Archana Acharya

Children Stories

4  

Archana Acharya

Children Stories

ପିନୁର ଭିଡ଼ିଓ ନିଶା

ପିନୁର ଭିଡ଼ିଓ ନିଶା

5 mins
266


ବର୍ତ୍ତମାନର ସମୟ ଚଳଚଞ୍ଚଳ ଓ କର୍ମମୟ । ଏହା ସହିତ ବିଜ୍ଞାନର ଅଗ୍ରଗତି ମଣିଷକୁ ଏକ ନୂଆ ପୃଥିବୀକୁ ଟାଣି ନେଇଛି , ଯେଉଁଠି ଲୋକମାନଙ୍କଠୁ ଅଧିକ ମେସିନ୍ ବ୍ୟବହାର ହେଉଛି। ଲୋକମାନେ ମଧ୍ୟ ମେସିନ୍ ଉପରେ ସଂପୂର୍ଣ୍ଣ ଭାବରେ ନିର୍ଭରଶୀଳ ହୋଇଗଲେଣି।ଅତ୍ୟାଧୁନିକ ଯୁଗର ଯନ୍ତ୍ରମାନ ମଣିଷର କାମକୁ ଯେତିକି ହାଲକା କରୁଛି ସେତିକି ସେମାନଙ୍କୁ ନିଜ ଉପରେ ନିର୍ଭର କରିବା ପାଇଁ ବାଧ୍ୟ ମଧ୍ୟ କରୁଛି । ଏହି ସମସ୍ତ ଯନ୍ତ୍ରମାନଙ୍କ ମଧ୍ୟରୁ ମୋବାଇଲ୍‌ ଅନ୍ୟତମ।ଯାହା ଆମ ସମସ୍ତଙ୍କର ଭାରି ପ୍ରିୟ ଅଟେ । ସକାଳୁ ଆମର ଆଖି ଖୋଲେ ମୋବାଇଲ୍ ଆଲାରାମରୁ , ତାପରେ ଆମେ ଧଡ଼ପଡ଼ ହୋଇ ଉଠି ଉଣ୍ଡାଳି ପକାଉ ସୋସିଆଲ ମିଡିଆ । ଫେସବୁକ, ଇନ୍‌ଷ୍ଟ ଗ୍ରାମ, ହ୍ଵାଟ୍ସ୍ ଆପ୍ ଓ ୟୁଟ୍ୟୁବ୍ ଆଦି ଆପ୍ ମାନେ ମନୋରଞ୍ଜନର ଢେର ଖୋରାକ ଯୋଗାଇବା ସହିତ ଅର୍ଥ ରୋଜଗାରର ବାଟ ମଧ୍ୟ ବତାଉଛନ୍ତି। ଆଜିର ଯୁବପିଢିଙ୍କୁ ବହୁତ ସହାୟକ ହେଉଛି ଏହି ମୋବାଇଲ୍‌ , କିନ୍ତୁ ଦୁଃଖର ବିଷୟ ଏହି କି ଯେ ପିଲାମାନେ ଅଧିକ ମାତ୍ରାରେ ମୋବାଇଲ ବ୍ୟବହାର କରିବା ଫଳରେ ସେମାନଙ୍କର ପାରିବରିକ ସମ୍ପର୍କ କ୍ଷୁର୍ଣ୍ଣ ହେଉଛି। ସେମାନଙ୍କ ବ୍ୟବହାର ଓ କଥାବାର୍ତ୍ତାରେ ପରିବର୍ତ୍ତନ ହେବା ସହିତ ପାଠପଢ଼ା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି।ଚାଲାନ୍ତୁ ସେହି ବିଷୟରେ ଆମେ ଆଉ ଟିକେ ବିସ୍ତାର ଭାବରେ ଆଲୋଚନା କରିବା।


  ରାଧାଶ୍ୟାମ ବାବୁ ଓ ସୁଲୋଚନା ଦେବୀଙ୍କର ଗୋଟିଏ ମାତ୍ର ଝିଅ ପୂର୍ଣ୍ଣିମା , ଡାକ ନାମ ପିନୁ । ପିନୁ ଅଷ୍ଟମ ଶ୍ରେଣୀରେ ପାଠ ପଢ଼େ ।ରାଧାଶ୍ୟାମ ବାବୁ ଜଣେ ସରକାରୀ କର୍ମଚାରୀ ଓ ସୁଲୋଚନା ଦେବୀ ଜଣେ ଗୃହିଣୀ। ପିନୁ ମାନଙ୍କର ଏକମାତ୍ର ଝିଅ , ସେ ପାଠ ଏବଂ ସାଠ ସବୁଥିରେ ଭଲ , ଦେଖିବାକୁ ମଧ୍ୟ ସୁନ୍ଦର । ସେଥିପାଇଁ ବାପା ଓ ମା ଦୁହେଁ ତାକୁ ଭାରି ଭଲ ପାଆନ୍ତି । ବିଦ୍ୟାଳୟରେ ମଧ୍ୟ ପିନୁକୁ ସମସ୍ତେ ଭଲପାଆନ୍ତି ବାପା ରାଧାଶ୍ୟାମ ବାବୁ ଝିଅକୁ ଗାଳିତ ଦୂରର କଥା ବଡ଼ ପାଟିରେ କିଛି ବି କହନ୍ତି ନାହିଁ। ତାର ସମସ୍ତ ଅଳି ଅର୍ଦ୍ଦଳି ଶୁଣନ୍ତି । ଯେତେବେଳେ ଯାହା ଦରକାର ପଡ଼େ ଆଣିଦିଅନ୍ତି । ବର୍ତ୍ତମାନତ ମୋବାଇଲ ମାନେ ସ୍ମାର୍ଟଫୋନର ଜମାନା, ପୁରୁଣା କି ପ୍ୟାଡବାଲା ଫୋନକୁ କିଏ ପଚାରେ । ପିନୁର ମଧ୍ୟ ଇଚ୍ଛା ଥାଏ କି ତା ପାଖରେ ଗୋଟେ ଫୋନ ଥାଆନ୍ତା। ହେଲେ ବାପା ଓ ମା ଆଜି ଯାଏ ସେହି ପୁରୁଣା କାଳିଆ ଫୋନ ବ୍ୟବହାର କରୁଛନ୍ତିି କାରଣ ତାଙ୍କୁ ସ୍ମର୍ଟ ଫୋନ ଚଳାଇବା ଆସେନି । ପିନୁର ସବୁ ସାଙ୍ଗଙ୍କ ଘରେ ସ୍ମର୍ଟଫୋନ ଅଛି, ପ୍ରତିଦିନ ସେମାନେ ସେଥିରେ ଯାହାସବୁ ଦେଖନ୍ତି ପିନୁ ଆଗରେ କୁହନ୍ତି । କେମିତି ସେମାନେ ଗୀତ, ନାଚ ଓ ଅଭିନୟର ଭିଡ଼ିଓ ପଠାଉଛନ୍ତି, ନୂଆ ନୂଆ ଆପ୍ ରେ ଆକାଉଣ୍ଟ ଖୋଲି ବହୁତ୍ ଜଣାଶୁଣା ହେଉଛନ୍ତି ଇତ୍ୟାଦି । ଏହି ସବୁକଥା ଶୁଣି ପିନୁର ମନ ଭାରି ଦୁଃଖ ହୁଏ । ବାପା ତାହାର ସବୁବେଳେ ମୋବାଇଲ୍ ଆଣିବେ କହି କହି କାହିଁକି ଆଣୁନାହିଁନ୍ତି ସେ ଜାଣିପାରେନା।ସବୁଦିନ ମୁହଁଫୁଲାଇ ବସେ ପିନୁ, ହେଲେ ଦିନେ ଏମିତି ଜିଦି ଧରିଲା ବାପା ରାଧାଶ୍ୟାମ ବାବୁ ମୋବାଇଲ ଆଣିବାକୁ ବାଧ୍ୟ ହୋଇପଡ଼ିଲେ। ପିନୁର ଖୁସି କହିଲେ ନସରେ ସ୍କୁଲ ଯାଇ ସାଙ୍ଗମାନଙ୍କଠୁ ମୋବାଇଲ ବିଷୟରେ ଜାଣି ଚଳେଇବା ଆରମ୍ଭ କରିଦେଲା ପିନୁ । ବାପା ମାଆ ଦୁଇଜଣ ଆଶ୍ଚର୍ଯ୍ୟ ହୁଅନ୍ତି କି ।ଯେଉଁସବୁ ବିଷୟରେ ଆମେ ଅବଜ୍ଞ ଆମ ଝିଅ ସେଥିରେ ପାରଙ୍ଗମ । ପ୍ରତିଦିନ ସ୍କୁଲରୁ ଆସି ପିନୁ ଆପ୍ ଡାଉନଲୋଡ୍ କରିବାରେ ଲାଗିପଡ଼େ ଓ ଇନଷ୍ଟ ଗ୍ରାମ ଭିଡିଓ ଦେଖେ, ସୁଲୋଚନା ଦେବୀ ମଧ୍ୟ ଭିଡ଼ିଓ ଦେଖିବାକୁ ଇଚ୍ଛ ପ୍ରକାଶ କରନ୍ତି।


ଏହାର କିଛିମାସ ପରେ କରୋନା ଭୂତାଣୁ ପ୍ରଭାବରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ହୋଇଗଲା । ପିନୁକୁ ଆଉଗୋଟିଏ ସୁବର୍ଣ୍ଣ ସୁଯୋଗ ମିଳିଗଲା । ମୋବାଇଲରେ କ୍ଲାସ୍ କରିବା ଓ ପାଠ ପଢିବା ତ ଖାଲି ଗୋଟେ ବାହାନା, ସତ କଥାଟା ଏହା ଯେ ଏବେ ସବୁ ସମୟରେ ପିନୁ ପାଖରେ ହିଁ ମୋବଇଲ ରହିବ । ମାଆ ମଧ୍ୟ ରୋଷେଇ ମଝିରେ ମଝିରେ ମନୋରଞ୍ଜନ ଭରା କାର୍ଯ୍ୟକ୍ରମ ଓ ସୁସ୍ୱାଦୁ ବ୍ୟଞ୍ଜନର ପ୍ରସ୍ତୁତି ପ୍ରଣାଳୀ ଦେଖନ୍ତି । ମଝିରେ ମଝିରେ ଦୁଇଜଣଙ୍କ ଭିତରେ ଫୋନ ପାଇଁ ଝଗଡ଼ା ମଧ୍ୟ ହୋଇଯାଏ । ବାପାଙ୍କର ଅଫିସ୍ ଦସ୍ତାବିଜ୍‌ର କପି ଓ ଫଟୋ ପଠାଇବା ପାଇଁ ମଧ୍ୟ ମୋବାଇଲ୍‌ର ଅବଶ୍ୟକତା ପଡ଼ିଲା। ଗୋଟିଏ ଫୋନ୍‌ ରେ ଏ ସବୁ ସମ୍ଭବ ନୁହେଁ । ରାଧାଶ୍ଯାମ ବାବୁ ବାଧ୍ୟହୋଇ ଆଉ ଏକ ଫୋନ୍ ଆଣିବାକୁ ସ୍ଥିର କଲେ, ଏକଥା ଶୁଣିବା ମାତ୍ରକେ ପିନୁ ସଙ୍ଗେ ସଙ୍ଗେ ଅନ୍ ଲାଇନ୍ ମଗେଇବା କଥା ବାପାଙ୍କୁ କହିଲା ଏବଂ ବାପା ମଧ୍ୟ ଝିଅର କଥାରେ ଫୋନ ମଗେଇ ଦେଲେ । ଏବେ ସମସ୍ତେ ସମସ୍ତଙ୍କର କାମରେ ବ୍ୟସ୍ତ, ଆଉ କେହି ହଇରାଣ ହେବାର ନାହିଁ । ଆରି ଭିତରେ ପିନୁ ଅତିମାତ୍ରାରେ ମୋବାଇଲ୍ ପ୍ରତି ଆସକ୍ତ ହୋଇପଡ଼ିଥାଏ । ସେ ଆଉ ଆଗ ଭଳି ମା'ଙ୍କ ସହ ମିଶି ଭିଡ଼ିଓ ଦେଖୁ ନାହିଁ, କିଛି ଚିନ୍ତା କରିବାକୁ ସେ ଜମା ବି ପ୍ରସ୍ତୁତ ନୁହେଁ । ଯଦି କିଛି ପାଠ ନ ଆସିଲା ସେ ଘରେ କାହାକୁ ନ ପଚାରି ସିଧା ମୋବାଇଲ୍‌ ଉଠାଉଛି, ପଢ଼ା ପାଖରେ ଫୋନ୍‌ ବସୁଛି,ମଝିରେ ମଝିରେ ମେସେଜ୍‌ ଯାଞ୍ଚ ମଧ୍ୟ କରୁଛି, ମାଆ ଯଦି କିଛି କୁହନ୍ତି ,ତା ହେଲେ ବିରକ୍ତି ପ୍ରକାଶ କରୁଛି। ଛାତ ଉପରେ ଯାଇ ଭିଡିଓ ବନାଉଛି ଓ ତାକୁ ଅପଲୋଡ଼ ମଧ୍ୟ କରୁଛି, ସେ ସମ୍ପୂର୍ଣ୍ଣ ଭାବରେ ମୋବାଇଲ୍ ଉପରେ ହିଁ ନିର୍ଭରଶୀଳ ହୋଇପଡିଛି ।


    ଏହିସବୁ ଦେଖି ସୁଲୋଚନା ଦେବୀ ଦୁଃଖି ହୋଇ ପଡ଼ିଛନ୍ତି ।ଗୋଟେ ଫୋନ ପାଇଁ ଝିଅର ଏତେ ପରିବର୍ତ୍ତନ ତାଙ୍କୁ କଷ୍ଟ ଦେଇଛି। ପିଲାମାନଙ୍କର ସବୁ କଥାକୁ ମାନିବା ଯେ ବାପା ମାଆଙ୍କର ଭୁଲ୍ ସେ ଏକଥା ବୁଝିପାରିଛନ୍ତି । ଯେଉଁ ଝିଅ ଦିନେ ମାଆ ମାଆ ଡାକି ତାଙ୍କ ଆଗପଛ ଘୂରି ବୁଲୁଥିଲା , ସେ ଆଜି ଡାକିଲେ ବିରକ୍ତି ହେଉଛି। ନିଜକୁ ପ୍ରତି ମୂହୁର୍ତ୍ତରେ ଏକୁଟିଆ ଅନୁଭବ କରିଛନ୍ତି ସୁଲୋଚନା ଦେବୀ, ଝିଅର ଏପରି ଅବସ୍ଥା ଦେଖି ସେ ସ୍ଵାମୀଙ୍କୁ ମଧ୍ୟ ଜଣାଇଛନ୍ତି, ହେଲେ ସେ ସବୁକଥା କୁ ହେୟଜ୍ଞାନ କରିଛନ୍ତି । ଦିନକର ଘଟଣା ସ୍ୱାମୀ ସ୍ତ୍ରୀ ଦୁଇଜଣ ପରିବା କିଣିବାକୁ ବଜାରକୁ ବାହାରିଥାନ୍ତି, ସୁଲୋଚନା ଦେବୀ ଝିଅକୁ ଡାକି କହିଲେ ମା'ରେ ତୁ ଘରେ ଥା' ଆମେ ଏଇ ପାଖ ବଜାରରୁ ପରିବା ଆଣି ଆସୁଛୁ ।

 ବାପା ଓ ମା ଯିବାପରେ ପିନୁ ଭିତରପଟୁ କବାଟ ବନ୍ଦ କରି ଭିଡ଼ିଓ ଦେଖିବା ଓ ଭିଡ଼ିଓ ବନେଇବାରେ ଲାଗିପଡ଼ିଲା । ଏମିତି କିଛି ସମୟ ଅତିକ୍ରାନ୍ତ ହେବାପରେ ତାକୁ ଭାରି ଭୋକ ଲାଗିଲା ,ରୋଷେଇ ଘରକୁ ଯାଇ ଉଣ୍ଡଳା ଉଣ୍ଡଳି ଚଳାଇଲା ଓ ଏକ ମ୍ୟାଗି ର ପ୍ୟାକେଟ୍ ପାଇଲା, ଗ୍ୟାସ୍‌ ଅନ୍ କରି ମ୍ୟାଗି ପକାଇଲା, ମ୍ୟାଗି ହେବା ପର୍ଯ୍ୟନ୍ତ ଅପକ୍ଷା ନକରି ପୁଣି ହେଡ୍‌ ଫୋନ ଦେଇ ଭିଡ଼ିଓ ଦେଖିବାରେ ଲାଗିପଡ଼ିଲା। ଏପଟେ ରାଧାଶ୍ୟାମ ବାବୁ ଏବଂ ସୁଲୋଚନା ଦେବୀ କବାଟ ବାଡ଼େଇ ବାଡେଇ ହତାଶ , ସେପଟେ ଝିଅ ମୋବାଇଲ୍ ରେ ବ୍ୟସ୍ଥ । କଡ଼େଇରେ ମ୍ୟାଗି ପୋଡି ନିଆଁ ଓ ଧୂଆଁରେ ଘର ଫାଟୁଥାଏ । ବାପା ମାଆ ରାଗ ଓ ଚିନ୍ତାରେ କବାଟ ବାଡେଇ ବାଡେଇ ରୁମ୍ ର ଝରକା ପାଖକୁ ଯାଇ ଡାକିବାରୁ ପିନୁକୁ ଶୁଣା ଗଲା , ତା'ର ମ୍ୟାଗି କଥା ମଧ୍ୟ ମନେପଡ଼ିଲା। ଦୌଡ଼ି ଯାଇ ରୋଷେଇ ଘରେ ଦେଖେ ତ ନିଆଁ ଉପରକୁ ଉଠୁଛି। କାନ୍ଦି କାନ୍ଦି ପିନୁ କବାଟ ଖୋଲିଲା। ସେତେବେଳେକୁ ସାହିର ସବୁ ଲୋକେ ସେଠି ଏକାଠି ହୋଇ ସାରିଲେଣି

ସମସ୍ତେ ଘର ଭିତରକୁ ଯାଇ ନିଆଁ ଲିଭାଇଲେ । ପିନୁ ସହିତ ବାପା ଓ ମାଆ ମଧ୍ୟ କାନ୍ଦୁଥାନ୍ତି । ସୁଲୋଚନା ଦେବୀ ଠାକୁର ଘରକୁ ଦୈଡ଼ି ଯାଇ ମୁଣ୍ଡିଆ ମାରିଲେ ଓ ଧନ୍ୟବାଦ ଜଣାଇଲେ କି, ଏତେ ବଡ଼ ବିପଦରୁ ସେ ତାଙ୍କ ଝିଅ କୁ ରକ୍ଷା କରିଛନ୍ତି । ରାତି ହେଲା ସମସ୍ତେ ସେମାନଙ୍କୁ ବୁଝାସୁଝା କରି ନିଜ ନିଜର ଘରକୁ ଗଲେ। ସମସ୍ତେ ଚୁପ୍ ଚାପ୍ ଘର ପୂରା ଶୂନଶାନ୍ ଲାଗୁଥାଏ । ପିନୁ ମୁହଁ ମାଡି ତକିଆ ଉପରେ ଶୋଇଥାଏ, ମାଆ ତାର ଘରକୁ ଧିରେ ଧିରେ ପରିଷ୍କାର କରିବାରେ ଲାଗିପଡ଼ିଥାନ୍ତି । ସବୁଦିନ ପରି ଗୀତର ଶବ୍ଦ ଶୁଭୁ ନଥାଏ କି ପିନୁର ଖିଲି ଖିଲି ହସ ମଧ୍ଯ ଶଭୁନଥାଏ । ପିନୁ ମନେ ମନେ ଭାରି ଅନୁତାପ କରୁଥାଏ ଯେ ସେ ନିଜର ଅଜଣାତରେ କେତେ ବଡ଼ ଭୁଲ୍ କରିଦେଇଛି।

ବାପା ଓ ମାଆ ମଧ୍ୟ କିଛି ନ ବୁଝି ଝିଅର କଥାରେ ପଡ଼ି ଭୁଲ୍ କରିଥିବାରୁ ମନସ୍ତାପ କରୁଥାନ୍ତି । ପିନୁ ବାପା ଓ ମା'ଙ୍କୁ କ୍ଷମା ମାଗିଲା ,ଆବଶ୍ୟକ ସ୍ଥଳେ ମୋବାଇଲ୍‌ ବ୍ୟବହାର କରିବାକୁ ଶପଥ ନେଲା ।


  ସମସ୍ତଙ୍କୁ ଏତିକି ଅନୁରୋଧ ଯଥାସମ୍ଭବ ପିଲାମାନଙ୍କୁ ମୋବାଇଲ ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ। ପିଲାମାନଙ୍କୁ ମୋବାଇଲ୍‌ ଧରାଇ କୈଣସି କାମ କରିବାକୁ ଯିବା କଥା ଚିନ୍ତା ମଧ୍ୟ କରନ୍ତୁ ନାହିଁ । ପିନୁ ବିଷୟରେ ତ ଜାଣିଲେ, ଏବେ ନିଜେ ଓ ନିଜ ପରିବାରକୁ କିପରି ଏହି ଆସକ୍ତି ରୁ ରକ୍ଷାକରିବେ ଏହା ଆପଣମାନେ ଚିନ୍ତାକରନ୍ତୁ।ବେଳ ହୁଁ ସାବଧାନ ।



Rate this content
Log in