ଦୁର୍ଘଟଣା
ଦୁର୍ଘଟଣା
ସ୍ନେହା ସବୁଦିନ ନିଜ ଅଳସୁଆମି ଯୋଗୁ କଲେଜ ଯିବା ପାଇଁ ବିଳମ୍ବ କରେ।ଘରଠାରୁ କଲେଜ ପାଖାପାଖି ୨ କି.ମି ହେବ।ଭୟ ଯୋଗୁ ସାଇକେଲ ଚଲାଇବା ଶିଖିନଥିବାରୁ ତା'କୁ ଚାଲିଚାଲି କଲେଜ ଯିବାକୁ ହୁଏ।ସେଦିନ ମଧ୍ୟ ସେ ତରବର ହୋଇ ଘରୁ ବାହାରି ଆସିଲା।କଲେଜ ଅଳ୍ପକିଛି ବାଟ ଥାଏ।ହଠାତ୍ ତା ବ୍ୟାଗରେ ଫୋନଟି ରିଂ ହେଲା।ତେଣୁ ସେ ରାସ୍ତା କଡରେ ତରବର ହୋଇ ଚାଲୁଚାଲୁ ବ୍ୟାଗରୁ ଫୋନଟିକୁ କାଢୁଥାଏ।ଏହି ସମୟରେ ସେ ଜଣେ ଯୁବକଙ୍କ ସହ ଧକ୍କା ହୋଇ ତଳେ ପଡ଼ିଗଲା।ଯୁବକ ଜଣକ ଦୁଇ ହାତରେ ଧରିଥିବା ଲଗେଜକୁ ତଳେ ରଖିଦେଇ ସ୍ନେହାକୁ ଉଠାଇଲେ।ସ୍ନେହା ଯୁବକଙ୍କୁ ବିରକ୍ତି ଭରା ଦୃଷ୍ଟିରେ ଚାହିଁଦେଇ କଲେଜ ଆଡକୁ ପାଦ ବଢାଇଲା।ସ୍ନେହା ତ ଚାଲିଯାଇଥିଲା,କିନ୍ତୁ ଯାଉଯାଉ ଯୁବକଙ୍କ ମନରେ ଏକ ଆଲୋଡନ ସୃଷ୍ଟି କରିଦେଇଥିଲା।
ଯୁବକ ଜଣକ ଘରେ ପହଞ୍ଚିବା ପରେ ତାଙ୍କ ମାଆ କହିଲେ,"ଆରେ ସମୀର ତୁ ଆସିଗଲୁ ।ରାସ୍ତାରେ କିଛି ଅସୁବିଧା ହୋଇନି ତ ବାବା?"ସମୀର କହିଲା,"ନା ମାଆ କିଛି ଅସୁବିଧା ହୋଇନାହିଁ।କିନ୍ତୁ ସେ ଡିଲକ୍ସ ବସ୍ ଟି କେବଳ କଲେଜ ପାଖ ଷ୍ଟପେଜରେ ଗାଡି ରଖେ।ସେଇଠି ଓଲ୍ହାଇ ଆସୁଆସୁ ଟିକେ ଅସୁବିଧା ହେଲା।"ମା ପଚାରିଲେ,"କି ଅସୁବିଧା ହେଲା?ଏଈ ଲଗେଜ ପାଇଁ ହୋଇଥିବ।"ତା'ପରେ ସମୀର କଲେଜ ପାଖରେ ହୋଇଥିବା ଦୁର୍ଘଟଣାଟି କହିଲା।ଏସବୁ ଶୁଣି ସାରି ସମୀରର ମାଆ ଖୁବ ହସିଲେ।ସମୀର କହିଲା,"ତୁ ଏସବୁ ଶୁଣି ହସୁଛୁ କାହିଁକି? ତୁ କଣ ତାକୁ ଚିହ୍ନିଛୁ କି ? ସମୀରର ମାଆ କହିଲେ,"ହଁ ଜାଣେ।ତାକୁ ହିଁ ତୋ ପାଇଁ ବାଛିଚି।ଆଉ ୨ଦିନ ପରେ ତୁ ,ମୁଁ,ଆଉ ତୋ ବାପା ମିଶି ତାଙ୍କ ଘରକୁ ଯିବା।କେବଳ ସେଇଥିପାଇଁ ତ ମୁଁ ତତେ ଡକାଇ ଥିଲି।"ଏସବୁ ଶୁଣି ସମୀରର ମନ ଆଉ ଥୟ ଧରୁନଥାଏ।ଭାବୁଥିଲା ମାଆଙ୍କୁ ତା ନାୟିକାର ନାଁଟି ପଚାରିଦେବ।କିନ୍ତୁ ପୁଣି ଚିନ୍ତାକଲା ଆଉ ତା ମାତ୍ର ୨ଦିନ କଥା।୨ଦିନ ପରେ ତା ନାଁ ସହ ଠିକଣା ବି ଜଣାପଡିଯିବ।
୨ଦିନ ପରେ ଏକ ସଂନ୍ଧ୍ୟାରେ ସମୀର ତା ବାପମାଆ ଙ୍କ ସହିତ ସ୍ନେହା ଘରକୁ ଗଲା।ଅତିଥି ଚର୍ଚ୍ଚା ପରେ ସ୍ନେହାକୁ ଡକାଗଲା।ସ୍ନେହା ତା'ମାଆଙ୍କ ସହ ଅତିଥି ଗହଣକୁ ଆସିଲା।ସମୀରର ପିତା ମାତାଙ୍କୁ ପ୍ରଣାମ କରିବା ପରେ ଯେତେବେଳେ ସମୀରକୁ ଦେଖିଲା ପ୍ରଥମେ ତ ଆଶ୍ଚର୍ଯ୍ୟ ହେଲା,କିନ୍ତୁ ପରେ ଚୋରାଣୀଙ୍କ ପରି ମୁହଁ ତଳକୁ ପୋତି ଛିଡା ହେଲା।ହଳଦିଆ ରଂଗରେ ଖଇରିଆ ରଙ୍ଗର ବର୍ଡର ଥିବା ଶାଢ଼ୀ ପିନ୍ଧି ସ୍ନେହା ଖୁବ୍ ସୁନ୍ଦର ଦିଶୁଥିଲା।ସମୀର ସ୍ନେହାକୁ ଅପଲକ ନୟନରେ ଚାହିଁଥାଏ।ତା'ପରେ ଗୁରୁଜନମାନେ ଦୁହିଁଙ୍କୁ ପାଖ ରୁମ୍ ରେ ଯାଇ ଏକାନ୍ତରେ କିଛି ସମୟ କଥା ହୋଇ ପରସ୍ପରକୁ କିଛିଟା ଜାଣିବା ପାଇଁ ପରାମର୍ଶ ଦେଲେ।
ସ୍ନେହା ୨ଦିନ ତଳେ ଘଟିଥିବା ଦୁର୍ଘଟଣା ପାଇଁ ସଂକୋଚ ଅନୁଭବ କରୁଥିଲା।ତେଣୁ ସେ ସମୀରକୁ କ୍ଷମା ମାଗିଲା।ସମୀର ହସିଦେଇ କହିଲା,"ଆରେ ନା ନା।କ୍ଷମା ମାଗିବାର କିଛି ଆବଶ୍ୟକତା ହିଁ ନାହିଁ।ତାହା ତ ଏକ ଦୁର୍ଘଟଣା ଥିଲା।କିନ୍ତୁ ଗୋଟିଏ କଥା।ଯଦି ସେଦିନର ଦୁର୍ଘଟଣାରେ ତୁମର ଓ ମୋର ସ୍ଥାନ ପରିବର୍ତ୍ତନ କରିଦିଆ ଯାଏ ତେବେ ମୋ ଗାଲରେ ନିଶ୍ଚିତ ଏକ ଶକ୍ତ ଚାପୁଡ଼ା ବସିଥାନ୍ତା।ନୁହେଁ ?"
ସମୀରର ଏହି କଥାରେ ଦୁହେଁ ହସିଉଠିଲେ।ତା'ପରେ ଦୁହେଁ କିଛି ବାର୍ତ୍ତାଳାପ କରି ବାହାରକୁ ଆସିଲେ।
ଦୁହେଁ ଦେଖିଲେ ଦୁଇ ପରିବାର ଖୁସିଗପରେ ମସଗୁଲ୍।ଦୁହିଁଙ୍କୁ ଦେଖି ସେମାନେ ପାଖକୁ ଡାକି ବସିବାକୁ କହିଲେ।ତା'ପରେ ବିବାହ ପାଇଁ ସେମାନଙ୍କର ମତାମତ ପଚାରିଲେ।ଦୁହିଁଙ୍କର ସହମତି ପାଇ ଉଭୟ ପରିବାର ବେଶ୍ ଖୁସି ହୋଇ ମିଠା ଖାଇଲେ। ସମୀର ଓ ସ୍ନେହା ପରସ୍ପରକୁ ସ୍ମିତହାସ୍ୟରେ ବିଦାୟ ଦେଉଥିଲେ ପୁଣି ଥରେ ଏକାଠି ହେବାପାଇଁ ।ସମୀର ମନେମନେ ଭାବୁଥିଲା କିଏ ଜାଣିଥିଲା ରାସ୍ତାକଡ଼ରେ ଘଟିଥିବା ଏକ ଦୁର୍ଘଟଣାରେ ପାଇଥିବା ନିଜର ନାୟିକା ଏତେ ଶୀଘ୍ର ତା ହାତ ପାଆନ୍ତାରେ ମିଳିଯିବ ବୋଲି।