ ଯାଇଥିଲେ"..... 

ବସ୍ ରେ ତୋ ସାଇଡ ରେ ବସିଥିବା ଅଭଦ୍ର ଲୋକ ଟି ର ଅଜବ ବ୍ୟବହାର ପାଇଁ ତୁ ଅସହାୟ ଭାବେ ବାରମ୍ବାର ମୋ ଆଡକୁ ଚାହୁଁ ଥିଲୁ ଆଉ ସେତେବେଳେ ମୁଁ ସେ ଲୋକ ଟିକୁ ମୋ ସିଟ୍ କୁ ଆସିବା ପାଇଁ କହି ତୋ ପାଖ ସିଟ୍ କୁ ଚାଲି ଆସିଲି।


 ତୁ ବୋଧେ ପ୍ରଥମ ଥର ପାଇଁ କହିଥିଲୁ 'ଥ୍ୟାଙ୍କସ'.....।।


---ଆରେ ବା!!!ଠିକ ମନେ ରଖିଛୁ ତ।

---ଖାଲି କଣ ସେତିକି ମୋର ସବୁକଥା ମନେ ଅଛି।ମୁଁ କହିବାକୁ ଆରମ୍ଭ କଲି,

 "ନୂଆ ଜାଗା ନୂଆ ପିଲା ଙ୍କୁ ଦେଖି , ତୁ ଧୀରେ ଧୀରେ ଅନ୍ୟମାନଙ୍କ ଅପେକ୍ଷା ସହଜ ହୋଇ ଯାଇ ଥିଲୁ ମୋ ସହ......"

ତୋ ହଷ୍ଟେଲ ଆଉ ମୋ ହଷ୍ଟେଲ ଅଲଗା ଅଲଗା ଥିଲେ ମଧ୍ୟ କଲେଜ୍ ରେ ଯେଉଁ ଅଳ୍ପ ସମୟ ପାଉଥିଲେ ଅଳ୍ପ ଅଳ୍ପ କଥା ହେଉଥିଲେ ଆମେ।

ଏଥିରେ ନଥିଲା କିଛି ପ୍ରେମ ପୂର୍ଣ୍ଣ ବାର୍ତ୍ତାଳାପ କିନ୍ତୁ ଭଲ ଲାଗୁଥିଲା ତୋ ସହ ଗପିବାକୁ.....


__ଆରେ ହଁ ଶ୍ରବଣ ତୋର ସେକଥା ମନେ ଅଛି କି ଆମ କଲେଜ୍ ର ବାର୍ଷିକ ଉତ୍ସବ କଥା???।ତୁ ହିରୋ ଆଉ ମୁଁ ହିରୋଇନ୍ ର ଭୂମିକା ରେ ଅଭିନୟ କରୁଥାଉ।

ଡ୍ରାମା ପାଇଁ ରିହର୍ଷାଲ୍ କରିବାବେଳେ 

କେବଳ ସେ ଗୋଟିଏ ସଂଳାପ କୁ କହିବା ପାଇଁ ମୁଁ କେମିତି ବାରମ୍ବାର ଝୁଣ୍ଟି ପଡ଼ୁଥିଲି,ପାଟି ଲାଗିଯାଉଥିଲା ଆଉ କଣ୍ଠ ହେଉଥିଲା ଥର ଥର......"

ଡ୍ରାମା ସିଖାଉଥିବା ସାର୍ କେମିତି ମୋ ଉପରେ ରାଗୁଥିଲେ, ଆଉ ମୋତେ କହିଥିଲେ," ତୁମେ କେମିତି ଡ୍ରାମା କରିବ କେଜାଣି ଏହି ଗୋଟିଏ ସାମାନ୍ୟ ସରଳ ସଂଳାପ ଟେ ଠିକ୍ ସେ କହି ପାରୁନ" !!!!


__ହଁ ପ୍ରାର୍ଥନା ମୋର ମନେ ଅଛି,"ତୁ କିନ୍ତୁ ଷ୍ଟେଜ ରେ ସମସ୍ତଙ୍କୁ ଚମକେଇ କେତେ ସୁନ୍ଦର୍ ଭାବେ କହି ଦେଇ ଥିଲୁ ସେ ବାକ୍ୟ ଟି...."ମୁଁ ତୁମକୁ ଭଲ ପାଏ ". ,"ଖୁବ୍ ଭଲ ପାଏ".......

ତାପରେ ଆଉ କଣ," ତୁ ଆଉ ମୁଁ ପାଲଟି ଯାଇଥିଲେ କ୍ୟାମ୍ପସ ସାରା ପିଲାଙ୍କ ଗସିପ୍ ର କେନ୍ଦ୍ର ବିନ୍ଦୁ".....


ଅବଶ୍ୟ ଟିକିଏ ବିଳମ୍ବ ରେ ମୁଁ ଜାଣି ପାରିଲି ଏଇଟି କେବଳ ତୋ ପାଇଁ ସାଧାରଣ ସଂଳାପ ଟିଏ ନଥିଲା , ଏହାଥିଲା ତୋ ମନ ରେ ମୋ ପ୍ରତି ଅଙ୍କୁରିତ ହେଉଥିବା ପ୍ରେମ ର ଛୋଟିଆ ବୀଜ ଟିଏ.....

ଏହି ପ୍ରେମ ର ବୀଜ ଟି ଏକ ବିଶାଳ ଦ୍ରୁମ ରେ ପରିଣତ ହେବା ନିମନ୍ତେ ଯେଉଁ ବିଶ୍ବାସ ,ଭରଷା,ସ୍ନେହ ଓ ପ୍ରେମ ର ଜଳମୁନ୍ଦିଏ ଆବଶ୍ୟକ ଥିଲା ତାହା ସିଞ୍ଚନ କରିବାରେ

 ମୋର ଅନେକ ବିଳମ୍ବ ହୋଇ ଯାଇଥିଲା .....


ଆଉ ଯେତେ ବେଳେ ଏ କଥା ଟିକୁ ମୁଁ ହୃଦୟଙ୍ଗମ କଲି,ସେତେ ବେଳକୁତୋ ଘର ଲୋକେ ତୋ ବିବାହ ପକ୍କା କରି ଦେଇଥିଲେ ଅନ୍ୟ କାହା ସହ....ଆଉ ମୁଁ ରହି ଯାଇଥିଲି ନୀରବ.....


ହା ହା ହା.....ହସିଲା ସେ .....ଖୁବ୍ ହସିଲା ।କିନ୍ତୁ ସେ ହସ ରେ ଏକ ଅଦ୍ଭୁତ ରହସ୍ୟ ଥିଲା ଭଳି ମନେ ହେଲା ମୋର.....


---ତାହେଲେ ତୁ ବି ମୋତେ ପ୍ରେମ କରିବା ଆରମ୍ଭ କରିଦେଇଥିଲୁ ନା !!!!


ତାର ଏ ପ୍ରଶ୍ନ ର କଣ ଉତ୍ତର ଦେବି ଭାବିବା ଆଗରୁ ସେ ପୁଣି ଥରେ କହିଲା,"ମନେ ଅଛି ତୋର 'ମିନାକ୍ଷୀ' ଆମ ବିଏଡ୍ ମେଟ। ସେଇମ ଯିଏ ଡ୍ରାମା ରେ ତୋ ହିରୋଇନ ହେଇ ପାରିଲାନି ବୋଲି କାନ୍ଦି ଥିଲା ବେଶ୍ କିଛି ଦିନ"।

ତାକୁ ପାଇଲି ଏଇ କିଛିଦିନ ହେବ ଫେସବୁକ ରୁ। ଜାଣିଛୁ ଧୁମ୍ ଗପୁଥିଲା ସେ।


 ସେଇ ମିନାକ୍ଷୀ କଣ କହିଲା ଜାଣୁ,"ପ୍ରାର୍ଥନା ତୋ ଫ୍ରେଣ୍ଡ୍ ରିକୁୟେଷ୍ଟ୍ ଯେତେବେଳେ ପାଇଲି ତୋ ଫୋଟୋ ଦେଖି ମୁହଁ ଟା ତ ମନେ ପକାଇ ଦେଲି କିନ୍ତୁ ତୋ ସରନେମ୍ ଦେଖି ମୁଁ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲି!!!! ପ୍ରାର୍ଥନା ସେନାପତି ରୁ ପ୍ରାର୍ଥନା ମିଶ୍ର ଦେଖି

ମୁଁ ଭାବିଲି ତୁ ଶ୍ରବଣ ମିଶ୍ର କୁ ବାହା ହୋଇ ପଡିଛୁ ବୋଲି.....କହି ହସି ହସି ବେଦମ୍ ହୋଇ ଯାଉଥିଲା ସେ.....


 ମୁଁ କଣ କହିଲି ତାକୁ ଜାଣୁ??? ମିନାକ୍ଷୀ ଜାଣିଛୁ," ଏ ଜୀବନ ର ପାଣ୍ଡୁଲିପି ଟା ନା ଭାରି ବିଚିତ୍ର!!!!ଏଥିରେ ତୁ ଯେତେ ନୂଆ ନୂଆ ଫର୍ଦ୍ଦ ଯୋଡେ ସବୁବେଳେ ସେ ଅସମ୍ପୂର୍ଣ୍ଣ ହିଁ ଲାଗେ"। କୋଉ ଫର୍ଦ୍ଦ କୁ ନେଇ କୋଉଠି ଯୋଡ଼ିବାକୁ ହେବ କେବଳ ଲେଖକ ଙ୍କ ଛଡା କେହି ବି ଜାଣି ପାରନ୍ତି ନାହିଁ। ଠିକ୍ ସେମିତି ଭଗଵାନ ମଧ୍ୟ ଆମ ସହ କିଛି ଏମିତି ହିଁ ଖେଳ କରନ୍ତି। 

ଯାହା ପାଇଁ ଆମ ହୃଦୟ କାନ୍ଦେ ତାକୁ ଆମ ଠାରୁ ଦୂର କରି ଆଉ କାହା ସହ ନେଇ ଆମକୁ ଯୋଡ଼ି ଦିଅନ୍ତି।


ମୁଁ ତାକୁ ଆହୁରି କଣ କହିଲି ଜାଣୁ???,

"ସେ (ଶ୍ରବଣ) ଟା ଯଦି ଟିକିଏ ସାହସ କରି ମୋତେ ସେଇ ତିନିଟା ଶବ୍ଦ କହି ଦେଇଥାନ୍ତା ନା ମିନାକ୍ଷୀ , ତେବେ ଆଜି ମୁଁ "ମିସେଶ ଶ୍ରବଣ ପ୍ରାର୍ଥନା ମିଶ୍ର ହୋଇ ଥାନ୍ତି"।


ଶେଷ ଆଡକୁ ତା କଥା ରେ ରହିଥିଲା କେମିତି ଏକ ଭାରୀ ପଣ...... ସେପଟୁ କଟି ଯାଇଥିଲା ଫୋନ ଟି.......


ସତେ ତ ମୋ ନୀରବତା ହିଁ ମୋତେ ଆଜି ଦୂରେଇ ଦେଲା ମୋ ପ୍ରେମ ଠାରୁ ଆଉ ମୋ ସ୍ଵପ୍ନ ଠାରୁ।ଯଦି ମୁଁ ଥରୁଟିଏ ତାକୁ ସାହସ ର ସହ କହି ପାରିଥାନ୍ତି ,"ପ୍ରାର୍ଥନା ମୁଁ ତୋତେ ଭଲ ପାଏ "ବୋଲି ତାହେଲେ ଆଜି କାହାଣୀ ଟି କିଛି ଅଲଗା ପ୍ରକାର ର ହୋଇ ଥାଆନ୍ତା ।ଆଉ ସତକୁ ସତ ସେ ପାଲଟି ଯାଇ ଥାଆନ୍ତା "ମିସେସ୍ ଶ୍ରବଣ ପ୍ରାର୍ଥନାମିଶ୍ର "....


କିନ୍ତୁ ବାସ୍ତବ ରେ ସବୁ ସ୍ଵପ୍ନ କଣ ସତ ହୁଏ କିଛି ସ୍ଵପ୍ନ ଏମିତି ସ୍ଵପ୍ନ ହୋଇ ରହିଯାଏ,ନୀରବତା ର ଆଢ଼ୁଆଳରେ....



Rate this content
Log in

Similar oriya story from Romance