ଜୀବନର ମୋଡ଼
ଜୀବନର ମୋଡ଼
ସକାଳୁ ସକାଳୁ ସନ୍ଦୀପ ବାହାରି ପଡ଼ିଲା ଇଣ୍ଟରଭ୍ୟୁ ଦେବା ପାଇଁ । ବସ୍ ଛଅ ଟା ରେ ଅଛି । ଯାହା ହେଉ, କୋଡିଏ ମିନିଟ ଆଗରୁ ପହଁଚି ଯାଇଛି । ବସ୍ ଷ୍ଟାଣ୍ଡରେ ପହଁଚି ଆରାମରେ ବସି ପଡେ ।
ଜିଲ୍ଲାର ଗୋଟେ ନାମୀଦାମୀ ପ୍ରାଇଭେଟ କମ୍ପାନୀଟେ । ଘରଠୁ ପ୍ରାୟ ସତୁରୀ କିମି ବାଟ ହେବ । ମନରେ ଗୋଟେ ଆଶା ଥାଏ, ଏଥର ଘରକୁ ନୂଆ ବାଇକଟେ ଆଣିବ । ସାଙ୍ଗସାଥି ସମସ୍ତେ ବାଇକ, କାର୍ ଚଢ଼ିଲା ବେଳକୁ ସାଇକେଲରେ ଯିବା ଆସିବା ଭାରି କଷ୍ଟ ଅନୁଭବ ହୁଏ । ଏଥର କିନ୍ତୁ ଅଳ୍ପ ଦାମିଆ ହେଲେ ବି ନିଜସ୍ୱ ଗୋଟେ ବାଇକ ଥିବ ନିହାତି । ମନେମନେ ଭାବୁଥାଏ ସନ୍ଦୀପ, ଜରୁରୀ ବେଳେ ୟାକୁ ତାକୁ କଲ୍ କରି ନଥିଲା କଥା ଶୁଣିବାରୁ ତ୍ରାହି ତ ମିଳିବ । ଯେତେବେଳେ ଚାହିଁବ ମାର୍କେଟ୍ ପଟେ ଘେରାଏ ବୁଲି ଆସିବ । ନୂଆ ଜାଗା ନୂଆ ପରିବେଶ ସହ ଦରମା ମଧ୍ୟ ମୋଟା ଅଙ୍କର । ଆର୍ଥିକ ଅବସ୍ଥାରୁ ମୁକୁଳିବା ଟିକେ ସହଜ ହେଇପାରେ । ଏମିତି ଅନେକ ପ୍ରକାର ଭାବନା ମନକୁ ଆସୁଥାଏ ।
ଠିକ୍ ସମୟରେ ବସ୍ ପହଞ୍ଚିଗଲା ମାର୍କେଟ୍ କମ୍ପ୍ଲେକ୍ସ ପାଖରେ । ବସ୍ ରୁ ଓହ୍ଲେଇ ପୁଣି ଅଟୋ ଧରି ଦୁଇ କିମି ଯିବାକୁ ହେବ । ଆରମ୍ ରେ ଗରମାଗରମ ଟିଫିନ ସାରିଦେଇ ବାହାରି ପଡ଼ିଲା ସନ୍ଦୀପ । ଯିବା ବାଟରେ ଅଟୋ ଡ୍ରାଇଭର ର ମନଖୋଲା କଥା ଭାରି ମନକୁ ଛୁଇଁଲା, ମନେମନେ ବେଶ ଖୁସି ଆଉ ହାଲକା ଲାଗୁଥାଏ । ସେ ମିଜାକ କଥା ଆଗରେ ମନର ଅକୁହା ଦରଦ କୁଆଡେ ଉଭେଇ ଗଲା ଜାଣି ହେଲାନି....? ଅଟୋ ଡ୍ରାଇଭରକୁ ପେମେଣ୍ଟ କରି କମ୍ପାନୀ ଭିତରୁ ପ୍ରକେଶ କଲା । ଏଚ ଆର ଙ୍କ ଚାମ୍ବର ବାହାରେ ବସିବା ଭିତରେ ଡକାଗଲା ଇଣ୍ଟରଭ୍ୟୁ ପାଇଁ । ଚାଳିଶ ମିନିଟ ର ଇଣ୍ଟରଭ୍ୟୁ ପରେ ଚାମ୍ବରରୁ ବାହାରି ଆସିଲେ ସନ୍ଦୀପ । କିଛି ସମୟ ପରେ ଆସିଷ୍ଟାଣ୍ଟ ଆସି କହିଗଲେ, ଫଳାଫଳ ଆସନ୍ତା କାଲି ଆପଣଙ୍କୁ ଜଣେଇଦିଆ ଯିବ ।
ଖୁସି ମନରେ ଆଶା ବାନ୍ଧି ଫେରି ଆସିଲେ ସନ୍ଦୀପ। ରାତିସାରା ସପନରେ ଘୁରି ବୁଲୁଥାନ୍ତି । କେତେ କ'ଣ? ମନେମନେ ଭାବୁଥାନ୍ତି । ବେଳେବେଳେ ଠାକୁରଙ୍କୁ ମଧ୍ୟ ଗୁହାରୀ କରୁଥାନ୍ତି, ହେ ପ୍ରଭୁ ଜବ୍ ହେଇଗଲେ ନଡ଼ିଆ ତିନିଟି ଆପଣଙ୍କ ପାଖକୁ ନେଇକିଯିବି....। ସକାଳୁ ଉଠୁ ନିତ୍ୟକର୍ମ ସାରି ଘରକାମରେ ବ୍ୟସ୍ତଥିବା ବେଳେ ମୋବାଇଲ୍ ରିଙ୍ଗ ହେବାକୁ ଲାଗିଲା । ତରବରରେ ଯାଇ ନୂଆ ନମ୍ବର୍ ଦେଖି ରିସିଭ୍ କରନ୍ତି । ସେପଟରୁ ଶୁଣାଯାଏ, 'ଆପଣ ସନ୍ଦୀପ ସାର୍ କହୁଛନ୍ତି କି?', ଆଜ୍ଞା ହଁ ସନ୍ଦୀପ କୁହନ୍ତି । (ସେ-) କଙ୍ଗ୍ରାଚୁଲେସନ୍ ସାର୍, ଆପଣ ଆମ କମ୍ପାନୀ ପାଇଁ ସିଲେକ୍ଟ ହେଇଛନ୍ତି । ଆସନ୍ତା କାଲି ଆସି ଜଏନ୍ କରନ୍ତୁ ।
ଅନେକ ଦିନର ଆଶା ପୂରଣ ହେବାକୁ ଆଉ ଅଳ୍ପ ସମୟ ବାକି । ବେଶ୍, ଖୁସି ଜଣା ପଡୁଥାନ୍ତି ସନ୍ଦୀପ । ଠାକୁରଙ୍କୁ ଧନ୍ୟବାଦ ଦେଇ ଦିନଟି ସରିଗଲା । ସକାଳୁ ପୁଣି ବାହାରିଲେ ବସ୍ ଯୋଗେ । ମାର୍କେଟରେ ପହଞ୍ଚି ସେଠୁ ବାହାରି ପଡିଲେ ଆନନ୍ଦ, ଉଲ୍ଲାସରେ କମ୍ପାନୀ ମୁଖେ । ଅଫିସ ଭିତରକୁ ପସୁପସୁ ୱେଟିଙ୍ଗରୁମ୍ କୁ ଧରିନିଅନ୍ତି ଆସିସଷ୍ଟାଣ୍ଟ । ଅଫିସ ଗାର୍ଲ ଆସି କୋଲ୍ଡଡ୍ରିଙ୍ଗସ୍ ଦେଇ ଯାଆନ୍ତି । କୋଲ୍ଡଡ୍ରିଙ୍ଗସ୍ ପିଇବା ସହ ଜୀବନକୁ ଅନୁଭବ କରୁଥାନ୍ତି ସନ୍ଦୀପ । କେତେଦିନ ପରେ ଭଲ କମ୍ପାନୀରେ ଜବ୍ ଟେ ହେଇଚି । ନିଜ ହାତରେ ଘରର କିଛିଟା ପରିବର୍ତ୍ତନ ହେବ । ବାଇକ୍ ଆଣିଲା ପରେ ଯୁଆଡେ ଚାହିଁବ, ସ୍ୱଇଚ୍ଛାରେ ବୁଲିପାରିବ । ବାପା କଣ ଆଣିବାକୁ କହୁକହୁ ଟାଉନ ଯାଇ ଆଣି ପକେଇବ । ମାଆଙ୍କୁ ମନ୍ଦିର ନେଇଯିବ.....ଇତ୍ୟାଦି ଇତ୍ୟାଦି ।
କୋଲ୍ଡଡ୍ରିଙ୍ଗସ୍ ପିଇବା ନ ସରୁଣୁ ଆସିସଷ୍ଟାଣ୍ଟ ଆସି କହି ଯାଆନ୍ତି ଏଚ ଆର୍ ସାର୍ ଙ୍କ ଚାମ୍ବର୍ କୁ ଯିବାପାଇଁ । ସନ୍ଦୀପ ଚାମ୍ବର ଡୋର ଖୋଲି କୁହନ୍ତି, "ମେ ଆଇ କମିଙ୍ଗ୍ ସାର୍" । ଏଚ ଆର୍ ସାର୍, "ୟେସ୍, କମିଙ୍ଗ୍", "ପ୍ଲିଜ୍, ଟେକ୍ ଥିସ ସିଟ୍" । ସନ୍ଦୀପ,"ଗୁଡ଼ ମର୍ଣ୍ଣିଙ୍ଗ୍ ସାର୍", "ଥ୍ୟାଙ୍କ୍ ୟୁ ସାର୍"। ପ୍ରତି ଉତ୍ତରରେ ଏଚ ଆର୍ଥ ସାର୍ କୁହନ୍ତୁ....। ତିନି ଚାରି ମିନିଟ୍ ପାଇଁ ବର୍ତ୍ତାଳାପ ହୁଏ ଦୁହିଁଙ୍କ ଭିତରେ । ଅନେକ ପ୍ରଶଂସା କଲାପରେ ଏଚ ଆର୍ ସାର୍, ମନଙ୍କୁ କିଞ୍ଚିତ ଦୁଃଖରେ ପୂର୍ଣ୍ଣ କରି କୁହନ୍ତି, "ଆଇ ଆମ୍ ରିଏଲି ସରି, ସନ୍ଦୀପ ସାର୍, ଦୁଃଖର ସହ କହିବାକୁ ପଡୁଛି ଆପଣଙ୍କୁ । ଆପଣଙ୍କ ପୋଷ୍ଟ ପାଇଁ ଆମ କମ୍ପାନୀର ଏମ.ଡି ସାର୍ ତାଙ୍କର ଜଣେ ରିଲେଟିଭ୍ ଙ୍କ ଝିଅଙ୍କୁ ହାୟର୍ କରିଛନ୍ତି । ଆପଣଙ୍କ ପରି ଜଣେ ସଚ୍ଚୋଟ ଓ ଇଣ୍ଟେଲିଜେଣ୍ଟ ଷ୍ଟାଫ୍ କୁ କମ୍ପାନୀ ହରେଇଛି ।",
ବାସ୍ ଆଉ କଣ ଶୁଣିବ ସନ୍ଦୀପ, ନା ଶୁଣିବାକୁ ଧୈର୍ଯ୍ୟ ଜୁଟେଇ ପାରୁଛନ୍ତି । ଦେଖୁଦେଖୁ ଆଖି ସାମ୍ନାରେ କିଛି କ୍ଷଣ ମଧ୍ୟରେ ଜୀବନର ମୋଡ଼ ଅଚାନକ ବଦଳି ଗଲା । ସପନର ନଅରରେ ପହଁଚୁ ପହଁଚୁ ସପନର ଚୋରି ହେଇଗଲା । ଛାତିରୁ ଓହଳୁ ଥିବା ନିଜ ଆବେଗ ଗୁଡାକୁ ସମ୍ଭାଳିନେଇ ଭାବ ବିହୋଳରେ କହିବସେ, "ଓକେ ସାର୍, ଯାହା ମୋ ଭାଗରେ ଥିବ ତାହା ହିଁ ହେବ, ଆପଣଙ୍କ ସହ ଦେଖାହେଇ ଖୁବ ଖୁସି ଲାଗିଲା ।" ଚାମ୍ବରରୁ ବିଦାୟ ନେଇ ଫେରି ଆସିଲା ସେଇ ଅତୀତର ପନ୍ଥାଶାଳାକୁ । ଜୀବନର ମୋଡ କେତେବେଳେ ଅଜାଣତେ ବଦଳିଯାଏ କଳନା କରିବା ଅସମ୍ଭବ । ମଣିଷ ଜାଣିବା ଆଗରୁ ଆରମ୍ଭର ଇତି ହେଇ ସାରିଥାଏ । ନ ଥକି, ଜୀବନର ଆଗାମୀ ଅଧ୍ୟାୟର ଅପେକ୍ଷାରେ, ନୂଆ ଆଶା ନେଇ ପୁଣି ଥରେ ଯାତ୍ରା ଆରମ୍ଭ କରିବାକୁ ମନସ୍ଥ କଲେ ସନ୍ଦୀପ ।