ayiswarya maharana

Drama Tragedy

4  

ayiswarya maharana

Drama Tragedy

ପ୍ରେମଦାନ

ପ୍ରେମଦାନ

3 mins
259


ଛନ୍ଦା ବୈବାହିକ ଜୀବନରେ ଶାଶୁ ଘରେ ଅମାପ ସ୍ନେହ ଶ୍ରଦ୍ଧା ପାଇଛି।ତଥାପି ସେ ଅପୂର୍ଣ୍ଣା।ସବୁ ଖୁସି ଭିତରେ ଥାଇ ମଧ୍ୟ ସେ ଅନୁଭବ କରେ ସ୍ଵାମୀ ସ୍ଥାନରେ ଏକ ବିରାଟ ଶୂନ୍ୟତା।ଶାଶୁ ଘରୁ ବାପଘରକୁ ଗଲେ ଅଲିଅଳରେ ବଢିଥିବା ଛନ୍ଦାକୁ ସଭିଏଁ ଆଗ୍ରହ କରି ଡାକନ୍ତି,ଭଲ ମନ୍ଦ ପଚାରିବୁଝନ୍ତି।କଥାଛଳରେ ଥଟ୍ଟାରେ କହିଦିଅନ୍ତି ବାହାଘର ପରେ ଛନ୍ଦା  ସ୍ୱାମୀ ପ୍ରେମରେ ଆମକୁ ଭୁଲିଗଲୁଣି।ସେତେବେଳେ ସେ କିଛି ବାହାନା କରି ଚାଲିଆସେ।ଚୁପଚାପ ଏକାକୀ ବସି ଲୁହ ଝରାଏ।ନିଜ ବାପା ମା ଙ୍କୁ ମଧ୍ୟ ଏବିଷୟରେ କଦାପି ଜାଣିବାକୁ ଦେଇନାହିଁ।ସ୍ୱାମୀ ହିସାବରେ ଆକାଶ ଛନ୍ଦା ପାଇଁ ସବୁକିଛି କରିଦିଅନ୍ତି କିନ୍ତୁ ଛନ୍ଦା ପାଖେ କେବେ ହସି ନାହାନ୍ତି କି ତାକୁ ଭଲ ପାଇବା ଅଜାଡି ଦେଇନାହାନ୍ତି।

        ଦେଖୁଦେଖୁ ବାହାଘର ୪ବର୍ଷ ଅତିକ୍ରମ କରିସାରିଲାଣି।ପୂର୍ବଭଳି ଆଉ ଛନ୍ଦା ପ୍ରତି ଶାଶୁ ଶଶୁର ଙ୍କର ସ୍ନେହ ଶ୍ରଦ୍ଧା ନାହିଁ।କଥା କଥାରେ ଶାଶୁ ଛୁଆ ନାହିଁ ବୋଲି ଛନ୍ଦାକୁ ବହୁତ କଥା ଶୁଣେଇ ଦେଇଯାଆନ୍ତି।ତଥାପି ଛନ୍ଦା ପ୍ରତିଉତ୍ତର ଦେଇନାହିଁ।କିପରି କହିଥାନ୍ତା ଯେ ୪ବର୍ଷରେ ଥରଟିଏ ମଧ୍ୟ ତାଙ୍କ ପୁଅ ତା ସହ ହସି ହସି ଭଲରେ କଥା ପଦେ ହୋଇନାହାନ୍ତି।ନାରୀତ୍ବକୁ ଅପମାନ ହୋଇନଥାନ୍ତା??ଏକ ଯନ୍ତ୍ର ମାନବୀ ପରି ସକାଳୁ ଉଠି ଘର କାମ,ଶାଶୁ ଶଶୁରଙ୍କ ସେବାରେ ଦିନ କାଟିଦିଏ।ମାନସିକ ଦୁଶ୍ଚିନ୍ତାରୁ ଦୁରେଇ ରହିବା ପାଇଁ ଯଥାସମ୍ଭବ ନିଜକୁ ବ୍ୟସ୍ତ ରଖେ।

ଦିନେ ଦ୍ୱିପ୍ରହର କାମ ସାରି ଛନ୍ଦା ନିଜ ରୁମ୍ ରେ ଥିବା ବହି ଥାକ ଟି ରୁ ବହି ଖଣ୍ଡିଏ ଖୋଜୁଥାଏ।ବହି ଥାକର ପଛରେ ଧୁଳି ବସିଯାଇଥିବା ଏକ ଡାଏରୀ ଦେଖି ସେଇଟିକୁ ନେଇ ଆସିଲା।ଡାଏରୀର ପ୍ରଥମ ପୃଷ୍ଠାରେ ସୁନ୍ଦର ସୁନ୍ଦର ଅକ୍ଷରରେ ଲେଖାଥିଲା ,"ଆକାଶ"।ଛନ୍ଦା ଖୁସିରେ ଡାଏରୀଟିକୁ ଛାତିରେ ଆଉଜିବସିଲା।ପରବର୍ତ୍ତୀ ପୃଷ୍ଠା ଖୋଲୁଖୋଲୁ ସେ ଅନୁଭବ କଲା ଡାଏରୀରେ ଚିହ୍ନ ଦେବା ଭଳି କିଛି ରହିଛି ।ତେଣୁ ସେ ଉକ୍ତ ପୃଷ୍ଠାଟି ଖୋଲି ଦେଖିଲା ଏକ ଫୋଟୋ ସହିତ ଏକ ଶୁଖିଲା ଗୋଲାପ ସାଇତା ହୋଇ ରହିଛି।ତଳେ ଲେଖା ହୋଇଛି "ଆକାଶ ର ମେଘମାଳା"।ଛନ୍ଦା ଉପରେ ଯେମିତି ଦୁଃଖର ବାଦଲ ଛିଡିପଡିଥିଲା।ଲୁହକୁ ରୋକିବାକୁ ସେ ସମ୍ପୂର୍ଣ୍ଣ ଅସମର୍ଥ ହୋଇଯାଇଥିଲା।ଧର୍ଯ୍ୟର ସହିତ ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଚାଲିଲା।ଦୀର୍ଘ ୪ବର୍ଷ ପରେ ତା ମନର ଅସମାହିତ ପ୍ରଶ୍ନର ଉତ୍ତର ଖୋଜିପାଉଥିଲା।ସମ୍ପୂର୍ଣ୍ଣ ଡାଏରିରେ ଆକାଶ ମେଘମାଳା ପ୍ରତି ଥିବା ଗଭୀର ପ୍ରେମକୁ ଶବ୍ଦରେ ରୂପାନ୍ତରିତ କରିଥିଲା।ଶେଷ ପୃଷ୍ଠାରେ ଲେଖାଥିଲା,"ମେଘମାଳା,ମୁଁ ମୋର ଶତ ଚେଷ୍ଟା ସତ୍ତ୍ୱେ ମାଆଙ୍କ ଠାରୁ ଆମ ବିବାହ ପାଇଁ ସ୍ୱୀକୃତି ଆଣିପାରିଲି ନାହିଁ।ମାଆ ଶେଷରେ ତୁମ ପାଖକୁ ଯାଇ ତାଙ୍କ ପୁଅକୁ ମାଗି ନେଇଆସିଲେ କେବଳ ଏକ ପ୍ରତିଶୃତି ଦ୍ୱାରା।ତୁମେ ପ୍ରତିଶ୍ରୁତି ଦେବା ବେଳେ ଥରଟିଏ ନିଜ ବିଷୟରେ ,ମୋ ବିଷୟରେ ଚିନ୍ତା କରିଲ ନାହିଁ।ମାଆଙ୍କୁ ନିଜର ପ୍ରେମଦାନ କରି ହୋଇଯାଇଥିଲ ମହିୟସୀ।ହେଲେ ତୁମେ ଏକାକୀ କିପରି ପ୍ରେମଦାନ କରିଦେଲ;ସମ୍ପର୍କ କଣ କେବଳ ତୁମର ଥିଲା ? ମୁଁ କିନ୍ତୁ ତୁମ ଛଡ଼ା ଅନ୍ୟ କାହାକୁ ଗ୍ରହଣ କରିପାରିବି ନାହିଁ।ତୁମେ ପ୍ରତିଶ୍ରୁତି ବଦ୍ଧ।ମୁଁ ନୁହେଁ।ତୁମକୁ ମୁଁ ମୋ ନିଜର ହୃଦୟ ,ମନ,ମସ୍ତିଷ୍କ ଦାନ କରିସାରିଛି।ଦାନ କରିଥିବା ଜିନିଷ କୁ ପୁଣି ଥରେ ଆଉ କାହାକୁ କିପରି ଦାନ କରିପାରିବି ଆକାଶ କେଵଳ ମେଘମାଳାର।"

ଛନ୍ଦାର ଆଖିରେ ଲୁହର ଲହରୀ ବୋଲ ମାନୁନଥାଏ।ଅମାନିଆ ହୋଇ ଆକାଶ ଡ଼ାଏରୀର ପୃଷ୍ଠାକୁ ଭିଜେଇ ଚାଲିଥାଏ।ମନ ସମୁଦ୍ର ଭଳି ଅଶାନ୍ତ।ଅଭିମାନ କ୍ରୋଧରେ ହୃଦୟ ଦଗ୍ଧ ହେଉଥାଏ।ଚିନ୍ତା କରୁଥିଲା ଶାଶୁ ତ ଖୁବ ସୁନ୍ଦର ଅଭିନୟ କଲେ।ତାଙ୍କରି ପାଇଁ ୩ଟି ଜୀବନ ଧ୍ୱଂସ ହୋଇଛି। ସବୁ ଜାଣିଶୁଣି ଛୁଆଟିଏ ପାଇଁ କେତେ ଭର୍ତ୍ସନା କରିନାହାନ୍ତି!!!ଆକାଶ ବି ତ ଥରେ ଜଣେଇ ପାରିଥାନ୍ତେ।ଅପେକ୍ଷା ଥିଲା ଆକାଶକୁ।

ଆକାଶ ଘରକୁ ଆସିବା ପରେ ଛନ୍ଦା ଆକାଶକୁ ଖାଇବା ବାଢି ଦେଲା।ଖାଇସାରିବା ପରେ ଛନ୍ଦା ଧୀର ଓ ଦୃଢ ସ୍ୱରରେ ପଚାରିଲା," ମେଘମାଳା କେଉଁଠି ରୁହେ?"ଛନ୍ଦା ଠାରୁ ଏକ ଅପ୍ରତ୍ୟାଶିତ ଓ ଅପରିକଳ୍ପନିୟ ପ୍ରଶ୍ନ ଶୁଣି ଆକାଶ ସ୍ତବ୍ଧ ହୋଇ ଛିଡା ହେଲା।ଵୋଧହୁଏ ପ୍ରଥମ ଥର ପାଇଁ ଛନ୍ଦାକୁ ଦେଖୁଥିଲା।କିନ୍ତୁ ନିରବ ଥିଲା।ଛନ୍ଦା କହିଲା,"ତୁମକୁ କିଛି ପଚାରୁଛି ମୁଁ ଛନ୍ଦା ଚାହେଁନାହିଁ ତୁମ ଗଳାରେ ଦଉଡି ପରି ଛନ୍ଦି ହୋଇ ରହିବା ପାଇଁ।ମୁଁ କାହାରି ଦାନ ଚାହିଁନଥିଲି।ଇଏ କି ଦାନ ଥିଲା।ସମ୍ପର୍କ ତ ଉଭୟ ଙ୍କର।ଜଣେ କିପରି ଦାନ କରିବ।"ଚାଲ ମେଘମାଳା ଙ୍କ ପାଖକୁ ଯିବା।

ଦୁହେଁ ମିଶି ମେଘମାଳା ଘରକୁ ଗଲେ।ବହୁତ ଦିନପରେ ଆକାଶ, ମେଘମାଳା ପରସ୍ପରକୁ ଦେଖୁଥିଲେ।ଦୁହିଁଙ୍କ ଆଖିରେ ଲୁହ।ମେଘମାଳା ଲୁହ ପୋଛି ଘର ଭିତରକୁ ଯାଉଯାଉ ଛନ୍ଦା ତା'ର ହାତ ଧରିନେଇ କହିଲା ଆମ ସହିତ ଆସ।ମେଘମାଳା କିନ୍ତୁ ମନା କରିଦେଇ କହିଲା,"ଦାନ କରିଥିବା ବସ୍ତୁ ଫେରାଇ ନିଆଯାଇ ପାରେନା।ତୁମେମାନେ ଚାଲିଯାଅ।"ଛନ୍ଦା କିନ୍ତୁ କିଛି ଶୁଣିବା ଅବସ୍ଥାରେ ନଥିଲା।ଜିଦି କରି ମେଘମାଳାକୁ ଆକାଶ ଘରକୁ ନେଇଆସିଲା।

ଘରେ ଆକାଶର ମାଆ ମେଘମାଳାକୁ ଦେଖି କ୍ରୋଧରେ କହିଲେ,"ତୁ ପୁଣି କୁଆଡେ ଆସିଲୁ।ସେଦିନ ତ ଏତେ ମହାନ ହୋଇ କହିଥିଲୁ ମୁଁ ଆପଣଙ୍କୁ ମୋ ପ୍ରେମଦାନ କରୁଛି ପୁଣି କେବେ ଆକାଶ ସହ ଦେଖା କରିବୁନି ବୋଲି।ଆଉ ଆଜି ଆସି ମୋ ଘରେ ?"

ଛନ୍ଦା କହିଲା,"ମାଆ,ପ୍ରେମରେ ତ୍ୟାଗ ଥାଏ।ପ୍ରେମ କୁ ଜଣେ କିପରି ଦାନ କରିବ।କାହାର ସେ ଅଧିକାର କି ସାମର୍ଥ୍ୟ ନାହିଁ।ମୁଁ ମଧ୍ୟ ଏହି ଦାନକୁ ଗ୍ରହଣ କରି ସାରା ଜୀବନ କାହା ଋଣରେ ବଞ୍ଚିବାକୁ ଚାହେଁ ନାହିଁ।ତୁମ ପୁଅଙ୍କ ଖୁସି ପାଇଁ ମୁଁ ମୋ ପ୍ରେମକୁ ତ୍ୟାଗ କରୁଛି।ମୋତେ ଯିବାକୁ ଦିଅନ୍ତୁ।ଏଥିରେ ସମସ୍ତଙ୍କର ମଙ୍ଗଳ ହେବ।" ଛନ୍ଦା ପ୍ରେମଦାନକୁ ପ୍ରତ୍ୟାଖ୍ୟାନ କରି ଆକାଶ ଓ ମେଘମାଳା ର ମିଳନ କରାଇ ଥିଲା।ଏକ ନୂତନ ଜୀବନର ଅୟମାରମ୍ଭ ଘଟାଇ ବିଦାୟ ନେଉଥିଲା ଏକ ଦୁଃଖଭରା ବୈବାହିକ ଜୀବନରୁ।



Rate this content
Log in

Similar oriya story from Drama