Jyotirmayee Panda

Drama Tragedy Inspirational

3  

Jyotirmayee Panda

Drama Tragedy Inspirational

କାନ୍ତା

କାନ୍ତା

11 mins
152


ରାତ୍ରି ପ୍ରାୟ 2: 00ଟା ସମୟରେ ରମାଦେବୀ ବସିଛନ୍ତି ନିଜର ବିଛଣା ଉପରେ, ଯେତେ ଶୋଇବାକୁ ଚେଷ୍ଟା କଲେ ବି ଆଖିକୁ ନିଦ ନାହିଁ, ଯେମିତି କିଛି କଥା ତାଙ୍କୁ ବହୁତ୍ ଆଘାତ କରିଚି, ସେ ଯେତେ ଚେଷ୍ଟା କଲେ ବି ସେହି କଥାକୁ ସଂପୂର୍ଣ୍ଣ ଭୂଲିପାରୁ ନାହାଁନ୍ତି। ହଠାତ୍ ସେ ବିଛଣାରୁ ଉଠି କାନ୍ଥ ଆଲେଣା ନିକଟକୁ ଯାଇ ପୁରୁଣା ଆଲବମ୍ କୁ ବାହାର କରିଛନ୍ତି । ଆଲବମ୍ କୁ ଧରି ବିଛଣାରେ ବସି ପୁରୁଣା ସ୍ମୃତିକୁ ମନେ ପକେଇବାରେ ଲାଗିଛନ୍ତି । ଦିନ ଥିଲା ସେ ସଫଳତାର ପାହଞ୍ଚ ଚଢ଼ିବାରେ ଲାଗିଥିଲେ, କଲେଜ୍ ସମୟରୁ ହିଁ ସେ ବହୁତ୍ ଅଡିସନ୍ ଦେଇ ନିଜର ମଡେଲିଂ କ୍ୟାରିଅର ଆରମ୍ଭ କରିଥିଲେ । 


ଧୀରେ ଧୀରେ ସେ ଦିନକୁ ଦିନ ପାହାଞ୍ଚ ପରେ ପାହାଞ୍ଚ ଚଢ଼ି ଚଢ଼ି ଆସୁଥିଲେ, ବହୁ ଜାତୀୟ ଅର୍ନ୍ତଜାତୀୟ ପୁରସ୍କାର ମଧ୍ୟ ହାସଲ କରିଥିଲେ, ସେତେବେଳେ ତାଙ୍କୁ ବଡ଼ ବଡ଼ ବ୍ରାଣ୍ଡର ମଡେଲିଂ ରେ ଡକା ଯାଉଥିଲା । ସେ ନିଜର ଖୁବ୍ କମ୍ ବୟସରେ ଅଧିକ ସଫଳତାକୁ ଛୁଇଁ ପାରିଥିଲେ । ପରେ ପରେ ତାଙ୍କ କ୍ୟାରିଅରର ଅଧିକ ଅଗ୍ରଗତି ସମୟରେ ହଠାତ୍ ତାଙ୍କୁ ବିବାହ ପାଇଁ ଘରେ ବାଧ୍ୟ କରାଯାଇଥିଲା । ଏମିତି ନୁହେଁ ଯେ ଘରେ ତାଙ୍କର ଏ ମଡେଲିଂ କ୍ୟାରିଅରକୁ ନେଇ କେହି ସମର୍ଥନ କରୁ ନଥିଲେ, ବରଂ ବିବାହର ବୟସ ଅତିକ୍ରମ ନ ହେଇ ଯାଉ ଏକଥାକୁ ଆଖିରେ ରଖି ପରିବାର ଲୋକେ ତାଙ୍କ ବିବାହ ପାଇଁ ଚିନ୍ତିତ ରହୁଥିଲେ, ଯାହାକୁ ଦେଖି ରମା ମଧ୍ୟ ରୋକ୍ ଠୋକ୍ କହି ଦେଇଥିଲେ, ମୋର ବିବାହ ପାଇଁ କୌଣସି ଆପତ୍ତି ନାହିଁ, ହେଲେ ମୋ ଶାଶୁଘରେ ଯେମିତି ମୋର କ୍ୟାରିଅରର ଅଗ୍ରଗତିକୁ ନେଇ ଅଙ୍କୁଶ ନ ଲଗେଇବେ ବାସ୍ ସେତିକି ଧ୍ୟାନରେ ରଖି ମୋ ପାଇଁ ଶାଶୁଘର ବାଛିବ ।  


ଏ ବ୍ୟତୀତ ମୋର କୌଣସି କଥାରେ କିଛି ବି ଅସୁବିଧା ନାହିଁ ବାପା ମା ଭାବରେ ତମେ ମୋ ପାଇଁ ଭଲ ବର ଭଲ ଘର ଦେଖିବ ସେଇଟା ମତେ ଜଣା କେବଳ ମୋର ଏ ଗୋଟିଏ କଥା ଯେମିତି ମୋ କ୍ୟାରିଅରରେ ଅଙ୍କୁଶ ନଲାଗେ । ରମାଙ୍କ ମନକୁ ନେଇ ତାଙ୍କୁ ଭଲ ଘର, ଭଲ ବର ଦେଖି ବିଭା କରାଯାଇ ଥିଲା । ଶାଶୁଘର ଲୋକେ ରାଜିଥିଲେ ତାଙ୍କର କ୍ୟାରିଅରକୁ ନେଇକି। ହେଲେ ପ୍ରାୟ କିଛି ମାସ ଯିବା ପରେ ଯେମିତି ହଠାତ୍ ସବୁକିଛି ବଦଳି ଗଲା । ନୂଆଁ ବୋହୂ ବୋଲି ତାଙ୍କୁ ପ୍ରଥମେ ତ କିଛି କୁହା ଯାଉ ନଥିଲା କିନ୍ତୁ ପରେ ପରେ ଦେଖେଇ ଶିଖେଇ କଥା କାମର ଭାର ବଢେଇବା, ଏମିତି ପରିସ୍ଥିତି ସୃଷ୍ଟି କରିବା ଯେମିତିକି ରମା ଆପେ ଆପେ ନିଜର କ୍ୟାରିଅରକୁ ସେତିକିରେ ରୋକ୍ ଲଗାଇବେ, ତେବେ ରମା ଅତି ସାହସର ସହିତ ନିଜର ପତିଙ୍କୁ ଏସବୁ ବିଷୟରେ କହିବାକୁ ନିଷ୍ପତ୍ତି ନେଇଥିଲେ, ଯାହାକି ତାଙ୍କ ସହିତ ଦିନକୁ ଦିନ ଅଧିକ୍ ମାତ୍ରାରେ ଘଟିବାରେ ଲାଗିଥିଲା । କହିବା ପରେ ପ୍ରତିଉତ୍ତରରେ ସେ ଯାହା ଶୁଣିଥିଲେ ସେଇଟା ତାଙ୍କୁ କିଛି ମାତ୍ରାରେ କଷ୍ଟ ତ ଦେଇଥିଲା ହେଲେ ତଥାପି ସେ ଭାବିଥିଲେ ହୁଏତ ମୋର ଏବେ ଏଇଟା ହିଁ କରିବା ଉଚିତ୍ ।  

ରମାଙ୍କ ସ୍ବାମୀ କହିଥିଲେ ଯେ, ଦେଖ ରମା! ଏବେ ତମେ ଗୋଟେ ଘରର ବୋହୂ, ତୁମକୁ ତରବରୀ ଭାବରେ ନୁହେଁ ବରଂ ଯାହାବି ନିଷ୍ପତ୍ତି ନେବାର ଅଛି ଭାବିଚିନ୍ତି ଆଉ ପିଲାଳିଆମୀକୁ ହଟେଇକି ନେବାର ଅଛି । ମା'ଙ୍କ ଦେହ ଦିନକୁ ଦିନ ଖରାପ୍ ହେବାରେ ଲାଗିଛି । ନୂଆଁ ନୂଆଁ ସେ ସବୁକିଛି କରି ପାରୁଥିଲେ ବୋଲି ତୁମକୁ ତୁମର କ୍ୟାରିଅର ଦେଖିବାକୁ ସୁବିଧା ହେଉଥିଲା, ହେଲେ ବର୍ତ୍ତମାନ ସେ ତୁମ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଆଉ ଏଇଟା ବି ସ୍ଵାଭାବିକ କଥା ଯେ ତୁମେ ଯେହେତୁ ଘରର ଗୋଟେ ବୋହୂ ତ ତୁମେ ନିଜର ଦାୟିତ୍ଵରୁ ଏପରି ଦୂରକୁ ଯାଇ ପାରିବ ନାହିଁ । ତା' ଛଡ଼ା ଆଉ କେତେଟା ଦିନ ବା ମା' ବାପା ଦୁହେଁ ଜୀବିତ ରହିବେ । ଯେବେଯାଏଁ ଅଛନ୍ତି ଅନ୍ତତଃ ସେବେଯାଏଁ ତୁମେ ନିଜର କ୍ୟାରିଅର ପାଇଁ କିଛି ଅବଧିର ବିରତି ନେଇଯାଅ ।


ପରେ ପରେ ସବୁ ଠିକ୍ ହେଇଯିବ । ତୁମର ନୂତନ ଆରମ୍ଭରେ ମୁଁ ତୁମ ସହିତ ରହିଥିବି, ଯଦି ସେତେବେଳେ କିଛି ଅସୁବିଧା ହୁଏ ତେବେ ଆମେ ଘରକାମ ପାଇଁ କାହାକୁ ଗୋଟେ ରଖିନେବା, କିନ୍ତୁ ଏବେ ନୁହେଁ ପ୍ଲିଜ୍ ମୋ ଧନ! ମୁଁ ଜାଣିଚି ତୁମକୁ ଟିକେ କଷ୍ଟ ହେଉଥିବ ହେଲେ ମୁଁ ଏକଥା ବି ଜାଣେ ତମେ କେବଳ ଗୋଟେ ଭଲ ସ୍ତ୍ରୀ ନୁହେଁ, ତମେ ଜଣେ ସୁ-ଗୃହିଣୀ,ଭଲ ବୋହୂ ଯାହାବି ଭାବିବ ଟିକେ ସବୁଆଡକୁ ଦେଖିକି ଭାବିବ । ସ୍ବାମୀଙ୍କ ମୁହଁରୁ ଏମିତି ଶୁଣି ରମା କିଛି ସମୟ ପାଇଁ ଏଇଟା ଭାବୁଥିଲେ ଯେ, ୟାଙ୍କ ବିନା ଏ ଘରେ ମୋର ଅଧିକାର କିଛି ନାହିଁ, ୟାଙ୍କ ହାତ ଧରି ଆସିଚି ଯେତେବେଳେ ଇଏ ତାଙ୍କ ଘରଲୋକଙ୍କ ଆଗରେ ମୋ ସ୍ବପ୍ନ ପାଇଁ ଲଢ଼ିବା କଥା, ହେଲେ ସେ ତ ସଂପୂର୍ଣ୍ଣ ମନା ବି କରି ନାହାଁନ୍ତି। ତାହାଲେ ମତେ ତାଙ୍କ କଥା ଶୁଣିନେବା ଉଚିତ୍ ।

ନିଷ୍ପତ୍ତି ନେଇଗଲେ ନିଜର ସ୍ୱପ୍ନରେ କିଛି ଦିନର ବିରତି ଲଗେଇବା ପାଇଁ । ବିରତି ଲାଗିଗଲା କ୍ୟାରିଅରରେ ଯାହାକୁ ନେଇ କେବଳ ସେ ହିଁ ଭିତରେ ଭିତରେ କୋଉଠି ନା କୋଉଠି ଛଟପଟ ହେଉଥିଲେ ହେଲେ ସମସ୍ତଙ୍କ ହସଖୁସିର ଜୀବନ ଦେଖି ଛାତି ତଳର କୋହକୁ ଭୂଲି ଯାଇଥିଲେ ରମା। ଦିନ ପରେ ଦିନ ବିତି ଚାଲିଥାଏ, ସ୍ବପ୍ନ ତାଙ୍କର ସେମିତି ତାଜା ଥାଏ । ତଥାପି ଘରର ମାହଲ ଭିତରେ ଯେମିତି ସେଇ ସ୍ୱପ୍ନରେ ଅଳନ୍ଧୁ ଲାଗି ଯାଇଥାଏ । ଧୀରେ ଧୀରେ ଶାଶୁ ଶଶୁର ଦୁହିଁଙ୍କର ଦେହାନ୍ତ ବି ଘଟିଯାଏ । ଘରର ଏପରି ପରିସ୍ଥିତିରେ ରମା ନିଜର ସ୍ବାମୀଙ୍କୁ କିଛି ବି କହିବାକୁ ଠିକ୍ ମନେ କରନ୍ତି ନାହିଁ । ସେ ଅପେକ୍ଷା କରନ୍ତି ଉଚିତ୍ ସମୟକୁ । ସେ ଅପେକ୍ଷା କରନ୍ତି ବିଗିଡି ଯାଇଥିବା ମାହାଲ୍ ର ଟିକେ ସୁଧାରକୁ । ପରେ ପରେ ଆସିଥାଏ ତାଙ୍କ ଜୀବନରେ ଏକ ଖୁସିର ମୁହୂର୍ତ୍ତ, ଜାଣିବାକୁ ପାଆନ୍ତି ସେ ମା' ହେବାକୁ ଯାଉଛନ୍ତି । ଖୁସିରେ ତାଙ୍କର ପାଦ ଭୂମିକୁ ବି ସ୍ପର୍ଶ କରୁ ନଥାଏ । ଖବରକୁ ନେଇ ଘରର ମାହଲ୍ ଧୀରେ ଧୀରେ ଥଣ୍ଡା ପଡୁଥାଏ । 


ରମାଙ୍କ ମନରେ ଆସେ ଆଉ କଣ ଏ ମଡେଲିଂରେ ପାଦ ଦେଇ ପାରିବି । ବୋଧେ ମୋ ସ୍ବପ୍ନ ଅଧାରେ ରହିଗଲା, ସ୍ବାମୀ କହୁଥିଲେ ରମା ତମେ ମା' ଡାକ ଶୁଣିବ ଆଉ ମୁଁ ବାପା ଡାକ ଶୁଣିବି, ତାଠୁ ଆଉ ଖୁସିର କଥା କଣ ଅଛି କୁହ ତ, ତୁମେ ସତରେ ଗୋଟେ ମଡେଲର୍ ହେଇଯିବ । ଭଲ ଘରଣୀ, ଭଲ ବୋହୂ ଆଉ ଭଲ ମା' ହେଇ ତୁମେ ଦେଖେଇ ଦେଇଛ ଯେ ତୁମେ ସତ୍ୟ ଜୀବନର ଗୋଟେ ସୁନ୍ଦର ମଡେଲର୍ । ରମା କହୁଛନ୍ତି, ହଁ ମୁଁ ବି ଖୁସି ଆଉ ଅପେକ୍ଷା କରିଛି ସେଇ ମା' ଡାକକୁ ଶୁଣିବା ପାଇଁ ତେବେ ତୁମେ ମତେ କୁହ କଣ ଆମ ସନ୍ତାନ ଜନ୍ମ ପରେ ମୁଁ ମୋର କ୍ୟାରିଅର ଦେଖି ପାରିବି?? ତୁମେ କଣ ମତେ ସେଥିପାଇଁ ଅନୁମତି ଦେବ ? ଉତ୍ତରରେ ରମାଙ୍କ ସ୍ବାମୀ କହିଛନ୍ତି ହଁ କାହିଁକି ନୁହେଁ, ମୁଁ କେବେ ତୁମର ସଫଳତାକୁ ବନ୍ଦ୍ ପଞ୍ଜୁରୀ ଭିତରେ ରଖିବାକୁ ଚାହେଁନି ମୁଁ ଚାହେଁ ତୁମେ ଡେଣା ମେଲି ଉଡ଼ିଯାଅ, ପରନ୍ତୁ ସେତେବେଳେ ଯେମିତି ଆମ ସନ୍ତାନର ବୃଦ୍ଧି ଏବଂ ଭବିଷ୍ୟତକୁ ନେଇ କୌଣସି ଅସୁବିଧା ନ ସୃଷ୍ଟି ହୁଏ, ଏଥିପ୍ରତି ତୁମେ ଧ୍ୟାନ ଦେଇ ଯାହା କରିବା କଥା କରିବ । 


ତେବେ ସେ ଯାହା ସର୍ତ୍ତ ହେଉ ପଛକେ ମୋ ସ୍ବାମୀ ମୋ କଥାରେ ସମ୍ମତି ତ ଦେଇଛନ୍ତି, ବାସ୍ ଏତିକିରେ ଖୁସି ଅଛନ୍ତି ରମା । ଦିନ ପରେ ଦିନ ବିତି ଚାଲିଥାଏ ଏବଂ ଗୋଟେ ବେଡି ଖୋଲୁ ଖୋଲୁ ଯେମିତି ଅନ୍ୟଗୋଟେ ଆସି ଆପେ ଆପେ ଛନ୍ଦି ହେଇ ଯାଉଥାଏ ରମାଙ୍କ ପାଦରେ, ଧୀରେ ଧୀରେ ରମା ବୁଝି ମଧ୍ୟ ପାରନ୍ତି ଯେ ସ୍ବାମୀ କେବଳ ମିଛ ଆଶ୍ୱାସନା ଦେଇ ତାଙ୍କୁ ଗୋଟେ ପ୍ରକାରର ଆଶାରେ ରଖିଛନ୍ତି । ସମୟ ଦିନକୁ ଦିନ ଗଡି ଚାଲିଥାଏ ଏବଂ ରମାଙ୍କ ଆଶା ଆଶାରେ ରହି ଯାଇଥାଏ । ତାଙ୍କୁ ଆପେ ଆପେ ନିଜ ପରିବାର ଏବଂ ସନ୍ତାନର ଚିନ୍ତା ଏମିତି ଘାରିଥାଏ ଯେ ସେ ନିଜକୁ ଏ ସ୍ବପ୍ନ ଭିତରୁ ଧୀରେ ଧୀରେ ଦୂରେଇବାରେ ଲାଗନ୍ତି ।


ତେବେ ହଠାତ୍ ଭାବନା ଭିତରୁ ବାହାରି ରମା ଆଜିର କଥା ଚିନ୍ତା କରନ୍ତି, ସେ କାହିଁକି ଆଜି ଏତେ ଦିନ ପରେ ସେଇ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି? କାରଣ ହେଉଛି ଗୋଟିଏ ଯେ ତାଙ୍କ ମନକୁ ବହୁତ୍ ଆଘାତ ଲାଗିଚି, ଏମିତି କଥା ସେ ଶୁଣିଛନ୍ତି ଯାହାକୁ ନେଇ ସେ ଭାବିବାକୁ ବାଧ୍ୟ ହେଉଛନ୍ତି ଯେ ଏ ଘରେ ନିଜର ଅସ୍ତିତ୍ବ କିଛି ନାହିଁ ବୋଲି । ଆଜି ପର୍ଯ୍ୟନ୍ତ ତାଙ୍କର ଯାହାବି କିଛି କର୍ତ୍ତବ୍ୟ ରହିଛି ସେ ସବୁକିଛି କେବଳ ପରିବାର ପାଇଁ, ପରିବାର ସୁଖ ଶାନ୍ତି ବଢ଼ିକି ରହିବା ପାଇଁ, ଏମିତିକି ସେ ନିଜର ଖୁସିକୁ ଜଳାଞ୍ଜଳି ଦେଇଛନ୍ତି ସେଇ ପରିବାର ପାଇଁ ହେଲେ ସେଇ ତ୍ୟାଗର ମୂଲ୍ୟ ଆଜି କେହି ବୁଝୁ ନାହାଁନ୍ତି । କଥାରେ କହି ଦେଉଛନ୍ତି କଣ ଏମିତି କରୁଚି କି ଖାଲି ଘରେ ବସି ବସି ଦୁଇ ମୁଠା ରୋଷେଇ ତ କରିକି ଦେଉଚି । ଆରେ ଯଦି ସେତେବେଳେ ନିଜର କ୍ୟାରିଅର ଦେଖି ଥାଆନ୍ତି ତେବେ ସେଇ ଦୁଇ ମୁଠା ରୋଷେଇ ବି ଦେବାକୁ କେହି ନଥାନ୍ତେ ।


ସତରେ ନାରୀ କଣ କିଛି କରୁନି ? ଏମିତି ଗୋଟେ ଛୋଟ ଝଗଡାକୁ ନେଇ ମତେ ମୋ ସ୍ବାମୀ ତ ଏମିତି କହିଲେ କହିଲେ ଶେଷରେ ମୋ ଛୁଆ ବି ସେଥିରୁ ବାଦ୍ ପଡିଲାନି। କଥା ଏମିତି କଣ ଥିଲା ?? କିଛି ତ ନଥିଲା ..... ରୋଷେଇ ଟିକେ ରାଗ ହେଇ ଯାଇଛି ସେଥିରେ କହିଲେ, ଖବର କାଗଜର ଜଣେ ସଫଳ ବ୍ୟକ୍ତିକୁ ଦେଖି ବାପ ପୁଅ ଦୁହେଁ କହି ଚାଲିଲେ, ପୁଅ ହେଲେ ହିଁ ଏତେ ଚିନ୍ତା ଭଲ ଚାକିରୀ ଦରକାର୍, ଭଲ ରୋଜଗାର ଦରକାର୍ ଝିଅ ତ ଖାଲି ମଜା ହିଁ ମଜା କରନ୍ତି । ସେ ଖାଲି ପର ଧନ ଉଡେଇବାକୁ ଆସନ୍ତି । ଏ କଥାକୁ ନେଇ ମୁଁ ଦୁଇପଦ କହିଦେଲି ଯେ କଥାର ମୋଡ଼ ଏମିତି ବଦଳିଗଲା ...


ମୁଁ ତ କେବଳ ଏତିକି କହିଥିଲି, ଯାଉଚି ଟିକେ ଚିନି ପକେଇ ଦେଉଚି ତରକାରୀରେ ଯଦି ଆଜି ଭୁଲ୍ ରେ ରାଗ ହେଇ ଯାଇଚି ତ । ଉତ୍ତରରେ ନା ଥାଉ ଆମେ ହୋଟେଲରେ ଖାଇନେବୁ । ତେଣୁ ମୁଁ ଏତିକି କହିଲି, ଯଦି ହୋଟେଲରେ ହିଁ ଖାଇବାର ଥିଲା ତେବେ ମତେ ରୋଷେଇ କରିବାର କିଛି ଆବଶ୍ୟକ ହିଁ ନଥିଲା । ମୁଁ କାଇଁ ତରବର ହେଇ ରୋଷେଇ କରୁଥିଲି ସମସ୍ତେ ଆସି କେମିତି ଭଲରେ ଖାଇବେ ବୋଲି । ପୁଅ କହୁଚି ହଁ ରୋଷେଇ ତ କରିଛୁ ମା' କଣ ଆଉ ଅଧିକ କରୁଚୁ କି ? ଘରେ ତ ବସିଛୁ, ରାନ୍ଧିବା କଣ ଏତେ ବଡ କାମ ଯେ ତୁ ଏ ଛୋଟ କଥାରେ ରାଗୁଚୁ। ଉତ୍ତରରେ ଆଶ୍ଚର୍ୟ୍ଯ ହେଇ କହିଲେ ରମା, ଏ ଦେଖୁଚ ତ ଆମ ପୁଅ ମତେ ଏମିତି କହୁଚି ଆଉ ତୁମେ ଚୁପ୍ ହେଇକି ଶୁଣୁଛ କିଛି କହୁନ କେମିତି ? ଉତ୍ତରରେ ସ୍ବାମୀ କୁହନ୍ତି, କଣ କହିବି ସେ ତ କିଛି ଭୁଲ୍ କହୁନି। ତୁମର ଆଉ କାମ କଣ କି ?? 


ସ୍ତ୍ରୀ ଲୋକ ତ କେବଳ ଘରେ ଦୁଇମୁଠା ରୋଷେଇ କରି ବସନ୍ତି, ଆଜି ଯାଏଁ ତୁମେ କୋଉ କାମ କରି ପକେଇଛ କି ? ଉତ୍ତରରେ ରମା, କଣ କହିଲା ଆଜିଯାଏଁ ମୁଁ କିଛି ବି କରିନି ? ତମ ପାଇଁ ଆମ ପରିବାର ପାଇଁ ମୋର କଣ କିଛି ବି ତ୍ୟାଗ ନାହିଁ ? ଭୂଲି ଯାଉଛ କେମିତି ଅତୀତକୁ । ସ୍ବାମୀ କୁହନ୍ତି, ତୁମର ଅସ୍ତିତ୍ଵ କଣ ମୋ ବିନା ? ମୋ ବିନା ତୁମର ପରିଚୟ ହିଁ କିଛି ନାହିଁ । ନାରୀ ସବୁବେଳେ ପୁରୁଷର ପରିଚୟ ନେଇକି ହିଁ ପରିଚିତ ହୁଏ, କୋଉଠି କେବେ ଦେଖିଚ ନାରୀର କିଛି ଅଲଗା ପରିଚୟ ଥାଏ ବୋଲି । ତମେ କେବଳ ଘର କୋଣରେ ହିଁ ଶୋଭା ପାଅ, ଚଟୁ ତୁମ ହାତକୁ ବେଶ୍ ମାନେ । ଛୁରୀ ପରି ବିନ୍ଧୁଥିଲା, କ୍ଷତାକ୍ତ କରିଥିଲା ସ୍ବାମୀଙ୍କର ଏପରି କଥା । ସତରେ କଣ ନାରୀର କୌଣସି ନିଜସ୍ୱ ଅସ୍ତିତ୍ଵ ନାହିଁ ? ସେ କଣ ସବୁବେଳେ କାହା ନା କାହା ଉପରେ ନିର୍ଭର ହିଁ କରେ ନିଜର ପରିଚୟକୁ ଜଣେଇବା ପାଇଁ। ନା ଏକଥା ତ ନୁହେଁ, ତେବେ ଅଯୋଥା ଯୁକ୍ତି ନ କରି ଜଣେଇ ଦେବାକୁ ହେବ, ନାରୀ କୌଣସି କଥାରେ କମ୍ ନୁହେଁ । 


ନିଜର ହଜି ଯାଇଥିବା ସ୍ୱପ୍ନକୁ ପୁଣି ରଙ୍ଗ ଦେବାର ପ୍ରୟାସ କରିଚନ୍ତି ରମା । ଯାହାକୁ ନେଇ ସ୍ବାମୀ କହିଛନ୍ତି ଏ ବୟସରେ ଏମିତି ମଡେଲର୍ ଙ୍କୁ କିଏ ବା ଦେଖିବାକୁ ପସନ୍ଦ କରିବ ??। ଏବେ ତୁମକୁ ସେଇ ରୋଷେଇ ଘରର ଚଟୁ, କଡ଼େଇ ହିଁ ଶୋଭା ଦିଶିବ । ସେ ପାଗଳାମୀ ଛାଡ଼ି ଘର କାମରେ ମୁଣ୍ଡ ଦିଅ । ଏମିତି ସବୁବେଳେ ସହି ସହି ଶେଷରେ ପ୍ରଥମଥର ପାଇଁ ସ୍ଵାମୀଙ୍କ ମୁହଁରେ ଜବାବ୍ ଦେଇଛନ୍ତି ରମା, ସେ କହିଛନ୍ତି ଓଃ ରୋଷେଇରେ ମୁଁ ମୁଣ୍ଡ ଦେବି?? କାଲି ତ ବାପ,ପୁଅ କହୁଥିଲ ରୋଷେଇ ମୋର ଭଲ ଲାଗୁନି । ରୋଷେଇ ତୁମ ପାଇଁ ଏତେ ବଡ କଥା ନୁହେଁ, ଗୋଟେ ଚୁଟକିରେ କୁଆଡେ ରୋଷେଇ ହେଇଯିବ, ଆଉ ମୋ ଦ୍ଵାରା ସେସବୁ ବି ଭଲରେ ହେଉନି । ଠିକ୍ ଅଛି ଯଦି ଘର କାମ ସବୁ ତୁମ ପାଇଁ ଚୁଟକିର କଥା, ତ ତୁମେ କର । ମୁଁ ବି ଦେଖେ କେତେ ଭଲ କରି ପାରୁଛ ? ଉତେଜିତ୍ତ ହେଇ ସ୍ବାମୀ କହିଛନ୍ତି ଓଃ ଘର କାମ ଆମେ କରିବୁ ? ତେବେ ତୁମେ ଏଠାରେ ମୋ ଘରେ କାଇଁ ରହିବ ?? ଚାଲିଯାଅ ଏଠାରୁ ଏବଂ ଆହୁରି ଅନେକ କିଛି କହିଥିଲେ ସ୍ୱାମୀ ରମାଙ୍କୁ, ରମା ନୀରବ ରହିବାକୁ ପସନ୍ଦ କରିଥିଲେ ଆଉ କିଛି ଉତ୍ତର ମଧ୍ୟ ଦେଇ ନଥିଲେ। 

ହେଲେ କଥା ଗୁଡ଼ିକ ଆତ୍ମାକୁ ବହୁତ ବାଧିଥିଲା । ଯାହାକୁ ନେଇ ସେ ସେଦିନ ରାତିରେ ଶାନ୍ତିରେ ଶୋଇ ପାରି ନଥିଲେ, ରାତିରେ ପୁରୁଣା ସ୍ମୃତିକୁ ଛାତିରେ ଚାପିଧରି କିଛି ଅଲଗା କରିବାକୁ ଭାବିଥିଲେ, ଅଲଗା ନିଷ୍ପତ୍ତି ନେଇଥିଲେ । ସକାଳୁ ସ୍ବାମୀଙ୍କ ଆଶୀର୍ବାଦ ନେଇ ବାହାରି ପଡ଼ିଥିଲେ ଘର ଛାଡ଼ିକି, ସ୍ବାମୀ କହୁଛନ୍ତି କେତେଦିନ ବାହାରେ ରହିବ ?? କଣ ଖାଇବ, କୋଉଠି ରହିବ କିଛି ଠିକଣା ଅଛି?? ନା ଏମିତି କହିଦେଲି ବୋଲି ଚାଲି ଯାଉଛ । ପୁଣି ଥଣ୍ଡା ପଡ଼ିଗଲେ ଆସିଯିବ ମୁଁ ଜାଣିଚି, ଥରେ ବାହାରର ପବନ ଖାଇଦେଇ ଆସ ଜାଣିଯିବ ମୋ ବିନା ତମେ କିଛି କରି ପାରିବନି ବୋଲି । ଏମିତିକି ମୋ ଅସ୍ତିତ୍ଵ ବିନା ତୁମର ବଞ୍ଚିବା ବି କଷ୍ଟକର ବୋଲି । ଛାତିରେ ଚାପି ଧରି ଏମିତି କଥାକୁ ଚୁପ୍ ଚାପ୍ ଚାଲିଗଲେ ରମା । ପ୍ରଥମେ ଯାଇ ପହଞ୍ଚିଲେ ସଙ୍ଗୀତା ଦେବୀଙ୍କ ନିକଟରେ ଯିଏ କି ତାଙ୍କୁ ବାରମ୍ଵାର କହୁଥିଲେ ତୁମେ ତୁମର କ୍ୟାରିଅର ଛାଡ଼ିବାକୁ ନିଷ୍ପତ୍ତି ନିଅ ନାହିଁ ରମା । ତୁମକୁ ଏଥିରେ ବହୁତ୍ ପ୍ରତିଷ୍ଠା ମିଳିବ ।

ଶେଷରେ ତାଙ୍କ ପାଖରେ ଯାଇ ନିଜର ହୃଦୟ କଥାକୁ ସମ୍ପୂର୍ଣ ବଖାଣି ପକାଇଥିଲେ ରମା, ଜଣାଇଥିଲେ ଯେ ତାଙ୍କୁ ନିଜର ହଜି ଯାଇଥିବା ପରିଚୟ ସୃଷ୍ଟି କରିବାର ଅଛି । ଯାହାକି ତାଙ୍କୁ ତାଙ୍କ ସ୍ବାମୀ, କି ପୁଅ, କି ବାପା, କି ଭାଈ କୌଣସି ପୁରୁଷଙ୍କ ସାହାଯ୍ୟରେ ନୁହେଁ ବରଂ କେବଳ ନିଜର ଶକ୍ତି ସାମର୍ଥ୍ୟ ବଳରେ କରିବାର ଅଛି । ସବୁକିଛି ଶୁଣି ସଙ୍ଗୀତା ଦେବୀ ସୁଯୋଗ ଦେଇଥିଲେ ରମାକୁ ଏବଂ କହିଥିଲେ ନିହାତି ତମେ କରି ପାରିବ, ତୁମ ପାଇଁ ସମାଜକୁ ମଧ୍ଯ ଉଚିତ୍ ବାର୍ତ୍ତା ମିଳିବ । ତମେ ଗୋଟେ ହୀରା ସେଇ ହୀରା ଯେ କେତେ ମୂଲ୍ୟବାନ ସେଇଟା ଜଣେଇବାର ସମୟ ଆସି ଯାଇଚି, ତେବେ ଆଉ ଡେରି କାହିଁକି ମୁଁ ଅଛି ତମ ସହିତ ତୁମେ ଆଗେଇ ଚାଲ । 


ଏପରି ଭାବରେ ସଙ୍ଗୀତା ଦେବୀଙ୍କ ସାହାଯ୍ୟ ନେଇ ରମା ନିଜର ପରିଚୟ ସୃଷ୍ଟି କରିବାରେ ଲାଗିଲେ, ଦିନ ପରେ ଦିନ ବିତିଗଲା ଖବର କାଗଜଠୁ ନେଇକି ସବୁ TV ଚାନେଲ୍ ରମା ଦେବୀଙ୍କ ଗୋଟେ ଝଲକ୍ ପାଇଁ ଅପେକ୍ଷାରେ ରହୁଥିଲା । ଏପଟେ ବାପ ପୁଅ ଧୀରେ ଧୀରେ ନିଜର ଭୁଲ୍ ବୁଝି ବାରେ ଲାଗିଥିଲେ । ଯାହା ଯାହା ସବୁ ନିଜ ମୁହଁରୁ ବାହାରିଥିଲା ତାକୁ ଅନୁଭବ କରିଥିଲେ, ବୁଝିଥିଲେ ଯେ ପ୍ରକୃତରେ ସେ ଏମିତି କହି ନିଜ ମା ଏବଂ ସ୍ତ୍ରୀ ମନରେ କଷ୍ଟ ପହଞ୍ଚେଇଛନ୍ତି ବୋଲି । କିଛି ଦିନ ହୋଟେଲରେ ଖାଇବା ପରେ ଘରର ଖାଇବା ଯେବେ ଦରକାର୍ ପଡ଼ିଲା, ସେବେ ବୁଝିହେଲା ଯେ ପ୍ରକୃତରେ ଘରପାଇଁ ନାରୀଙ୍କର ଅବଦାନ କଣ । ଦେହ ଅସୁସ୍ଥଠୁ ନେଇ ସେବା, ସଫା କରିବା, ଘର ଝଡ଼ା, ଠାକୁର ପୂଜା, ସମସ୍ତଙ୍କ କଥା ବୁଝି ସମସ୍ତଙ୍କୁ ନେଇକି ଚଳିବା ଏମିତି ଅନେଇ କିଛି କାମ ନାରୀଟି କରିଥାଏ ।


 ଯଦି ଦରମା କଥା କେବେ ଉଠନ୍ତା ତେବେ ହୁଏତ ନାରୀର ଦରମା ସବୁବେଳେ ଗୋଟେ ପୁରୁଷଠୁ ଅଧିକ ରୁହନ୍ତା । ତଥାପି ସେ ତୁନି ରହି ବିନା ମୂଲ୍ୟରେ ସବୁକିଛି କରିଚାଲେ ଆଉ ଏ ପୁରୁଷ ଜାତି ତାକୁ ନିଜର ଅସ୍ତିତ୍ଵ କଥା ପଚାରି ବୁଲନ୍ତି, ସେ ଏମିତି କଣ କରେ କି ଖାଲି ତ ଘର କାମ କରୁଚି । ସେଇ କାମକୁ କରିବାକୁ ଆଜି ଏତେ କୁଣ୍ଠାବୋଧ କଣ ପାଇଁ ଏ ବାପ ପୁଅ ମନରେ ତାହା ଜଣା ନାହିଁ, ବୋଧେ ଏହା ପଶ୍ଚ୍ୟାତାପର ଅଗ୍ନି ଯାହା ନିଜ ନଜରରେ ହିଁ ନିଜକୁ ଛୋଟ କରି ଦେଉଛି । ବାପା କହୁଛନ୍ତି ପୁଅକୁ, ମୋ ସ୍ତ୍ରୀକୁ ନେଇ ମୁଁ ଆଜି ସତରେ ଗର୍ବିତ । ସେ ନିଜ ପରିଚୟ ଆଜି ନିଜେ ସୃଷ୍ଟି କରିଛି । ସେ ଆମକୁ ବୁଝେଇ ଦେଇଚି ଯେ କୋଉ ବି ନାରୀ ଅବଳା କି ଦୁର୍ବଳା ନୁହେଁ । ନାରୀ ସର୍ବସଂହା ସତ ହେଲେ ବିନା ଦୋଷରେ ତା ଉପରେ ଆରୋପ ଲାଗିଲେ ସେ ନିଜର ଲଢେଇ ଏକା ଲଢ଼ିପାରେ । ସେ କେବଳ ରୋଷେଇ ଘରକାମ ଭିତରେ ସୀମିତ ରହେନି, ଯଦି ସୁଯୋଗ ମିଳେ ତେବେ ସେ ନିଜର ସ୍ବପ୍ନକୁ ବି ସାକାର କରି ଦେଖେଇ ପାରେ । ସେ କାହା ହାତର କଣ୍ଢେଇ ହେଇ ନୁହେଁ, ବରଂ ନିଜ ଖୁସିରେ ସଂପର୍କ ଭିତରେ ସବୁ ସୁଖ ଦୁଃଖକୁ ଆଦରି ପଡ଼ି ରହିଥାଏ । ନାରୀ ବିନା ସମାଜର ସ୍ଥିତି କଳ୍ପନା ମଧ୍ୟ କରି ହେବନି । ପୁରୁଷ ଯେମିତି, ଏ ସମାଜ ପାଇଁ ନାରୀ ମଧ୍ୟ ସେମିତି ଜରୁରୀ ଥାଏ । ଆଉ ସବୁଠୁ ବଡ଼ କଥା ହେଉଚି ଯେଉଁ ଘରେ ନାରୀ ମାନଙ୍କୁ ପୂଜା କରାଯାଏ, ତାଙ୍କୁ ସମ୍ମାନ ଦିଆଯାଏ । ସେଇ ଘରେ ଦେବତାଙ୍କର ବାସ ରହେ । 


ନାରୀ ହାତରେ ହିଁ ପରିବାରଟି ସୁନ୍ଦର୍ ଭାବରେ ଗଢି ରହିଥାଏ । ଆଉ ଡେରି ନକରି ଚାଲେ ଯିବା ପୁଅ, ମୋ ଘରର ଲକ୍ଷ୍ମୀକୁ ମୁଁ ଫେରେଇ ଆଣିବାକୁ ଚାହେଁ। ଦରକାର୍ ପଡ଼ିଲେ ସେ ଯାହା କହିବ ମୁଁ ଚୁପ୍ ଚାପ୍ ଶୁଣିନେବି ହେଲେ ତା ବିନା ଏ ଘର ମନ୍ଦିର ପରି ଲାଗୁନି, ଯେମିତି ଶ୍ରୀ ହଜି ଯାଇଛି ଏ ଶ୍ରୀମନ୍ଦିର ପରି ଘରର । ଦୁହେଁ ଏକାଠି ବାପ ପୁଅ ଯାଇ ପହଞ୍ଚିଛନ୍ତି ରମା ଦେବୀଙ୍କ ନିକଟରେ ଆଖି ଛଳ ଛଳ ହେଇ ଯାଇଛି ରମାଦେବୀଙ୍କର । ଦୌଡ଼ି ଯାଇ ସ୍ବାମୀଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି ଏବଂ ପୁଅକୁ କୋଳେଇ ନେଇଛନ୍ତି ସେ, ସ୍ଵାମୀଙ୍କ କଥାକୁ ଶୁଣି ନିଜର ଅଭିମାନ ଦେଖେଇଛନ୍ତି ରମା । କହିଛନ୍ତି, ସେଦିନ ମତେ ଏତେ କଥା କହିଦେଲ ସହିଲି, ଶେଷରେ ମୋ ଘରୁ ବାହାରି ଯାଅ ବି କହିଲ । ଏତେଦିନ ଯେଉଁ ଘରକୁ ନିଜର ଭାବି ମୁଁ ଏତେ ସବୁ ତ୍ୟାଗ କଲି, ସେଇ ଘର ମୋର ହେଇ ପାରିଲାନି । ଠିକ୍ ଅଛି ଯାହା କରିବା କଥା ମୁଁ କଥାରେ ନୁହେଁ ବରଂ କାମରେ କରି ଦେଖେଇ ଦେଇଚି । ମତେ ଏବେ ତୁମ ପରିଚୟ ନେଇକି ନୁହେଁ ବରଂ ମୋ ନିଜ ପରିଚୟ ପାଇଁ ଲୋକେ ଜାଣୁଛନ୍ତି। ହଁ ଏଇଟା କହିବି ଯେ ମୁଁ ଆଜି ବି ତୁମ ପରିଚୟ ନେଇ ବଞ୍ଚିବାକୁ ଚାହୁଁଚି, କାରଣ ଗୋଟେ ବିବାହିତା ନାରୀ ସବୁବେଳେ ତା ସ୍ୱାମୀର ପରିଚୟ ନେଇକି ହିଁ ବଞ୍ଚିବାକୁ ଚାହେଁ, ହେଲେ ତା' ମାନେ ଏଇଟା ନୁହେଁ ଯେ ସେଇ ପୁରୁଷ ବିନା ତା'ର ଅନ୍ୟ କୌଣସି ପରିଚୟ ସୃଷ୍ଟି ହେଇ ପାରିବ ନାହିଁ । 


ସଂପର୍କରେ ସମ୍ମାନ ବି ଜରୁରୀ ଥାଏ, କେବେ ବି କୌଣସି ନାରୀ ନିଜର ସ୍ବାମୀଙ୍କୁ ଏକଥା କହିନି ଯେ ତୁମେ କେବଳ ବାହାରେ କଣ ଟିକେ କାମ କରୁଛ, ତା' ଛଡା ଆଉ କଣ କରି ପକାଉଛ କି ? ହେଲେ ପ୍ରତ୍ୟେକ କ୍ଷେତ୍ରରେ ସ୍ବାମୀ ସ୍ତ୍ରୀକୁ କହୁଚି ଖାଲି ତ ଘର କାମ କରୁଛ, ଖାଲି ତ ରୋଷେଇ କରୁଛ । କଣ ଏଇଟା ବଡ଼ କାମ କି ? ଉଭୟ ଉଭୟଙ୍କୁ ବୁଝିବା ସହିତ, ଉଭୟଙ୍କ କାମକୁ ସମ୍ମାନ ଦେବା ଉଚିତ୍ । ତେବେ ଯାଇ ଆମର ଆଗାମୀ ପିଢ଼ି ଆମଠୁ ଉଚିତ୍ ସଂସ୍କାର ଗ୍ରହଣ କରି ପାରିବେ । ଆମେ ଦୁହେଁ ଦୁହିଁଙ୍କର ସାହସ ହେବା ଉଚିତ୍ ଦୁହିଁଙ୍କର କମଜୋରୀର କାରଣ ନୁହେଁ । ହଉ ନେଇଚାଲ ମତେ ମୋ ଘରକୁ ସେଇଟା ହିଁ ମୋ ଅସଲ ଘର ଆଉ ସେଇଠି ହିଁ ମୋର ଅସଲ ପରିଚୟ । ତମେ ଏବେ ସବୁକିଛି ବୁଝି ପାରିଛ ସେଥିରେ ମୁଁ ବହୁତ୍ ଖୁସି । ମୋର ଏ ପରିବର୍ତ୍ତନର କାହାଣୀ କେବଳ ତୁମପାଇଁ ନୁହେଁ ବରଂ ସମାଜ ପାଇଁ ବାର୍ତ୍ତା ଦେଉଚି ଯେ "ନାରୀ କୌଣସି କଥାରେ କମ୍ ନୁହେଁ, ସେ ଗଢିପାରେ, ସଜାଡି ପାରେ, ବାଟକୁ ଆଣିପାରେ ଏବଂ ଦରକାର୍ ପଡ଼ିଲେ ସେ ତା ସୁରକ୍ଷା ଆଉ ତା ପରିବାରର ମଙ୍ଗଳ ପାଇଁ ଅସ୍ତ୍ର ବି ଧରି ପାରେ ।"


Rate this content
Log in

Similar oriya story from Drama